କୁନ୍ଦୁଲି ପୀଡ଼ିତାଙ୍କ ଆତ୍ମହତ୍ୟା ଘଟଣା : ମୁଖ୍ୟ ସଚିବ ଓ ପୁଲିସ ଡିଜିଙ୍କୁ ରିପୋର୍ଟ ତଲବ

କଟକ : କୁନ୍ଦୁଲି ପୀଡିତାଙ୍କ ମୃତ୍ୟୁ ଘଟଣାରେ ରାଜ୍ୟ ମାନବାଧିକାର କମିସନ୍‌ ମୁଖ୍ୟ ଶାସନ ସଚିବ ଓ ପୁଲିସ ଡିଜିଙ୍କ ନିକଟରୁ ରିପୋର୍ଟ ତଲବ କରିଛନ୍ତି। କେଉଁ ପରିସ୍ଥିତିରେ ପୀଡିତାଙ୍କ ମୃତ୍ୟୁ ହେଲା ଓ ତାଙ୍କୁ କି ପ୍ରକାର ସରକାରୀ ସହାୟତା ଯୋଗାଇ ଦିଆଯାଇଥିଲା, ସେ ସଂପର୍କରେ ୧୫ ଦିନ ଭିତରେ ବିସ୍ତତ ବିବରଣୀ ଦାଖଲ ପାଇଁ କମିସନ୍‌ ନିର୍ଦ୍ଦେଶ ଦେଇଛନ୍ତି। ଆଇନଜୀବୀ ନିଶିକାନ୍ତ ମିଶ୍ର ଓ ମାନବାଧିକାର କର୍ମୀ ଶ୍ରୀ ଅଖଣ୍ଡଙ୍କ ପକ୍ଷରୁ ରୁଜୁ ପୃଥକ ଅଭିଯୋଗର ଏକତ୍ର ଶୁଣାଣି କରି କମିସନଙ୍କ କାର୍ଯ୍ୟକାରୀ ଅଧ୍ୟକ୍ଷ ଜଷ୍ଟିସ ବୀର କିଶୋର ମିଶ୍ର ଏପରି ନିର୍ଦ୍ଦେଶ ଦେଇଛନ୍ତି।

କମିସନଙ୍କ ନିକଟରେ ଶ୍ରୀ ମିଶ୍ର ଦାଖଲ କରିଥିବା ଅଭିଯୋଗରେ ଦର୍ଶାଇଥିଲେ ଯେ ଦୁଷ୍କର୍ମ କଥା ମିଥ୍ୟା ବୋଲି କହିବା ପାଇଁ ପୁଲିସ୍‌ ଓ ଅନ୍ୟ ଅଫିସରମାନେ ପୀଡିତାଙ୍କ ଉପରେ ଚାପ ପକାଇଥିଲେ। ପୀଡିତାଙ୍କୁ ଦୁଷ୍କର୍ମ କରାଯାଇନାହିଁ ବୋଲି ବାରମ୍ବାର ଗଣମାଧ୍ୟମରେ ପୁଲିସ ଅଧିକାରୀମାନେ କହିବା ଫଳରେ ସେ ମାନସିକ ଭାବରେ ଭାଙ୍ଗି ପଡିଥିଲେ। କ୍ରାଇମବ୍ରାଞ୍ଚ ମଧ୍ୟ ଠିକ୍‌ ଭାବେ ତଦନ୍ତ କରି ନଥିଲା। ତେଣୁ ତାଙ୍କୁ ନ୍ୟାୟ ମିଳିବ ନାହିଁ ବୋଲି ପୀଡିତା ଭାବି ନେଇଥିଲେ । ଅଖଣ୍ଡ ତାଙ୍କ ପିଟିସନରେ ଦର୍ଶାଇଥିଲେ ଯେ ପୀଡିତାଙ୍କୁ ଉପଯୁକ୍ତ କାଉନସିଲିଂ ଯୋଗାଇ ଦିଆଯାଇ ନଥିଲା। ତାଙ୍କୁ ସୁରକ୍ଷା ଦେବାରେ ପୁଲିସ୍‌ ଓ ପ୍ରଶାସନ ବିଫଳ ହୋଇଥିଲା। ପୂର୍ବରୁ ତାଙ୍କ ପକ୍ଷରୁ ଦାୟର ମାମଲାରେ କମିସନ୍‌ ପୀଡିତଙ୍କୁ ସବୁ ପ୍ରକାର ସୁରକ୍ଷା, ଥଇଥାନ ଓ ଆଇନଗତ ସହାୟତା ଯୋଗାଇଦେବାକୁ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ କୋରାପୁଟ ଜିଲ୍ଲାପାଳ ଓ ଏସ୍‌ପି ଏହା କରି ନଥିଲେ। ପୁଲିସ୍‌, ଡାକ୍ତର ଓ କାଉନସେଲର୍‌ କିଭଳି ତାଙ୍କ ଉପରେ ମାମଲା ପ୍ରତ୍ୟାହାର ପାଇଁ ଚାପ ପକାଉଥିଲେ ଓ ମାନସିକ ନିର୍ଯାତନା ଦେଉଥିଲେ, ତାହା ଭୁବନେଶ୍ୱରରେ ଏକ ଜନ ଶୁଣାଣି ସମୟରେ ପୀଡିତା ପ୍ରକାଶ କରିଥିଲେ। ପୁଲିସ୍‌ ଓ ପ୍ରଶାସନର ଅବହେଳା ଓ ଦାୟିତ୍ୱହୀନ କାର୍ଯ୍ୟ ପୀଡିତାଙ୍କୁ ଆତ୍ମହତ୍ୟା କରିବାକୁ ବାଧ୍ୟ କଲା ବୋଲି ଆବେଦନରେ ଦର୍ଶାଯାଇଥିଲା।

କୁନ୍ଦୁଲି ମାମଲା: ଚୂଡ଼ାନ୍ତ ରିପୋର୍ଟରେ କ’ଣ ଅଛି?

ଭୁବନେଶ୍ୱର : କୁନ୍ଦୁଲି ଗଣଦୁଷ୍କର୍ମ ଅଭିଯୋଗ ମାମଲା ଆଜି ନୂଆ ମୋଡ଼ ନେଇଛି। ଏହି ଘଟଣାରେ ରାଜ୍ୟ ଫରେନ୍‌ସିକ୍‌ ଲାବୋରେଟୋରି କର୍ତ୍ତୃପକ୍ଷ କେବଳ ଜବତ ସାମଗ୍ରୀର ପରୀକ୍ଷା ନିରୀକ୍ଷା କରିଛନ୍ତି ତା ନୁହେଁ, ଡିଏନ୍‌ଏ ପରୀକ୍ଷା କରିଥିବା ମଧ୍ୟ ଜଣାପଡିଛି। ଖୋଦ୍‌ ସଂସ୍ଥାର ନିର୍ଦେଶକ ଆଜି ଏହି ସୂଚନା ଦେଇଛନ୍ତି। ହେଲେ ଏହି ରିପୋର୍ଟ ଏବେ କୋର୍ଟରେ ଥିବାରୁ ଏଥିରେ ନିର୍ଦିଷ୍ଟ କି ତଥ୍ୟ ରହିଛି, ତାହା ଜଣାପଡିନାହିଁ କିମ୍ବା କର୍ତ୍ତୃପକ୍ଷ କହିନାହାନ୍ତି।

ଅନ୍ୟପକ୍ଷରେ ଆଜି ଏକ ବୈଦ୍ୟୁତିକ ଗଣମାଧ୍ୟମରେ ରାଜ୍ୟ ଫରେନ୍‌ସିକ୍‌ ଲାବରେଟୋରି ପରୀକ୍ଷା ସଂପର୍କରେ ଯେଉଁ ତଥ୍ୟ ଦିଆଯାଇଛି, ତାହା ଅସତ୍ୟ ବୋଲି ନିର୍ଦେଶକ ଏକ ପ୍ରେସ ବିଜ୍ଞପ୍ତିରେ ଜଣାଇଛନ୍ତି। ଏଥିରେ କୁହାଯାଇଛି, ପଟ୍ଟାଙ୍ଗି ଥାନାର ଏହି ମାମଲା ସଂପର୍କିତ ପ୍ରକାଶିତ ରିପୋର୍ଟ ଚୂଡାନ୍ତ ନଥିଲା। ଅତ୍ୟନ୍ତ ସାବଧାନତା ଓ ଗୁରୁତ୍ୱର ସହିତ ଅଭିଜ୍ଞ ବୈଜ୍ଞାନିକଙ୍କୁ ନେଇ ଜବତ ସାମଗ୍ରୀର ଯେଉଁ ସବୁ ପରୀକ୍ଷା କରାଯାଇଥିଲା, ସେ ସଂକ୍ରାନ୍ତ ଚୂଡାନ୍ତ ରିପୋର୍ଟ ଅକ୍ଟୋବର ୨୩ ତାରିଖ ଦିନ କୋର୍ଟକୁ ଦିଆଯାଇଥିବା କର୍ତ୍ତୃପକ୍ଷ ସୂଚାଇଛନ୍ତି। ଏହି ରିପୋର୍ଟରେ ନିର୍ଦିଷ୍ଟ କଣ ଉଲ୍ଲେଖ ରହିଛି, ତାହାକୁ ନେଇ ଏବେ ସବୁ ଉତ୍କଣ୍ଠା ପ୍ରକାଶ ପାଇଲାଣି।

ବିଜେପି ଆରମ୍ଭ କଲା କୋକେଇ ଶୋଭାଯାତ୍ରା

ଭୁବନେଶ୍ୱର : କୁନ୍ଦୁଲି ପୀଡ଼ିତାଙ୍କ ଆତ୍ମହତ୍ୟା ପରେ ବିଜେପି ତା’ର ଆନ୍ଦୋଳନ ଜାରି ରଖିଛି। ଗତକାଲି ରାଜ୍ୟବ୍ୟାପୀ ହରତାଳ ପରେ ଆଜି ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ କୋକେଇ ଶୋଭାଯାତ୍ରା କରାଯାଇଛି। ମହିଳା ମୋର୍ଚ୍ଚା ସଭାନେତ୍ରୀ ପ୍ରଭାତୀ ପରିଡ଼ାଙ୍କ ନେତୃତ୍ୱରେ ବହୁ ସଂଖ୍ୟାରେ ମହିଳା ମୁଖ୍ୟମନ୍ତ୍ରୀଙ୍କ କୁଶପୁତ୍ତଳିକା ଧରି କୋକେଇ ଶୋଭାଯାତ୍ରା କରିଥିଲେ। ମୁଣ୍ଡରେ ଅବିର ଲଗାଇ, ଖଇ କଉଡ଼ି ପକାଇବା ସହ ଜୁଇ ନିଆଁ ଧରି ମହିଳାମାନେ ବିଜେପି କାର୍ଯ୍ୟାଳୟ ସମ୍ମୁଖରୁ ବାହାରି ସଚିବାଳୟ ଅଭିମୁଖେ ଯାଇଥିଲେ। ଅଧା ରାସ୍ତାରେ ପୁଲିସ୍‌ ବାଟ ଓଗାଳିଥିଲା। ଏହା ପରେ ବିକ୍ଷୋଭକାରୀମାନେ ମୁଖ୍ୟମନ୍ତ୍ରୀଙ୍କ କୁଶ ପୁତ୍ତଳିକା ଦାହ କରିଥିଲେ। ଆସନ୍ତା ୧୧ ଦିନ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ମଣ୍ଡଳରେ ବିଜେପି ପକ୍ଷରୁ ଏପରି କୋକେଇ ଶୋଭାଯାତ୍ରା ଚାଲିବ ବୋଲି ଶ୍ରୀମତୀ ପରିଡ଼ା ସୂଚନା ଦେଇଛନ୍ତି। ଆଜିର ଶୋଭାଯାତ୍ରାରେ ପୂର୍ବତନ ମନ୍ତ୍ରୀ ସୁରମା ପାଢ଼ୀ, ରାଜ୍ୟ ସମ୍ପାଦିକା ଲେଖାଶ୍ରୀ ସାମନ୍ତରସିଂହାର, ନିବେଦିତା ପ୍ରଧାନ, ଉର୍ମିଳା ମହାପାତ୍ରଙ୍କ ସମେତ ବହୁ ମହିଳା କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର