କୁନ୍ଦୁଲି ଗଣଦୁଷ୍କର୍ମ ମାମଲାରେ ନୂଆମୋଡ଼ : ପୀଡ଼ିତା ପରିବାରର ଆତ୍ମହତ୍ୟା ଧମକ

ଜୟପୁର : କୁନ୍ଦୁଲି ଗୁଣଦୁଷ୍କର୍ମ ଘଟଣାରେ କୌଣସି ପ୍ରମାଣ ନାହିଁ ବୋଲି ସରକାରୀ ରିପୋର୍ଟକୁ ନେଇ ପ୍ରତିକ୍ରିୟାଶୀଳ ହୋଇଛନ୍ତି ପୀଡ଼ିତା ପରିବାର। ପୁଲିସ ନ୍ୟାୟ ଦେବା ବଦଳରେ ସମ୍ମାନହାନି କରୁଥିବା ଅଭିଯୋଗ କରିଛନ୍ତି। ତେଣୁ ପୂରା ପରିବାର ଆତ୍ମହତ୍ୟା କରିବେ ବୋଲି ଧମକ ଦେଇଛନ୍ତି। ଆଜି ଗଣମାଧ୍ୟମକୁ ପୀଡ଼ିତାଙ୍କ ଭାଇ କହିଛନ୍ତି ଯେ, ଯଦି ଦୁଷ୍କର୍ମ ହୋଇ ନଥିଲା ତାହାଲେ ମେଡିକାଲରେ ଡାକ୍ତର କ’ଣ ଚିକିତ୍ସା କରୁଥିଲେ? ଏତେ ଔଷଧ ଖାଇବାକୁ କାହିଁକି ଦେଇଥିଲେ? ଗତ ୪ତାରିଖ ଦିନ ତାଙ୍କୁ ଦୁଇ ବରିଷ୍ଠ ପୁଲିସ ଅଧିକାରୀ ଡକାଇଥିଲେ। ଦୁଷ୍କର୍ମ ହୋଇ ନଥିବା କହିବା ସହ ତଦନ୍ତରେ ସହଯୋଗ କରିବାକୁ କହିଥିଲେ। ପୀଡ଼ିତା ମିଛ କହୁଛି, ତେଣୁ ତାଙ୍କୁ ବୁଝାସୁଝା କରି ସତ କହିବା ପାଇଁ ପରିବାର ଲୋକଙ୍କୁ ପରାମର୍ଶ ଦେଇଥିଲେ। ସେଠାରୁ ଫେରିବା ପରେ ଆଜି ପୁଲିସ ଏଭଳି କଥା କହିବା ପରେ ପୂରା ପରିବାର ମର୍ମାହତ। ଗରିବ ବୋଲି ଆମ ସ୍ୱରକୁ ଚପାଇ ଦେବାକୁ ଚେଷ୍ଟା କରାଯାଉଛି। ଡାକ୍ତର ମନ୍ଦ ଉଦ୍ଦେଶ୍ୟ ରଖି ଭୁଲ ରିପୋର୍ଟ ଦେଇଛି। ତେଣୁ ନିରପେକ୍ଷ ତଦନ୍ତ କରିବାକୁ ସେ ଦାବି କରିଛନ୍ତି।

ସେହିପରି ପୀଡିତାଙ୍କ ଖୁଡି କହିଲେ ଯେ, ଘଟଣା ପରେ ସେ ପୂରା ସମୟ ପୀଡିତା ନିକଟରେ ଥିଲେ। ଡାକ୍ତର ବାରମ୍ବାର ଆସି ପୋଷାକ ଖୋଲି ପରୀକ୍ଷା କରୁଥିଲେ। ଶରୀରରେ ଅନେକ କ୍ଷତ ଚିହ୍ନ ଥିବା ଦେଖିଥିଲେ। ଶୀଘ୍ର ସୁସ୍ଥ ହେବାକୁ ଔଷଧ ଦେଇଥିଲେ। ପୀଡିତା ବାରମ୍ବାର ଦୁଷ୍କର୍ମ ହୋଇଥିବା ନେଇ କହୁଛି। ତା’ କଥାକୁ ପୁଲିସ ବିଶ୍ୱାସ କରୁନାହିଁ। ଜଣେ ନାବାଳିକା କାହିଁକି ମିଛ କହିବ? ତେଣୁ ସେ ପୁଲିସର ତଦନ୍ତକୁ ସନ୍ଦେହ କରିବା ସହ ଡାକ୍ତରଙ୍କ ପରୀକ୍ଷା ଆଦୌ ସନ୍ତୋଷଜନକ ନଥିଲା ବୋଲି କହିଛନ୍ତି। ଗରିବ ଓ ଦଳିତ ହୋଇଥିବାରୁ ଡାକ୍ତର ଜାଣିଶୁଣି ଭୁଲ ରିପୋର୍ଟ ଦେଇଛନ୍ତି। ଯଦି ପୁଲିସ ତାଙ୍କୁ ନ୍ୟାୟ ନଦେବ ତାହାଲେ ତାଙ୍କ ପରିବାର ଏସପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସମୂହ ଆତ୍ମହତ୍ୟା କରିବାକୁ ବାଧ୍ୟ ହେବେ ବୋଲି କହିଛନ୍ତି।

‘ଦୁଷ୍କର୍ମର କୌଣସି ପ୍ରମାଣ ନାହିଁ’

ଖୁବ୍‌ ଶୀଘ୍ର ଘଟଣାର ହେବ ପର୍ଦାଫାସ: ଡିଜି

ଭୁବନେଶ୍ୱର/କଟକ : ବହୁ ଚର୍ଚ୍ଚିତ କୁନ୍ଦୁଲି ଗଣଦୁଷ୍କର୍ମ ଘଟଣା ନୂଆମୋଡ ନେଇଛି। ଘଟଣାର ତଦନ୍ତ କରୁଥିବା ଏଚଆରପିସି ଆଜି ରାଜ୍ୟ ମାନବାଧିକାର କମିସନଙ୍କୁ ତାଙ୍କ ରିପୋର୍ଟ ପ୍ରଦାନ କରିଛନ୍ତି। ଏଡିଜି ମହେନ୍ଦ୍ର ପ୍ରତାପ ତାଙ୍କ ରିପୋର୍ଟରେ କମିସନଙ୍କୁ ଜଣାଇଛନ୍ତି ଯେ ପୀଡିତାଙ୍କୁ ଦୁଷ୍କର୍ମ ହୋଇଥିବାର କୌଣସି ପ୍ରମାଣ ନାହିଁ। ପୀଡ଼ିତାଙ୍କୁ ଡାକ୍ତରୀ ମାଇନା କରାଇଥିବା ଡାକ୍ତରଙ୍କ ମତାମତ ଓ ମେଡିକାଲ ରିପୋର୍ଟକୁ ଆଧାର କରି ସେ ଏହି ରିପୋର୍ଟ ପ୍ରସ୍ତୁତ କରିଥିବା କହିଛନ୍ତି।

ଅକ୍ଟୋବର ୧୦ ତାରିଖରେ କୁନ୍ଦୁଲି ଗଣଦୁଷ୍କର୍ମ ଘଟଣା ପଦାକୁ ଆସିବା ପରେ ରାଜ୍ୟ ମାନବାଧିକାର କମିସନ ଏଚ୍‌ଆରିପିସିକୁ ତଦନ୍ତ କରିବାକୁ ନିର୍ଦେଶ ଦେଇଥିଲେ। ଏଚଆରପିସିି ପକ୍ଷରୁ ଖୋଳତାଡ଼ କରାଯାଇଥିଲା। ପୀଡ଼ିତାଙ୍କର ଡାକ୍ତରୀ ମାଇନା କରିଥିବା କୁନ୍ଦୁଲି ଡାକ୍ତରଖାନା ଡାକ୍ତର, କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ଡାକ୍ତରଖାନାର ଡାକ୍ତର ଓ ବ୍ରହ୍ମପୁରରୁ ଯାଇଥିବା ପ୍ରଫେସରଙ୍କ ମତାମତ ନିଆଯାଇଥିଲା। ସମସ୍ତେ ଜଣାଇଥିଲେ ଯେ ଦୁଷ୍କର୍ମ ହୋଇନାହିଁ। ମେଡିକାଲ ରିପୋର୍ଟରେ ଦୁଷ୍କର୍ମର କୌଣସି ଚିହ୍ନ ବର୍ଣ୍ଣ ନ ଥିବା ଦର୍ଶାଯାଇଥିଲା। ଏଥିପାଇଁ ପୀଡ଼ିତାଙ୍କୁ ବାରମ୍ବାର ଡାକ୍ତରୀ ମାଇନା କରାଯାଇଥିଲା।

ଏଚ୍‌ଆରପିସି ମୁଖ୍ୟଙ୍କ ଏଭଳି ରିପୋର୍ଟ ଘଟଣାକୁ ଅଧିକ ରହସ୍ୟମୟ କରିଦେଇଛି। ଯଦି ଦୁଷ୍କର୍ମ ହୋଇନାହିଁ, ତେବେ କେଉଁଥି ପାଇଁ ଜଣେ ନବମ ଶ୍ରେଣୀର ଛାତ୍ରୀ ଏଭଳି ଅଭିଯୋଗ ଆଣିଲେ ତାହା ଏବେ ଅନେକଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ହେଲେ ଏହା ଉପରୁ ଏଯାଏ ପରଦା ହଟିପାରିନାହିଁ। ଆଜି ପୁଲିସ ଡିଜି ରାଜେନ୍ଦ୍ର ପ୍ରସାଦ ଶର୍ମା କହିଛନ୍ତି, ଖୁବ ଶୀଘ୍ର କୁନ୍ଦୁଲି ଗଣଦୁଷ୍କର୍ମ ଘଟଣାର ପର୍ଦାଫାସ ହେବ। ପୁଲିସକୁ ଅନେକ ସଫଳତା ମିଳି ସାରିଛି। ସ୍ୱତନ୍ତ୍ର ଅନୁସନ୍ଧାନକାରୀ ଦଳ ଅନୁସନ୍ଧାନ ଜାରି ରଖିଛନ୍ତି। ସଂପୂର୍ଣ ବୈଜ୍ଞାନିକ ପଦ୍ଧତିିରେ ତଦନ୍ତ କରାଯାଉଛି। ତେବେଏହି ଘଟଣାରେ କୌଣସି ସୁରକ୍ଷା କର୍ମୀଙ୍କ ସଂପୃକ୍ତି ନାହିଁ ବୋଲି ଡିଜି କ୍ଲିନ୍‌ଚିଟ୍‌ ଦେଇଛନ୍ତି।

ଡିଜି କହିଛନ୍ତି, ପୁଲିସ ତଦନ୍ତ କରି ଜାଣିବାକୁ ପାଇଛି ଯେ ସେଦିନ ସଂପୃକ୍ତ ଅଂଚଳରେ କୌଣସି ଯବାନ କମ୍ବିଂ କିମ୍ବା ପାଟ୍ରୋଲିଂ ପାଇଁ ନିୟୋଜିତ ହୋଇ ନ ଥିଲେ। କୋବ୍ରା ଓ ଏସ୍‌ଓଜି କ୍ୟାମ୍ପ ସେଠାରୁ ପାଖାପାଖି ୩୦/୩୫ କିମି ଦୂରରେ। ସେହି ଅଞ୍ଚଳ ନକ୍ସଲ ପ୍ରଭାବିତ ହୋଇଥିବାରୁ ୫ ଜଣ ଯବାନ ସେଠାକୁ ଯିବା ମଧ୍ୟ ଅସମ୍ଭବ ବୋଲି ଡିଜି ଶ୍ରୀ ଶର୍ମା କହିଛନ୍ତି।

ଏହି ଦୁଷ୍କର୍ମ ଘଟଣାର ତଦନ୍ତ କରୁଥିବା ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି, ମେଡିକାଲ ରିପୋର୍ଟ ଆସିବା ପରେ ପୀଡ଼ିତାଙ୍କ ଅଭିଯୋଗକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି। କାରଣ ପୀଡ଼ିତାଙ୍କ ପରିବାର ପକ୍ଷରୁ ଦିଆଯାଇଥିବା ଏତଲା ଓ ବୟାନରେ ତାଳମେଳ ରହୁନାହିଁ। ଏକ ପ୍ରେମ ବ୍ୟାପାରକୁ କେନ୍ଦ୍ର କରି ଏଭଳି ମିଥ୍ୟା ଅଭିଯୋଗ କରାଯାଇଥିବା ସଂପୃକ୍ତ ଅଧିକାରୀ କହିଛନ୍ତି। ପୁଲିସ ସ୍ଥାନୀୟ ଅଂଚଳର ଦୁଇ ଜଣ ଯୁବକଙ୍କୁ ଖୋଜୁଛି। ସେମାନେ ମିଳିଗଲେ ଅଭିଯୋଗ ପଛର ରହସ୍ୟ ଆପେ ଆପେ ମିଳିଯିବ ବୋଲି ସଂପୃକ୍ତ ଅଧିକାରୀ କହିଛନ୍ତି।

୧୦ରେ ସାର୍ବଜନୀନ ହୋଇପାରେ ରିପୋର୍ଟ

ଭୁବନେଶ୍ୱର: ବହୁ ଚର୍ଚ୍ଚିତ କୁନ୍ଦୁଲି ଗଣଦୁଷ୍କର୍ମ ଘଟଣାର ମେଡ଼ିକାଲ ରିପୋର୍ଟ ଆଜି ରାଜ୍ୟ ମାନବାଧିକାର କମିସନଙ୍କ ହସ୍ତଗତ ହୋଇଛି। କୋରାପୁଟଠାରେ ଥିବା ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଅଧୀକ୍ଷକ ସ୍ପିଡ୍‌ ପୋଷ୍ଟ ଯୋଗେ ଏହି ରିପୋର୍ଟ କମିିସନଙ୍କ ନିକଟକୁ ପଠାଇଛନ୍ତି। ଏହାକୁ ତଜର୍ମା କରାଯାଉଛି। ତେବେ ରିପୋର୍ଟକୁ ସାର୍ବଜନୀନ କରାଯାଇ ନାହିଁ। ଆସନ୍ତା ୧୦ ତାରିଖରେ ଅଧୀକ୍ଷକ ବ୍ୟକ୍ତିିଗତ ଭାବେ ହାଜର ହୋଇ ଉତ୍ତର ଦେବା ପରେ ପୀଡ଼ିତାଙ୍କ ମେଡିକାଲ ରିପୋର୍ଟ ସାର୍ବଜନୀନ ହୋଇପାରେ।

ବିଶେଷସୂତ୍ରରୁ ଯାହା ସୂଚନା ମିଳିଛି ମେଡିକାଲ ରିପୋର୍ଟରେ ପୀଡ଼ିତାଙ୍କୁ ଦୁଷ୍କର୍ମ କରାଯାଇ ନାହିଁ। ଏପରିକି ତାଙ୍କ ସମ୍ବେଦନଶୀଳ ଅଙ୍ଗରେ କୌଣସି କ୍ଷତ ଚିହ୍ନ ମଧ୍ୟ ନାହିଁ ବୋଲି ଉଲ୍ଲେଖ ରହିଛି।

କୁନ୍ଦୁଲି ଗଣଦୁଷ୍କର୍ମ ଘଟଣାକୁ ୨୬ ଦିନ ହୋଇ ଗଲାଣି। ରାଜ୍ୟରେ ଝଡ଼ ସୃଷ୍ଟି କରିଥିବା ଏହି ଚର୍ଚ୍ଚିତ ଦୁଷ୍କର୍ମ ଘଟଣାରେ ପୀଡ଼ିତାଙ୍କ ମେଡିକାଲ ରିପୋର୍ଟ ହିଁ ନିର୍ଣ୍ଣାୟକ ଭୂମିକା ନେବ ବୋଲି କୁହାଯାଉଛି। ଜଣେ କିମ୍ବା ଦୁଇ ଜଣ ନୁହେଁ ୩ଟି ଟିମ୍‌ରେ ଏକାଧିକ ମହିଳା ଡାକ୍ତରଙ୍କୁ ମିଶାଇ ପ୍ରାୟ ୧୦ ଜଣ ଡାକ୍ତରଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଏହି ରିପୋର୍ଟ ପ୍ରକାଶ ପାଇଛି। ଅଭିଯୋଗ ପରେ ପରେ ପ୍ରଥମେ କୁନ୍ଦୁଲିରେ ପୀଡ଼ିତାଙ୍କ ଡାକ୍ତରୀମାଇନା କରାଯାଇଥିଲା, ଏହା ପରେ କୋରାପୁଟ ସଦର ମୁହକୁମାରେ ଥିବା ସହିଦ ଲକ୍ଷ୍ମଣ ନାୟକ ମେଡିକାଲରେ ୩ ଜଣିଆ ଡାକ୍ତରୀ ଟିମ୍‌ ପୀଡ଼ିତାଙ୍କ ଡାକ୍ତରୀ ମାଇନା କରିଥିଲେ। ପରଦିନ ବ୍ରହ୍ମପୁରରୁ ଜଣେ ଆସୋସିଏଟ ପ୍ରଫେସର, ଏକ ସାଇଣ୍ଟିଫିକ୍‌ ଟିମ୍‌ ଓ ଏଫଏମ୍‌ଟିର ୩ ଜଣ ବିଶେଷଜ୍ଞ ଯାଇ ଡାକ୍ତରୀ ମାଇନା କରାଇଥିଲେ। ସମସ୍ତ ଡାକ୍ତରୀ ଦଳଙ୍କ ମତାମତ ଏହି ମେଡିକାଲ ରିପୋର୍ଟରେ ରହଛି। ପୁଲିସର ତଦନ୍ତ ମଧ୍ୟ ସେହି ଦିଗରେ ଯାହା ମେଡିକାଲ ରିପୋର୍ଟରେ ଉଲ୍ଲେଖ ଅଛି।

ଏଠାରେ ପ୍ରକାଶଥାଉକି, ରାଜ୍ୟ ମାନାବାଧିକାର କମିସନଙ୍କ ପକ୍ଷରୁ କୋରାପୁଟ ଠାରେ ଥିବା ସହିଦଲକ୍ଷ୍ମଣ ନାୟକ ମେଡିକାଲ ସୁପରିନ୍‌ଟେଣ୍ଡେଣ୍ଟଙ୍କୁ ବାରମ୍ବାର ମେଡିକାଲ ରିପୋର୍ଟ ଦେବାକୁ ନିର୍ଦେଶ ଦେଇଥିଲେ। କିନ୍ତୁ ସେ ମେଡିକାଲ ରିପୋର୍ଟ ଦାଖଲ କରି ପାରି ନ ଥିଲେ। ଏଥିରେ ବିରକ୍ତି ପ୍ରକାଶ କରି ମାନବାଧିକାର କମିସନ ଆସନ୍ତା ୧୦ ତାରିଖରେ ତାଙ୍କୁ ବ୍ୟକ୍ତିଗତ ଭାବେ ହାଜର ହେବାକୁ ଗତକାଲି ନିର୍ଦେଶ ଦେଇଛନ୍ତି।

ସମ୍ବନ୍ଧିତ ଖବର