କଟକ : କୁନ୍ଦୁଲି ଗଣଦୁଷ୍କର୍ମ ଓ ପୀଡିତାଙ୍କ ଆତ୍ମହତ୍ୟା ଘଟଣା ସଂପର୍କିତ ମାମଲାର ଶୁଣାଣିରେ ହାଇକୋର୍ଟ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି। ଆଜି ମୁଖ୍ୟ ବିଚାରପତି ଜଷ୍ଟିସ କେ.ଏସ. ଜାଭେରୀ ଓ ଜଷ୍ଟିସ କେ.ଆର. ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠରେ ଏ ସଂପର୍କିତ ମାମଲାର ଶୁଣାଣି ସମୟରେ ସ୍ବତନ୍ତ୍ର ଅନୁସନ୍ଧାନକାରୀ ଟିମ୍ (ଏସଆଇଟି) ପକ୍ଷରୁ ଚୂଡାନ୍ତ ତଦନ୍ତ ରିପୋର୍ଟ ଦାଖଲ କରାଯାଇଥିଲା। ବନ୍ଦ ଲଫାପାରେ ଏହି ରିପୋର୍ଟ ଦାଖଲ କରାଯାଇଥିଲା। ଏ ସଂପର୍କିତ ମାମଲା ବିଚାରାଧୀନ ଥିବା ନିମ୍ନ ଅଦାଲତରେ ତଦନ୍ତ ରିପୋର୍ଟ ଦାଖଲ କରିବାକୁ ଖଣ୍ଡପୀଠ ଏସଆଇଟିକୁ ନିର୍ଦ୍ଦେଶ ଦେଇଥିଲେ। ଏହି ରିପୋର୍ଟର କପି ପ୍ରଦାନ ପାଇଁ ଆବେଦନକାରୀଙ୍କ ପକ୍ଷରୁ ପ୍ରାର୍ଥନା କରାଯାଇଥିବା ବେଳେ ଖଣ୍ଡପୀଠ ଏହାକୁ ଅଗ୍ରାହ୍ୟ କରିଥିଲେ। ନିମ୍ନ ଅଦାଲତରେ ରିପୋର୍ଟ ଦାଖଲ ପରେ ଆବେଦଦନକାରୀ ଚାହିଲେ ଏହାର କପି ନିୟମରେ ଥିବା ବ୍ୟବସ୍ଥା ଅନୁସାରେ ନେଇ ପାରିବେ। ଯଦି ତଦନ୍ତ ପ୍ରସଂଗରେ ଆବେଦନକାରୀଙ୍କ କିଛି ଅଭିଯୋଗ ଥାଏ ତେବେ ସେ ଏ ନେଇ ଆଇନ ଅନୁସାରେ ନିମ୍ନ ଅଦାଲତରେ ଆପତ୍ତି ଦାଖଲ କରି ପାରିବେ ବୋଲି ଖଣ୍ଡପୀଠ କହିଥିଲେ। ଏଥି ସହିତ କୁନ୍ଦୁଲି ସଂପର୍କିତ ମାମଲାର ଶୁଣାଣିର ଖଣ୍ଡପୀଠ ଅନ୍ତ ଘଟାଇଥିଲେ।
ସୂଚନା ଯୋଗ୍ୟ, କୁନ୍ଦୁଲି ଘଟଣାର ଉପଯୁକ୍ତ ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ଦାବି କରି ପୀଡିତାଙ୍କ ଭାଇ ଭଗବାନ ଛାତି ପ୍ରଥମେ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ଅନ୍ୟପକ୍ଷରେ ଏହି ଘଟଣାର ସିବିଆଇ ତଦନ୍ତ ପାଇଁ ପୂର୍ବତନ ସାଂସଦ ଶ୍ରୀ ସ୍ବାଇଁ ହାଇକୋର୍ଟରେ ଜନସ୍ବାର୍ଥ ମାମଲା ଦାୟର କରିଥିଲେ। ଅନ୍ୟ କେତେକ ବ୍ୟକ୍ତି ଓ ଅନୁଷ୍ଠାନ ମଧ୍ୟ ଏହି ପ୍ରସଂଗରେ ଜନସ୍ବାର୍ଥ ମାମଲା ଦାୟର କରିଥିଲେ। କୁନ୍ଦୁଲି ସ˚ପର୍କିତ କେତେକ ମାମଲା ହାଇକୋର୍ଟରେ ବିଚାରାଧୀନ ଥିବା ବେଳେ ସୁପ୍ରିମକୋର୍ଟ ଭଗବାନଙ୍କ ମାମଲାର ଶୁଣାଣି ଓଡ଼ିଶା ହାଇକୋର୍ଟରେ ହେବ ବୋଲି ନିର୍ଦ୍ଦେଶ ଦେଇଥିଲେ। ଏହା ପରେ ପୀଡିତାଙ୍କ ମା ଦମାଇ ଛାତି ମଧୢ ହାଇକୋର୍ଟରେ ପୃଥକ ମାମଲା ରୁଜୁ କରିଥିଲେ। ଇତିମଧ୍ୟରେ ଭଗବାନ ଓ ଅନ୍ୟମାନଙ୍କ ମାମଲାରେ ପୂର୍ଣ୍ଣଚ୍ଛେଦ ପଡ଼ିଥିବା ବେଳେ ପୂର୍ବତନ ସାଂସଦ ଶ୍ରୀ ସ୍ବାଇଁ ଓ ପୀଡିତାଙ୍କ ମା ଶ୍ରୀମତୀ ଛାତିଙ୍କ ଆବେଦନର ହାଇକୋର୍ଟରେ ଶୁଣାଣି ଚାଲିଥିଲା।