କୁନ୍ଦୁଲିରେ କ୍ରାଇମ୍‌ ବ୍ରାଞ୍ଚର ତନାଘନା

ପୀଡ଼ିତାଙ୍କ ବୟାନ ରେକର୍ଡ

କୋରାପୁଟ/ପଟାଙ୍ଗୀ : କୁନ୍ଦୁଲି ଗଣଦୁଷ୍କର୍ମ ମାମଲାରେ ଆଜିଠାରୁ ବିଧିବଦ୍ଧ ଭାବେ କ୍ରାଇମ ବ୍ରାଞ୍ଚ ତଦନ୍ତ ଆରମ୍ଭ ହୋଇଛି। କ୍ରାଇମ ବ୍ରାଞ୍ଚର ଏକ ୪ଜଣିଆ ଟିମ୍‌ ଆଜି ପୀଡ଼ିତାଙ୍କ ବୟାନ ରେକର୍ଡ କରିବା ସହ ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି। ସେଠାରୁ ଆବଶ୍ୟକ ତଥ୍ୟ ପ୍ରମାଣ ସଂଗ୍ରହ କରିବା ସହ ପାରିପାର୍ଶ୍ୱିକ ଅବସ୍ଥାର ଅନୁଧ୍ୟାନ କରିଛନ୍ତି। ଏହା ପରେ ସେମାନେ ବରିଷ୍ଠ ପୁଲିସ ଅଧିକାରୀଙ୍କ ସହ ଆଲୋଚନା କରିଥିବା ଜଣାପଡିଛି।

ଏହି ସମ୍ବେଦନଶୀଳ ମାମଲାର ତଦନ୍ତ କରି ପୁଲିସ ଦୁଷ୍କର୍ମର କୌଣସି ପ୍ରମାଣ ନ ଥିବା କହିଥିଲା। ଏହାକୁ ନେଇ ସାରା ରାଜ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇବା ପରେ ତଦନ୍ତ ଦାୟିତ୍ୱ କ୍ରାଇମ ବ୍ରାଂଚକୁ ଦେଇଥିଲେ ସରକାର। କ୍ରାଇମ ବ୍ରାଂଚର ଅଧିକାରୀମାନେ ଆଜି ପୀଡ଼ିତା ରହୁଥିବା ଶିଶୁ ପରିଚର୍ଯ୍ୟା କେନ୍ଦ୍ରକୁ ଯାଇଥିଲେ। ସେଠାରେ ସେମାନେ ପୀଡ଼ିତାଙ୍କ ବୟାନ ରେକର୍ଡ କରିଥିଲେ। ପରେ ସେମାନେ କୁନ୍ଦୁଲି ନିକଟସ୍ଥ ଲେଂଜିଗୁଡା ଗାଁ ମୁଣ୍ଡରେ ଥିବା ପାହାଡ଼ ପାଖକୁ ଯାଇଥିଲେ। ସେଠାରୁ କିଛି ତଥ୍ୟ ପ୍ରମାଣ ସଂଗ୍ରହ କରିଥିଲେ। ପୀଡ଼ିତାଙ୍କ ବୟାନ ଅନୁସାରେ, ସନ୍ଦିଗ୍ଧଙ୍କ ଗତିବିଧି ନେଇ ତର୍ଜମା କରିଥିଲେ। ପରେ ସେମାନେ ଏହି ଘଟଣାର ତଦନ୍ତ ସହ ଜଡିତ ଥିବା ଜିଲ୍ଲାର କିଛି ଅଧିକାରୀଙ୍କଠାରୁ ତଥ୍ୟ ସଂଗ୍ରହ କରିଛନ୍ତି।

ଅପରପକ୍ଷରେ ପୀଡ଼ିତାଙ୍କୁ ନେବା ପାଇଁ ଆଗରୁ ଦାବି କରୁଥିବା ଘର ଲୋକେ ଆଉ ଶିଶୁ ମଙ୍ଗଳ କମିଟି ପାଖକୁ ଆସି ନାହାନ୍ତି। ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରାଜଶ୍ରୀ ଦାଶଙ୍କ କହିବାନୁଯାୟୀ, ଛାତ୍ରୀଙ୍କୁ ଏବେ ଭଲ ସ୍ଥାନରେ ରଖାଯାଇଛି। ପରିବାର ଲୋକେ ଛାତ୍ରୀଙ୍କ ଉପଯୁକ୍ତ ଯତ୍ନ ଓ ସୁରକ୍ଷା ନେବାକୁ ଲିଖିତ ଭାବେ ଜଣାଇଲେ ତାଙ୍କୁ ପରିବାରର ଜିମା ଦିଆଯିବ ବୋଲି ସେ କହିଛନ୍ତି।

୫୦ ହଜାର ଟଙ୍କା ସହାୟତା ନିର୍ଦେଶ

ଭୁବନେଶ୍ୱର : କୁନ୍ଦୁଲି ଗଣଦୁଷ୍କର୍ମ ଘଟଣାରେ ପୀଡ଼ିତାଙ୍କୁ ୫୦ ହଜାର ଟଙ୍କାର କ୍ଷତିପୂରଣ ସହିତ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟରେ ପଢ଼ାଇବାକୁ ଆଜି ରାଜ୍ୟ ମାନବାଧିକାର କମିସନ ନିର୍ଦେଶ ଦେଇଛନ୍ତି। ଏହି ଗଣଦୁଷ୍କର୍ମ ମାମଲାର ଶୁଣାଣି କରି କମିସନ ରାଜ୍ୟ ସରକାରଙ୍କ ଅନୁସୂଚିତ ଜାତି ଓ ଜନଜାତି ସଚିବ ଓ କୋରାପୁଟ ଜିଲ୍ଲାପାଳଙ୍କୁ ଏଭଳି ନିର୍ଦେଶ ଦେଇଥିବା ଜଣାପଡ଼ିଛି। ଏହି ମାମଲାର ପରବର୍ତୀ ଶୁଣାଣି ଆସନ୍ତା ୨୭ ତାରିଖରେ ହେବ। ଅନ୍ୟପକ୍ଷରେ ଆଜି କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜର ସୁପରିନ୍‌ଟେଣ୍ଡେଣ୍ଟ୍‌ ପ୍ରଫେସର ସୀତାରାମ ମହାପାତ୍ର କମିସନଙ୍କ ନିକଟରେ ଆଜି ବ୍ୟକ୍ତିଗତ ଭାବେ ହାଜର ହୋଇ ପୀଡ଼ିତାଙ୍କ ଡାକ୍ତରୀ ମାଇନା ଓ ଚିକିତ୍ସା ଆଦିର ରିପୋର୍ଟ ପ୍ରଦାନ କରିଛନ୍ତି। ତେବେ ପୀଡ଼ିତା ଦୁଷ୍କର୍ମର ଶିକାର ହୋଇଛନ୍ତି ନା ନାହିଁ ତାହା ଏହି ରିପୋର୍ଟରେ ସ୍ପଷ୍ଟ ହୋଇନାହିଁ।

ଅପରପକ୍ଷରେ ପରିବାର ଲୋକ ୫୦ହଜାର ଟଙ୍କାର ସହାୟତାକୁ ଗ୍ରହଣ କରିବେ ନାହିଁ ବୋଲି କହିଛନ୍ତିି। ଜଣେ ସଂପର୍କୀୟଙ୍କ କହିବାନୁଯାୟୀ, ଛାତ୍ରୀଙ୍କୁ ନ୍ୟାୟ ଦରକାର। ରାଜ୍ୟ ବାହାରର ଡାକ୍ତରଙ୍କୁ ଆଣି ତାଙ୍କର ପରୀକ୍ଷା କରାଯାଉ। ଯଦି ତାଙ୍କ ସହ ଦୁଷ୍କର୍ମର୍ ହୋଇ ନ ଥିବ, ତେବେ ଟଙ୍କାଟିଏ କ୍ଷତିପୂରଣ ନେବେ ନାହିଁ ବୋଲି ଗଣମାଧ୍ୟମକୁ କହିଛନ୍ତି।

ସମ୍ବନ୍ଧିତ ଖବର