କଟକ : ଗତାକଲି ରବିବାର ଏସ୍ସିବି ମେଡିକାଲ୍ରେ ଭର୍ତ୍ତି ହୋଇଥିବା କୁନ୍ଦୁଲି ଦୁଷ୍କର୍ମ ପୀଡ଼ିତାଙ୍କୁ ଆଜି ମେଡିସିନ୍ ଆଇସିୟୁକୁ ସ୍ଥାନାନ୍ତର କରାଯାଇଛି। ଟ୍ରମା ବିଲ୍ଡିଂସ୍ଥିତ ଆଇସିସିୟୁରେ ରହିଥିଲା ବେଳେ ଏକାଧିକ ସ୍ୱେଚ୍ଛାସେବୀ ଓ ରାଜନୈତିକ ଦଳର କର୍ମକର୍ତାମାନେ ତାଙ୍କୁ ଭେଟିବାକୁ ଆସୁଥିବାରୁ ତାଙ୍କୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ୁଛି। ତେଣୁ ତାଙ୍କୁ ଉପଯୁକ୍ତ ଚିକିତ୍ସା ଯୋଗାଇଦେବା ପାଇଁ ଆଜି ମେଡିସିନ୍ ଆଇସିୟୁକୁ ସ୍ଥାନାନ୍ତର କରାଯାଇଥିବା ଜଣାଯାଇଛି।
ଅନ୍ୟପକ୍ଷରେ ତାଙ୍କ ଚିକିତ୍ସା ପାଇଁ ଆଜି ୧୧ଜଣିଆ ଡାକ୍ତରୀ ଦଳ ଗଠନ କରାଯାଇଛି। ମେଡିସିନ୍ ବିଭାଗ ମୁଖ୍ୟ ଏହି ଦଳର ଅଧ୍ୟକ୍ଷ ଥିବାବେଳେ ଆନାସ୍ଥେସିଆ, କାର୍ଡିଓଲୋଜି, ଏଫ୍ଏମ୍ଟି, ନ୍ୟୁରୋଲୋଜି, ସାଇକାଟ୍ରିକ୍, ସ୍ତ୍ରୀ ଓ ପ୍ରସୂତି, ଗ୍ୟାଷ୍ଟ୍ରୋଏଣ୍ଟ୍ରୋଲୋଜି, ନେଫ୍ରୋଲୋଜି, କ୍ଲିନିକାଲ୍ ହେମାଟୋଲୋଜିର ବିଭାଗୀୟ ମୁଖ୍ୟମାନେ ଏହି ଦଳରେ ସଦସ୍ୟ ଅଛନ୍ତି। ଏହାବ୍ୟତୀତ ମେଡିସିନ୍ ବିଭାଗର ଆସୋସିଏଟ୍ ପ୍ରଫେସର ଡାକ୍ତର ଶ୍ରୀପ୍ରସାଦ ମହାନ୍ତିଙ୍କୁ ଦଳର ଆବାହକ କରାଯାଇଛି। ଗତକାଲି ଏଫ୍ଏମ୍ଟି ଓ ପଲ୍ମୁନାରୀ ମେଡିସିନ୍ ବିଭାଗର ଡାକ୍ତର ପୀଡ଼ିତାଙ୍କ ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ କରିଥିଲା ବେଳେ ଆଜି ନ୍ୟୁରୋଲୋଜି, ସାଇକାଟ୍ରିକ୍, ଗ୍ୟାଷ୍ଟ୍ରୋଏଣ୍ଟ୍ରୋଲୋଜି ବିଭାଗ ଡାକ୍ତର ତାଙ୍କ ସ୍ୱାସ୍ଥ୍ୟ ଯାଞ୍ଚ କରିଛନ୍ତି। କିନ୍ତୁ ଆଜି ଏଣ୍ଡୋସ୍କୋପି ହୋଇ ନଥିବାବେଳେ ଆସନ୍ତାକାଲି ଗ୍ୟାଷ୍ଟ୍ରୋଏଣ୍ଟ୍ରୋଲୋଜି ବିଭାଗରେ ତାଙ୍କର ଏଣ୍ଡୋସ୍କୋପି କରାଯିବ ବୋଲି ସୂଚନା ଦିଅଯାଇଛି।
କେନ୍ଦୁଝରରେ ଥିବାବେଳେ ପୀଡ଼ିତା ଜଣକ ଏକାଧିକ ଆଇରନ୍ ବଟିକା ଏକାସାଙ୍ଗରେ ଖାଇଦେଇଥିବାରୁ ତାଙ୍କ ବାନ୍ତିରେ ରକ୍ତ ପଡ଼ିଥିଲା। ତେଣୁ ସେ ଆତ୍ମହତ୍ୟା କରିବାକୁ ଉଦ୍ୟମ କରୁଥିବା ସନ୍ଦେହ କରାଯାଇଛି। ଆଜି ମାନସିକ ରୋଗ ବିଶେଷଜ୍ଞ ତାଙ୍କର କାଉନସେଲିଂ କଲାବେଳେ ସେ ମାନସିକ ଭାବେ ଭାଙ୍ଗିପଡ଼ିଥିବା ଜଣାପଡ଼ିଛି। ତାଙ୍କ ଉପରେ କୌଣସି ବାହ୍ୟ ଚାପ ଯୋଗୁଁ ସେ ଆତ୍ମହତ୍ୟା ଉଦ୍ୟମ କରିଥିବା ଅନୁମାନ କରାଯାଇଛି। ଏଥିପାଇଁ ତାଙ୍କୁ ନିୟମିତ କାଉନସେଲିଂର ଆବଶ୍ୟକତା ରହିଥିବା କୁହାଯାଇଛି। ଏହାବ୍ୟତୀତ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ଡାକ୍ତର ଶ୍ରୀପ୍ରସାଦ ମହାନ୍ତି କହିଛନ୍ତି। ପୀଡ଼ିତାଙ୍କ ସମସ୍ତ ଚିକିତ୍ସା ମାଗଣାରେ କରାଯିବାକୁ ମେଡିକାଲ୍ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ପାଥୋଲୋଜି ଓ ରେଡିଓଲୋଜି ପରୀକ୍ଷା ସହିତ ଆଇସିୟୁରେ ବ୍ୟବହାର ହେଉଥିବା ଭେଣ୍ଟିଲେଟର ସେବା ମଧ୍ୟ ସଂପୂର୍ଣ୍ଣ ମାଗଣା କରାଯାଇଥିବା ଅଧୀକ୍ଷକ ପ୍ରଫେସର ଡାକ୍ତର ଶ୍ୟାମା କାନୁନ୍ଗୋ ସୂଚନା ଦେଇଛନ୍ତି। ମେଡିକାଲ୍ରେ ଥିବାବେଳେ ସ୍ୱେଚ୍ଛାସେବୀ ସଂଗଠନ ମାନବାଧିକାର ପରିଷଦ, ସିଡବ୍ଲୁସି, ମହିଳା କଂଗ୍ରେସ ପକ୍ଷରୁ ତାଙ୍କୁ ସାକ୍ଷାତ କରାଯାଇଥିଲା ବେଳେ କର୍ମକର୍ତାମାନେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଥିଲେ।