କୁନ୍ଦୁଲି ଘଟଣାକୁ ନେଇ ଆଉ ଏକ ଜନସ୍ୱାର୍ଥ ମାମଲା

କଟକ : କୁନ୍ଦୁଲି ଗଣଦୁଷ୍କର୍ମ ଓ ପୀଡିତାଙ୍କ ଆତ୍ମହତ୍ୟା ଘଟଣାର ସିବିଆଇ ତଦନ୍ତ ପାଇଁ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ରୁଜୁ ହୋଇଛି। ପୂର୍ବତନ ସାଂସଦ ତଥା ଉତ୍କଳ ଭାରତର ରାଜ୍ୟ ସଭାପତି ମହାମେଘବାହନ ଐର ଖାରବେଳ ସ୍ୱାଇଁଙ୍କ ପକ୍ଷରୁ ରୁଜୁ ଜନସ୍ୱାର୍ଥ ମାମଲାରେ ଦର୍ଶାଯାଇଛି ଯେ ଜଣେ ନାବାଳିକା ଗଣଦୁଷ୍କର୍ମର ଶିକାର ହେବା ଭଳି ସ୍ପର୍ଶକାତର ଘଟଣାର ଠିକ ଢଙ୍ଗରେ ତଦନ୍ତ କରାଯାଇ ନଥିଲା। ପରିଶେଷରେ ନାବାଳିକା ପୀଡିତା ଆତ୍ମହତ୍ୟା କରିଥିଲେ। ଏଭଳି ସମ୍ବେଦନଶୀଳ ଘଟଣାର ସିବିଆଇ ଦ୍ୱାରା ତଦନ୍ତ କରାଯିବା ଆବଶ୍ୟକ। ଏଥି ସହିତ ଦୁଷ୍କର୍ମ ଅଭିଯୁକ୍ତ ଓ ଦାୟୀ ଅଧିକାରୀଙ୍କ ବିରୋଧରେ ଉପଯୁକ୍ତ ଆଇନଗତ ପଦକ୍ଷେପ ଗ୍ରହଣ କରାଯିବା ଉଚିତ।

ମାମଲାରେ ଦର୍ଶାଯାଇଛି ଯେ ୨୦୧୭, ଅକ୍ଟୋବର ୧୦ରେ ଘରକୁ ଫେରୁଥିବା ପୀଡିତାଙ୍କୁ ସୁରକ୍ଷାକର୍ମୀଙ୍କ ପୋଷାକରେ ଥିବା ଚାରି ଜଣ ଗଣଦୁଷ୍କର୍ମ କରିଥିଲେ। ଅଭିଯୋଗ ହେବା ପରେ ଏ ନେଇ ଚର୍ଚ୍ଚା ଜୋର ଧରିଥିଲା ଓ ରାଜ୍ୟ ସରକାର ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ। ଘଟଣାରେ ସଂପୃକ୍ତ ଅଭିଯୁକ୍ତଙ୍କୁ ଧରିବା ବଦଳରେ କ୍ରାଇମବ୍ରାଞ୍ଚ ପୀଡିତାଙ୍କ ସଂପର୍କିୟଙ୍କୁ ଏହି ମାମଲାରେ ଅଟକ ରଖିଥିଲା। ପୀଡିତାଙ୍କୁ ପ୍ରଥମେ ଚିକିତ୍ସା ପାଇଁ ସ୍ଥାନୀୟ ହସ୍ପିଟାଲ ଓ ପରେ ଏସସିବି ମେଡିକାଲ ସ୍ଥାନାନ୍ତର କରାଯାଇଥିଲା। ବିଭିନ୍ନ ରାଜନୈତିକ ଦଳ ଓ ସାମାଜି ସଂଗଠନ ଘଟଣାର ସିବିଆଇ ତଦନ୍ତ ପାଇଁ ଦାବି କରିଥିଲେ। କିନ୍ତୁ ସରକାର ନିରବ ରହିଥିଲେ ଓ ଅଭିଯୁକ୍ତଙ୍କୁ ବଞ୍ଚାଇବା ପାଇଁ ଉଦ୍ୟମ କରିଥିଲେ। ପୀଡିତା ଜଣେ ନାବାଳିକା ହୋଇଥିବା ବେଳେ ସରକାର ତାଙ୍କ ପାଇଁ କିଛି ବି କରି ନଥିଲେ। ପୀଡିତାଙ୍କ ଥଇଥାନ ଦାୟିତ୍ୱ ସରକାର ନେବା କଥା। କିନ୍ତୁ ଏଭଳି କିଛି ପଦକ୍ଷେପ ଗ୍ରହଣ କରାଯାଇ ନଥିଲା। ତାଙ୍କ ଉପରେ ଚାପ ପ୍ରୟୋଗ କରାଯାଇଥିଲା ଓ ମାନସିକ ନିର୍ଯାତାନା ଦିଆଯାଇଥିଲା।

ପୀଡିତାଙ୍କ ସହିତ ଦୁଷ୍କମ ହୋଇ ନାହିଁ ବୋଲି ପୁଲିସ ପ୍ରଶାସନର ବରିଷ୍ଠ କର୍ତ୍ତୃପକ୍ଷ କହିଥିଲେ। ଏପରି ପରିସ୍ଥିତିରେ ମାନସିକ ଅଶାନ୍ତି ଓ ଚାପରେ ପୀଡିତା ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ନେଇଥିଲେ। ଏହି ଘଟଣାରେ ଶାସକ ଦଳର ନିକଟତର ଥିବା କିଛି ପ୍ରଭାବଶାଳୀ ବ୍ୟକ୍ତିଙ୍କ ସଂପୃକ୍ତି ରହିଥିବା ସେନ୍ଦେହ ହେଉଛି। ଘଟଣାର ଉଚିତ ଢଙ୍ଗରେ ତଦନ୍ତ କରାଯାଇ ନାହିଁ। ଏପରି ପରିସ୍ଥିତରେ ତଦନ୍ତ ଭାର ସିବିଆଇକୁ ପ୍ରଦାନ କରାଯିବା ଉଚିତ ବୋଲି ଆବେଦନରେ ଉଲ୍ଲେଖ କରାଯାଇଛି। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ କ୍ଷୀରୋଦ କୁମାର ରାଉତ ମାମଲା ପରିଚାଳନା କରୁଥିବା ବେଳେ ଆଇନଜୀବୀ ଜୟନ୍ତୀ ନାୟକ ଓ ସୁରେନ୍ଦ୍ର କୁମାର ରାଉତ ସହାୟତା କରୁଛନ୍ତି। ମାମଲାରେ ଗୃହ ସଚିବ, ମୁଖ୍ୟ ଶାସନ ସଚିବ, ପୁଲିସ ଡିଜି, କୋରାପୁଟ ଏସ୍‌ପି, ପଟାଙ୍ଗି ଥାନା ଅଧିକାରୀ ଓ ସିବିଆଇ ନିର୍ଦ୍ଦେଶକଙ୍କୁ ପକ୍ଷଭୁକ୍ତ କରାଯାଇଛି।

ସମ୍ବନ୍ଧିତ ଖବର