ବଢ଼ୁଛି କୁନ୍ଦୁଲି ଅଡ଼ୁଆ

ବିଜେଡି ବିଜେପି ଛକାପଞ୍ଝା
ମୁଖ୍ୟମନ୍ତ୍ରୀ, ଡିଜିଙ୍କୁ ଧର୍ମେନ୍ଦ୍ରଙ୍କ ଟାର୍ଗେଟ୍‌
ସୁଇସାଇଡ୍‌ ନୋଟ୍‌ ନେଇ ପ୍ରଶ୍ନ ଉଠାଇଲେ
ଫାଙ୍କିଲା ବିଜେଡି, ପ୍ରତିଜବାବ ପାଇଁ ପଛଘୁଞ୍ଚା

ଭୁବନେଶ୍ୱର : କୁନ୍ଦୁଲି ଗଣଦୁଷ୍କର୍ମ ପ୍ରସଙ୍ଗରେ ପ୍ରଥମ ଶହେ ଦିନ ଚୁପ୍‌ ଥିଲା ବିଜେପି। ଉଁ କି ଚୁଁ କହୁନଥିଲା। ହେଲେ ପୀଡ଼ିତାଙ୍କ ଆତ୍ମହତ୍ୟା ପରେ ଏହି ପ୍ରସଙ୍ଗକୁ ନେଇ ଏମିତି ଘାଣ୍ଟୁଛି ଯେ ଶାସକ ଦଳ ଓ ସରକାର ନାକେଦମ ହୋଇଗଲେଣି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଠାରୁ ଆରମ୍ଭ କରି ପୁଲିସ ମହାନିର୍ଦେଶକଙ୍କ ପର୍ଯ୍ୟନ୍ତ ଜଣକ ପରେ ଜଣକୁ ଏହି ମାମଲା ଭିତରକୁ ଟାଣି ଅପଦସ୍ଥ କରିବା ଲାଗି କୌଣସି ସୁଯୋଗ ହାତଛଡ଼ା କରୁନି ବିଜେପି ଓ ନେତୃତ୍ୱ।

ଏହି କ୍ରମରେ ମାହାଙ୍ଗା ମିଶ୍ରଣ ପର୍ବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚ୍ୟାଲେଞ୍ଜ କରିବାର ୪୮ ଘଣ୍ଟା ପୂରିନି, ଆଜି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପୁଣି ଥରେ ଭୁବନେଶ୍ୱରରେ ସାମ୍ବାଦିକ ସମ୍ମିଳନୀ ଡାକି ଗର୍ଜନ ତର୍ଜନ କରିଛନ୍ତି। ସିଧା ଅଭିଯୋଗ ଆଣିଛନ୍ତି ମୁଖ୍ୟମନ୍ତ୍ରୀ ଓ ପୁଲିସ ଡିଜିଙ୍କ ବିରୋଧରେ। କହିଛନ୍ତି, ଏହି ଗଣ ଦୁଷ୍କର୍ମ ମାମଲାରେ ସୁଇସାଇଡ୍‌ ନୋଟ୍‌କୁ ରାଜ୍ୟ ପୁଲିସ ନଷ୍ଟ କରିଛି। ଏଥିପାଇଁ ସ୍ଥାନୀୟ ପୁଲିସ ଓ ଏସ୍‌ପିଙ୍କ ଉପରେ ଚାପ ପକାଯାଇଥିଲା। ଡିଜି ୯୦ହଜାର ଟଙ୍କା ଲାଞ୍ଚ ଯାଚିଥିବା ଖୋଦ୍‌ ପୀ଼ଡ଼ିତା ଅଭିଯୋଗ କରିଥିଲା। ମୁଖ୍ୟମନ୍ତ୍ରୀ ଏହି ଘଟଣାର ସିବିଆଇ ତଦନ୍ତ ନିର୍ଦେଶ କରାନ୍ତୁ। ଭରସା ନ ଥିଲେ ଏସ୍‌ଆଇଟି ଗଠନ କରାଇ ତଦନ୍ତ କରାନ୍ତୁ। ଯାହା ପଛେ ହେଉ ୨୪ ଘଣ୍ଟା ମଧ୍ୟରେ ଏହି ଘଟଣାରେ ନିଜ ଆଭିମୁଖ୍ୟ ସ୍ପଷ୍ଟ କରିବା ଦରକାର। ଏଥିସହିତ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛନ୍ତି କେନ୍ଦ୍ରମନ୍ତ୍ରୀ।

ବିଜେପୁର ଉପନିର୍ବାଚନ ବେଳେ ବିଜେପିର ଏଭଳି ଶାଣିତ ଆକ୍ରମଣ ଏବେ ରାଜ୍ୟ ରାଜନୀତିରେ ଚହଳ ସୃଷ୍ଟି କରିଛି। କେବଳ ଦଳର ଶୀର୍ଷ ନେତୃତ୍ୱ ନୁହଁନ୍ତି, ଜାତୀୟସ୍ତରର ତଦନ୍ତକାରୀ ସଂସ୍ଥା ବି ଏହି ପ୍ରସଙ୍ଗକୁ ଧରିଲେଣି। ଅନ୍ୟପକ୍ଷରେ ବିଜେଡି ଏହାକୁ ବିଜେପିର ବିଜେପୁର ଚାଲ୍‌ ବୋଲି କହି ଟାଳିବାକୁ ବସିଛି।

ତେବେ ରାଜନୈତିକ ପର୍ଯ୍ୟବେକ୍ଷକ ମହଲ କିନ୍ତୁ ଏହି ପ୍ରସଙ୍ଗକୁ ଗୁରୁତ୍ୱର ସହ ଗ୍ରହଣ କଲେଣି। ଏହି ମହଲର କହିବା କଥା, ସରକାରଙ୍କୁ ଘେରିବା ଲାଗି ବିଜେପି ଯେଭଳି କୌଶଳ ରଚନା କରୁଛି, ଆକାଶରୁ ତୋଳି ଆଣିବା ଲାଗି ପ୍ରସଙ୍ଗ ଛିଡ଼ା କରି ହଲାପଟା କରୁଛି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ତାଙ୍କ ସରକାର ଯେ ଏହି ଘଟଣାରେ ନିର୍ଦୋଷ ଏକଥା ପ୍ରମାଣିତ କରିବା ଲାଗି ବିଜେଡି କିମ୍ବା ଦଳର ମୁଣ୍ଡିଆଳମାନେ, ସେଭଳି ଉତ୍ସାହ ଦେଖାଉନାହାନ୍ତି। ଅବିଭକ୍ତ କୋରାପୁଟ ଜିଲ୍ଲାରେ ବିଜେଡିର ଦବ୍‌ଦବା ରହିଛି। ମାତ୍ର ସ୍ଥାନୀୟ ନେତାଙ୍କ ସ୍ୱରରେ ଦମ୍‌ ନାହିଁ। ବିଜେଡିର ମହିଳା, ଯୁବ ଓ ଛାତ୍ର ସଂଗଠନ ନିରବ ରହିଛି। ସର୍ବୋପରି ବିଜେଡିର ଦୁଇ ତିିନି ଜଣ ମୁଖପାତ୍ର ବୈଦ୍ୟୁତିକ ଗଣମାଧ୍ୟମରେ ମୁହଁ ଦେଖାଇବା ଲାଗି କୁତୁକୁତୁ ହେଉଛନ୍ତି ସତ କିନ୍ତୁ ଘଟଣାକୁ ସେଭଳି ଦୃଢତାର ସହିତ ଖଣ୍ଡନ କରୁନାହାନ୍ତି। ଗଣମାଧ୍ୟମକୁ କହିବା ପାଇଁ ଯେମିତି ବିଜେଡି ନେତାଙ୍କ ପାଖରେ ଭାଷା ନାହିଁ। ଦଳର ତୁଙ୍ଗ ନେତା ବି ନିରବ।

ଉଲ୍ଲେଖଯୋଗ୍ୟ,ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସାମ୍ବାଦିକ ମାନଙ୍କୁ କହିଥିଲେ, ଏହି ମାମଲାରେ ଆତ୍ମହତ୍ୟା କରିଥିବା ନାବାଳିକା ପୀଡ଼ିତା ଆତ୍ମହତ୍ୟା କରିବା ପୂର୍ବରୁ ନିଜ ହାତରେ ଲେଖିଥିବା ସୁଇସାଇଡ ନୋଟକୁ ସ୍ଥାନୀୟ ପୁଲିସ ତଦନ୍ତ ପରିସରଭୁକ୍ତ କରିବା ପରିବର୍ତ୍ତେ ନଷ୍ଟ କରି ଦେଇଛି। ଯଦି ଏହା ଥାଆନ୍ତା ତେବେ ପୀଡ଼ିତା ଓ ତାଙ୍କ ପରିବାରକୁ ନ୍ୟାୟ ମିଳିବାର ପଥ ସୁଗମ ହୋଇଥାନ୍ତା। ବହୁ ବଡ ଲୋକ ଆତ୍ମହତ୍ୟା ପାଇଁ ବାଧ୍ୟବାଧକତା ପରିସ୍ଥିତି ସୃଷ୍ଟି କରିଥିବା ଅଭିଯୋଗରେ ଦୋଷୀ ହୋଇଥାନ୍ତେ ।

ଶ୍ରୀ ପ୍ରଧାନ କହିଥିଲେ, କୁନ୍ଦୁଲି ଗଣ ଦୁଷ୍କର୍ମ ମାମଲାରେ ମୁଖ୍ୟମନ୍ତ୍ରୀ ଦୁଃଖ ପ୍ରକାଶ କରି ନିଜର କର୍ତ୍ତର୍ବ୍ୟ ଶେଷ କରି ଦେଇଛନ୍ତି । ଥରୁଟିଏ ସମୀକ୍ଷା କରି ନାହାନ୍ତି ଓ ବକ୍ତବ୍ୟ ରଖି ନାହାନ୍ତି? ବରଂ ବିଚାର ବିଭାଗୀୟ ତଦନ୍ତ ନାଁରେ ପ୍ରହସନ ଚାଲିଛି। କଳିଙ୍ଗନଗର ଗୁଳିକାଣ୍ଡ, ସ୍ୱାମୀ ଲକ୍ଷ୍ମଣାନନ୍ଦଙ୍କ ହତ୍ୟା ଓ ଚିଟ୍‌ଫଣ୍ଡ ମାମଲାରେ ବିଚାର ବିଭାଗୀୟ ତଦନ୍ତ ଆଧାରରେ କଣ କାର୍ଯ୍ୟାନୁଷ୍ଠାନ ନିଆଯାଇଛି?

ଶ୍ରୀ ପ୍ରଧାନ କହିଥିଲେ, ଦୁଇ ଦଶନ୍ଧି ପୂର୍ବରୁ ଅଂଜନା ମାମଲାରେ ଅହଂକାର ଦେଖାଇ ଦୋଷୀକୁ ସୁରକ୍ଷା ଦେବା କାରଣରୁ ସେ ସମୟର ସରକାର ପୋଡି ପାଉଁଶ ହୋଇ ଯାଇଥିଲା । ଆଜି ବି କୁନ୍ଦୁଲି ମାମଲାରେ ପୀଡିତାକୁ ନ୍ୟାୟ ଦେବା ବଦଳରେ ଅଭିଯୋଗକାରିଣୀକୁ ମିଛ କହିବା, ଚରିତ୍ର ହୀନ, ପ୍ରେମଜନିତ ଘଟଣା ସହ ମାନସିକ ରୋଗୀ ଭାବେ ପ୍ରମାଣିତ କରିବା ପାଇଁ ସରକାରଙ୍କ ତରଫରୁ ହୀନ ଉଦ୍ୟମ କରା ଯାଇଛି। ଏହା ବିରୋଧରେ ବଡ଼ ଧରଣର ଜନ ଆନ୍ଦୋଳନ ହେବ। କ୍ରାଇମ ବ୍ରାଞ୍ଚ ଡିଆଇଜି କେନ୍ଦ୍ର ମାନବିକ ଅଧିକାର କମିସନଙ୍କୁ ଡିସେମ୍ବର ୧୪ତାରିଖର ଚିଠିରେ କେନ୍ଦ୍ରୀୟ ଅର୍ଧ ସାମରିକ ବଳ ଏହି ମାମଲାରେ ସାମିଲ ନ ଥିବା ଲିଖିତ ଭାବେ କାହିଁକି ଜଣାଇଛନ୍ତି ବୋଲି ଶ୍ରୀ ପ୍ରଧାନ ଏହି ଅବସରରେ ପ୍ରଶ୍ନ କରିଥିଲେ।

ପ୍ରତିଜବାବ ଦେଇ ପ୍ରେସ ବିଜ୍ଞପ୍ତିରେ ସାଂସଦ ପ୍ରତାପ ଦେବ କହିଛନ୍ତିି, ବିଜେପୁର ଉପନିର୍ବାଚନ ପାଇଁ ବାରମ୍ବାର କୁନ୍ଦୁଲି ଘଟଣାକୁ ଏକ ପ୍ରସଙ୍ଗ କରି ରଖିବାକୁ ବିଜେପିର ପ୍ରୟାସ ମୂଲ୍ୟହୀନ। ଦୁଇଥର ମେଡିକାଲ୍‌ ଅନୁସନ୍ଧାନ କରାଯିବା ସହିତ କ୍ରାଇମ୍‌ବାଞ୍ଚ ତଦନ୍ତ ଉପରେ ଭିନ୍ନମତ ସୃଷ୍ଟି ହେବାରୁ ନ୍ୟାୟିକ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀ ଆଦେଶ ଦେଇଛନ୍ତି। ଏଥିପାଇଁ ନିଯୁକ୍ତ ଜଣେ କାର୍ଯ୍ୟରତ ବିଚାରପତିଙ୍କ ତଦନ୍ତ ପରିସୀମା ମଧ୍ୟ ଫୋରେନ୍‌ସିକ୍‌ ରିପୋର୍ଟ ପ୍ରକାଶ ପାଇବା ପରେ ବଢ଼ାଇ ଦିଆଯାଇଛି। ଅଥଚ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବାଣ ବୋଲି ହୁଂକାର ମାରୁଛନ୍ତି କିନ୍ତୁ ଶୁନ ଫୋଟକା ମାରିଲା ଭଳି କଥା କହିବାରେ ବ୍ୟସ୍ତ।

ଶ୍ରୀ ଦେବ କହିଛନ୍ତି, ଏପରି କୌଣସି ପତ୍ର ଲେଖାଯାଇନାହିଁ କିମ୍ବା କେନ୍ଦ୍ରୀୟ ସାମରିକ ବଳକୁ କ୍ଲିନ୍‌ଚିଟ୍‌ ଦିଆଯାଇନାହିଁ। ମନ୍ତ୍ରୀଙ୍କର ଏ ପ୍ରକାର ଉକ୍ତି ପ୍ରମାଣ କରୁଛି ଯେ ଶ୍ରୀ ପ୍ରଧାନ ଓ ବିଜେପି ପ୍ରଥମେ ଏଥିପାଇଁ ପଛଘୁଞ୍ଚା ଦେଉଛନ୍ତି। ତା’ର କାରଣ ହେଲା ଘଟଣା ଘଟିବା ସ୍ଥାନଟି ବିଏସ୍‌ଏଫ୍‌ ଓ କୋବ୍ରା ବାହିନୀ ଅଧୀନରେ ଅଛି। ନ୍ୟାୟିକ ତଦନ୍ତ ପରିସରଭୁକ୍ତ କରିବା ପରେ ଯଦି ବିଜେପି କାର୍ଯ୍ୟରତ ବିଚାରପତିଙ୍କ ତଦନ୍ତ ଉପରେ ବିଶ୍ୱାସ କରୁନାହିଁ, ତେବେ ସେମାନେ ଆନ୍ତଃ ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦେବା ସହିତ ଏଥିରେ ବିଏସ୍‌ଏଫ୍‌ ଓ କୋବ୍ରା ବାହିନୀକୁ ତଦନ୍ତ ପରିସରଭୁକ୍ତ କରିପାରିବେ।

ହରିଆନାରେ ସପ୍ତାହକ ମଧ୍ୟରେ ୧୦ଟି ଦୁଷ୍କର୍ମ ହୋଇଥିଲା ବେଳେ କେନ୍ଦ୍ରମନ୍ତ୍ରୀ ସେ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ କି କି ପରାମର୍ଶ ଦେଇଛନ୍ତି ବୋଲି ବିଜେଡି ପ୍ରଶ୍ନ କରିଛି। ଗୃହ ମନ୍ତ୍ରାଳୟ ମାଧ୍ୟମରେ କେନ୍ଦ୍ର ସରକାର ସ୍ୱତନ୍ତ୍ର ଅନୁସନ୍ଧାନ ଜରିଆରେ ତଦନ୍ତ କରିପାରିବେ ବୋଲି ବିଜେଡି କହିଛି।

ସମ୍ବନ୍ଧିତ ଖବର