ଏସ୍‌ସିବିରୁ ସର୍ତ୍ତମୂଳକ ଡିସ୍‌ଚାର୍ଜ ହେବେ କୁନ୍ଦୁଲି ପୀଡ଼ିତା

ଝିଅକୁ ନେବା ପାଇଁ ଥାନାର ଦ୍ୱାରସ୍ଥ ହେଲେ ମା’

କଟକ : ଏସ୍‌ସିବି ମେଡିକାଲ୍‌ରୁ ସର୍ତ୍ତମୂଳକ ଭାବେ କୁନ୍ଦୁଲି ପୀଡ଼ିତାଙ୍କୁ ଡିସ୍‌ଚାର୍ଜ କରାଯିବ। ତାଙ୍କର ମେଡିସିନ୍‌ କିମ୍ବା ସର୍ଜରୀରେ କୌଣସି ଚିକିତ୍ସାର ଆବଶ୍ୟକତା ନଥିବାବେଳେ ସାଇକାଟ୍ରିକ୍‌ ଥେରାପି କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା। କନ୍ତୁ ମାନସିକ ରୋଗ ଓ୍ଵାର୍ଡକୁ ଯିବାକୁ ପୀଡ଼ିତାଙ୍କ ମା’ ଅରାଜି ହେବାରୁ ମାନସିକ ରୋଗ ବିଭାଗ ମୁଖ୍ୟ ପ୍ରଫେସର ଡାକ୍ତର ନୀଳମାଧବ ରଥ ତାଙ୍କୁ ଓ୍ଵାର୍ଡକୁ ନେବାକୁ ମନା କରିଦେଇଥିଲେ। ତେଣୁ ଆସନ୍ତା ସୋମବାର ମେଡିକାଲ୍‌ ବୋର୍ଡ ପୁଣି ଥରେ ବସିବା ପରେ ପୀଡ଼ିତାଙ୍କୁ ଡିସ୍‌ଚାର୍ଜ କରାଯିବା ନେଇ ଆଲୋଚନା କରାଯିବ ବୋଲି ବୋର୍ଡ ଆବାହକ ଡାକ୍ତର ଶ୍ରୀପ୍ରସାଦ ମହାନ୍ତି ସୂଚନା ଦେଇଛନ୍ତି।

ଆଜି ପୂର୍ବାହ୍ନରେ ପୀଡ଼ିତାଙ୍କ ମା’ ଝିଅକୁ ନେବା ପାଇଁ ପୁଣି ଥରେ ଧାରଣାରେ ବସିଥିଲେ। ପୂର୍ବତନ ସାଂସଦ ପ୍ରଦୀପ ମାଝୀ ଓ ବିଧାୟକ କୃଷ୍ଣଚନ୍ଦ୍ର ସଗରିଆ ମଧ୍ୟ ତାଙ୍କୁ ସମର୍ଥନ ଦେଇଥିଲେ। ପରେ ସାଂସଦଙ୍କ ସହାୟତାରେ ପୀଡ଼ିତାଙ୍କ ମା’ ଝିଅକୁ ନେବା ପାଇଁ ମଙ୍ଗଳାବାଗ ଥାନାରେ ଲିଖିତ ଭାବେ ଜଣାଇଥିଲେ। ଝିଅ ସଂପୂର୍ଣ୍ଣ ରୂପେ ସୁସ୍ଥ ଅଛି। କିନ୍ତୁ ଏଠାରେ ମନ୍ଦ ଉଦ୍ଦେଶ୍ୟ ରଖାଯାଇ ତାକୁ ମାନସିକ ଓ୍ଵାର୍ଡକୁ ପଠାଇବାକୁ ଚକ୍ରାନ୍ତ କରାଯାଉଥିବା ସେ ଅଭିଯୋଗ କରିଥିଲେ। ତଦନ୍ତକୁ ପ୍ରଭାବିତ କରିବା ପାଇଁ ଡିସିପିଓ ବାହାରେ ମିଛ ପ୍ରଚାର କରୁଛନ୍ତି। ତେଣୁ ଡାକ୍ତରଖାନା କର୍ତ୍ତୃପକ୍ଷ, ପୁଲିସ୍‌ ଓ ଡିସିପିଓଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ସେ ଦାବି କରିଥିଲେ।

ପରେ ଏ ସମ୍ପର୍କରେ କୋରାପୁଟ ଡିସିପିଓ ରାଜଶ୍ରୀ ଦାସ ମଧ୍ୟ ପୁଲିସ୍‌କୁ ତାଙ୍କର ପ୍ରତିକ୍ରିୟା ଜଣାଇଛନ୍ତି। ମା’ଙ୍କର ସହମତି ନମିିଳିବାରୁ ପୀଡ଼ିତାଙ୍କୁ ମେଡିସିନ୍‌ ଆଇସିୟୁରେ ରଖାଯାଇଛି। ତେଣୁ ପୀଡ଼ିତାଙ୍କ ଚିକିତ୍ସା ଓ ତାଙ୍କୁ ଡିସ୍‌ଚାର୍ଜ କରିବା ନିର୍ଣ୍ଣୟ ମେଡିକାଲ୍‌ ବୋର୍ଡ ଉପରେ ନିର୍ଭର କରୁଛି ବୋଲି ଡିସିପିଓ ଜଣାଇଛନ୍ତି। ତଥାପି ରାତି ପର୍ଯ୍ୟନ୍ତ ପୀଡ଼ିତାଙ୍କ ପରିବାରବର୍ଗଙ୍କ ସହିତ ପୂର୍ବତନ ସାଂସଦ ଓ ବିଧାୟକ ମେଡିକାଲ୍‌ରେ ଧାରଣାରେ ବସିଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ ପୀଡ଼ିତାଙ୍କୁ କେଉଁ ସର୍ତ୍ତରେ ଡିସ୍‌ଚାର୍ଜ କରାଯିବ ତାହା ଉପରେ ମେଡିକାଲ୍‌ ଅଧୀକ୍ଷକ ଓ କୋରାପୁଟ ଡିସିପିଓଙ୍କଠୁ ଲିଖିତ ଆକାରରେ ଜବାବ ମଗାଯାଇଛି। ଜବାବ ମିଳିବା ପରେ ମେଡିକାଲ୍‌ ବୋର୍ଡ ବୈଠକ ବସିବ ବୋଲି ସୂଚନା ଦିଆଯାଇଛି।

ସମ୍ବନ୍ଧିତ ଖବର