କୁନ୍ଦୁଲି ପୀଡ଼ିତାଙ୍କ ଦାନ୍ତ, ଅଲ୍‌ଟ୍ରାସାଉଣ୍ଡ, ଏକ୍ସ-ରେ ରିପୋର୍ଟ ସ୍ୱାଭାବିକ

କଟକ : ଏସ୍‌ସିବି ମେଡିକାଲ୍‌ ମେଡିସିନ୍‌ ଆଇସିୟୁରେ ଭର୍ତ୍ତି ହୋଇଥିବା କୁନ୍ଦୁଲି ଗଣଦୁଷ୍କର୍ମ ପୀଡ଼ିତାଙ୍କ ସମସ୍ତ ଡାକ୍ତରୀ ପରୀକ୍ଷା ଆଜି ଶେଷ ହୋଇଛି। ଗତକାଲି ସୁଦ୍ଧା ତାଙ୍କର ପ୍ରାୟତଃ ସବୁ ପରୀକ୍ଷା ଶେଷ ହୋଇଯାଇଥିଲାବେଳେ ଆଜି ମେଡିକାଲ ବୋର୍ଡ ବୈଠକ ବସିବାର ଥିଲା। କିନ୍ତୁ ଗୁରୁବାର ସକାଳୁ ପୀଡ଼ିତାଙ୍କ ଦାନ୍ତ, ଛାତି ଓ ପେଟରେ ଯନ୍ତ୍ରଣା ହେଉଥିବା ଡାକ୍ତରଙ୍କୁ କହିଥିଲେ। ତେଣୁ ତାଙ୍କର ଦାନ୍ତ ପରୀକ୍ଷା କରାଯିବା ସହ ପେଟ ପାଇଁ ଅଲ୍‌ଟ୍ରାସାଉଣ୍ଡ ଓ ଛାତିର ଏକ୍ସ-ରେ କରାଯାଇଥିଲା। କିନ୍ତୁ ସବୁକିଛି ରିପୋର୍ଟ ସ୍ୱାଭାବିକ୍‌ ବାହାରିଥିବା ମେଡିକାଲ୍‌ ବୋର୍ଡ ଆବାହକ ଡାକ୍ତର ଶ୍ରୀପ୍ରସାଦ ମହାନ୍ତି ସୂଚନା ଦେଇଛନ୍ତି। ଆସନ୍ତାକାଲି ମେଡିକାଲ୍‌ ବୋର୍ଡ ପୁଣି ଥରେ ବସିବା ପରେ ପୀଡ଼ିତାଙ୍କ ଡିସ୍‌ଚାର୍ଜ ନେଇ ଆଲୋଚନା କରାଯିବ ବୋଲି ସେ ସୂଚନା ଦେଇଛନ୍ତି। ସୂଚନାରୁ ପ୍ରକାଶ ଯେ, ମେଡିକାଲ୍‌ରେ ଭର୍ତ୍ତି ହେବାପରଠୁ ତାଙ୍କର ଏଣ୍ଡୋସ୍କୋପି କରାଯିବା ସହିତ ଇସିଜି, ଇଇଜି, ଇକୋ, ରକ୍ତ, ମଳ ଇତ୍ୟାଦି ପରୀକ୍ଷା ହୋଇଥିଲା। କିନ୍ତୁ ସବୁ ରିପୋର୍ଟ ସ୍ୱାଭାବିକ୍‌ ବାହାରିଥିଲା।

ବ୍ରହ୍ମପୁର ପୀଡ଼ିତା ଚଷମା ପିନ୍ଧିବେ

କଟକ : ବ୍ରହ୍ମପୁରରେ ଏସିଡ୍‌ ମାଡ଼ର ଶିକାର ହୋଇଥିବା ପୀଡ଼ିତାଙ୍କ ଦୃଷ୍ଟିଶକ୍ତି ହ୍ରାସ ପାଇଛି। ସେଥିପାଇଁ ସେ ଚଷମା ପିନ୍ଧିବାକୁ ଚକ୍ଷୁ ଡାକ୍ତର ପରାମର୍ଶ ଦେଇଛନ୍ତି। ଆଜି ଚକ୍ଷୁ ବିଭାଗ ଡାକ୍ତର ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ କରିବାକୁ ଆସିଥିଲାବେଳେ ବାମ ପଟ ଆଖିର ଦୃଷ୍ଟି ଶକ୍ତି ହ୍ରାସ ପାଇଥିବା ଜାଣିବାକୁ ପାଇଥିଲେ। ଅନ୍ୟପଟେ ତାଙ୍କର ସ୍ୱାସ୍ଥ୍ୟାବସ୍ଥାରେ କିନ୍ତୁ ଉନ୍ନତି ଆସିଥିବା କୁହାଯାଇଛି।

ସମ୍ବନ୍ଧିତ ଖବର