କୁନ୍ଦୁଲି ଗଣଦୁଷ୍କର୍ମ ଓ ଆତ୍ମହତ୍ୟା ମାମଲା : ଏସ୍‌ଆଇଟି ତଦନ୍ତ ଆରମ୍ଭ, ପୀଡ଼ିତାଙ୍କ ମା’ ଓ ଭାଇଙ୍କ ପାଖରୁ ତଥ୍ୟ ସଂଗ୍ରହ କଲା ଟିମ୍‌

କୋରାପୁଟ : ବହୁଚର୍ଚ୍ଚିତ କୁନ୍ଦୁଲି ଗଣଦୁଷ୍କର୍ମ ଓ ଆତ୍ମହତ୍ୟା ମାମଲାର ପୁଣି ତଦନ୍ତ ଆରମ୍ଭ ହୋଇଛି। ହାଇକୋର୍ଟଙ୍କ ନିର୍ଦେଶକ୍ରମେ ସ୍ବତନ୍ତ୍ର ଅନୁସନ୍ଧାନକାରୀ ଟିମ୍‌(ଏସଆଇଟି) ଆଜି ପୀଡ଼ିତାଙ୍କ ମା’ ଓ ଭାଇଙ୍କୁ ଭେଟି ତଥ୍ୟ ସଂଗ୍ରହ କରିଛି। କୋରାପୁଟ ରେଂଜ ଡିଆଇଜିଙ୍କ କାର୍ଯ୍ୟାଳୟରେ ଟିମ୍‌ ଦୀର୍ଘ ସମୟ ଧରି ଏହି ଘଟଣାର ଖୋଳତାଡ଼ କରିଥିବା ବେଳେ ଏସ୍‌ଆଇଟି ତଦନ୍ତରେ ନ୍ୟାୟ ମିଳିବା ନେଇ ସନ୍ଦେହ ପ୍ରକଟ କରିଛନ୍ତି ପୀଡ଼ିତାଙ୍କ ପରିବାର। ମାମଲାର ସିବିଆଇ ତଦନ୍ତ ଦାବିକୁ ପୁଣି ଦୋହରାଇଛନ୍ତି ପରିବାର ଲୋକେ।

ଗତ ୨୦୧୭ ମସିହା ଅକ୍ଟୋବର ୧୦ ତାରିଖ ଦିନ ଜଣେ ନବମ ଶ୍ରେଣୀ ଛାତ୍ରୀ କୁନ୍ଦୁଲି ହାଟପଦାରୁ ଘରକୁ ଫେରୁଥିବା ବେଳେ ଯବାନ ପୋଷାକ ପିନ୍ଧିଥିବା ୪ଜଣ ଯୁବକ ତାଙ୍କୁ ଗଣଦୁଷ୍କର୍ମ କରିଥିଲେ ବୋଲି ପୀଡ଼ିତା ଅଭିଯୋଗ ହୋଇଥିଲା। ଖୋଦ୍‌ ଛାତ୍ରୀ ଜଣଙ୍କ ଏଭଳି ସଂଗିନ ଅଭିଯୋଗ କରିବା ପରେ କୋରାପୁଟ ପୁଲିସ ଘଟଣାର ତଦନ୍ତ କରିଥିଲା। ତେବେ ଛାତ୍ରୀଙ୍କ ସହ ଦୁଷ୍କର୍ମ ହୋଇଥିବାର ପ୍ରମାଣ ନଥିବା ପୁଲିସ କହିବା ପରେ ଘଟଣାର ମୋଡ଼ ବଦଳିଥିଲା। ଘଟଣାର ବିଚାର ବିଭାଗୀୟ ଓ କ୍ରାଇମବ୍ରାଂଚ ତଦନ୍ତ କରାଯାଇଥିଲେ ମଧ୍ୟ କୌଣସି ପ୍ରମାଣ ମିଳି ନଥିଲା। ଏହି ଘଟଣା ସମଗ୍ର ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଥିବା ବେଳେ ଗତ ୨୦୧୮ ଜାନୁଆରି ୨୨ ତାରିଖରେ ଛାତ୍ରୀ ଜଣଙ୍କ ନିଜ ଘରେ ଆତ୍ମହତ୍ୟା କରିଥି‌ଲେ।

ଆତ୍ମହତ୍ୟା ପରେ ଏହି ମାମଲାଟି ଅଧିକ ଜଟିଳ ହୋଇପଡିବା ସହ ଏଥିନେଇ ହାଇକୋର୍ଟରେ ମାମଲା ଦାୟର କରାଯାଇଥିଲା। ଘଟଣାର ତଦନ୍ତ ପାଇଁ ଏସ୍‌ଆଇଟି ଗଠନ କରିବାକୁ ହାଇକୋର୍ଟ ନିର୍ଦେଶ ଦେଇଥିଲେ। ହାଇକୋର୍ଟଙ୍କ ନି‌ର୍ଦେଶ ଆଧାରରେ ଦକ୍ଷିଣ-ପଶ୍ଚିମାଞ୍ଚଳ ରେଂଜ ଡିଆଇଜି ସଫିନ ଅହମ୍ମଦ କେ, ଦକ୍ଷିଣାଞ୍ଚଳ ରେଂଜ ଡିଆଇଜି ସତ୍ୟବ୍ରତ ଭୋଇ ଓ ଉତ୍ତରାଞ୍ଚଳ ରେଂଜ ଡିଆଇଜି ହିମାଂଶୁ ଲାଲଙ୍କୁ ଗଠିତ ଏସଆଇଟି ଟିମ୍ ଆଜି ତଦନ୍ତ ଆରମ୍ଭ କରିଛି । ପ୍ରଥମ ପର୍ଯ୍ୟାୟରେ ସେମାନେ ପୀଡ଼ିତାଙ୍କ ମା’ ଓ ଭାଇଙ୍କ ସହ ଆଲୋଚନା କରିଛନ୍ତି। ଘଟଣା ସଂପର୍କରେ ପଚାରି ବୁଝିଛନ୍ତି। ପୀଡ଼ିତାଙ୍କ ମା’ଙ୍କ ଅଭିଯୋଗ ଅନୁସାରେ, ତଦନ୍ତ ଆଗକୁ ଆଗେଇବ। ଏହି ଘଟଣା ସହ ଜଡ଼ିତ ଲୋକ ଓ ଅଧିକାରୀଙ୍କୁ ବିଭିନ୍ନ ପର୍ଯ୍ୟାୟରେ ତଦନ୍ତ ପରିସରଭୁକ୍ତ କରାଯିବ ବୋଲି ଜଣାପଡ଼ିଛି। ଟିମ୍‌ର ସଦସ୍ୟ ତଥା ଡିଆଇଜି ସଫିନ ଅହମ୍ମଦ କେ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ଏହି ମାମଲା ନେଇ ହାଇକୋର୍ଟର ଅଭିଯୋଗ କରିଥିବା ପୀଡ଼ିତାଙ୍କ ମା’ଙ୍କ ପାଖରୁ ଆଜି ତଥ୍ୟ ସଂଗ୍ରହ କରାଯାଇଛି। ପୀଡ଼ିତାଙ୍କ ମା’ ଓ ଭାଇଙ୍କ ବୟାନ ରେକର୍ଡ କରାଯାଇଛି। ଅଭିଯୋଗକାରୀଙ୍କ ଅଭିଯୋଗ ଆଜି ଶୁଣାଯାଇଥିବା ବେଳେ ଏହାକୁ ଆଧାର କରି ଆଗକୁ ତଦନ୍ତ ଆଗେଇବ ବୋଲି ‌ସେ କହିଛନ୍ତି। ଅପରପକ୍ଷରେ ପୀଡ଼ିତାଙ୍କ ମା’ କହିଛନ୍ତି ଯେ, ଏହି ଘଟଣାରେ ଆମେ ନ୍ୟାୟ ଚାହୁଁଛୁ। ସିବିଆଇ ତଦନ୍ତ କରିଥିଲେ ନ୍ୟାୟ ମିଳିଥାନ୍ତା। ତଥାପି ଏସ୍‌ଆଇଟି ତଦନ୍ତ ରିପୋର୍ଟକୁ ଆମେ ଅପେକ୍ଷା କରିଛୁ। ନ୍ୟାୟ ପାଇଁ ଅପେକ୍ଷା କରି ଝିଅ ଆତ୍ମହତ୍ୟା କଲା। ନ୍ୟାୟ ନ ମିଳିଲେ ମୁଁ ମଧ୍ୟ ସେପରି କରିବି ବୋଲି ପୀଡ଼ିତାଙ୍କ ମା’ ଗଣମାଧ୍ୟମ ଆଗରେ ପ୍ରକାଶ କରିଥିଲେ।

ସମ୍ବନ୍ଧିତ ଖବର