ଆସିଲା କେନ୍ଦ୍ରୀୟ ଫରେନସିକ୍‌ ଲ୍ୟାବ ରିପୋର୍ଟ : ପୋଷାକରେ ଦୁଷ୍କର୍ମ ଚିହ୍ନ ନାହିଁ

କୁନ୍ଦୁଲି ମାମଲାରେ ପୂର୍ଣ୍ଣଚ୍ଛେଦ ଟାଣିଲା କ୍ରାଇମବ୍ରାଞ୍ଚ

ଅପମୃତ୍ୟୁ ମାମଲାର ତଦନ୍ତ ଜାରି

କଟକ : ଗଣଦୁଷ୍କର୍ମ ଅଭିଯୋଗ ଆଣି ନ୍ୟାୟ ମାଗିଥିବା ଏବଂ ଶେଷରେ ଆତ୍ମହତ୍ୟାର ବାଟ ବାଛି ନେଇଥିବା କୁନ୍ଦୁଲି ପୀଡ଼ିତାଙ୍କ ଅଭିଯୋଗକୁ ଶେଷରେ ଅମୂଳକ ବୋଲି କହିଛି କ୍ରାଇମବ୍ରାଞ୍ଚ। ମୃତ ପୀଡ଼ିତାଙ୍କ ଅନ୍ତବସ୍ତ୍ରରେ କୌଣସି ପୁରୁଷଙ୍କ ସିମେନ୍‌ ନମୁନା ନାହିଁ ବୋଲି କଲିକତାସ୍ଥିତ ସିଏଫ୍‌ଏସ୍‌ଏଲ୍‌(କେନ୍ଦ୍ରୀୟ ଫରେନ୍‌ସିକ ସାଇନ୍ସ ଲାବରେଟୋରୀ) ରିପୋର୍ଟ ଦେଇଥିବା ଆଜି କ୍ରାଇମବ୍ରାଞ୍ଚ ପକ୍ଷରୁ ସ୍ପଷ୍ଟ କରାଯାଇଛି। ଅନ୍ୟପକ୍ଷରେ କୁନ୍ଦୁଲି ପୀଡ଼ିତାଙ୍କ ଆତ୍ମହତ୍ୟା ଘଟଣାରେ କ୍ରାଇମ୍‌ବ୍ରାଞ୍ଚ ରୁଜୁ କରିଥିବା ଅପମୃତ୍ୟୁ ମାମଲାର ତଦନ୍ତ ଜାରି ରହିବ ବୋଲି କ୍ରାଇମ୍‌ବ୍ରାଞ୍ଚ ଏସ୍‌ପି-୨ ରାଧା ବିନୋଦ ପାଣିଗ୍ରାହୀ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।

କୁନ୍ଦୁଲି ଥାନା ଲେଞ୍ଜିଗୁଡ଼ା ଅଞ୍ଚଳରେ ନବମ ଶ୍ରେଣୀରେ ପଢୁଥିବା ଏହି ନାବାଳିକା ଛାତ୍ରୀଙ୍କୁ ୪ ଜଣ ଯବାନ ପୋଷାକ ପିନ୍ଧିଥିବା ବ୍ୟକ୍ତି ଗଣଦୁଷ୍କର୍ମ କରିଥିବା ଅଭିଯୋଗ ସାରା ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା। କୋରାପୁଟ ଜିଲ୍ଲା ପଟ୍ଟାଙ୍ଗୀ ଥାନାରେ ଗତ ଅକ୍ଟୋବର ୧୦ ତାରିଖରେ ଏ ସଂକ୍ରାନ୍ତରେ ମାମଲା ରୁଜୁ ହୋଇଥିଲା। ଏହାକୁ ନେଇ ସାରା ରାଜ୍ୟରେ ବିକ୍ଷୋଭ, ଧାରଣା ଜାରି ରହିବାରୁ କ୍ରାଇମ୍‌ବ୍ରାଞ୍ଚର ଏକ ଚାରି ଜଣିଆ ଟିମ୍‌ ଘଟଣାର ତଦନ୍ତ ନିଜ ଆଡ଼ୁ ଆରମ୍ଭ କରିଥିଲା। ସେଦିନ ବ୍ରହ୍ମପୁର ଏମ୍‌କେସିଜି ମେଡିକାଲ୍‌ କଲେଜ୍‌ର ଏକ ଡାକ୍ତରୀ ଟିମ୍‌ ପୀଡ଼ିତାଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ। ବ୍ରହ୍ମପୁର ଏଫ୍‌ଏମ୍‌ଟିର ଆସିଷ୍ଟାଣ୍ଟ ପ୍ରଫେସର ଡାକ୍ତର ସୁଦୀପ ଦାସଙ୍କ ନେତୃତ୍ୱରେ ଗଠିତ ଟିମ୍‌ ପୀଡ଼ିତାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ। ସେ ତାଙ୍କ ରିପୋର୍ଟରେ ଦର୍ଶାଇଥିଲେ ଯେ ନିକଟ ଅତୀତରେ ସମ୍ପୃକ୍ତ ନାବାଳିକାଙ୍କ ସହିତ କୌଣସି ଶାରୀରିକ ସମ୍ପର୍କ ରଖାଯାଇନାହିଁ। ପରେ ନାବାଳିକାଙ୍କ ବସ୍ତ୍ରରେ ଥିବା ଦାଗର ନମୁନା ପରୀକ୍ଷା ପାଇଁ ଭୁବନେଶ୍ୱର ରସୁଲଗଡ଼ସ୍ଥିତ ଏସ୍‌ଏଫ୍‌ଏସ୍‌ଏଲ୍‌ ଲ୍ୟାବ୍‌କୁ ପଠାଯାଇଥିଲା। ଲ୍ୟାବ୍‌ରେ ପରୀକ୍ଷା ପରେ ଅକ୍ଟୋବର ୨୩ ତାରିଖରେ କୋର୍ଟରେ ରିପୋର୍ଟ ଦାଖଲ ହୋଇଥିଲା। ଏଥିରେ ମଧ୍ୟ ଦର୍ଶାଯାଇଥିଲା ଯେ ବସ୍ତ୍ରରେ ଯେଉଁ ଦାଗ ନମୁନା ଚିହ୍ନଟ ହୋଇଛି, ସେଗୁଡ଼ିକ ନାବାଳିକାଙ୍କର।

ଅନ୍ୟପଟେ ପୀଡ଼ିତାଙ୍କ ବସ୍ତ୍ରରେ ଦୁଇଟି ସିମେନ୍‌ ନମୁନା ରହିଥିବା ସଂପର୍କରେ ଜାନୁଆରି ୨୫ ତାରିଖରେ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇବା ପରେ ଏହାକୁ ନେଇ ଅଧିକ ବିବାଦ ସୃଷ୍ଟି ହୋଇଥିଲା। ତେଣୁ ରାଜ୍ୟ ପୁଲିସ ଡିଜି ଡାକ୍ତର ଆର୍‌.ପି. ଶର୍ମା କୋଲକତା ସ୍ଥିତ ସିଏଫ୍‌ଏସ୍‌ଏଲ୍‌ରେ ବସ୍ତ୍ରର ପୁନଃ ପରୀକ୍ଷା ପାଇଁ ଜାନୁଆରି ୨୭ ତାରିଖରେ କ୍ରାଇମ୍‌ବ୍ରାଞ୍ଚକୁ ନିର୍ଦ୍ଦେଶ ଦେଇଥିଲେ। କ୍ରାଇମ୍‌ବ୍ରାଞ୍ଚ ଗତ ୩୦ ତାରିଖରେ ବସ୍ତ୍ରର ପରୀକ୍ଷା ପାଇଁ ସିଏଫ୍‌ଏସ୍‌ଏଲ୍‌ ପଠାଇଥିଲା। ଲ୍ୟାବ୍‌ରେ ବସ୍ତ୍ରରେ ଚିହ୍ନଟ ହୋଇଥିବା ଦାଗରୁ ନମୁନା ସଂଗ୍ରହ କରାଯାଇ ପୁନଃ ଯାଞ୍ଚ କରାଯାଇଥିଲା। ଡିଏନ୍‌ଏ ପ୍ରୋଫାଇଲିଂ ମଧ୍ୟ କରାଯାଇଥିଲା। ଏହା କୁନ୍ଦୁଲି ପୀଡ଼ିତାଙ୍କ ରକ୍ତ ସହିତ ମିଶୁଥିବା ବେଳେ ଏଥିରେ ଅନ୍ୟ କୌଣସି ପୁରୁଷଙ୍କର ସିମେନ୍‌ ନମୁନା ନଥିବା ସ୍ପଷ୍ଟ ହୋଇଥିଲା। ଏ ସଂକ୍ରାନ୍ତରେ ପୂର୍ଣ୍ଣାଙ୍ଗ ରିପୋର୍ଟ କଲିକତା ସିଏଫ୍‌ଏସ୍‌ଏଲ୍‌ ଲ୍ୟାବ୍‌ ନିର୍ଦ୍ଦେଶକ ନିଜ ପରୀକ୍ଷା ରିପୋର୍ଟରେ ଦର୍ଶାଇଛନ୍ତି। ଏହି ରିପୋର୍ଟ ଲ୍ୟାବ୍‌ ନିର୍ଦ୍ଦେଶକ ଜୟପୁର କୋର୍ଟକୁ ପଠାଇବା ପରେ ଗଲା ୭ ତାରିଖରେ କ୍ରାଇମ୍‌ବ୍ରାଞ୍ଚ ଏହି ରିପୋର୍ଟ ପାଇଥିବା କ୍ରାଇମ୍‌ବ୍ରାଞ୍ଚ ଏସ୍‌ପି-୨ ରାଧା ବିନୋଦ ପାଣିଗ୍ରାହୀ କହିଛନ୍ତି।

ସୂଚନାଯୋଗ୍ୟ, ଜାନୁଆରି ୨୨ ତାରିଖରେ ନାବାଳିକା ଜଣକ ନିଜ ଘରେ ବନ୍ଦ କରି ଆତ୍ମହତ୍ୟା କରିଥିଲେ। ପଟ୍ଟାଙ୍ଗୀ ଥାନା ପୁଲିସ ଏହାକୁ ନେଇ ଏକ ଅପମୃତ୍ୟୁ ମାମଲା ରୁୁଜୁ କରିଥିବା ବେଳେ କ୍ରାଇମ୍‌ବ୍ରାଞ୍ଚ ପକ୍ଷରୁ ମଧ୍ୟ ଜାନୁଆରି ୨୭ ତାରିଖରେ ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି।

ସମ୍ବନ୍ଧିତ ଖବର