କୁନ୍ଦୁଲି ଗଣଦୁଷ୍କର୍ମ ମାମଲା:ଏଚ୍‌ଆର୍‌ପିସି ଏସ୍‌ପିଙ୍କ ତଦନ୍ତ, ସଂପର୍କୀୟଙ୍କୁ ପୁଣି ଡାକରା

କୋରାପୁଟ/ପଟାଙ୍ଗୀ: କୋରାପୁଟ ଜିଲ୍ଲା ପଟାଙ୍ଗୀ ଥାନା କୁନ୍ଦୁଲି ଅଂଚଳରେ ନବମ ଶ୍ରେଣୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ମାମଲାର ତଦନ୍ତ କରିବା ପାଇଁ ଓଡ଼ିଶା ମାନବାଧିକାର ସୁରକ୍ଷା ସେଲ୍‌ର ଏସ୍‌ପି ଦିଲୀପ କୁମାର ଦାଶ କୋରାପୁଟରେ ପହଞ୍ଚିଛନ୍ତି। ସେ ପୀଡ଼ିତାଙ୍କ ସହିତ ଆଲୋଚନା କରିବା ସହ ଘଟଣାସ୍ଥଳକୁ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି। ଏପଟେ ପୀଡ଼ିତାଙ୍କ ସଂପର୍କୀୟ ଭାଇଙ୍କୁ ପୁଣି ଥରେ ପୁଲିସ ଡାକିଛି। ଆସନ୍ତାକାଲି ଡିଆଇଜିଙ୍କ କାର୍ଯ୍ୟାଳୟରେ ହାଜର ହେବାକୁ ସେମାନଙ୍କୁ କୁହାଯାଇଛି।

କୁନ୍ଦୁଲି ଅଂଚଳ ମୂଷାଗୁଡା ଗ୍ରାମର ଜଣେ ନବମ ଶ୍ରେଣୀ ଛାତ୍ରୀ ଗତ ୧୦ତାରିଖ ପୂର୍ବାହ୍ନରେ ଫଟୋ ଉଠାଇ କୁନ୍ଦୁଲିରୁ ଫେରୁଥିବା ସମୟରେ ଗଣଦୁଷ୍କର୍ମର ଶିକାର ହୋଇଥିଲେ। ଯବାନ ପୋଷାକ ପିନ୍ଧିଥିବା ୪ଜଣ ଯୁବକ ଜଙ୍ଗଲକୁ ଟେକି ନେଇ ଦୁଷ୍କର୍ମ କରିଥିବା ଛାତ୍ରୀଙ୍କ ପରିବାର ପକ୍ଷରୁ ଅଭିଯୋଗ କରିଯାଇଥିଲା। ଘଟଣାକୁ ୨ ସପ୍ତାହ ହୋଇ ଯାଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ତଦନ୍ତରୁ ବିଶେଷ କିଛି ଫଳ ପାଇନି ପୁଲିସ। ତଦନ୍ତ କେତେବାଟ ଆଗେଇଛି ତାହା ଏ ପର୍ଯ୍ୟନ୍ତ ପୁଲିସ ପକ୍ଷରୁ ସ୍ପଷ୍ଟ କରାଯାଇନାହିଁ। ଏପଟେ ଏହି ମାମଲାର ତଦନ୍ତ କରିଛନ୍ତି ଓଡ଼ିଶା ମାନବାଧିକାର ସୁରକ୍ଷା ସେଲ୍‌ର ଏସ୍‌ପି ଦିଲୀପ କୁମାର ଦାଶ। ସେ ଆଜି ସହିଦ୍‌ ଲକ୍ଷ୍ମଣ ନାୟକ ମେଡିକାଲ କଲେଜକୁ ଯାଇ ପୀଡିତା ଓ ତାଙ୍କ ପରିବାର ସହ ଆଲୋଚନା କରିଛନ୍ତି। ପରେ ଡାକ୍ତରଙ୍କୁ ପୀଡ଼ିତାଙ୍କ ସ୍ୱାସ୍ଥ୍ୟବସ୍ଥା ନେଇ ପଚାରି ବୁଝିଛନ୍ତି। ପରେ କୁନ୍ଦୁଲି ସ୍ୱାସ୍ଥ୍ୟକେନ୍ଦ୍ରକୁ ଯାଇ ସେଠାକାର ଡାକ୍ତରଙ୍କ ସହ କଥା ହୋଇଛନ୍ତି। ଏହା ସହିତ ଘଟଣାସ୍ଥଳ ପରିଦର୍ଶନ କରି ପାରିପାର୍ଶ୍ୱିକ ସ୍ଥିତି ଅନୁଧ୍ୟାନ କରିଛନ୍ତି। ତାଙ୍କର ଏହି ତଦନ୍ତ ସମୟରେ ଇନ୍ସପେକ୍ଟର ମମତା ପାଣିଗ୍ରାହୀ ଓ ଜିଲ୍ଲା ଶିଶୁ ମଙ୍ଗଳ କମିଟି ସଦସ୍ୟ କାକଳି ମିଶ୍ର ଉପସ୍ଥିତ ଥିଲେ। ତେବେ ତଦନ୍ତ ନେଇ ସେମାନେ ଗଣମାଧ୍ୟମକୁ କୌଣସି ସୂଚନା ଦେଇ ନାହାନ୍ତି।

ଏହି ମାମଲାରେ ପୁଲିସ ଏ ପର୍ଯ୍ୟନ୍ତ ତାଙ୍କର କିଛି ସଂପର୍କୀୟ ଭାଇଙ୍କୁ ପଚରାଉଚୁରା କରିଥିଲା ବେଳେ ଜଣଙ୍କୁ ଭୁବନେଶ୍ୱର ନେଇ ଲାଇ ଡିଟେକ୍ସନ ପରୀକ୍ଷା କରାଇଥିଲା। ପରେ ସମସ୍ତଙ୍କୁ ଛାଡି ଦିଆଯାଇଥିଲା। ଏବେ ପୁଣି ଥରେ ପୁୁଲିସ ପକ୍ଷରୁ ଡାକରା ଆସିଛି। ପୁଲିସ ଏଥିନେଇ ନୋଟିସ ଜାରି କରିଛି। ପୁଲିସ ପାଖକୁ ଆସି ତଦନ୍ତରେ ସହାୟତା କରିବା ପାଇଁ ୪ଜଣ ସଂପର୍କୀୟଙ୍କୁୁ ନୋଟିସ କରାଯାଇଥିବା ଜଣାପଡିଛି। ଆସନ୍ତାକାଲି ପୂର୍ବାହ୍ନରେ ଜିଲ୍ଳା ପୁଲିସ କାର୍ଯ୍ୟାଳୟରେ ହାଜର ହେବାକୁ ଏଥିରେ କୁହାଯାଇଛି। ପଟାଙ୍ଗୀ ଥାନାର ଜଣେ କର୍ମଚାରୀ ମୂଷାଗୁଡା ଯାଇ ଏହି ନୋଟିସ ଦେବା ପରେ ପୀଡିତାଙ୍କ ପରିବାର ଓ ସଂପର୍କୀୟଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।

ପୀଡ଼ିତାଙ୍କ ବୟାନ ଅନୁଯାୟୀ ତଦନ୍ତ ହେଉ’

ଭୁବନେଶ୍ୱର: କୋରାପୁଟ ଦଳିତ ଛାତ୍ରୀ ଗଣଦୁଷ୍କର୍ମ ଘଟଣା ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ବେଳେ ଏନେଇ ତଦନ୍ତ ଜାରି ରହିଛି। ତେବେ ପିପୁଲ୍‌ସ ଓ୍ଵାଚ୍‌, ସିଏସ୍‌ଏଫ୍‌ଏଚ୍‌ଆର୍‌ ଏବଂ ଓସିଆର୍‌ସି ପକ୍ଷରୁ ହୋଇଥିବା ତଥ୍ୟାନୁସନ୍ଧାନ ଅଭିଯାନର ତଥ୍ୟ ଆଧାରରେ ୪ ଜଣ ଅର୍ଧସାମରିକ ବାହିନୀର ଯବାନ ଏହି କାଣ୍ଡ ଭିଆଇଛନ୍ତି ବୋଲି ଦୃଢ଼ୋକ୍ତି ଦେଇଛନ୍ତି ମାନବାଧିକାର କର୍ମୀ ପ୍ରଦୀପ୍ତ ନାୟକ। ତେଣୁ ପୀଡ଼ିତାଙ୍କ ବୟାନ ଅନୁଯାୟୀ ଏହାର ତଦନ୍ତ କରିବାକୁ ଏହିସବୁ ସାମାଜିକ ଅନୁଷ୍ଠାନ ପକ୍ଷରୁ ଦାବି କରାଯାଇଛି।

ଆଜି ନେହରୁ ଯୁବ ପ୍ରତିଷ୍ଠାନରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ନାୟକ କହିଲେ, ୪ ଜଣ ଯବାନଙ୍କ ସମ୍ପୃକ୍ତି ଥିଲେ ହେଁ ଏନେଇ ନିରପେକ୍ଷ ତଦନ୍ତ ଆରମ୍ଭ ହୋଇନାହିଁ। କ୍ରାଇମ୍‌ବ୍ରାଞ୍ଚ୍‌ ତଦନ୍ତ ନାମରେ ଜିଲ୍ଲା ପୁଲିସ୍‌ କେବଳ କେସ୍‌ ରୁଜୁ କରି ଦାୟିତ୍ୱ ଶେଷ କରିଦେଇଛି। ପୀଡ଼ିତାର ସମ୍ପର୍କୀୟ ଭାଇଙ୍କୁ ଦୋଷୀ କହି ଉଠାଇ ନେବା ସହ ସେମାନେ ଏହି କାଣ୍ଡ ଭିଆଇଛନ୍ତି ବୋଲି ସ୍ୱୀକାର କରିବାକୁ ବାଧ୍ୟ କରୁଛନ୍ତି। ଖାଲି ସେତିକି ନୁହେଁ ଛାତ୍ରୀଙ୍କୁ ପ୍ରଥମରୁ ସାଧାରଣ ମହିଳା ପ୍ରସବ ଓ୍ଵାର୍ଡରେ ରଖି ଚିକିତ୍ସା କରାଯାଉଥିଲା।

ତଥ୍ୟ ଅନୁସନ୍ଧାନରୁ ଏପରି ତଥ୍ୟ ହସ୍ତଗତ ହୋଇଥିବା ବେଳେ ପୁଲିସ ଯବାନଙ୍କୁ କାହିଁକି ଘଣ୍ଟ ଘୋଡ଼ାଇବାକୁ ଚେଷ୍ଟା କରାଯାଉଛି ବୋଲି ଆଡ୍‌ଭୋକେଟ୍‌ ପୂର୍ଣ୍ଣ ଜାନି ପ୍ରଶ୍ନ କରିଛନ୍ତି। ତେଣୁ ପୀଡ଼ିତାଙ୍କୁ ଉପଯୁକ୍ତ ଆଧୁନିକ ଚିକିତ୍ସା ସହ ପୀଡ଼ିତାଙ୍କ ବୟାନ ମୁତାବକ ତୁରନ୍ତ ଏହି ଜଘନ୍ୟ କାଣ୍ଡର ନିରପେକ୍ଷ ତଦନ୍ତ କରାଯାଉ। ଏଥିସହିତ ପୀଡ଼ିତାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିରୁ ତୁରନ୍ତ ୧୦ ଲକ୍ଷ ଟଙ୍କାର ମଧ୍ୟବର୍ତୀକାଳୀନ ସାହାଯ୍ୟ ରାଶି ଯୋଗାଇ ଦିଆଯାଉ ବୋଲି ମାନବାଧିକାର କର୍ମୀ ଚନ୍ଦ୍ରନାଥ ଦାନୀ କହିଛନ୍ତି।

ଉଲ୍ଲେଖଯୋଗ୍ୟ ଯେ ଗତ ୧୪ ତାରିଖରେ ସ୍ଥାନୀୟ ଅଞ୍ଚଳର ସିମ୍‌ ଅହମ୍ମଦଙ୍କ ସହଯୋଗରେ ମାନବାଧିକାର କର୍ମୀଙ୍କ ଏକ ତଥ୍ୟ ଅନୁସନ୍ଧାନକାରୀ ଦଳ କୋରାପୁଟ ମେଡିକାଲ୍‌ରେ ଚିକିତ୍ସାଧୀନ ଥିବା ପୀଡ଼ିତାର ମା’, ଭାଇ, ହସ୍ପିଟାଲ୍‌ର ଉପମୁଖ୍ୟ ଚିକିତ୍ସାଧିକାରୀ, ଦକ୍ଷିଣାଞ୍ଚଳ ପୁଲିସ ଡିଆଇଜିଙ୍କ ସମତ ପୀଡ଼ିତାଙ୍କ ଗାଁ’ର ଗ୍ରାମବାସୀ, ଗାଁ’ ମୁଖିଆ ଓ ବିଭିନ୍ନ ସଂଗଠନର ନେତୃମଣ୍ଡଳୀଙ୍କ ସହ ସାକ୍ଷାତ ଆଲୋଚନା ପରେ ଏହି ଘଟଣାର ସତ୍ୟାସତ୍ୟ ଜଣା ପଡ଼ିଛି ବୋଲି ଶ୍ରୀ ନାୟକ କହିଛନ୍ତି।

ସମ୍ବନ୍ଧିତ ଖବର