କୁନ୍ଦୁଲି ଗଣଦୁଷ୍କର୍ମ ଓ ଆତ୍ମହତ୍ୟା ମାମଲା: ହାଜର ହେଲେ ଗୃହ ସଚିବ, ଡିଜି

ତଦନ୍ତ ଶେଷ ସହ ଚୂଡ଼ାନ୍ତ ରିପୋର୍ଟ ଦାଖଲ ପାଇଁ ଏସ୍‌ସି କମିସନଙ୍କ ନିର୍ଦ୍ଦେଶ

କୋରାପୁଟ/ନୂଆଦିଲ୍ଲୀ: କୁନ୍ଦୁଲି ଗଣଦୁଷ୍କର୍ମ ମାମଲାରେ ରାଜ୍ୟ ଗୃହ ସଚିବ ଅସିତ ତ୍ରିପାଠୀ , ପୋଲିସ୍‌ ମହାନିର୍ଦ୍ଦେଶକ ଡା. ରାଜେନ୍ଦ୍ର ପ୍ରସାଦ ଶର୍ମା. କ୍ରାଇମବ୍ରାଞ୍ଚ ଆଇଜିି ଅରୁଣ କୁମାର ବୋଥ୍ରା ପ୍ରମୁଖ ଆଜି ଜାତୀୟ ଅନୁସୂଚିତ ଜାତି କମିସନ ଅଧ୍ୟକ୍ଷଙ୍କ ନିକଟରେ ବ୍ୟକ୍ତିଗତ ଭାବେ ହାଜର ହୋଇଛନ୍ତି। ହାଜର ସମୟରେ ଏହି ଘଟଣା ସହ ଜଡ଼ିତ ସମସ୍ତ କାଗଜପତ୍ର ମଧ୍ୟ ଦାଖଲ କରିଛନ୍ତି। ଅପରପକ୍ଷରେ ଆବେଦନକାରୀ ତଥା କୋରାପୁଟ ବିଧାୟକ କୃଷ୍ଣଚନ୍ଦ୍ର ଶଗରିଆ ମଧ୍ୟ କମିସନଙ୍କ ପାଖରେ ତାଙ୍କ ପକ୍ଷ ରଖିଛନ୍ତି। ଯଥାଶୀଘ୍ର ଘଟଣାର ତଦନ୍ତ ଶେଷ କରିବା ସହିତ ଚୂଡ଼ାନ୍ତ ରିପୋର୍ଟ ଦାଖଲ ପାଇଁ କମିସନ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି। କୋରାପୁଟ ଜିଲ୍ଲା କୁନ୍ଦୁଲି ଅଂଚଳରେ ଜଣେ ନବମ ଶ୍ରେଣୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଥିଲା। ଏହି ମାମଲାରେ କାହାରିକୁ ଗିରଫ କରାଯାଇ ନ ଥିଲାବେଳେ ଗତ ଜାନୁଆରି ମାସରେ ଛାତ୍ରୀ ଜଣଙ୍କ ଆତ୍ମହତ୍ୟା କରିଥିଲେ। ପରେ କୋରାପୁଟ ବିଧାୟକ କୃଷ୍ଣଚନ୍ଦ୍ର ଶଗରିଆ ଏହି ମାମଲାର ତଦନ୍ତ କରିବାକୁ ଜାତୀୟ ଅନୁସୂଚିତ ଜାତି କମିସନଙ୍କ ଦ୍ୱାରସ୍ଥ ହୋଇଥିଲେ। ଏହି ମାମଲାର ଶୁଣାଣି କରିବା ପାଇଁ ଏପ୍ରିଲ ୨୪ ତାରିଖକୁ ଧାର୍ଯ୍ୟ କରାଯାଇଥିଲା। ଶୁଣାଣି ସମୟରେ ବ୍ୟକ୍ତିଗତ ଭାବେ ହାଜର ହେବାକୁ କୋରାପୁଟ ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ ଓ ଏସପି ଡ. କନଓ୍ଵର ବିଶାଳ ସିଂହଙ୍କୁ କମିଶନଙ୍କ କାର୍ଯ୍ୟାଳୟରୁ ନିର୍ଦ୍ଦେଶ ଆସିଥିଲା। କିନ୍ତୁ ପରେ ଏହାକୁ ଘୁଞ୍ଚାଇ ଦିଆଯାଇଥିଲା ଏବଂ ଆଜି ଶୁଣାଣି ପାଇଁ ପୁଣି ଦିନଧାର୍ଯ୍ୟ କରାଯାଇଥିଲା।

ଆଜି ମଧ୍ୟାହ୍ନ ଗୋଟାଏ ବେଳେ ମାମଲାର ଶୁଣାଣି ହୋଇଥିଲା ବେଳେ ଗୃହ ସଚିବ ଶ୍ରୀ ତ୍ରିପାଠୀ, ପୁଲିସ ଡିଜି ଶ୍ରୀ ଶର୍ମା, କ୍ରାଇମବ୍ରାଞ୍ଚ ଆଇଜି ଶ୍ରୀ ବୋଥ୍ରା, କୋରାପୁଟ ଜିଲ୍ଲାପାଳ ଶ୍ରୀ ଚକ୍ରବର୍ତ୍ତୀ ଓ ଏସ୍‌ପି ଶ୍ରୀ ସିଂହ ବ୍ୟକ୍ତିଗତ ଭାବେ କମିସନ ଅଧ୍ୟକ୍ଷ ପ୍ରଫେସର୍‌ ରାମଶଙ୍କର କାଥେରିଆଙ୍କ ନିକଟରେ ହାଜର ହୋଇ ପକ୍ଷ ରଖିଥିଲେ। ପୀଡ଼ିତାଙ୍କ ସହ କୌଣସି ଦୁଷ୍କର୍ମ ହୋଇଥିବାର ପ୍ରମାଣ ମିଳି ନ ଥିବା ଏମାନେ କମିସନଙ୍କ ଆଗରେ ଦୋହରାଇଥିଲେ। ପୀଡିତାଙ୍କ ଚିକିତ୍ସାର ବିବରଣୀ, ଡାକ୍ତରୀ ପ୍ରମାଣପତ୍ର ଆଦି ନଥିପତ୍ର କମିସନଙ୍କୁ ଦେଇଥିଲେ। ଆହୁରି ମଧ୍ୟ ସୂଚିତ କରିଥିଲେ ଯେ, ଘଟଣା ପଛର କାରଣ ଖୋଜିବା ପାଇଁ ଏସ୍‌ଆଇଟି ଟିମ୍‌ ଗଠନ କରାଯାଇଛି। ଏଥିସହିତ, ବିଚାର ବିଭାଗୀୟ ତଦନ୍ତ ମଧ୍ୟ ଚାଲିଛି। ନୂଆଦିଲ୍ଲୀସ୍ଥିତ କମିସନଙ୍କ ମୁଖ୍ୟାଳୟରେ ଜାତୀୟ ଅନୁସୂଚିତ ଜାତି କମିଶନ ଅଧ୍ୟକ୍ଷ ପ୍ରଫେସର କାଥେରିଆ ଓ କମିଶନ ସଦସ୍ୟ ଡ. ଯୋଗେନ୍ଦ୍ର ପାଶ୍ୱାନ ମାମଲାର ଶୁଣାଣି କରିଥିଲେ। ସେମାନେ ଘଟଣା ସଂପର୍କରେ ସବିଶେଷ ତଥ୍ୟ ମାଗିବା ସହ ବିଭିନ୍ନ ବିଷୟରେ ଜାଣିବାକୁ ଚାହିଁଥିଲେ। ଏହି ସମୟରେ ଆବେଦନକାରୀ କୋରାପୁଟ ବିଧାୟକ କୃଷ୍ଣଚନ୍ଦ୍ର ଶଗରିଆ ଉପସ୍ଥିତ ଥିଲେ। ସେ କହିଥିଲେ ଯେ, ପୀଡିତାଙ୍କୁ ଲେବର ରୁମ୍‌ରେ ରଖାଯିବା, ତାଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦେବା ସମଗ୍ର ମାମଲାକୁ ଗୋଳିଆ କରୁଛି। ପୀଡ଼ିତାଙ୍କ ସହ ଯଦି ଦୁଷ୍କର୍ମ ହୋଇନଥିଲା ତେବେ ପ୍ରାଥମିକ ରିପୋର୍ଟରେ କେମିତି ପୁରୁଷ ସିମେନ୍ସର ଦାଗ ଆସିଲା ବୋଲି ସେ ପ୍ରଶ୍ନ କରିଥିଲେ। ଅପରପକ୍ଷରେ ଏହି ମାମଲାର ସିବିଆଇ ତଦନ୍ତ ପାଇଁ ପରିବାର ଲୋକ ବାରମ୍ବାର ଦାବି କରୁଥିଲା ବେଳେ ସରକାର ପଛଘୁଞ୍ଚା ଦେଉଛନ୍ତି ବୋଲି ଅଭିଯୋଗ କରିବା ସହିତ କମିସନ ସିଧାସଳଖ ହସ୍ତକ୍ଷେପ କରନ୍ତୁ ବୋଲି ବିଧାୟକ ଶ୍ରୀ ଶଗରିଆ ଯୁକ୍ତି ଦର୍ଶାଇଥିଲେ। ପାଖାପାଖି ୪୦ ମିନିଟ୍‌ ଧରି ଶୁଣାଣି ଚାଲିଥିଲା। ଯଥାଶୀଘ୍ର ଘଟଣାର ତଦନ୍ତ ଶେଷ କରି ତଦନ୍ତ ରିପୋର୍ଟ ଦାଖଲ କରିବା ପାଇଁ କମିସନ ଅଧ୍ୟକ୍ଷ ଶ୍ରୀ କାଥେରିଆ ନିର୍ଦ୍ଦେଶ ଦେଇଥିଲେ।

ସୂଚନାଯୋଗ୍ୟ, କୁନ୍ଦୁଲି ନାବାଳିକାଙ୍କ ସହ ଦୁଷ୍କର୍ମ ହୋଇ ନ ଥିବା ପୁଲିସ କହିବା ପରେ ଏହି ମାମଲାରେ ହସ୍ତକ୍ଷେପ କରିବା ପାଇଁ କୋରାପୁଟ ବିଧାୟକ ଶ୍ରୀ ଶଗରିଆ କମିସନଙ୍କ ନିକଟରେ ଆବେଦନ କରିଥିଲେ। ପରେ କମିସନ ଅଧ୍ୟକ୍ଷଙ୍କ ନିର୍ଦ୍ଦେଶକ୍ରମେ ଏକ ଉଚ୍ଚସ୍ତରୀୟ ଟିମ୍‌ କୋରାପୁଟ ଆସି ମାମଲାର ଛାନ୍‌ଭିନ୍‌ କରିଥିଲେ।

ସମ୍ବନ୍ଧିତ ଖବର