କୁନ୍ଦୁଲି ଗଣଦୁଷ୍କର୍ମ : ରାଜରାସ୍ତାକୁ ଓହ୍ଳାଇବ ମହିଳା କଂଗ୍ରେସ

ଭୁବନେଶ୍ୱର : କୋରାପୁଟ ଜିଲ୍ଲାର କୁନ୍ଦୁଲି ନାବାଳିକ ଗଣଦୁଷ୍କର୍ମ ଘଟଣାର ଦୋଷୀମାନଙ୍କୁ ଗିରଫ କରିବାରେ ରାଜ୍ୟ ସରକାର ବିଫଳ ହୋଇପଡ଼ିଛି। ଏ ନେଇ ମହିଳା କଂଗ୍ରେସ ସରକାରଙ୍କୁ ତୀବ୍ର ନିନ୍ଦା କରିଛି। ତୁରନ୍ତ ଦୋଷୀମାନଙ୍କୁ ଗିରଫ କରାନଗଲେ ମହିଳା କଂଗ୍ରେସ ରାଜରାସ୍ତାକୁ ଓହ୍ଳାଇବ।

ଆଜି କଂଗ୍ରେସ ଭବନରେ ଅନୁଷ୍ଠିତ ଓଡ଼ିଶା ପ୍ରଦେଶ ମହିଳା କଂଗ୍ରେସ କମିଟିର କାର୍ଯ୍ୟକାରିଣୀ ବୈଠକରେ ଉପରୋକ୍ତ ଚେତାବନୀ ଦିଆଯାଇଛି। ସେହିପରି ରନ୍ଧନ ଗ୍ୟାସ, ନିତ୍ୟ ବ୍ୟବହାର୍ଯ୍ୟ ଦ୍ରବ୍ୟର ଦର ବୃଦ୍ଧି ଏବଂ ଜିଏସ୍‌ଟି ପାଇଁ ଅର୍ଥନୀତି ନିମ୍ନଗାମୀ ହୋଇଥିବା ବେଳେ ବିମୁଦ୍ରାକରଣ ଯୋଗୁଁ ଗରିବ ଏବଂ ନିମ୍ନ ମଧ୍ୟବିତ୍ତ ପରିବାର ଘୋର ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏ ନେଇ ବୈଠକରେ ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କୁ ତୀବ୍ର ସମାଲୋଚନା କରାଯାଇଥିଲା। ଚଳିତ ବର୍ଷ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଜନ୍ମ ଶତବାର୍ଷିକୀ ପାଳନ କରାଯାଉଛି। ଏଥିପାଇଁ ତାଙ୍କର ଶ୍ରାଦ୍ଧ ଦିବସ ଅକ୍ଟୋବର ୧୯ ତାରିଖଠାରୁ ଜୟନ୍ତୀ ନଭେମ୍ବର ୧୯ ତାରିଖ ପର୍ଯ୍ୟନ୍ତ ମହିଳା କଂଗ୍ରେସ ପକ୍ଷରୁ ରାଜ୍ୟବ୍ୟାପୀ ବ୍ୟାପକ କାର୍ଯ୍ୟକ୍ରମ ଗ୍ରହଣ କରାଯିବ। ମହିଳାଙ୍କ ପାଇଁ ବିଧାନସଭା ଏବଂ ସଂସଦରେ ୩୩ ଭାଗ ସ୍ଥାନ ସଂରକ୍ଷଣ ନିମନ୍ତେ ମହିଳା ବିଲ୍‌କୁ ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ପାରିତ କରିବାକୁ ସଚେତନତା ସୃଷ୍ଟି କରାଯିବ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଛି। ଦୀର୍ଘଦିନ ଧରି ରାଜ୍ୟର ଅଙ୍ଗନବାଡ଼ି କର୍ମୀମାନଙ୍କର ଦାବି ପୂରଣ ହେଉନଥିବାରୁ ରାଜ୍ୟରେ ଅଚଳାବସ୍ଥା ସୃଷ୍ଟି ହୋଇଛି। ଏ ନେଇ ତୁରନ୍ତ ପଦକ୍ଷେପ ନେବାକୁ ଦାବି କରାଯାଇଛି।

ମହିଳା କଂଗ୍ରେସ ସଭାପତି ଇଂ ସସ୍ମିତା ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକାରିଣୀ ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ଏବଂ ଜିଲ୍ଲା ମହିଳା କର୍ମକର୍ତା ରତ୍ନମଣି ଉଲ୍ଲାକା, ସାବିତ୍ରୀ ଚୌଧୁରୀ, ଅଜୟନ୍ତୀ ପ୍ରଧାନ, ଶୋଭାରାଣୀ ଦାସ, ବିନୋଦିନୀ ମହାନ୍ତି, ସ୍ୱାଧୀନମାଳା ଦାସ, ପ୍ରତିମା ମଲ୍ଲିକ, କନକଲତା ମଲ୍ଲିକ, ଲଳିତା ନାୟକ, ସବିତା ସ୍ୱାଇଁ, ଶୈଳବାଳା ଜେନା, ନୀଳିମା ଅଗ୍ରଓ୍ଵାଲ୍‌, ପ୍ରଭାତୀ ମିଶ୍ର, ଉର୍ମିଳା ମାଝୀ ପ୍ରମୁଖ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର