କୁନ୍ଦୁଲି ଗଣଦୁଷ୍କର୍ମ ଘଟଣା: ଏସପି କହିଲେ, ଘଟଣା ସହିତ ଏସ୍‌ଓଜି, ବିଏସ୍‌ଏଫ୍‌ ସଂପୃକ୍ତ ଥିବା ମିଳି ନାହିଁ ତଥ୍ୟ

କୋରାପୁଟ: କୋରାପୁଟ ଜିଲ୍ଲା ଜୟପୁର ନିକଟସ୍ଥ କୁନ୍ଦୁଲି ଜଙ୍ଗଲ ରାସ୍ତାରେ ଗତ ଅକ୍ଟୋବରରେ ହୋଇଥବା ଗଣଦୁଷ୍କର୍ମ ଘଟଣା ଯେତିକି ପୁରୁଣା ହେଉଛି, ଅଧିକ ଦ୍ୱନ୍ଦ ସୃଷ୍ଟି କରୁଛି। ଘଟଣାରେ ସଂପୃକ୍ତ ଅଭିଯୁକ୍ତମାନଙ୍କୁ ପୁଲିସ ଏଯାବତ୍‌ ଧରିବାରେ ସଫଳ ହୋଇ ପାରି ନାହିଁ। ବିଜୁ ଜନତା ଦଳର ବରିଷ୍ଠ ନେତା ବିଷ୍ଣୁ ଦାସ ଶୁକ୍ରବାର କହିଥିଲେ, ଏସ୍‌ଓଜି ଯବାନଙ୍କ ବିରୋଧରେ ପୀଡ଼ିତାଙ୍କ ପକ୍ଷରୁ ହୋଇଥିବା ଅଭିଯୋଗ ସତ। କିଛି ସମୟ ପରେ ଶ୍ରୀ ଦାସ ବୟାନକୁ ଭୁଲ ଭାବରେ ଉପସ୍ଥାପିତ କରାଯାଇଛି ବୋଲି କହିଥିଲେ।

ବିଜେଡି ନେତାଙ୍କ ବୟାନ ଉପରେ ଶନିବାର କୋରାପୁଟ ଏସ୍‌ପି ଡାକ୍ତର କନଓ୍ଵର ବିଶ୍ୱାଲ ସିଂ ଏକ ବଡ ବୟାନ ଦେଇଛନ୍ତି। ସେ କହିଛନ୍ତି, କୁନ୍ଦୁଲି ଗଣଦୁଷ୍କର୍ମ ଘଟଣାରେ ଏସ୍‌ଓଜି, ବିଏସ୍‌ଏଫ୍‌ ଓ କୋବ୍ରା ଯବାନମାନେ ସଂପୃକ୍ତି ଥିବା ଆମ ପାଖରେ କୌଣସି ପ୍ରମାଣ ନାର୍ହି। ଘଟଣା ଦିନଠାରୁ ପୁଲିସ ତଦନ୍ତ କରୁଥିଲେ ମଧ୍ୟ ଏପର୍ଯ୍ୟନ୍ତ କୌଣସି ସିଦ୍ଧାନ୍ତରେ ପହଞ୍ଚି ପାରି ନାହିଁ। ଏହି ଘଟଣା ପାଇଁ ବିଶେଷଜ୍ଞ ଦଳ କାମ କରୁଛନ୍ତି। ପୀଡ଼ିତାଙ୍କୁ କାଉନସେଲିଂ କରିବା ପାଇଁ କଟକରୁ ଦୁଇଜଣ ବିଶେଷଜ୍ଞ କୋରାପୁଟ ଆସୁଛନ୍ତି। ତଦନ୍ତ ଶେଷ ହେଲେ ଘଟଣା ସମ୍ପର୍କରେ ସ୍ପଷ୍ଟ କୁହାଯାଇ ପାରିବ ଓ ଅଭିଯୁକ୍ତଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ ନିଆଯିବ।

ଅନ୍ୟପକ୍ଷରେ ନବମ ଶ୍ରେଣୀର ପୀଡ଼ିତା ଛାତ୍ରୀର ବାରମ୍ବାର ମେଡିକାଲ ପରୀକ୍ଷା କରାଯାଉଥିଲେ ହେଁ, ରିପୋର୍ଟ କ’ଣ ଆସିବ, ସେ ନେଇ ନ୍ଦ୍ୱନ୍ଦ ବଢ଼ିଛି।

ସମ୍ବନ୍ଧିତ ଖବର