କୁନ୍ଦୁଲି ଗଣଦୁଷ୍କର୍ମ : ଆତ୍ମହତ୍ୟାର ତଦନ୍ତ କରିବ କ୍ରାଇମ୍‌ବ୍ରାଞ୍ଚ

ଭୁବନେଶ୍ୱର/ କଟକ : କୁନ୍ଦୁଲି ଗଣଦୁଷ୍କର୍ମର ଶିକାର ହୋଇଥିବା ପୀଡ଼ିତାର ଆତ୍ମହତ୍ୟା ଅଭିଯୋଗକୁ ଗୁରୁତ୍ୱର ସହିତ ଗ୍ରହଣ କରିଛନ୍ତି ରାଜ୍ୟ ସରକାର । ଘଟଣାର କ୍ରାଇମ୍‌ବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ପରେ କ୍ରାଇମ୍‌ବ୍ରାଞ୍ଚର ଜଣେ ଏସ୍‌ପି ପାହ୍ୟାର ଅଧିକାରୀ ତଦନ୍ତକାରୀ ଟିମ୍‌ର ନେତୃତ୍ୱ ନେଇଛନ୍ତି । ଆଜି ଏହି ଟିମ୍‌ କଟକ କ୍ରାଇମ୍‌ବ୍ରାଞ୍ଚ ମୁଖ୍ୟାଳୟରୁ କୁନ୍ଦୁଲି ଅଭିମୁଖେ ଯାଇଛି । ଆସନ୍ତାକାଲି ଟିମ୍‌ ଘଟଣାସ୍ଥଳରେ ପହଞ୍ଚିବା ପରେ ଆତ୍ମହତ୍ୟାର ତଦନ୍ତ ଆରମ୍ଭ ହେବ । ପୂର୍ବରୁ କ୍ରାଇମ୍‌ବ୍ରାଞ୍ଚ ଗଣଦୁଷ୍କର୍ମ ତଦନ୍ତ ଦାୟିତ୍ୱ ହାତକୁ ନେଇଥିବା ବେଳେ ଏବେ ଉଭୟ ଗଣଦୁଷ୍କର୍ମ ଏବଂ ଆତ୍ମହତ୍ୟା ଘଟଣାର ତଦନ୍ତ କ୍ରାଇମ୍‌ବ୍ରାଞ୍ଚ ସମାନ୍ତରାଳ ଭାବେ କରିବ।

ଅନ୍ୟପଟେ ଷ୍ଟେଟ୍‌ ଫରେନ୍‌ସିକ ସାଇନ୍ସ ଲାବ୍ରୋଟୋରି (ଏସ୍‌ଏଫ୍‌ଏସ୍‌ଏଲ୍‌)ର ଏକ ରିପୋର୍ଟ ଗଣମାଧ୍ୟମରେ ପ୍ରସାରିତ ହେବା ପରେ ଘଟଣା ବିବାଦୀୟ ମୋଡ଼ ନେଇଥିଲା । ତେଣୁ ରାଜ୍ୟ ପୁଲିସ ଡିଜି ଡାକ୍ତର ଆର୍‌.ପି. ଶର୍ମା କ୍ରାଇମ୍‌ବ୍ରାଞ୍ଚ ଏଡିଜିଙ୍କୁ ଉକ୍ତ ରିପୋର୍ଟ ଯାଞ୍ଚ ପାଇଁ ନିର୍ଦ୍ଦେଶ ଦେଇଥିବା ସୂଚନା ମିଳିଛିା ସେହିପରି ଆଜି ଷ୍ଟେଟ୍‌ ଫରେନ୍‌ସିକ ସାଇନ୍ସ ଲାବ୍ରୋଟୋରି ନିର୍ଦେଶକ ପିସି ମଣ୍ଡଳ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି କି, ଶେଷ ରିପୋର୍ଟରେ ଦୁଷ୍କର୍ମ ହୋଇ ନ ଥିବା କୁହାଯାଇଥିବାବେଳେ ପୁରୁଷ ବୀର୍ଯ୍ୟ ଦାଗ ପୀଡ଼ିତାଙ୍କ ପ୍ୟାଣ୍ଟିରେ ନ ଥିବା ଉଲ୍ଲେଖ ରହିଛି। ଏହି ରିପୋର୍ଟ ଶତ ପ୍ରତିଶତ ସତ୍ୟ। ଅନ୍ୟପକ୍ଷରେ ଆଜି ବିଜେପି ମହିଳା ମୋର୍ଚା ପକ୍ଷରୁ ଏକ କୋଟି ଟଙ୍କା କ୍ଷତି ପୂରଣ ଦାବି କରି ରାଜ୍ୟ ମାନବାଧିକାର କମିସନରେ ପିଟିସନ୍‌ ଦାଖଲ କରାଯାଇଛି।

କୋରାପୁଟ ଜିଲ୍ଲା ପଟ୍ଟାଙ୍ଗୀ ଥାନା ଅନ୍ତର୍ଗତ କୁନ୍ଦୁଲିର ଏହି ନାବାଳିକାଙ୍କୁ ଗଣଦୁଷ୍କର୍ମ ଘଟଣା ରାଜ୍ୟରେ ହଇଚଇ ସୃଷ୍ଟି କରିଥିବା ବେଳେ ପୀଡ଼ିତା ଜଣକ ୨୨ ତାରିଖରେ ନିଜ ଘରେ କବାଟ ବନ୍ଦ୍‌କରି ବେକରେ ଚୁନୁରି ବାନ୍ଧି ଆତ୍ମହତ୍ୟା କରିଥିଲେ । ଏହି ଘଟଣାରେ ରାଜ୍ୟ ସରକାର ଏବଂ କ୍ରାଇମ୍‌ବ୍ରାଞ୍ଚର କାର୍ଯ୍ୟକଳାପ ଉପରେ ପ୍ରଶ୍ନ ଉଠିଥିଲା । ପଟାଙ୍ଗୀ ଥାନା ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଆତ୍ମହତ୍ୟା ଘଟଣାର ତଦନ୍ତ ଆରମ୍ଭ କରିଥିଲା । ଗତ ୨୭ ତାରିଖରେ କ୍ରାଇମ୍‌ବ୍ରାଞ୍ଚ ଉକ୍ତ ଆତ୍ମହତ୍ୟା ଘଟଣାର ତଦନ୍ତ ଦାୟିତ୍ୱ ଗ୍ରହଣ କରି ଏକ ମାମଲା (କେସ୍‌ ନଂ ୧) ରୁଜୁ କରିଥିଲା । ଆଜି କ୍ରାଇମ୍‌ବ୍ରାଞ୍ଚ ଏସ୍‌ପି-୨ ରାଧା ବିନୋଦ ପାଣିଗ୍ରାହୀଙ୍କ ନେତୃତ୍ୱରେ ଏକ ଟିମ୍‌ ଗଠନ କରାଯାଇଛି । ଏଥିରେ ଜଣେ ଡିଏସ୍‌ପିଙ୍କ ସମେତ ଅନ୍ୟ ଅଫିସର୍‌ଙ୍କୁ ସାମିଲ କରାଯାଇଛି । ପୂର୍ବରୁ ଗଣଦୁଷ୍କର୍ମ ଘଟଣାର ତଦନ୍ତ କରୁଥିବା ତଦନ୍ତକାରୀ ଅଧିକାରୀଙ୍କୁ ମଧ୍ୟ ଏହି ଟିମ୍‌ରେ ରଖାଯାଇଛି ।

ଆଜି ଏହି ଟିମ୍‌ କୁନ୍ଦୁଲି ଯାଇଥିବା ବେଳେ ଆସନ୍ତାକାଲି ପୂରା ଘଟଣାର ତଦନ୍ତ କରିବ ବୋଲି କ୍ରାଇମ୍‌ବ୍ରାଞ୍ଚ ଏସ୍‌ପି-୧ ପ୍ରଶାନ୍ତ ଜେନା କହିଛନ୍ତି। କେଉଁ ପରିସ୍ଥିତିରେ ପୀଡ଼ିତା ଆତ୍ମହତ୍ୟା କଲେ ଏବଂ ଅନ୍ୟାନ୍ୟ ପାରିପାର୍ଶ୍ୱିକ ସ୍ଥିତି ସମ୍ପର୍କରେ ମଧ୍ୟ ଅନୁଧ୍ୟାନ କରିବ ଏହି ତଦନ୍ତକାରୀ ଟିମ୍‌ । ଅନ୍ୟପଟେ ପୀଡ଼ିତାଙ୍କ ଜବତ ହୋଇଥିବା ଅନ୍ତ୍ରବସ୍ତ୍ରରୁ ଷ୍ଟେଟ୍‌ ଫରେନ୍‌ସିକ ସାଇନ୍ସ ଲାବ୍ରୋଟୋରି ଦୁଇଟି ସିିମେନ୍‌ ନମୂନା (ଏ ଓ ବି) ସଂଗ୍ରହ କରିଥିବା ତଥ୍ୟଭିତ୍ତିକ ରିପୋର୍ଟ ଗଣମାଧ୍ୟମରେ ପ୍ରକାଶ ପାଇଥିଲା। କିନ୍ତୁ ଏହି ରିପୋର୍ଟକୁ ଭୁଲ ବୋଲି ଲାବ୍ରୋଟୋରୀ ପକ୍ଷରୁ ସଫେଇ ଦିଆଯିବା ଘଟଣାକୁ ନେଇ ଏବେ ଘଟଣା ଭିନ୍ନ ମୋଡ଼ ନେଇଛି । ସରକାରଙ୍କ ଚାପର ବଶବର୍ତ୍ତି ହୋଇ ରିପୋର୍ଟ ବଦଳାଯାଇଥିବା କୁହାଯାଉଛି ।

ଏହି ପ୍ରସଂଗରେ ଆଜି ପୁଲିସ ଡିଜି ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟର ସତ୍ୟତା ପର୍ଦ୍ଦାଫାସ କରିବାକୁ କ୍ରାଇମ୍‌ବ୍ରାଞ୍ଚ ଏଡିଜି ସନ୍ତୋଷ ଉପାଧ୍ୟାୟଙ୍କୁ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ଏଡିଜି ଉକ୍ତ ରିପୋର୍ଟକୁ ଯାଞ୍ଚ କରି ଡିଜିଙ୍କ ନିକଟରେ ସତ୍ୟତା ଦାଖଲ କରିବେ ବୋଲି ସୂଚନା ମିଳିଛି । ଏଭଳି ପରିସ୍ଥିତିରେ ଆଜି ଷ୍ଟେଟ୍‌ ଫରେନ୍‌ସିକ ସାଇନ୍ସ ଲାବ୍ରୋଟୋରି ନିର୍ଦେଶକ ପିସି ମଣ୍ଡଳ ସୂଚନା ଦେଇଛନ୍ତି କି ପୂର୍ବରୁ ଯେଉଁ ରିପୋର୍ଟ ଗଣମାଧ୍ୟମକୁ ଦିଆଯାଇ ଥିଲା ତାହା ସଂପୂର୍ଣ ସତ୍ୟ। ଜଣେ ଅବସରପ୍ରାପ୍ତ କର୍ମଚାରୀ ଓ କେତେକ କର୍ମଚାରୀ ଗଣମାଧ୍ୟମକୁ ଏଭଳି ଭୁଲ ତଥ୍ୟ ଦେଇଛନ୍ତି। ଯାହାର ବିଭାଗୀୟ ତଦନ୍ତ ମଧ୍ୟ ଆରମ୍ଭ ହୋଇଛି। ଖୁବ୍‌ ଶୀଘ୍ର ସେହି କର୍ମଚାରୀମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ନିର୍ଦେଶକ ମଣ୍ଡଳ କହିଛନ୍ତି।

ଉଲ୍ଲେଖଯୋଗ୍ୟ ଯେ ସମ୍ପୃକ୍ତ ନାବାଳିକାଙ୍କୁ ଅକ୍ଟୋବର ୧୦ ତାରିଖରେ ଚାରି ଜଣ ଯବାନ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା । ଏ ସଂକ୍ରାନ୍ତରେ ପଟ୍ଟାଙ୍ଗୀ ଥାନାରେ ଅଭିଯୋଗ ହେବା ପରେ ପୁଲିସ ସେଦିନ ଏକ ମାମଲା (କେସ୍‌ ନଂ ୧୦୨) ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା । ପରେ କ୍ରାଇମ୍‌ବ୍ରାଞ୍ଚ ନଭେମ୍ବର ୮ ତାରିଖରେ ତଦନ୍ତ ଦାୟିତ୍ୱ ନେଇଥିଲା । କ୍ରାଇମ୍‌ବ୍ରାଞ୍ଚ ଟିମ୍‌ ଘଟଣାର ତଦନ୍ତ କରୁଥିବା ବେଳେ ଏଚ୍‌ଆର୍‌ପିସି ଏଡିଜି ମହେନ୍ଦ୍ର ପ୍ରତାପ ନଭେମ୍ବର ୭ ତାରିଖରେ ଘଟଣାକୁ ଅଧିକ ବିବାଦୀୟ କରିଥିଲେ । ସମ୍ପୃକ୍ତ ନାବାଳିକାଙ୍କୁ ଗଣଦୁଷ୍କର୍ମ କିମ୍ବା ଦୁଷ୍କର୍ମ କରାଯାଇ ନଥିବା କହିଥିଲେ ।

ହାଇକୋର୍ଟରେ ଜନସ୍ୱାର୍ଥ ମାମଲା
କଟକ : କୁନ୍ଦୁଲି ପୀଡିତାଙ୍କ ଆତ୍ମହତ୍ୟା ଘଟଣାର ଉଚ୍ଚସ୍ତରୀୟ ନ୍ୟାୟିକ ତଦନ୍ତ ନିବେଦନ କରି ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ରୁଜୁ ହୋଇଛି। ଏଭଳି ସମ୍ବେଦନଶୀଳ ମାମଲାରେ ଉଚ୍ଚସ୍ତରୀୟ ବିଚାର ବିଭାଗୀୟ ତଦନ୍ତ କରାଗଲେ ପ୍ରକୃତ ରହସ୍ୟ ଉନ୍ମୋଚନ ହୋଇପାରିବ। ଏଥି ସହିତ ଏପରି ଅପରାଧରେ ସଂପୃକ୍ତ ଅଭିଯୁକ୍ତ ଓ ଏଭଳି ଘଟଣାକୁ ଚପାଇ ଦେବାକୁ ଉଦ୍ୟମ କରିଥିବା ପୁଲିସ ଅଧିକାରୀଙ୍କୁ ଦଣ୍ଡିତ କରାଯିବା ଉଚିିତ ବୋଲି ଆବେଦନରେ ଦର୍ଶାଯାଇଛି।

କଟକ ସଦର ଥାନା ଅନ୍ତର୍ଗତ ଗୋପାଳପୁରର ନାରାୟଣ ଚନ୍ଦ୍ର ଜେନାଙ୍କ ପକ୍ଷରୁ ଦାୟର ହୋଇଥିବା ଏହି ଜନସ୍ୱାର୍ଥ ମାମଲାରେ ଦର୍ଶାଯାଇଛି ଯେ ୨୦୧୭ ମସିହା ଅକ୍ଟୋବର ୧୦ରେ ଘରକୁ ଫେରୁଥିବା ପୀଡିତାଙ୍କୁ ସୁରକ୍ଷାକର୍ମୀଙ୍କ ପୋଷାକରେ ଥିବା ଚାରି ଜଣ ଗଣଦୁଷ୍କର୍ମ କରିଥିଲେ। ପ୍ରଥମେ ତଦନ୍ତକାରୀ ସଂସ୍ଥା ମାଓବାଦୀଙ୍କ ଉପରେ ଦୋଷ ଲଦିବାକୁ ଚେଷ୍ଟା କରିଥିଲା। ପରବର୍ତ୍ତୀ ସମୟରେ ଏଚ୍‌ଆରପିସି ସେଲ୍‌ ପକ୍ଷରୁ କୁହାଯାଇଥିଲା ଯେ ପୀଡ଼ିତାଙ୍କ ସହିତ ଦୁଷ୍କର୍ମ ହୋଇନାହିଁ। ପୀଡ଼ିତା କୋରାପୁଟ ମେଡିକାଲ କଲେଜରେ ଚିକିତ୍ସିତ ହେଉଥିବା ବେଳେ ତାଙ୍କ ଉପରେ ଚାପ ପ୍ରୟୋଗ କରାଯାଇଥିଲା ଓ ତାଙ୍କୁ ଲାଞ୍ଚ ଯଚା ଯାଇଥିଲା ବୟାନ ବଦଳାଇବା ପାଇଁ। ମୃତ୍ୟୁର ପୂର୍ବ ତିନି ମାସରେ ସଠିକ ଢଙ୍ଗରେ ତଦନ୍ତ କରିବା ପରିବର୍ତ୍ତେ ତଦନ୍ତକାରୀ ସଂସ୍ଥା ପୀଡିତାଙ୍କୁ ବିଭିନ୍ନ ଭାବେ ନିର୍ଯାତନା ଦେଇଥିଲା। ଦୁଷ୍କର୍ମ ଅଭିଯୋଗ ଭିତ୍ତିହୀନ ବୋଲି ପୁଲିସ କହିଥିଲା। ତାଙ୍କ କଥାକୁ ପୁଲିସ ବିଶ୍ୱାସକୁ ନେଇ ନଥିଲା।

ଏପରି ପରିସ୍ଥିତିରେ ନ୍ୟାୟ ପାଇବାର ଆଶା ହରାଇଥିବା ପୀଡ଼ିତା ଶେଷରେ ଜୀବନ ହାରିଥିଲେ। ପୀଡ଼ିତାଙ୍କୁ ନ୍ୟାୟ ପ୍ରଦାନ ବଦଳରେ ତାଙ୍କ ଚରିତ୍ର ଉପରେ ପ୍ରଶ୍ନ ଉଠାଯାଇଥିଲା ଓ ତାଙ୍କୁ ମିଛୁଆ ବୋଲି ପ୍ରମାଣିତ କରିବାକୁ ଚେଷ୍ଟା କରାଯାଇଥିଲା। ତାଙ୍କୁ ବୟାନ ବଦଳାଇବା ପାଇଁ ଲାଞ୍ଚ ଯଚା ଯାଇଥିଲା। ପୀଡ଼ିତାଙ୍କ ସହିତ ଘଟିଥିବା ଦୁଷ୍କର୍ମ ଓ ଏହାପରେ ତଦନ୍ତ ସମୟରେ ସତ୍ୟକୁ ଚାପି ରଖିବା ପାଇଁ ହୋଇଥିବା ଉଦ୍ୟମ ପଛରେ ଥିବା ସମସ୍ତ ଦୋଷୀଙ୍କୁ ଦଣ୍ଡିତ କରାଯିବା ଉଚିତ। ମାମଲାରେ ଗୃହ ସଚିବ, ପୁଲିସ ଡିଜି, ଏଚ୍‌ଆର୍‌ପିସି ଆଇଜି, ପଟାଙ୍ଗି ଥାନା ଅଧିକାରୀଙ୍କୁ ପକ୍ଷଭୁକ୍ତ କରାଯାଇଛି।

ସମ୍ବନ୍ଧିତ ଖବର