କୁନ୍ଦୁଲି ଗଣଦୁଷ୍କର୍ମ ଓ ଆତ୍ମହତ୍ୟା ମାମଲା : ପୀଡ଼ିତାଙ୍କ କ୍ଷେତ୍ରରେ ଜୁଭେନାଇଲ୍ ଆଇନ୍‌ର ଉଲ୍ଲଂଘନ ହୋଇଥିଲା!

ସିଡବ୍ଲୁସିର ଭୂମିକାକୁ ନେଇ ସନ୍ଦେହ, ପୁଣିଥରେ ଏସ୍‌ଆଇଟିର ଖୋଳତାଡ଼

ଜୟପୁର : କୋରାପୁଟ ଜିଲ୍ଲା କୁନ୍ଦୁଲି ପୀଡ଼ିତାଙ୍କ କ୍ଷେତ୍ରରେ ଜୁଭେନାଇଲ୍ ଜଷ୍ଟିସ୍ ଆକ୍ଟର ଉଲ୍ଲଂଘନ ହୋଇଥିବା ସୂଚନା ମିଳିଛି। ନାବାଳକ ଓ ନାବାଳିକାଙ୍କ କ୍ଷେତ୍ରରେ ଜୁଭେନାଇଲ୍ ଜଷ୍ଟିସ୍ ଆକ୍ଟକୁ କାର୍ଯ୍ୟକାରୀ କରିବା ପାଇଁ ପ୍ରତି ଜିଲ୍ଲାରେ ରହିଛି ସିଡବ୍ଲୁସି। ପ୍ରତି ଜିଲ୍ଲାରେ ଶିଶୁ ଅଧିକାର ଆଇନକୁ କାର୍ଯ୍ୟକାରୀ କରିବା ପାଇଁ ରହିଛି ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍। ଏହାକୁ କାର୍ଯ୍ୟକାରୀ କରିବା ପାଇଁ ରହିଛନ୍ତି ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ। କୁନ୍ଦୁଲି ପୀଡ଼ିତା ଆତ୍ମହତ୍ୟା କରିବା ପୂର୍ବରୁ କେଉଁ ପରିସ୍ଥିତିରେ ସିଡବ୍ଲୁସି କର୍ତ୍ତୃପକ୍ଷ ତାଙ୍କୁ ନିଜ ହେପାଜତରେ ଥିବା ଶିଶୁ ସୁରକ୍ଷା କେନ୍ଦ୍ରରେ ନରଖି ଘରକୁ ଯିବାଲାଗି ଛାଡ଼ି ଦେଇଥିଲେ ସେନେଇ ଉଠିଛି ପ୍ରଶ୍ନ। ଯଦି ତାଙ୍କୁ ଶିଶୁ ସୁରକ୍ଷା କେନ୍ଦ୍ରରେ କଡ଼ା‌ ସୁରକ୍ଷା ମଧ୍ୟରେ ରଖା ଯାଇଥାନ୍ତା, ତାହେଲେ ହୁଏତ ସେ ଆତ୍ମହତ୍ୟା କରିବାକୁ ସୁଯୋଗ ପାଇ ନ ଥାନ୍ତେ ବୋଲି କୁହାଯାଉଛି। ମାନ୍ୟବର ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଏସ୍‌ଆଇଟି ଗଠନ କରାଯାଇ କୁନ୍ଦୁଲି ଗଣଦୁଷ୍କର୍ମ ଅଭିଯୋଗର ତଦନ୍ତ ଜାରି ରହିଥିବା ବେଳେ ଏଭଳି ଏକ ସ୍ପର୍ଶକାତର ଘଟଣାରେ ସିଡବ୍ଲୁସି କର୍ତ୍ତୃପକ୍ଷଙ୍କ ଏଭଳି ଦାୟିତ୍ବହୀନ କାର୍ଯ୍ୟକୁ ମଧ୍ୟ ତଦନ୍ତ ପରିସରଭୁକ୍ତ କରାଯିବାକୁ ମତ ପ୍ରକାଶ ପାଇଛି।

କୋରାପୁଟ ଜିଲ୍ଲା ପଟାଙ୍ଗି ଥାନା ଅନ୍ତର୍ଗତ ମୁଷାଗୁଡ଼ା ଗ୍ରାମରେ ଜଣେ ନାବାଳିକାଙ୍କୁ ଯବାନମାନେ ଗଣଦୁଷ୍କର୍ମ କରିଥିବା ନେଇ ଅଭିଯୋଗ ହୋଇଥିଲା। ୨୦୧୭ ମସିହା ଅକ୍ଟୋବର ୧୦ ତାରିଖ ଦିନ ଏ ନେଇ ମାମଲା ରୁଜୁ ହେବା ପରେ ପୀଡ଼ିତାଙ୍କୁ ଡାକ୍ତରଖାନାରେ ରଖି ଚିକିତ୍ସା କରାଯିବା ପରେ ପରବର୍ତ୍ତୀ ସମୟରେ ତାଙ୍କୁ ଶିଶୁ ସୁରକ୍ଷା କେନ୍ଦ୍ରରେ ରଖାଯାଇଥିଲା। ପୀଡ଼ିତାଙ୍କୁ ଜୟପୁର ଡାକ୍ତରଖାନାରେ ବି ଚିକିତ୍ସା କରାଯାଇଥିଲା। ଶିଶୁ ସୁରକ୍ଷା କେନ୍ଦ୍ରରେ ରହଣି ମଧ୍ୟରେ ପୀଡ଼ିତା ଜଣକ ଦୁଇ ଦୁଇ ଥର ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିବା ନେଇ ଅଭିଯୋଗ ଉଠିଥିଲା। ଏହି ସମୟ ମଧ୍ୟରେ କୋରାପୁଟର ତତ୍କାଳୀନ ଏସ୍‌ପି ପୀଡ଼ିତାଙ୍କ ସୁରକ୍ଷାକୁ ନେଇ ଜିଲ୍ଲାପାଳ ଓ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ କର୍ତ୍ତୃପକ୍ଷଙ୍କୁ ଚିଠି କରିଥିଲେ। ତେବେ ପୀଡ଼ିତା ଜଣକ ଦୁଇ ଦୁଇ ଥର ଆତ୍ମହତ୍ୟା ଉଦ୍ୟମ କରିବା ଏବଂ ତାଙ୍କ ସୁରକ୍ଷାକୁ ନେଇ ତତ୍କାଳୀନ ଏସ୍‌ପିଙ୍କ ଚିଠି ସତ୍ତ୍ବେ ସିଡବ୍ଲୁସି କର୍ତ୍ତୃପକ୍ଷ କିଭଳି ନିଜ ଅଧୀନରେ ନରଖି ପରିବାର ହେବାଜତରେ ଛାଡ଼ି ଦେଇଥିଲେ; ତାକୁ ନେଇ ପ୍ରଶ୍ନ ଉଠିଛି।

ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ପୀଡ଼ିତାଙ୍କୁ ନିଜ ଘରକୁ ଛାଡ଼ିବା ପୂର୍ବରୁ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍‌ କର୍ତ୍ତୃପକ୍ଷ ତାଙ୍କଠାରୁ ଏକ ଅଣ୍ଡରଟେକିଂ ଲେଖି ନେଇଥିବା ସୂଚନା ମିଳିଛି। ଏଥିରେ ଯଦି ପୀଡ଼ିତା ଆତ୍ମହତ୍ୟା କରନ୍ତି ତେବେ ସେଥିପାଇଁ କେହି ଦାୟୀ ରହିବେ ନାହିଁ ବୋଲି ଉଲ୍ଲେଖ ରହିଛି। ଦୁଇ ଦୁଇ ଥର ଆତ୍ମହତ୍ୟା ଉଦ୍ୟମ କରିଥିବା ପୀଡ଼ିତାଙ୍କଠାରୁ ଏଭଳି ଏକ ଅଣ୍ଡରଟେକିଂ ରଖି ସିଡବ୍ଲୁସି କର୍ତ୍ତୃପକ୍ଷ କିଭଳି ଛାଡ଼ିଦେଲେ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି। ଉ‌ଲ୍ଲେଖଯୋଗ୍ୟ ଯେ ସିଡବ୍ଲୁସି କର୍ତ୍ତୃପକ୍ଷ ପୀଡ଼ିତାଙ୍କୁ ତାଙ୍କ ପରିବାର ସଦସ୍ୟଙ୍କ ନିକଟରେ ଛାଡିବାର ମାତ୍ର ୫୫ ଦିନ ପରେ ୨୦୧୮ ଜାନୁଆରି ୨୨ ତାରିଖ ଦିନ ନିଜ ଘରେ ଆତ୍ମହତ୍ୟା କରିଥିଲେ।

ପୁଣିଥରେ ଏସ୍‌ଆଇଟିର ଖୋଳତାଡ଼
କୋରାପୁଟ : କୁନ୍ଦୁଲି ଗଣଦୁଷ୍କର୍ମ ଓ ଆତ୍ମହତ୍ୟା ମାମଲାର ତଦନ୍ତକୁ ତ୍ବରାନ୍ବିତ କରିଛି ସ୍ବତନ୍ତ୍ର ଅନୁସନ୍ଧାନକାରୀ ଟିମ୍‌(ଏସଆଇଟି)। ଆଜିଠାରୁ ମାମଲାର ଦ୍ବିତୀୟ ପର୍ଯ୍ୟାୟ ତଦନ୍ତ ଆରମ୍ଭ ହୋଇଥିବା ବେଳେ ଏହି ମାମଲା ସହ ଜଡ଼ିତ ଏକାଧିକ ବ୍ୟକ୍ତିଙ୍କୁ ପଚରାଉଚୁରା ଆରମ୍ଭ କରିଛି।

କୋରାପୁଟ ଜିଲ୍ଲା ପଟାଙ୍ଗି ଥାନା କୁନ୍ଦୁଲି ନିକଟରେ ଜଣେ ନବମ ଶ୍ରେଣୀ ଛାତ୍ରୀଙ୍କୁ ୨୦୧୭ ଅକ୍ଟୋବର ୧୦ ତାରିଖରେ ଯବାନ ପୋଷାକ ପିନ୍ଧିଥିବା ୪ଜଣ ଯୁବକ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା। ତେବେ ଛାତ୍ରୀଙ୍କ ସହ ଦୁଷ୍କର୍ମ ହୋଇଥିବାର ପ୍ରମାଣ ମିଳି ନଥିଲା ବୋଲି ପୁଲିସ ତଦନ୍ତ ପରେ କହିଥିଲା। ଏହି ଘଟଣାର ବିଚାର ବିଭାଗୀୟ ଓ କ୍ରାଇମବ୍ରାଞ୍ଚ୍‌ ତଦନ୍ତ ମଧ୍ୟ କରାଯାଇଥିବା ବେଳେ କୌଣସି ଫଳାଫଳ ମିଳି ନଥିଲା। ଅପରପକ୍ଷରେ ଏହି ଘଟଣ‌ାକୁ ‌ନେଇ ହାଇକୋର୍ଟରେ ପିଟିସନ ଦାଖଲ ହେବା ପରେ ଏହାର ତଦନ୍ତ ପାଇଁ ଏସ୍‌ଆଇଟି ଗଠନ କରିବାକୁ ହାଇକୋର୍ଟ ନିର୍ଦେଶ ଦେଇଥିଲେ। ଏସ୍‌ଆଇଟି ଚଳିତ ମାସ ପ୍ରଥମ ସପ୍ତାହରେ କୋରାପୁଟରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ। ଆଜି ପୁଣିଥରେ ଏହି ଟିମ୍‌ର ସଦସ୍ୟ ଏଠାରେ ପହଞ୍ଚି ଏହି ମାମଲା ସହ ଜଡିତ ଆଉ କିଛି ବ୍ୟକ୍ତିଙ୍କୁ ପଚରାଉଚୁରା କରିଛନ୍ତି। ପୀଡ଼ିତାଙ୍କ ସଂପର୍କୀୟ ଭାଇ ପପନ ଖରା ଓ ତତ୍କାଳୀନ ଶିଶୁ ମଙ୍ଗଳ କମିଟି ଅଧ୍ୟକ୍ଷ ଉମା ଚରଣ ଚୌଧୁରୀଙ୍କ ସହ କଥା ହୋଇ ଏହି ମାମଲା ନେଇ ତଥ୍ୟ ସଂଗ୍ରହ କରିଛନ୍ତି। ଏହା ପରେ ପୁଲିସ ଅଧିକାରୀଙ୍କୁ ମଧ୍ୟ ଏହି ମାମଲା ସଂପର୍କରେ ପଚାରିଛନ୍ତି।

ସମ୍ବନ୍ଧିତ ଖବର