କୁନ୍ଦୁଲି ଗଣଦୁଷ୍କର୍ମ ମାମଲା : ପୀଡ଼ିତାଙ୍କୁ କାଉନ୍‌ସେଲିଂ, ମାନସିକ ଅବସ୍ଥା ଭଲ ଥିବା କହିଲେ ବିଶେଷଜ୍ଞ

କୋରାପୁଟ : କୁନ୍ଦୁଲି ଗଣଦୁର୍ଷ୍କମ ମାମଲାର ପୀଡିତାଙ୍କୁ କାଉନସେଲିଂ କରାଯାଇଛି। ଦୁଇଜଣ ମନସ୍ତତ୍ତ୍ୱବିତ୍‌ ଆଜି ପୀଡିତାଙ୍କୁ ୪ଘଣ୍ଟାରୁ ଅଧିକ ସମୟ ଧରି କାଉନସେଲିଂ କରିଛନ୍ତି। କାଉନସେଲିଂ ପରେ ସେମାନେ କହିଛନ୍ତି ଯେ, ପୀଡିତାଙ୍କ ମାନସିକ ଅବସ୍ଥା ଭଲ ରହିଛି। ଆଜି ପ୍ରଥମ ପର୍ଯ୍ୟାୟ କାଉନସେଲିଂ ଶେଷ ହୋଇଥିଲା ବେଳେ ଆସନ୍ତାକାଲି ଦ୍ୱିତୀୟ ପର୍ଯ୍ୟାୟ କାଉନସେଲିଂ କରାଯିବ।

କୋରାପୁଟ ଜିଲ୍ଲା କୁନ୍ଦୁଲି ଅଂଚଳରେ ଜଣେ ନବମ ଶ୍ରେଣୀ ଛାତ୍ରୀଙ୍କୁ ଗଣ ଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଥିଲା। ଛାତ୍ରୀ ଜଣଙ୍କ ଅଭିଯୋଗ କରିଥିଲେ ଯେ, ଯବାନ ପୋଷାକ ପିନ୍ଧିଥିବା ୪ଜଣ ଯୁବକ ତାଙ୍କୁ ଗଣ ଦୁଷ୍କର୍ମ କରିଥିଲେ। ଏହି ମାମଲାରେ ଏ ପର୍ଯ୍ୟନ୍ତ ଦୋଷୀଙ୍କୁ ଚିହ୍ନଟ କରାଯାଇ ନ ଥିଲା ବେଳେ ପୀଡିତା ମଧ୍ୟ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ନାହାନ୍ତି। ତାଙ୍କ ଦେହ ବାରମ୍ବାର ଅସୁସ୍ଥ ହେଉଥିବାରୁ ଡାକ୍ତରଖାନାରେ ଭର୍ତ୍ତି କରାଯାଉଛି। ସେ ମାନସିକ ସ୍ତରରେ ମଧ୍ୟ ଭାଙ୍ଗି ପଡିଥିବା କୁହାଯାଉଛି। ତେଣୁ ତାଙ୍କ କାଉନସେଲିଂ ପାଇଁ ଦୁଇ ଜଣ ମନସ୍ତତ୍ତ୍ୱବିତଙ୍କୁ ଡକାଯାଇଛି। ଉତ୍କଳ ବିଶ୍ୱବିଦ୍ୟାଳୟ ପ୍ରଫେସର ନମିତା ମହାନ୍ତି ଓ ମଧୁମିତା ଦାଶ ଆଜି ପୀଡିତା ରହୁଥିବା ହଷ୍ଟେଲକୁ ଯାଇ ୪ଘଣ୍ଟା ଧରି ତାଙ୍କ ସହ ଆଲୋଚନା କରିଥିଲେ। ମନ ଭଲ ରଖିବାକୁ ବିଭିନ୍ନ ପରାମର୍ଶ ଦେଇଥିଲେ। ଆଜେବାଜେ କଥା ଚିନ୍ତା ନ କରିବାକୁ ମଧ୍ୟ ଉପଦେଶ ଦେଇଥିଲେ। ପରେ ସେମାନେ ଗଣମାଧ୍ୟମକୁ କହିଛନ୍ତି ଯେ, ପୀଡିତାଙ୍କ ସ୍ୱାସ୍ଥ୍ୟ ଭଲ ଅଛି। ତେବେ ଶରୀର ସାମାନ୍ୟ ଦୁର୍ବଳ ରହିଛି। ତାଙ୍କୁ ପୁଷ୍ଟିକର ଖାଦ୍ୟ ଦରକାର। ପୀଡିତାଙ୍କ ମାନସିକ ସ୍ଥିତି ବେଶ ଭଲ ରହିଛି। ଶରୀର ସୁସ୍ଥ ହୋଇଗଲା ପରେ ସେ ସ୍ୱାଭାବିକ ଜୀବନ ବଂଚିପାରିବେ। ଏବେ ତାଙ୍କୁ ମୁକ୍ତ ଆକାଶ ଦରକାର। ସାଙ୍ଗସାଥୀ ଓ ପରିବାର ସହ ସେ ରହିଲେ ଖୁବ୍‌ଶୀଘ୍ର ସ୍ୱାଭାବିକ ହୋଇ ପାରିବେ। ତେଣୁ ପୀଡିତାଙ୍କୁ ତାଙ୍କ ଘର ଲୋକଙ୍କ ସହ ଛାଡି ଦିଆଯିବା ଦରକାର ବୋଲି ପ୍ରଫେସର ନମିତା ମହାନ୍ତି କହିଛନ୍ତି।

ପୀଡିତାଙ୍କର ଆସନ୍ତାକାଲି ମଧ୍ୟ କାଉନସେଲିଂ କରାଯିବ ବୋଲି ଜଣାପଡିଛି। ଏପଟେ ଶିଶୁ ପରିଚର୍ଯ୍ୟା କେନ୍ଦ୍ରକୁ ଆସି ପୀଡିତାଙ୍କୁ ତାଙ୍କ ମା’ ଭେଟିଛନ୍ତି। ପୀଡିତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ନେଇ ସେ ତାଙ୍କ ସହ ଆଲୋଚନା କରିଥିବା ଜଣାପଡିଛି। ପରେ ସେ ଗଣମାଧ୍ୟମକୁ କହିଛନ୍ତି ଯେ, ପୀଡିତାଙ୍କୁ ଘରକୁ ନେଇଯିବା ପାଇଁ ପୁଲିସ କହୁଛି। ତେବେ ଏହି ମାମଲାରେ ଅଭିଯୁକ୍ତମାନେ ଏ ପର୍ଯ୍ୟନ୍ତ ଧରା ପଡି ନ ଥିବାରୁ ପୀଡିତାଙ୍କୁ ଘରକୁ ନେବା ପାଇଁ ଡର ଲାଗୁଛି। ନ୍ୟାୟ ନ ମିଳିବା ପର୍ଯ୍ୟନ୍ତ ତାଙ୍କୁ ଘରକୁ ନେବୁ ନାହିଁ ବୋଲି ପୀଡିତାଙ୍କ ମା’ କହିଛନ୍ତି। ଫଳରେ ଏହି ମାମଲା ନେଇ ଦ୍ୱନ୍ଦ ବଢିବାରେ ଲାଗିଛି। ଏହି ଘଟଣାକୁ ନେଇ ରାଜ୍ୟ ମାନବ ଅଧିକାର କମିଶନରେ ହୋଇଥିବା ଅଭିଯୋଗର ଶୁଣାଣି ଆସନ୍ତାକାଲି ହେବ। ଏହା ପୂର୍ବରୁ ହୋଇଥିବା ଶୁଣାଣି ସମୟରେ ମେଡିକାଲ ରିପୋର୍ଟ ଦାଖଲ ହୋଇ ନ ଥିବାରୁ କମିଶନ ଅସନ୍ତୋଷ ପ୍ରକାଶ କରିଥିଲେ। ଫଳରେ କୋରାପୁଟ ମେଡିକାଲ କଲେଜର ଅଧୀକ୍ଷକ କମିଶନଙ୍କ ପାଖକୁ ମେଡିକାଲ ରିପୋର୍ଟ ସ୍ପିଡ ପୋଷ୍ଟ ମାଧ୍ୟମରେ ପଠାଇ ଦେଇଛନ୍ତି। ଏହି ମେଡିକାଲ ରିପୋର୍ଟ ଆଜି ପର୍ଯ୍ୟନ୍ତ ସାର୍ବଜନୀନ ହୋଇ ନ ଥିଲାବେଳେ ଆସନ୍ତାକାଲି ଏଥିନେଇ କମିଶନ ନିଜ ମତ ରଖି ପାରନ୍ତି ବୋଲି ଅନୁମାନ କରାଯାଉଛି।

ସମ୍ବନ୍ଧିତ ଖବର