କୁନ୍ଦୁଲି ଗଣଦୁଷ୍କର୍ମ : ପୀଡ଼ିତା ମେଡିକାଲରେ, ରାଜଭବନ ଆଗରେ ସଂପର୍କୀୟ

କୋରାପୁଟ : କୁନ୍ଦୁଲି ଗଣଦୁଷ୍କର୍ମ ମାମଲା ଦିନକୁ ଦିନ ଅଧିକ ଜଟିଳ ହେବାରେ ଲାଗିଛି। ଡାକ୍ତରଖାନାରୁ ଡିସ୍‌ଚାର୍ଜ ପରେ ବି ବାରମ୍ବାର ଅସୁସ୍ଥ ହେଉଥିବାରୁ ପୀଡ଼ିତା ପୁଣି କୋରାପୁଟ ଏସଏଲଏନ ମେଡିକାଲ କଲେଜରେ ଭର୍ତ୍ତି ହୋଇଛନ୍ତି। ତାଙ୍କୁ ଏକ ସ୍ୱତନ୍ତ୍ର ପ୍ରକୋଷ୍ଠରେ ରଖି ଏକ ଡାକ୍ତରୀ ଦଳ ଚିକିତ୍ସା କରୁଛନ୍ତି। ଏପଟେ ତାଙ୍କ ସଂପର୍କୀୟ ଓ ଗ୍ରାମବାସୀ ଭୁବନେଶ୍ୱର ଯାଇ ରାଜଭବନ ଆଗରେ ଧାରଣାରେ ବସିଛନ୍ତି।

କୋରାପୁଟ ଜିଲ୍ଲା କୁନ୍ଦୁଲି ଅଂଚଳର ଜଣେ ନବମ ଶ୍ରେଣୀ ଛାତ୍ରୀଙ୍କୁ ଯବାନ ପୋଷାକ ପିନ୍ଧା ୪ଜଣ ଦୁର୍ବୃତ୍ତ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା। ଗତ ୧୦ତାରିଖ ପୂର୍ବାହ୍ନରେ ଏହି ଅଘଟଣ ପରେ ପୀଡିତାଙ୍କୁ କୋରାପୁଟ ସହିଦ୍‌ ଲକ୍ଷ୍ମଣ ନାୟକ ମେଡିକାଲ କଲେଜର ଭର୍ତ୍ତି କରାଯାଇଥିଲା। ଏଠାରେ ତାଙ୍କର ଚିକିତ୍ସା କରାଯିବା ପରେ ସେ ସୁସ୍ଥ ହୋଇ ୨୭ତାରିଖରେ ଡାକ୍ତରଖାନାରୁ ବାହାରିଥିଲେ। ଶିଶୁ ମଙ୍ଗଳ କମିଟିର ସୁପାରିଶ ଅନୁସାରେ ଜୟପୁରର ଏକ ଶିଶୁ ପରିଚର୍ଯ୍ୟା କେନ୍ଦ୍ରରେ ରଖାଯାଇଥିଲା। ସେଠାରେ ସେ ଅସୁସ୍ଥ ହୋଇ ପଡ଼ିବାରୁ ଜୟପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଗତ ୩୦ତାରିଖରେ ତାଙ୍କୁ ଡାକ୍ତରଖାନାରୁ ଛାଡ ମିଳିବା ପରେ କୋରାପୁଟ ଉପକଣ୍ଠ ଡୁମୁରୀପୁଟର ଏକ ଶିଶୁ ପରିଚର୍ଯ୍ୟା କେନ୍ଦ୍ରରେ ରଖାଯାଇଥିଲା। ତେବେ ବୁଧବାର ସନ୍ଧ୍ୟାରେ ପୀଡ଼ିତା ଜଣଙ୍କ ପୁଣି ଅସୁସ୍ଥ ହୋଇ ପଡ଼ିଥିଲେ। ସନ୍ଧ୍ୟାରେ ତାଙ୍କୁ ମେଡିକାଲ କଲେଜରେ ଭର୍ତ୍ତି କରାଯିବା ପରେ ଆଇସିୟୁରେ ରଖି ଚିକିତ୍ସା କରାଯାଇଥିଲା। ଏକ୍ସରେ କରାଯିବା ସହ ଅନ୍ୟାନ୍ୟ ପରୀକ୍ଷା ମଧ୍ୟ ହୋଇଥିଲା। ପରେ ଭେଷଜ ବିଭାଗ ଆଇସିୟୁ ନିକଟରେ ଥିବା ଏକ ସ୍ୱତନ୍ତ୍ର କେବିନରେ ତାଙ୍କର ଚିକିତ୍ସା ଚାଲିଛି। ଏକ ଡାକ୍ତରୀ ଦଳ ତାଙ୍କ ଚିକିତ୍ସା କରୁଛନ୍ତି। ପୀଡିତାଙ୍କର ଅଧିକ ପରୀକ୍ଷା ନିରୀକ୍ଷା ପାଇଁ କଟକରୁ ବିଶେଷଜ୍ଞ ଆସିବେ ବୋଲି ଜଣାପଡିଛି। ତେବେ ପୀଡିତାଙ୍କ ସ୍ୱାସ୍ଥ୍ୟବସ୍ଥା ଓ ଚିକିତ୍ସା ନେଇ ଡାକ୍ତରଖାନା କର୍ତ୍ତୃପକ୍ଷ କୌଣସି ସୂଚନା ଦେଇ ନାହାନ୍ତି। ବରଂ କଡ଼ା ସୁରକ୍ଷା ବଳୟ ମଧ୍ୟରେ ପୀଡ଼ିତାଙ୍କୁ ରଖାଯାଇଛି। ପୀଡ଼ିତାଙ୍କ ପାଖକୁ ବାହାର ଲୋକଙ୍କ ପ୍ରବେଶ ନେଇ କଟକଣା ଲଗା ଯାଇଛି।

କୋରାପୁଟ ମେଡିକାଲରେ ପୀଡ଼ିତା ଚିକିତ୍ସାଧୀନ ଥିବା ବେଳେ ତାଙ୍କ ସଂପର୍କୀୟ ଓ ଗ୍ରାମବାସୀ ଭୁବନେଶ୍ୱର ଯାଇଛନ୍ତି। ପୀଡିତାଙ୍କୁ ନ୍ୟାୟ ପ୍ରଦାନ ଦାବିରେ କଂଗ୍ରେସ ପକ୍ଷରୁ ସେଠାରେ ରାଜଭବନ ଆଗରେ ଧାରଣା ଦିଆଯାଇଥିଲା ବେଳେ ଗ୍ରାମବାସୀ ସେଥିରେ ସାମିଲ ହୋଇଛନ୍ତି। ଏକ ପ୍ରତିଷ୍ଠିତ ଘରୋଇ ଡାକ୍ତରଖାନାରେ ପୀଡିତାଙ୍କ ଚିକିତ୍ସା, ଘଟଣାର ବିଚାର ବିଭାଗୀୟ ତଦନ୍ତ, ଡାକ୍ତରୀ ମାଇନା ରିପୋର୍ଟକୁ ସାର୍ବଜନୀନ କରିବା, ପୀଡିତାଙ୍କ ପରିବାରକୁ ୫୦ଲକ୍ଷ ଟଙ୍କାର କ୍ଷତିପୂରଣ, ଦୋଷୀଙ୍କୁ ତୁରନ୍ତ ଗିରଫ କରି ତା’ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କଂଗ୍ରେସ ପକ୍ଷରୁ ଦାବି କରାଯାଇଥିଲା ବେଳେ ପୀଡିତାଙ୍କ ଗ୍ରାମବାସୀ ଏହାକୁ ସମର୍ଥନ କରିଛନ୍ତି। ଗତକାଲି ସନ୍ଧ୍ୟାରେ ପୀଡିତାଙ୍କ ଗ୍ରାମବାସୀ ଭୁବନେଶ୍ୱର ଯାତ୍ରା କରି ଆଜି ଏହି ଧାରଣାରେ ସାମିଲ ହୋଇଛନ୍ତି। ପରିବାର ଲୋକଙ୍କୁ କିଛି କ୍ଷତିପୂରଣ ନ ମିଳିଥିବା ସେମାନେ ଅଭିଯୋଗ କରିଛନ୍ତି। ଏହି ଘଟଣା ସେମାନଙ୍କ ପରିବାରର ଆର୍ଥିକ ମେରୁଦଣ୍ଡ ଭାଙ୍ଗି ଦେଇଛି। ଘଟଣା ପରଠାରୁ ପରିବାର ଲୋକ ଘରୁ ବାହାରି ପାରୁ ନ ଥିଲାବେଳେ ତୁରନ୍ତ ସେମାନଙ୍କୁ ଆର୍ଥିକ ସହଯୋଗ ଯୋଗାଇ ଦେବାକୁ ସେମାନେ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର