ଭୁବନେଶ୍ୱରରେ କୁନ୍ଦୁଲି ରାଜନୀତି

ବିଷ୍ଣୁ ଦାସଙ୍କ ନାମରେ ଏତଲା ଦେଲା ବିଜେପି

ରାଜ୍ୟପାଳଙ୍କ ନିକଟରେ ଫେରାଦ ହେଲା କଂଗ୍ରେସ

ଭୁବନେଶ୍ୱର : କୋରାପୁଟ ଜିଲ୍ଲାର କୁନ୍ଦୁଲି ଗଣଦୁଷ୍କର୍ମ ମାମଲାକୁ ନେଇ ରାଜନୀତି ଥମୁନି। ଏହି ଘଟଣାରେ ଶାସକ ବିଜୁ ଜନତା ଦଳକୁ ଘେରିଛନ୍ତି ବିଜେପି ଓ କଂଗ୍ରେସ। ସାମ୍ବାଦିକ ସମ୍ମିଳନୀରେ ପୀଡ଼ିତାଙ୍କ ନାମ ନେଇଥିବାରୁ ବିଜେଡି ଦଳିତ ସେଲ୍‌ ଆବାହକ ବିଷ୍ଣୁ ଦାସଙ୍କ ନାମରେ ଏତଲା ଦେଇଛି ବିଜେପି। ସେହିପରି କଂଗ୍ରେସର ଏକ ପ୍ରତିନିଧି ଦଳ ରାଜ୍ୟପାଳଙ୍କୁ ସାକ୍ଷାତ କରି ଫେରାଦ ହୋଇଛି।

ବିଜେପିି ପକ୍ଷରୁ ଅନୁସୂଚିତ ଜାତି ମୋର୍ଚ୍ଚା ରାଜ୍ୟ ପ୍ରଭାରୀ ଦିଲ୍ଲୀପ ମଲ୍ଲିକ ଭୁବନେଶ୍ୱର ମହିଳା ଥାନାରେ ଏତଲା ଦେଇଛନ୍ତି। ଶ୍ରୀ ମଲ୍ଲିକ ଅଭିଯୋଗ କରିଛନ୍ତି, ଗଣଦୁଷ୍କର୍ମ ପୀଡ଼ିତାଙ୍କ ନାମ ଗୋପନ ରଖିବା ପାଇଁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅଛି। କିନ୍ତୁ କୁନ୍ଦୁଲି ଗଣଦୁଷ୍କର୍ମ ମାମଲାର ସର୍‌ଜମିନ୍‌ ତଦନ୍ତ କରିଥିବା ବିଜେଡି ଅନୁସୂଚିତ ଜାତି ସେଲ୍‌ ଏହି ରିପୋର୍ଟକୁ ସାର୍ବଜନୀନ କରିବା ସହ ଏଥିରେ ଗଣଦୁଷ୍କର୍ମ ପୀଡ଼ିତାଙ୍କ ନାମ ଓ ପୂରା ଠିକଣା ଉଲ୍ଲେଖ କରିଛନ୍ତି। ଏହି ରିପୋର୍ଟକୁ ବିଜେଡିର ବରିଷ୍ଠ ନେତା ଶ୍ରୀ ଦାସ ସାର୍ବଜନୀନ କରିଛନ୍ତି। ତେଣୁ ଏହି ଅପରାଧ ପାଇଁ ଶ୍ରୀ ଦାସଙ୍କ ସମେତ ତଦନ୍ତ ପ୍ରତିନିଧି ଦଳରେ ଥିବା ନେତାମାନଙ୍କୁ ଆଇନ୍‌ ଅନୁଯାୟୀ ଦଣ୍ଡିତ କରିବାର ଆବଶ୍ୟକତା ରହିଛି।

ଅନ୍ୟ ପକ୍ଷରେ ବିଧାୟକ କୃଷ୍ଣଚନ୍ଦ୍ର ସଗରିଆଙ୍କ ନେତୃତ୍ୱରେ କଂଗ୍ରେସର ଏକ ପ୍ରତିନିଧି ଦଳ ରାଜ୍ୟପାଳଙ୍କୁ ଭେଟି ସ୍ମାରକପତ୍ର ପ୍ରଦାନ କରିଛି। ପୀଡ଼ିତାଙ୍କୁ ୫୦ ଲକ୍ଷ ଟଙ୍କା କ୍ଷତିପୂରଣ ସହ ଭଲ ଚିକିତ୍ସା ପାଇଁ ତାଙ୍କୁ ଭୁବନେଶ୍ୱରର କୌଣସି ଘରୋଇ ହସ୍ପିଟାଲ୍‌କୁ ସ୍ଥାନାନ୍ତର କରିବା ପାଇଁ କଂଗ୍ରେସ ପକ୍ଷରୁ ଦାବି କରାଯାଇଛି। ପିସିସି ସଭାପତି ପ୍ରସାଦ ହରିଚନ୍ଦନ ଅଭିଯୋଗ କରିଛନ୍ତି, ପ୍ରଥମ ଦିନରୁ ପୁଲିସ୍‌ ପୀଡ଼ିତା ଓ ତାଙ୍କ ପରିବାରକୁ ହଇରାଣ କରୁଛି। ରାଜ୍ୟ ସରକାର ଅଭିଯୁକ୍ତଙ୍କୁ ସୁରକ୍ଷା ଦେଉଛନ୍ତି। ତୁରନ୍ତ ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ସେ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର