କୁନ୍ଦୁଲି ଗଣଦୁଷ୍କର୍ମ

ପୀଡ଼ିତାଙ୍କ ସଂପର୍କୀୟଙ୍କୁ କାଉନ୍‌ସେଲିଂ

ଜୟପୁର: କୁନ୍ଦୁଲି ଗଣଦୁଷ୍କର୍ମ ମାମଲାରେ ଆଜି ଦ୍ୱିତୀୟ ପର୍ଯ୍ୟାୟ କାଉନ୍‌ସେଲିଂ ଶେଷ ହୋଇଛି। ତେବେ ଆଜି ପୀଡିତାଙ୍କ ବଦଳରେ ତାଙ୍କ ସଂପର୍କୀୟଙ୍କୁ କାଉନ୍‌ସେଲିଂ କରିଛନ୍ତି ଭୁବନେଶ୍ୱର ଉତ୍କଳ ବିଶ୍ୱବିଦ୍ୟାଳୟରୁ ଆସିଥିବା ଦୁଇ ମନସ୍ତତ୍ତ୍ୱବିତ୍‌। ଜୟପୁର ପୂର୍ତ୍ତ ବିଭାଗ ଡାକବଙ୍ଗଳାରେ ପୀଡ଼ିତାଙ୍କ ସମ୍ପର୍କୀୟ ଭାଇ ଓ ଖୁଡ଼ିଙ୍କୁ କାଉନ୍‌ସେଲିଂ କରାଯାଇଥିଲା। ଦେଢ଼ଘଣ୍ଟାରୁ ଅଧିକ ସମୟ ଧରି ଦୁହିଁଙ୍କର କାଉନ୍‌ସେଲିଂ ହୋଇଥିଲା। ଆସନ୍ତା କାଲି ପୁଣି ତୃତୀୟ ପର୍ଯ୍ୟାୟ କାଉନ୍‌ସେଲିଂ ହେବ ବୋଲି ସୂଚନା ମିଳିଛି। କିନ୍ତୁ କାହାକୁ ସାମିଲ କରାଯିବ ସେନେଇ କିଛି ଜଣାପଡ଼ି ନାହିଁ। ମନସ୍ତତ୍ତ୍ୱବିତ ନମିତା ମହାନ୍ତି ଓ ମଧୁସ୍ମିତା ଦାସ କହିଛନ୍ତି ଯେ ଦ୍ୱିତୀୟ ଦିନର କାଉନସେଲିଂ ସମୟରେ ପୀଡିତାଙ୍କ ସଂପର୍କୀୟଙ୍କୁ ସେମାନଙ୍କ ଆଶା ଓ ଆବଶ୍ୟକତା ସମ୍ପର୍କରେ ପଚରା ଯାଇଥିଲା। ନାବାଳିକା ଜଣକ ଏବେ ସ୍କୁଲର ପାଠ ପଢୁଥିବାରୁ ତାହାର ଭବିଷ୍ୟତ ନେଇ ସେମାନଙ୍କ ସହ ଆଲୋଚନା କରାଯାଇଥିଲା। ଗତକାଲି ପୀଡିତାଙ୍କ କାଉନସେଲିଂ ପରେ ପରିବାର ଓ ସଂପର୍କୀୟଙ୍କ ସହ ଆଲୋଚନା କରିବାକୁ ନିଷ୍ପତ୍ତି ନିଆଯାଇଥିଲା। ତେଣୁ ଆଜି ଦ୍ୱିତୀୟ ପର୍ଯ୍ୟାୟ କାଉନସେଲିଂ ହୋଇଥିବା ବେଳେ ଆଗାମୀ ଦୁଇ ଦିନ ଧରି ପୁଣି କାଉନସେଲିଂ କରାଯିବ ବୋଲି ପ୍ରକାଶ କରିଛନ୍ତି।

ମେଡିକାଲ ଅଧୀକ୍ଷକଙ୍କୁ ବ୍ୟକ୍ତିଗତ ହାଜିରା ପାଇଁ ନିର୍ଦେଶ

ଭୁବନେଶ୍ୱର: କୁନ୍ଦୁଲି ନାବାଳିକା ଗଣଦୁଷ୍କର୍ମ ମାମଲାରେ ରାଜ୍ୟ ମାନବାଧିକାର ଆୟୋଗ କୋରାପୁଟ୍‌ ସ୍ଥିତ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଅଧୀକ୍ଷକଙ୍କୁ ବ୍ୟକ୍ତିଗତ ଭାବେ ହାଜର ହେବାକୁ ନିର୍ଦେଶ ଦେଇଛନ୍ତି। ତେବେ ମାମଲାର ପରବର୍ତୀ ଶୁଣାଣି ଆସନ୍ତା ୧୦ତାରିଖକୁ ଧାର୍ଯ୍ୟ କରାଯାଇଛି। ଆଜି ମାମଲାର ଶୁଣାଣି ବେଳେ ପୂର୍ବ ନିର୍ଦେଶ ମୁତାବକ ଅଧୀକ୍ଷକ ପୀଡ଼ିତାଙ୍କ ଡାକ୍ତରୀ ପରୀକ୍ଷା ରିପୋର୍ଟ ଦାଖଲ କରିଥିବା ବେଳେ ଚିକିତ୍ସା ସଂପର୍କିତ ବିବରଣୀ ଓ ବେଡ୍‌ହେଡ୍‌ ଟିକେଟ୍‌ ଦାଖଲ କରି ନଥିଲେ। ତେବେ ନଭେମ୍ବର ୬ତାରିଖ ସୁଦ୍ଧା ଏହି ରିପୋର୍ଟ ଦାଖଲ ପାଇଁ ଅକ୍ଟୋବର ୩୧ରେ ରାଜ୍ୟ ମାନବାଧିକାର ଆୟୋଗ ଅଧୀକ୍ଷକଙ୍କୁ ନିର୍ଦେଶ ଦେଇଥିଲେ।

ସେହିପରି ଏଚ୍‌ଆର୍‌ପିସିର ଅତିରିକ୍ତ ପୁଲିସ ମହାନିର୍ଦେଶକଙ୍କ ପକ୍ଷରୁ ବନ୍ଦ ଲଫାପାରେ ରିପୋର୍ଟ ଦାଖଲ କରାଯାଇ ତାହା ଗୋପନୀୟ ବୋଲି ଦର୍ଶାଯାଇଥିଲା। ଏହାଛଡ଼ା କୋରାପୁଟ ଜିଲ୍ଲାପାଳ ତାଙ୍କ ଜବାବ ଦାଖଲ କରି ପୀଡ଼ିତାଙ୍କୁ ରେଡକ୍ରସ୍‌ରୁ ୧୦ହଜାର ଟଙ୍କା ଜରୁରୀ ସହାୟତା ରାଶି ଦିଆଯାଇଛି ବୋଲି ଦର୍ଶାଇଥିଲେ। ପୁନଶ୍ଚ ଇନ୍ଦିରା ଆବାସ ଯୋଜନାରେ ଦିଆଯାଇଥିବା ଅର୍ଥରେ ପୀଡ଼ିତାଙ୍କ ଘରର ନିର୍ମାଣ କାର୍ଯ୍ୟ ଛାତ ପର୍ଯ୍ୟନ୍ତ ଶେଷ ହୋଇଛି ବୋଲି ଦର୍ଶାଯାଇଥିଲା। ତେବେ ଅବଶିଷ୍ଟ ଅର୍ଥ ତୁରନ୍ତ ଯୋଗାଇ ଛାତ କାର୍ଯ୍ୟ ଶେଷ କରିବାକୁ ଆୟୋଗ ଜିଲ୍ଲାପାଳଙ୍କୁ ନିର୍ଦେଶ ଦେଇଛନ୍ତି।ା ପୁନଶ୍ଚ ପୀଡ଼ିତାଙ୍କ ଜେଜେ ମା’ଙ୍କ ନାମରେ ଅନ୍ତୋଦୟ ଯୋଜନାରେ ରିହାତି ଦରରେ ଚାଉଳ ଓ କିରାସିନି ଦିଆଯାଉଛି ବୋଲି ଜିଲ୍ଲାପାଳ ତାଙ୍କ ଜବାବରେ ଉଲ୍ଲେଖ କରିଥିଲେ। ଶୁଣାଣି ବେଳେ ଆବେଦନକାରୀ ମାନବାଧିକାର କର୍ମୀ ଦେବରଞ୍ଜନ ଷଡ଼ଙ୍ଗୀ, ବିଶ୍ୱପ୍ରିୟ କାନୁନ୍‌ଗୋ, ପ୍ରବୀରକୁମାର ଦାସ, ପ୍ରଦୀପ୍ତ ନାୟକ, ଚନ୍ଦ୍ରନାଥ ଦାନୀଙ୍କ ପକ୍ଷରୁ ଯୁକ୍ତି ଉପସ୍ଥାପନ କରାଯାଇ ପୀଡ଼ିତାଙ୍କୁ ତୁରନ୍ତ କ୍ଷତିପୂରଣ ଦେବାକୁ ନିବେଦନ କରାଯାଇଥିଲା।

ସମ୍ବନ୍ଧିତ ଖବର