ନ୍ୟାୟ ମିଳିଲାନି, ଜୀବନ ହାରିଲେ

କୋରାପୁଟ : ନ୍ୟାୟ ପାଇଁ ଲଢିଲେ। ପୁଣି ଏକା ଏକା। ପୁଲିସ, ପ୍ରଶାସନ, ବ୍ୟବସ୍ଥା ସବୁଠି ନିରାଶ ହେଲେ। ନ୍ୟାୟ ଯୁଦ୍ଧରେ ସାଂଘାତିକ ଭାବେ ହାରିଗଲା ପରେ ଜୀବନ ଯୁଦ୍ଧରେ ଲଢେଇ କରିବାକୁ ଆଉ ସାହସ କୁଳେଇ ପାରିଲେନି। ଶେଷରେ ଚରମ ନିଷ୍ପତ୍ତି ନେଲେ। ନିଜ ଓଢଣୀରେ ଫାଶୀ ଲଗାଇ ଜୀବନ ଦେଇଦେଲେ।

ଇଏ ହେଉଛି ସେହି ନାବାଳିକାର କରୁଣ କାହାଣୀ, ଯାହାକୁ ଗତ ଅକ୍ଟୋବର ୧୦ତାରିଖରେ ୪ଜଣ ଯବାନ ଗଣ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା। ପୁଲିସକୁ ଗୋଟି ଗୋଟି କରି କହିଥିଲେ ସେ ଦିନର ସେ ଅମାନୁଷିକ ଅତ୍ୟାଚାରର କାହାଣୀ। କେମିତି ୪ଜଣ ଯବାନ ପୋଷାକ ପିନ୍ଧା ଦୁର୍ବୃତ୍ତ ତାଙ୍କୁ ରାସ୍ତାରୁ ଉଠାଇ ନେଲେ, ମୁହଁରେ କପଡା ବାନ୍ଧି ଦେଇ ଗଣ ଦୁଷ୍କର୍ମ କଲେ ଓ ପରେ ରାସ୍ତା କଡରେ ଫିଙ୍ଗି ଦେଇ ଚାଲିଗଲେ ତାହା ସବୁ ବର୍ଣ୍ଣନା କରିଥିଲେ। ଏପରିକି ସେମାନଙ୍କ ମଧ୍ୟରୁ ଜଣଙ୍କ ମୁହଁରେ ଭାତୁଡି ଥିବା ବି କହିଥିଲେ। ସମସ୍ତେ ବନ୍ଧୁକ ଧରିଥିଲା ବେଳେ ପଛରେ ଏୟାର ବ୍ୟାଗ ବି ପକାଇଥିବା କହିଥିଲେ ନବମ ଶ୍ରେଣୀରେ ପଢୁଥିବା ଏହି ଝିଅ।

ପୀଡିତାଙ୍କ ଅଭିଯୋଗ ପରେ ମାମଲା ରୁଜୁ କରି ଛାନଭିନ ଆରମ୍ଭ କରିଦେଲା ପୁଲିସ। ଜଣେ ଡିଏସପିଙ୍କ ନେତୃତ୍ୱରେ ଏଚଆରପିସି ଇନ୍ସପେକ୍ଟର ମମତା ପାଣିଗ୍ରାହୀ ମାମଲାର ତଦନ୍ତ କଲେ। କ୍ରାଇମ ବ୍ରାଞ୍ଚର ଏକ ସ୍ୱତନ୍ତ୍ର ଟିମ୍‌ ଏଥିରେ ସହାୟତା କଲେ। କୋରାପୁଟ ରେଂଜ ଡିଆଇଜି ଓ କୋରାପୁଟ ଏସପିଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ତଦନ୍ତ ଚାଲିଲା। ହେଲେ ଯବାନଙ୍କ ଆଡକୁ ତଦନ୍ତର ଦିଗ ମୁହାଁଇଲାନି। ବରଂ ପୀଡିତାଙ୍କ ଗ୍ରାମର କିଛି ସଂପର୍କୀୟଙ୍କ ଉପରେ ପଡିଲା ପୁଲିସର ସନ୍ଦେହୀ ଆଖି। ୪ ଜଣ ନାବାଳକଙ୍କୁ ପୁଲିସ ସନ୍ଦେହ କରି ପଚରାଉଚୁରା ଚଳାଇଲା। ଜଣଙ୍କର ଲାଇ ଡିଟେକ୍ସନ କରାଇବା ଲାଗି ଭୁବନେଶ୍ୱର ନିଆଗଲା। ଏଚଆରପିସି ମଧ୍ୟ ଘଟଣାର ତଦନ୍ତ କଲା। କିଛି ଫଳ ମିଳିଲାନି। ଘଟଣାର ପ୍ରାୟ ମାସକ ପରେ ନଭେମ୍ବର ୧୧ରେ କୋରାପୁଟ ଏସ୍‌ପି ଡ. କନଓ୍ଵର ବିଶାଳ ସିଂହ ଏକ ସାମ୍ବାଦିକ ସମ୍ମିଳନୀରେ କହିଥିଲେ, ପୀଡିତାଙ୍କୁ ଦୁଷ୍କର୍ମ ହୋଇଥିବାର କୌଣସି ପ୍ରମାଣ ମିଳିନି।

ପୀଡିତାଙ୍କୁ ଦୁଷ୍କର୍ମ କରାଯାଇନି ଓ ସେ ଆଣିଥିବା ଅଭିଯୋଗ ମିଛ ବୋଲି ପୁଲିସ ପକ୍ଷରୁ କୁହାଯିବା ପରେ ସାରା ରାଜ୍ୟରେ ଆଲୋଡନ ସୃଷ୍ଟି ହୋଇଥିଲା। ଏଥିରେ ପୁଲିସର କାର୍ଯ୍ୟଧାରାକୁ ଲୋକେ ସନ୍ଦେହ କରିଥିଲାବେଳେ ପୁଲିସ ନିଜ ଦୋଷ ଘୋଡାଇବା ପାଇଁ ମିଛ କହୁଥିବା ଅଭିଯୋଗ ହୋଇଥିଲା। ସାରା ରାଜ୍ୟରେ ପ୍ରତିବାଦର ସ୍ୱର ତୀବ୍ର ହେଉଥିଲାବେଳେ ମାମଲାର ଗମ୍ଭୀରତାକୁ ଦେଖି ରାଜ୍ୟ ସରକାର ଏହାର କ୍ରାଇମ ବ୍ରାଂଚ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ଏହାସହିତ ସମାନ୍ତରାଳ ଭାବେ ବିଚାର ବିଭାଗୀୟ ତଦନ୍ତ ଚାଲିବ ବୋଲି ମଧ୍ୟ ଘୋଷଣା କରିଥିଲେ ରାଜ୍ୟ ସରକାର।

କ୍ରାଇମବ୍ରାଂଚର ଏକ ସ୍ୱତନ୍ତ୍ର ଟିମ୍‌ କୋରାପୁଟରେ ପହଞ୍ଚି ନଭେମ୍ବର ୧୦ରେ ତଦନ୍ତ ଆରମ୍ଭ କରିଥିଲା। ସେମାନେ ଘଟଣାର ବିଭିନ୍ନ ଦିଗକୁ ଦେଖି ତଦନ୍ତ କରିବା ସହ ଘଟଣାସ୍ଥଳକୁ ଯାଇ ତଥ୍ୟ ସଂଗ୍ରହ କରିଥିଲେ। ଏହି ଗୋଟିଏ ପର୍ଯ୍ୟାୟ ତଦନ୍ତ ଶେଷ କରି କ୍ରାଇମ ବ୍ରାଂଚ ଟିମ୍‌ ଫେରି ଯାଇଥିଲା। କିନ୍ତୁ ତଦନ୍ତରୁ କ’ଣ ମିଳିଲା ତାହା କିଛି ଜଣା ପଡିଲାନି। ଅପରପକ୍ଷରେ ବିଚାର ବିଭାଗୀୟ ତଦନ୍ତ ପାଇଁ ସରକାର ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ଏହା ଏ ପର୍ଯ୍ୟନ୍ତ ଆରମ୍ଭ ହୋଇନାହିଁ।

ଏମିତି ତଦନ୍ତ ପରେ ତଦନ୍ତ ଚାଲିଲା ସିନା, ପୀଡିତାଙ୍କୁ ନ୍ୟାୟ ମିଳିଲାନି। ବରଂ ବିଭିନ୍ନ ସମୟରେ ତାଙ୍କୁ ମାନସିକ ନିର୍ଯାତନା ଦିଆଗଲା। କୋରାପୁଟ ମେଡିକାଲରେ ଡିଆଇଜି ତାଙ୍କ ଉପରେ ଚାପ ପକାଉଥିବା ପୀଡିତା ଜଣଙ୍କ ଅଭିଯୋଗ କରିଥିଲେ। ଅଭିଯୋଗର ଦିଗ ବଦଳାଇବା ପାଇଁ ବାରମ୍ବାର ବାରମ୍ବାର ଧମକ ମିଳୁଥିବା କହିଥିଲେ। ଏପଟେ କଟକ ମେଡିକାଲରେ ତାଙ୍କୁ ମାନସିକ ରୋଗୀ ଭାବେ ଚିତ୍ରଣ କରିବାକୁ ଚେଷ୍ଟା ଚାଲିଥିବା କହିଥିଲେ ପୀଡିତା। ଏ ସବୁ ଘଟଣା ପରେ ମାନସିକ ଭାବେ ଭାଙ୍ଗି ପଡିଥିଲେ ଏହି ୧୫ବର୍ଷର ଝିଅ। ପୁଲିସ, ପ୍ରଶାସନ ଓ ଡାକ୍ତରଙ୍କ ଉପରେ ଆସ୍ଥା ହରାଇଥିଲେ। ରାଜ୍ୟ ବାହାରେ ଏକ ମେଡିକାଲରେ ତାଙ୍କର ଡାକ୍ତରୀ ମାଇନା କରିବାକୁ ଦାବି କରିଥିଲେ। କିନ୍ତୁ କେହି ଶୁଣି ନ ଥିଲେ। ଫଳରେ ନିଜ ଘରକୁ ଫେରିଯିବା ପାଇଁ ଚାହିଁଥିଲେ ସେ। ସରକାରଙ୍କ ପକ୍ଷରୁ ମିଳୁଥିବା କୌଣସି ସୁବିଧା ସୁଯୋଗକୁ ନେବାକୁ ମନା କରି ଦେଇ ଗତ ନଭେମ୍ବର ୨୮ରେ ଘରକୁ ଫେରି ଯାଇଥିଲେ।

ଘରକୁ ଫେରିଥିଲେ ମଧ୍ୟ ବଦଳିଯାଇଥିଲା ତାଙ୍କ ଜୀବନ ଜିଇଁବାର ଶୈଳୀ। ହସଖୁସିରେ ବଂଚୁଥିବା ଏହି ନାବାଳିକା ଗମ୍ଭୀର ରହୁଥିଲେ। ସବୁବେଳେ ମାନସିକ ଯନ୍ତ୍ରଣାରେ ସେ ଛଟପଟ ହେଉଥିଲେ। ଘରୁ ବେଶୀ ବାହାରୁ ନ ଥିଲେ। ନ୍ୟାୟ ଯୁଦ୍ଧରେ ହାରିଗଲା ପରେ ସତେ ଯେମିତି ଜିଇଁବା ତାଙ୍କ ପାଇଁ ମୁସ୍କିଲ ହୋଇ ପଡିଥିଲା। ତଥାପି ଜୀବନ ସହ ଲଢି ଲଢି ବଂଚୁଥିଲେ। କିନ୍ତୁ ବେଶୀ ଦିନ ଲଢି ପାରିଲେନି। ନ୍ୟାୟ ଯୁଦ୍ଧ ପରି ଜୀବନ ଯୁଦ୍ଧରେ ବି ଶେଷରେ ହାରିଗଲେ। ଆଉ ଛାଡି ଦେଇଗଲେ ଅନେକ ଅସମାହିତ ପ୍ରଶ୍ନ।

କୁନ୍ଦୁଲି ପ୍ରତିକ୍ରିୟା

ସିବିଆଇ ତଦନ୍ତ ହେଉ: ଜୟରାମ ପାଙ୍ଗୀ
ପୁଲିସ ଓ କ୍ରାଇମ ବ୍ରାଂଚ ତଦନ୍ତ ହୋଇଥିଲେ ମଧ୍ୟ କିଛି ସୁଫଳ ମିଳିଲାନି। ବରଂ ଗଣଦୁଷ୍କର୍ମ ହୋଇନି ବୋଲି ପୁଲିସ କହୁଥିଲାବେଳେ ତାଙ୍କୁ ଏତେ ଦିନ ଧରି କ’ଣ ପାଇଁ ଡାକ୍ତରଖାନାରେ ରଖାଯାଇଥିଲା ତାହା ସନ୍ଦେହ ସୃଷ୍ଟି କରିଛି। ଏହାର ସିବିଆଇ ତଦନ୍ତ ହେଉ।

ପୀଡ଼ିତାଙ୍କ ଆତ୍ମହତ୍ୟା ପାଇଁ ସରକାର ଦାୟୀ: ରାମ କାଡାମ
କୁନ୍ଦୁଲି ନାବାଳିକା ଜଣଙ୍କ ନ୍ୟାୟ ପାଇଁ ଲଢେଇ କରୁଥିଲେ। କିନ୍ତୁ ନ୍ୟାୟ ନ ମିଳିବାରୁ ଆତ୍ମହତ୍ୟା କରିବାକୁ ବାଧ୍ୟ ହେଲେ। ଏଥିପାଇଁ ରାଜ୍ୟ ସରକାର ହିଁ ଦାୟୀ ବୋଲି କହିଛନ୍ତି ପଟାଙ୍ଗୀର ପୂର୍ବତନ ବିଧାୟକ ତଥା କଂଗ୍ରେସ ନେତା ରାମଚନ୍ଦ୍ର କାଡାମ।

ନିରପେକ୍ଷ ତଦନ୍ତର ଆବଶ୍ୟକତା ଅଛି: ପ୍ରଫୁଲ୍ଲ ପାଙ୍ଗୀ
କୁନ୍ଦୁଲି ପୀଡିତାଙ୍କ ଆତ୍ମହତ୍ୟା ଘଟଣାର ନିରପେକ୍ଷ ତଦନ୍ତ ଦାବି କରିଛନ୍ତି ପଟାଙ୍ଗୀ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ପ୍ରଫୁଲ୍ଲ ପାଙ୍ଗୀ। ପୀଡ଼ିତାଙ୍କ ମୃତ୍ୟୁ ନେଇ ସବୁଠି ଶୋକ ପ୍ରକାଶ ପାଉଥିଲାବେଳେ ଏଥିରେ ରାଜନୀତି ପୁରାଇବା ଠିକ୍‌ ନୁହେଁ।

କୈଳାସ ଚନ୍ଦ୍ର କୁଲେସିକା (ବିଧାୟକ,ଲକ୍ଷ୍ମୀପୁର)
ନ୍ୟାୟ ନପାଇ ଶେଷରେ ଆତ୍ମହତ୍ୟା କରିବାକୁ ବାଧ୍ୟ ହୋଇଛନ୍ତି କୁନ୍ଦୁଲି ଗଣଦୁଷ୍କର୍ମ ପୀଡିତା। ମହିଳାଙ୍କ ପ୍ରତି ମୁଖ୍ୟମନ୍ତ୍ରୀଙ୍କ ଦରଦ ନାହିଁ। ମିଛରେ ମା’କୁ ସମ୍ମାନ ଡିଣ୍ଡିମ୍‌ ପିଟୁଛନ୍ତି। ଏମିତି ମୁଖ୍ୟମନ୍ତ୍ରୀଙ୍କୁ ଆଦର୍ଶ ମୁଖ୍ୟମନ୍ତ୍ରୀ ମୁକୁଟ କେମିତି ପ୍ରଦାନ କରାଯାଉଛି ତାହା ଆଶ୍ଚର୍ଯ୍ୟ ଜନକ।

ତାରା ପ୍ରସାଦ ବାହିନୀପତି (ବିଧାୟକ, ଜୟପୁର)
ଗଣଦୁଷ୍କର୍ମର ଶିକାର ନାବାଳିକା ଆତ୍ମହତ୍ୟା କରିବା ଅତ୍ୟନ୍ତ ଦୁଃଖ ଓ ପରିତାପର ବିଷୟ। ରାଜ୍ୟ ସରକାରଙ୍କର ପାରିବା ପଣିଆକୁ ପୀଡିତା ପଦାରେ ପକାଇଛନ୍ତି। ରାଜ୍ୟର କ୍ରାଇମବ୍ରାଞ୍ଚ ଓ ପୁଲିସ ଠିକ୍‌ ରୂପେ କାର୍ଯ୍ୟ କରୁନଥିବା ଏହି ଘଟଣାରୁ ପ୍ରମାଣ ମିଳିଛି। ରାଜ୍ୟ ସରକାର ପୀଡିତାଙ୍କ ପରିବାରକୁ ନ୍ୟାୟ ଦେବା ସହ ତୁରନ୍ତ କ୍ଷତିପୂରଣ ଦିଅନ୍ତୁ।

ଦେବେନ୍ଦ୍ର ବାହିନୀପତି (ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ, ବିଜେପି)
ଦୁଷ୍କର୍ମ କରିଥିବା ଅଭିଯୁକ୍ତଙ୍କୁ ଧରିବାରେ ରାଜ୍ୟ ସରକାର ବିଫଳ ହେଲେ। ତେଣୁ ଜୀବନ ହାରିବାକୁ ବାଧ୍ୟ ହେଲେ ପୀଡିତା। ଏହି ଘଟଣା ନବୀନ ସରକାରଙ୍କ ଅପାରଗତାକୁ ପଦାରେ ପକାଇଛି। ଗୃହ ବିଭାଗ ସମ୍ଭାଳୁଥିବା ମୁଖ୍ୟମନ୍ତ୍ରୀ ଇସ୍ତଫା ଦିଅନ୍ତୁ।

ରବି ନାରାୟଣ ନନ୍ଦ (ପୂର୍ବତନ ମନ୍ତ୍ରୀ)
ଏହି ଘଟଣା ଅତ୍ୟନ୍ତ ଦୁଃଖ ଦାୟକ ଓ ଦୁର୍ଭାଗ୍ୟପୂର୍ଣ୍ଣ। ଏହି ଘଟଣାର ଏବେ ତଦନ୍ତ ଚାଲିଥିବା ବେଳେ ପୀଡିତାଙ୍କ ଆତ୍ମହତ୍ୟା ଓଡ଼ିଶା ପାଇଁ କଳଙ୍କ ଆଣିଦେଇଛି। ତଦନ୍ତ କାର୍ଯ୍ୟ ତ୍ୱରାନ୍ଵିତ କରାଯିବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ସବୁ ବ୍ୟବସ୍ଥା ଗ୍ରହଣ କରାଯାଇଛି।

ସମ୍ବନ୍ଧିତ ଖବର