ତଦନ୍ତ ସ୍ଥିତି ସଂପର୍କରେ ସତ୍ୟପାଠ ଦାଖଲ ନିର୍ଦ୍ଦେଶ

ହାଇକୋର୍ଟରେ କୁନ୍ଦୁଲି ଗଣଦୁଷ୍କର୍ମ ମାମଲା 

କଟକ : କୋରାପୁଟ ଜିଲ୍ଲା ପଟାଙ୍ଗୀ ଥାନା କୁନ୍ଦୁଲି ଅଞ୍ଚଳରେ ନବମ ଶ୍ରେଣୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣାର ତଦନ୍ତ ସ୍ଥିତି ସଂପର୍କରେ ସତ୍ୟପାଠ ଦାଖଲ ପାଇଁ ରାଜ୍ୟ ସରକାରଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ଭିନିତ ସରନ ଓ ଡକ୍ଟର ଜଷ୍ଟିସ ବି.ଆର୍‌.ଷଡଙ୍ଗୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଆଇନଜୀବୀ ଗୌତମ ସିଦ୍ଧିକୀଙ୍କ ପକ୍ଷରୁ ଦାୟର ଜନସ୍ୱାର୍ଥ ମାମଲାର ଶୁଣାଣି କରି ତଦନ୍ତର ସାନି ସ୍ଥିତି ସଂପର୍କରେ ସତ୍ୟପାଠ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ନଭେମ୍ବର ୨୧ରେ କରାଯିବା ପାଇଁ ଧାର୍ଯ୍ୟ କରାଯାଇଥିବା ବେଳେ ତାହା ପୂର୍ବରୁ ସରକାର ସତ୍ୟପାଠ ଦାଖଲ କରିବେ। ଆଜି ଶୁଣାଣି ସମୟରେ ଆବେଦନକାରୀଙ୍କ ପକ୍ଷରୁ ଦର୍ଶାଯାଇଥିଲା ଯେ ଜଣେ ସ୍କୁଲ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଭଳି ସ୍ପର୍ଶକାତର ଘଟଣାର ତଦନ୍ତ ଯେଉଁ ଭଳି ଢଙ୍ଗରେ ଚାଲିଛି ତାକୁ ନେଇ ସାଧାରଣରେ ଅସନ୍ତୋଷ ଦେଖା ଦେଇଛି। ଘଟଣାର କୌଣସି ସ୍ୱାଧୀନ ଏଜେନ୍ସି ଦ୍ୱାରା ତଦନ୍ତ କରାଯିବା ଆବଶ୍ୟକ ବୋଲି ଆବେଦନକାରୀଙ୍କ ପକ୍ଷରୁ ଦର୍ଶାଯାଇଥିଲା।

ସିବିଆଇ କିମ୍ବା ନ୍ୟାସନାଲ ଇନଭେଷ୍ଟିଗେଟିଂ ଏଜେନି୍ସ (ଏନଆଇଏ) ଦ୍ୱାରା କୁନ୍ଦୁଲି ଗଣଦୁଷ୍କର୍ମ ଘଟଣାର ତଦନ୍ତ ନିବେଦନ କରି ହାଇକୋର୍ଟରେ ଏହି ଜନସ୍ୱାର୍ଥ ମାମଲା ରୁଜୁ ହୋଇଛି। ଆବେଦନରେ ଦର୍ଶାଯାଇଛି ଯେ ଘଟଣାରେ ଚାରି ଅଭିଯୁକ୍ତଙ୍କୁ ଠାବ କରାଯାଇ ପାରି ନଥିବା ବେଳେ ସେମାନେ ସୁରକ୍ଷାକର୍ମୀଙ୍କ ପୋଷାକରେ ଥିଲେ ବୋଲି ଅଭିଯୋଗ ହୋଇଛି। ଘଟଣାର ତଦନ୍ତ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ତଦନ୍ତକାରୀ ଦଳ ଗଠନ କରାଯାଇଥିଲେ ମଧ୍ୟ ଘଟଣାସ୍ଥଳ ଜଙ୍ଗଲ ମଧ୍ୟରେ ଠାବ କରାଯାଇଛି। ଉଭୟ କେନ୍ଦ୍ରୀୟ ସୁରକ୍ଷା ଦଳର ଯବାନ ଓ ରାଜ୍ୟ ପୁଲିସ ବାହିନୀର ଯବାନ ଏହି ଘଟଣାରେ ସଂପୃକ୍ତ ନାହାନ୍ତି ବୋଲି ସଫେଇ ଦେଇଛନ୍ତି। ତେଣୁ ରାଜ୍ୟ ସରକାରଙ୍କ ପୁଲିସ ବାହିନୀ ଏହି ଘଟଣାର ନିରପେକ୍ଷ ତଦନ୍ତ କରିବ ବୋଲି ଆଶା ନାହିଁ। ଏହି ଘଟଣାକୁ ନେଇ ଅନ୍ତର୍ଜାତିକସ୍ତରରେ ଗଣମାଧ୍ୟମରେ ଚର୍ଚ୍ଚା କରାଯାଉଛି। ଫଳରେ କୋରାପୁଟ ଭଳି ନକ୍ସଲ ପ୍ରଭାବିତ ଅଞ୍ଚଳରେ ମୁତୟନ ହୋଇଥିବା ଯବାନଙ୍କ ଉପରେ ଏହାର ପ୍ରଭାବ ପଡୁଛି। ଏପରି ଘଟଣା ଯବାନଙ୍କ ମନୋବଳକୁ ଭାଙ୍ଗିଦେଉଛି। ତଦନ୍ତ ନାଁରେ ସ୍ଥାନୀୟ ବାସିନ୍ଦାଙ୍କୁ ହଇରାଣ ହରକତ କରାଯାଉଛି। ଏପରି ସ୍ଥିତିରେ ସିବିଆଇ କିମ୍ବା ଏନଆଇଏ ଭଳି ସ୍ୱାଧୀନ ସଂସ୍ଥା ଦ୍ୱାରା ସମଗ୍ର ଘଟଣାର ତଦନ୍ତ କରାଗଲେ ପ୍ରକୃତ ସତ୍ୟ ପଦାକୁ ଆସିବ। ମାମଲାରେ ରାଜ୍ୟ ଗୃହ ବିଭାଗ ସଚିବ, ଡିଜିପି, ଏନଆଇଏ ଡିଜି, ସିବିଆଇ ଏସପି, କୋରାପୁଟ ଏସପି ଓ ପଟାଙ୍ଗୀ ଥାନା ଆଇଆଇସିଙ୍କୁ ପକ୍ଷଭୁକ୍ତ କରାଯାଇଛି।

ସମ୍ବନ୍ଧିତ ଖବର