ମେଡିକାଲ ରେକର୍ଡ ଘାଣ୍ଟିଲେ କ୍ରାଇମ ବ୍ରାଞ୍ଚ ଟିମ୍‌

କୁନ୍ଦୁଲି ଗଣଦୁଷ୍କର୍ମ ମାମଲା

କୋରାପୁଟ: ବହୁଚର୍ଚ୍ଚିତ କୁନ୍ଦୁଲି ଗଣଦୁଷ୍କର୍ମ ମାମଲାରେ ପ୍ରଥମ ପର୍ଯ୍ୟାୟ ତଦନ୍ତ ଶେଷ କରିଛି କ୍ରାଇମ ବ୍ରାଞ୍ଚ। ଚାରି ଦିନ ଧରି କ୍ରାଇମ ବ୍ରାଞ୍ଚର ୪ ଜଣିଆ ଟିମ୍‌ ମାମଲାକୁ ଘଣ୍ଟାଚକଟା କରିବା ପରେ କଟକ ଫେରି ଯାଇଥିବା ଜଣାପଡ଼ିଛି। ଶେଷ ଦିନରେ ଏହି ଦଳ କୋରାପୁଟ ଏସ୍‌ଏଲ୍‌ଏନ୍‌ ମେଡିକାଲ କଲେଜକୁ ଯାଇ ତଥ୍ୟ ସଂଗ୍ରହ କରିବା ସହ କିଛି ଅଧିକାରୀ ଓ ଡାକ୍ତରଙ୍କ ସହ ଆଲୋଚନା କରିଥିଲେ। ପୀଡ଼ିତାଙ୍କ ମେଡିକାଲ ପରୀକ୍ଷା ଓ ଚିକିତ୍ସା ନେଇ କାଗଜପତ୍ର ମଧ୍ୟ ଦେଖିଥିଲା ଟିମ୍‌। ଏଠାରେ ପୀଡ଼ିତାଙ୍କୁ କେତେବେଳେ ଭର୍ତ୍ତି କରାଗଲା, ସେତେବେଳେ ତାଙ୍କ ଅବସ୍ଥା କ’ଣ ଥିଲା, କ’ଣ ଚିକିତ୍ସା କରାଯାଉଥିଲା ଏବଂ ମେଡିକାଲ ଯାଂଚ କିଏ କିଏ କରିଥିଲେ ତାହା ପଚାରି ବୁଝିଥିବା ଜଣାପଡ଼ିଛି। ସମସ୍ତ କାଗଜପତ୍ରକୁ ତନ୍ନ ତନ୍ନ କରି ପରୀକ୍ଷା କରିବା ପରେ ମାମଲା ସହ ସଂପୃକ୍ତ ଆଉ କିଛି ଲୋକଙ୍କଠାରୁ ତଥ୍ୟ କାଢିବାକୁ ପ୍ରୟାସ କରିଥିଲା। ତେବେ ଏହି ତଦନ୍ତ କାଳରେ କ୍ରାଇମ ବ୍ରାଞ୍ଚକୁ କ’ଣ ସୁରାକ ମିଳିଛି ସେ ସଂପର୍କରେ ସେମାନେ ମୁହଁ ଖୋଲି ନାହାନ୍ତି।

କୋରାପୁଟ ଜିଲ୍ଲା କୁନ୍ଦୁଲି ଅଂଚଳରେ ଜଣେ ନବମ ଶ୍ରେଣୀ ଛାତ୍ରୀଙ୍କୁ ଅକ୍ଟୋବର ୧୦ତାରିଖରେ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଥିଲା। କିନ୍ତୁ ଏହି ସମ୍ବେଦନଶୀଳ ମାମଲାର ତଦନ୍ତ କରି ଜିଲ୍ଲା ପୁଲିସ ଦୁଷ୍କର୍ମର କୌଣସି ପ୍ରମାଣ ନ ଥିବା କହିଥିଲା। ଏଥିନେଇ ସବୁଆଡୁ ସମାଲୋଚନାର ସ୍ୱର ଉଠିବା ପରେ ସରକାର ବାଧ୍ୟ ହୋଇ କ୍ରାଇମ ବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। କ୍ରାଇମବ୍ରାଞ୍ଚର ଏକ ୪ଜଣିଆ ତଦନ୍ତକାରୀ ଦଳ ଗତ ୯ତାରିଖ ସନ୍ଧ୍ୟାରେ କୋରାପୁଟ ପହଞ୍ଚିଥିଲା। ୪ ଦିନ ଧରି ମାମଲାର ବିଭିନ୍ନ ଦିଗକୁ ଅନୁଧ୍ୟାନ କରିବା ସହ ପ୍ରଥମ ପର୍ଯ୍ୟାୟ ତଦନ୍ତ ଶେଷ କରିଛି। ଶେଷ ଦିନରେ ଆଜି କୋରାପୁଟ ଏସଏଲଏନ ମେଡିକାଲ କଲେଜକୁ ଯାଇଥିଲା କ୍ରାଇମ ବ୍ରାଞ୍ଚ ଟିମ୍‌। ପ୍ରଥମ ପର୍ଯ୍ୟାୟର ତଦନ୍ତରେ କ୍ରାଇମ ବ୍ରାଞ୍ଚ ଅଧିକାରୀମାନେ ମାମଲା ସହ ଜଡିତ ସମସ୍ତ ପ୍ରସଙ୍ଗକୁ ତଦନ୍ତ ପରିସରଭୁକ୍ତ କରିଥିବା କୁହାଯାଉଛି। ବିଶେଷକରି ପୀଡ଼ିତାଙ୍କ ସହ ଦୁଷ୍କର୍ମ ହୋଇଛି କି ନାହିଁ, ଯଦି ହୋଇଛି କେଉଁମାନେ ଏଥିରେ ସଂପୃକ୍ତ ଏବଂ ଯଦି ହୋଇନି କାହିଁକି ଏମିତି ସଙ୍ଗିନ ଅଭିଯୋଗ ଆଣିଲା, ତା’ର ଖୋଳତାଡ଼ କରିଛି। ଏଠାରୁ ସଂଗ୍ରହ କରିଥିବା ତଥ୍ୟକୁ ଆଉ ଥରେ ଯାଂଚ କରାଯିବ। ତା’ ପରେ ତଦନ୍ତ ଆଗେଇବ ବୋଲି ଏକ ନିର୍ଭରଯୋଗ୍ୟ ସୁତ୍ରରୁ ଜଣାପଡିଛି।

 

ସମ୍ବନ୍ଧିତ ଖବର