କୋଟପାଡ଼ରେ ପଢ଼ିବେ କୁନ୍ଦୁଲି ପୀଡ଼ିତା

କୋରାପୁଟ : କୁନ୍ଦୁଲି ଗଣଦୁଷ୍କର୍ମ ପୀଡ଼ିତାଙ୍କୁ କୋଟପାଡ଼ର ଏକ ସରକାରୀ ବିଦ୍ୟାଳୟରେ ପଢ଼ାଇବାକୁ ନିଷ୍ପତ୍ତି ନିଆଯାଇଛି। ସେଥିପାଇଁ ତାଙ୍କୁ କୋରାପୁଟର ଶିଶୁ ପରିଚର୍ଯ୍ୟା କେନ୍ଦ୍ରରୁ କୋଟପାଡ଼ର ଛାତ୍ରୀନିବାସକୁ ନିଆଯାଇଛି।

କୋରାପୁଟ ଜିଲ୍ଲା କୁନ୍ଦୁଲି ଅଂଚଳରେ ଏହି ନବମ ଶ୍ରେଣୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଥିଲା। ଏହି ମାମଲା ନେଇ ମାନବାଧିକାର କମିଶନଙ୍କ ପାଖରେ ପିଟିସନ ଦାଖଲ ହୋଇଥିଲା। କମିଶନର ଏହାର ବିଚାରଣା କରି ପୀଡ଼ିତାଙ୍କ ପରିବାରକୁ ୫୦ହଜାର ଟଙ୍କା ସହାୟତା ସହ ତାଙ୍କୁ ବିନା ମୂଲ୍ୟରେ ପଢାଇବା ପାଇଁ ମଧ୍ୟବର୍ତ୍ତୀ କାଳୀନ ନିର୍ଦ୍ଦେଶ ଦେଇଥିଲେ। ଛାତ୍ରୀ ଜଣଙ୍କୁ ଗତକାଲି ଜିଲ୍ଲା ଶିଶୁ ମଙ୍ଗଳ କମିଟି ଆଗରେ ହାଜର କରାଯାଇଥିଲା। ସେଠାରେ ଛାତ୍ରୀଙ୍କ ସହ ଆଲୋଚନା ଓ ପ୍ରଶାସନର ପରାମର୍ଶ ପରେ ତାଙ୍କୁ କୋଟପାଡ଼ ବାଳିକା ଉଚ୍ଚ ବିଦ୍ୟାଳୟରେ ପଢ଼ାଇବାକୁ ନିଷ୍ପତ୍ତି ହୋଇଥିଲା। ଏହା ପରେ ପୁଲିସ ଓ ପ୍ରଶାସନ ପକ୍ଷରୁ ତାଙ୍କୁ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ କୋଟପାଡ଼ ନିଆଯାଇଥିଲା। ସେଠାରେ ତାଙ୍କ ପାଠ ପଢାର ସମସ୍ତ ଖର୍ଚ୍ଚ ସରକାର ବହନ କରିବେ। ଏଥିସହ ଛାତ୍ରୀଙ୍କୁ ଉପଯୁକ୍ତ ସୁରକ୍ଷା ମଧ୍ୟ ଯୋଗାଇ ଦିଆଯିବ।

ଏଥିନେଇ ଜିଲ୍ଲା ଶିଶୁ ମଙ୍ଗଳ କମିଟି ଅଧ୍ୟକ୍ଷ ଉମା ଚରଣ ଚୌଧୁରୀ କହିଛନ୍ତି ଯେ, ଏକ ଭଲ ଓଡ଼ିଆ ମାଧ୍ୟମ ସ୍କୁଲରେ ତାଙ୍କର ପାଠ ପଢିବାର ବ୍ୟବସ୍ଥା କରାଯାଉ ବୋଲି ଛାତ୍ରୀଜଣକ କହିଥିଲେ। ଛାତ୍ରୀଙ୍କ ଏହି ଇଛା ଅନୁସାରେ, ତାଙ୍କୁ କୋଟପାଡ ସରକାରୀ ବାଳିକା ବିଦ୍ୟାଳୟରେ ପଢାଇବାକୁ ବ୍ୟବସ୍ଥା କରାଯାଇଛି। ଏହି ସ୍କୁଲରେ ୫୦୦ରୁ ଅଧିକ ଛାତ୍ରୀ ପଢ଼ୁଛନ୍ତି ଓ ସେଠାରେ ତାଙ୍କର କିଛି ଅସୁବିଧା ହେବ ନାହିଁ। ପୀଡ଼ିତା ଏବେ ସ୍ୱାଭାବିକ ହୋଇଗଲେଣି ଏବଂ ତାଙ୍କ ଅବସ୍ଥାରେ ଉନ୍ନତି ଆସିଛି ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର