କଟକ : କୁନ୍ଦୁଲି ପୀଡିତାଙ୍କ ଆତ୍ମହତ୍ୟାର ରହସ୍ୟ ଉନ୍ମୋଚନ ପାଇଁ ସିବିଆଇ ତଦନ୍ତ ଅନୁରୋଧ କରି ହାଇକୋର୍ଟରେ ରୁଜୁ ହୋଇଛି ଜନସ୍ୱାର୍ଥ ମାମଲା। ପୀଡିତାଙ୍କ ମୃତ୍ୟୁ ପଛରେ ଅନେକ ରହସ୍ୟ ରହିଛି। ଏଥି ପାଇଁ ଘଟଣାର ସିବିଆଇ ତଦନ୍ତ କରାଗଲେ ପ୍ରକୃତ ଘଟଣା ପଦାକୁ ଆସିବ ଓ କୁନ୍ଦୁଲି ପୀଡିତାଙ୍କ ଆତ୍ମା ଶାନ୍ତି ପାଇବ ବୋଲି ଦର୍ଶାଇ ଏର୍ହି ମାମଲା ରୁଜୁ ହୋଇଛି।
ଖୋର୍ଦ୍ଧା ଜିଲ୍ଲା କଲ୍ୟାଣପୁରର ଅଚ୍ୟୁତାନନ୍ଦ ସ୍ୱାଇଁଙ୍କ ପକ୍ଷରୁ ଦାୟର ଜନସ୍ୱାର୍ଥ ମାମଲାରେ ଦର୍ଶାଯାଇଛି ଯେ କୁନ୍ଦୁଲି ପୀଡିତାଙ୍କ ସହିତ ଚାରି ଜଣ ସୁରକ୍ଷାକର୍ମୀ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲେ ମଧ୍ୟ ପୁଲିସ ପ୍ରଶାସନ ଏହାକୁ ହାଲୁକା ଭାବେ ନେଇଥିଲା। ଘଟଣାର କିନ୍ତୁ ଠିକ ଢଙ୍ଗରେ ତଦନ୍ତ କରାଯାଇ ନଥିଲା। ପ୍ରକୃତ ଘଟଣା କଣ ସେ ସଂପର୍କରେ ନ କହି ପୁଲିସ କେବଳ କହିଥିଲା ଯେ ଡାକ୍ତରୀ ରିପୋର୍ଟ ଅନୁସାରେ ପୀଡିତାଙ୍କ ସହିତ ଦୁଷ୍କର୍ମ ହୋଇ ନାହିଁ। ଅନ୍ୟପକ୍ଷରେ ସୁପ୍ରିମକୋର୍ଟଙ୍କ ରାୟ ଅନୁସାରେ ଦୁଷ୍କର୍ମ ଭଳି ଘଟଣାରେ ପୀଡିତାଙ୍କ ବୟାନକୁ ତଦନ୍ତକାରୀ ସଂସ୍ଥା ବିଶ୍ୱାସ କରିବା କଥା। କିନ୍ତୁ କୁନ୍ଦୁଲି ପୀଡିତାଙ୍କ କଥାକୁ ପୁଲିସ ଗ୍ରହଣ କରି ନଥିଲା।
ଗଣମାଧ୍ୟମରେ ଓ ବାହାରେ ପୀଡିତାଙ୍କ ସହିତ ଦୁଷ୍କର୍ମ ହୋଇ ନାହିଁ ବୋଲି କୋରାପୁଟ ପୁଲିସ ଓ ଏଚଆରପିସି ଏଡିଜି ପ୍ରକାଶ କରିଥିଲେ। ଠିକ ଢଙ୍ଗରେ ତଦନ୍ତ କରିବା ପରିବର୍ତ୍ତେ ତଦନ୍ତକାରୀ ସଂସ୍ଥା ପୀଡିତାଙ୍କୁ ବିଭିନ୍ନ ଭାବେ ନିର୍ଯାତନା ଦେଇଥିଲା। ପୀଡିତା ଓ ତାଙ୍କ ପରିବାର ଉପରେ ବିଭିନ୍ନ ଭାବେ ଚାପ ପ୍ରୟୋଗ କରାଯାଇଥିଲା। ପରିବାର ସଦସ୍ୟ, ସଂପର୍କୀୟ ଓ ପଡୋଶୀଙ୍କୁ ହଇରାଣ କରାଯାଇଥିଲା। ଏପରି ପରିସ୍ଥିତିରେ ନ୍ୟାୟ ପାଇବାର ଆଶା ହରାଇଥିବା ପୀଡିତା ଶେଷରେ ଜୀବନ ହାରି ଥିଲେ। ପୀଡିତାଙ୍କୁ ନ୍ୟାୟ ପ୍ରଦାନ ବଦଳରେ ତାଙ୍କ ଚରିତ୍ର ଉପରେ ପ୍ରଶ୍ନ ଉଠାଯାଇଥିଲା ଓ ତାଙ୍କୁ ମିଛୁଆ ପ୍ରମାଣିତ କରିବାକୁ ଚେଷ୍ଟା କରାଯାଇଥିଲା।
ଏଭଳି ଘଟଣା କ୍ରମରେ ପୀଡିତା ପ୍ରାଣ ହରାଇଥିବା ବେଳେ ତାଙ୍କ ମୃତ୍ୟ ପଛର ରହସ୍ୟ ଉନ୍ମୋଚନ କରାଯିବା ଆବଶ୍ୟକ ଓ ଦୋଷୀଙ୍କୁ ଦଣ୍ଡ ମିଳିବା ଦରକାର ବୋଲି ଆବେଦନରେ ଦର୍ଶାଯାଇଛି। ମାମଲାରେ ମୁଖ୍ୟ ଶାସନ ସଚିବ, ଗୃହ ସଚିବ, ପୁଲିସ ଡିଜି, ଡିଆଇଜି, କୋରାପୁଟ ଜିଲ୍ଲାପାଳ ଓ ଏସପି, ବିଏସଫ୍ ଡିଆଇଜି ଓ ସିବିଆଇ ନିର୍ଦ୍ଦେଶକଙ୍କୁ ପକ୍ଷଭୁକ୍ତ କରାଯାଇଛି। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ଅନ୍ତର୍ଯ୍ୟାମୀ ସ୍ୱାଇଁ ମାମଲା ପରିଚାଳନା କରୁଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/01/Odisha-HC-5.jpg)