‘ମିଛ କହୁଛୁ, ସବୁ ମାନିଯା’

ଗଣଦୁଷ୍କର୍ମ ପୀଡ଼ିତାଙ୍କ ଉପରେ ପୁଲିସ ଚାପ

ଜୟପୁର : କୁନ୍ଦୁଲି ଗଣଦୁଷ୍କର୍ମ ଘଟଣାର ୧୭ଦିନ ପରେ ବି ସମସ୍ତଙ୍କୁ ଅନ୍ଧାରରେ ରଖିଛି ପୁଲିସ। ଅଭିଯୁକ୍ତ କିଏ? ଦୁଷ୍କର୍ମ ପରେ ସେମାନେ ଗଲେ କୁଆଡେ? ଏହି ପ୍ରଶ୍ନ ଗୁଡିକର ଉତ୍ତର ଏପର୍ଯ୍ୟନ୍ତ ଖୋଜି ପାରିନାହିଁ। କିନ୍ତୁ ପୀଡ଼ିତାଙ୍କ ଉପରେ ଚାପ ପକାଇ ଚାଲିଛି। କେତେବେଳେ ମହିଳା କନେଷ୍ଟବଳ ତ କେତେବେଳେ ଦକ୍ଷିଣ-ପଶ୍ଚିମାଞ୍ଚଳ ରେଞ୍ଜର ବରିଷ୍ଠ ଅଧିକାରୀ ପୀଡିତାଙ୍କ ଉପରେ ଚାପ ପକାଉଥିବା ଅଭିଯୋଗ ହୋଇଛି। ଆଜି ‘ସମ୍ବାଦ’ର ହସ୍ତଗତ ହୋଇଥିବା ଗୋଟିଏ ଭିଡିଓରେ ପୀଡ଼ିତା ଏଭଳି ଅଭିଯୋଗ କରୁଥିବା ଦେଖିବାକୁ ମିଳିଛି।

‘‘ତୁ ମିଛ କହୁଛୁ। ତୋର ସବୁ ମିଛ ଧରା ପଡ଼ିଗଲାଣି। ତୋ ଭାଇ ବି ମାନିଗଲାଣି। ସେ ହିଁ ସବୁ କିଛି କରିଛି। ତେଣୁ ତୁ ବି ମାନିଯା।’’ ସାଧା ପୋଷାକରେ ତଦନ୍ତ ପାଇଁ ଯାଇଥିବା ଏହି ବରିଷ୍ଠ ଅଧିକାରୀ ଏଭଳି କହିଥିଲେ ବୋଲି ପୀଡ଼ିତା ଭିଡିଓରେ ଅଭିଯୋଗ ଆଣିଛନ୍ତି। ଏଥିରୁ ପୁଲିସର ତଦନ୍ତ କେଉଁ ଦିଗରେ ଯାଉଛି ସ୍ପଷ୍ଟ ହୋଇଛି।

ସୂଚନାଯୋଗ୍ୟ ଯେ ଏହା ପୂର୍ବରୁ ବି ଅନ୍ୟ ଏକ ଭିଡିଓରେ ପୀଡ଼ିତା ସମାନ ଧରଣର ଅଭିଯୋଗ ଆଣିଥିଲେ। କହୁଥିଲେ ‘ପୁଲିସ କହୁଛି ମୁଁ ମିଛ କହୁଛି। ମୁଁ ମିଛ କାହିଁକି କହିବି।’ ଏମିତିକି ତାଙ୍କୁ ପରୋକ୍ଷରେ ଧମକ ଓ ମାନସିକ ନିର୍ଯାତନା ଦିଆଯାଉଥିବା ବି ସେ କହିଥିଲେ। ‘ମେଡିକାଲ କେସ୍‌ ବୋଲି ରକ୍ଷା ପାଇଛୁ, ଥାନା କେସ୍‌ ହୋଇଥିଲେ ଏତେବେଳକୁ ମାଡ଼ ମାରି ସତ ଆଦାୟ କରାଯାଇ ସାରନ୍ତାଣି’ ବୋଲି ତାଙ୍କୁ ଧମକାଯାଉଥିବା ପୀଡ଼ିତା ଉକ୍ତ ଭିଡିଓରେ କହିଥିଲେ। ‘ମତେ ମାରିବା କଥା ଯଦି ମାରିଦିଅ…’ ବୋଲି ମଧ୍ୟ ପୀଡ଼ିତା ନିରାଶ ହୋଇ କହୁଥିବା ଉକ୍ତ ଭିଡିଓରେ କହୁଥିଲେ।

ଏହି ଭିଡିଓ ବିଭିନ୍ନ ମହଲରେ ଚର୍ଚ୍ଚାର ବିଷୟ ହୋଇଥିଲେ ବି ପୁଲିସ ଏହାର ସତ୍ୟାସତ୍ୟ ନେଇ ମୁହଁ ଖୋଲୁନି। ଅର୍ଥାତ, ପୁଲିସ ଧରି ନେଇଛି ଯେ ଗତ ୧୦ତାରିଖ ଦିନ ଯବାନ ପୋଷାକ ପିନ୍ଧା ୪ଜଣ ଦୁର୍ବୃତ୍ତଙ୍କ ଗଣଦୁଷ୍କର୍ମ ନେଇ ପୀଡ଼ିତାଙ୍କ ଅଭିଯୋଗରେ ଆଦୌ ସତ୍ୟତା ନାହିଁ। ଆଜି ପୁଲିସ ଡିଜି ମଧ୍ୟ ଘଟଣା ସଂପର୍କରେ ବିଶେଷ କିଛି ନକହି ରହସ୍ୟ ବଢ଼ାଇ ଦେଇଛନ୍ତି। ଜିଲ୍ଲା ପୁଲିସ ଦ୍ୱାରା ଠିକ୍‌ ବାଟରେ ତଦନ୍ତ ଚାଲିଛି ଓ ଖୁବଶୀଘ୍ର ସତ ପଦାକୁ ଆସିବ ବୋଲି ଡିଜି କହିଛନ୍ତି। ଏମିତିକି ତାଙ୍କୁ ମାନସିକ ନିର୍ଯାତନା ଓ ଧମକ ଦିଆଯାଉଥିବା ନେଇ ପୀଡ଼ିତାଙ୍କ ଅଭିଯୋଗ ସଂପର୍କୀତ ପ୍ରଶ୍ନକୁ ଏଡ଼ାଇ ଯାଇଛନ୍ତି।

ପ୍ରଶ୍ନ ଉଠୁଛି, ଯଦି ପୀଡ଼ିତା ମିଛ କହୁଛନ୍ତି ବୋଲି ପୁଲିସ ମନେ କରୁଛି, ତାହାହେଲେ ସତ୍ୟ କ’ଣ? ପୁଲିସ କାହିଁକି ରହସ୍ୟ ଉପରୁ ପରଦା ହଟାଉନାହିଁ? ତଦନ୍ତ ଆଳରେ ପୁଲିସ ବାରମ୍ବାର କାହିଁକି ହସ୍ପିଟାଲ ଯାଉଛି। ସେହିପରି ପୁଲିସ ପାଖରେ କ’ଣ ଏମିତି ପ୍ରମାଣ ରହିଥିଲା ଯେ ପୀଡିତାଙ୍କ ୪ଜଣ ସଂପର୍କୀୟଙ୍କୁ ତଦନ୍ତ ପରିସରଭୁକ୍ତ କରିଥିଲା। ଜଣେ ସଂପର୍କୀୟଙ୍କୁ କୋରାପୁଟରୁ ଭୁବନେଶ୍ୱର ନେଇ ଲାଇ-ଡିଟେକ୍ସନ ଟେଷ୍ଟ କରିବା ପଛର ଉଦ୍ଦେଶ୍ୟ କ’ଣ ଥିଲା। ପୁଲିସକୁ ଏନେଇ ପଚାରିଲେ ଘଟଣାର ତଦନ୍ତ ଚାଲିଥିବା ବୋଲି କୁହାଯାଉଥିଲେ ହେଁ ଅନେକ ପ୍ରଶ୍ନର ଉତ୍ତର ନଦେଇ ଘଟଣାକୁ ଅଧିକ ଗୋଳିଆ କରି ଚାଲିଛି। ଏଥିରୁ ପୁଲିସ ମଧ୍ୟ ଏକ ପ୍ରକାର ଚାପରେ ଥିବା ଅନୁମାନ କରାଯାଉଛି। ଦେଖିବାକୁ ବାକି ରହିଲା ଏହି ଘଟଣା ଉପରୁ ପରଦା ହଟାଇବା ପାଇଁ ପୁଲିସ ଆହୁରି କେତେ ଦିନ ସମୟ ନେଉଛି।

ସମ୍ବନ୍ଧିତ ଖବର