ଭୁବନେଶ୍ୱର : କୁନ୍ଦୁଲି ପୀଡ଼ିତାଙ୍କ ଦୁଷ୍କର୍ମ ଘଟଣା ଆଜି ନୂଆ ମୋଡ଼ ନେଇଛି। ଗୋଟିଏ ପଟେ ଏହି ମାମଲାକୁ ଗୁରୁତ୍ୱର ସହ ଗ୍ରହଣ କରି କେନ୍ଦ୍ର ମାନବାଧିକାର କମିସନ ଏହାର ତଦନ୍ତ କରିବାକୁ ନିର୍ଦେଶ ଦେଇଛନ୍ତି। ଏନ୍ଏଚ୍ଆର୍ସି ଡିଜିଙ୍କୁ ଏହାର ତଦନ୍ତ ଦାୟିତ୍ୱ ଦିଆଯାଇଛି। ଅନ୍ୟପଟରେ ପୀଡ଼ିତାର ଅନ୍ତଃବସ୍ତ୍ର ଆଦିର ସାନି ଯାଞ୍ଚ ହେବ। ରାଜ୍ୟ ସରକାରଙ୍କ ଅନୁରୋଧ କ୍ରମେ କୋଲକାତାସ୍ଥିତ ଫୋରେନ୍ସିକ୍ ଲାବ୍ ଏହାର ଯାଞ୍ଚ କରିବେ। ଏଥିପାଇଁ ଗତକାଲି ଗତକାଲିଠାରୁ ପୀଡ଼ିତାଙ୍କ ପିନ୍ଧାବସ୍ତ୍ର, ଅନ୍ତଃବସ୍ତ୍ରଠାରୁ ଆରମ୍ଭ କରି ନଖ, ବାଳ, ରକ୍ତ, ଧାତୁ ଆଦି ଜବତ ହୋଇଥିବା ସାମଗ୍ରୀକୁ କୋଲକାତା ପଠାଇ ଦିଆଯାଇଛି। କ୍ରାଇମବ୍ରାଞ୍ଚ ଆଜି ଏହି ସୂଚନା ଦେଇଛି।
ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୁନ୍ଦୁଲି ଘଟଣାରେ ନ୍ୟାୟିକ ତଦନ୍ତ ପ୍ରକ୍ରିୟାର ପରିସରକୁ ବୃଦ୍ଧି କରିଛନ୍ତି। ପୀଡ଼ିତା ଇତିମଧ୍ୟରେ ଆତ୍ମହତ୍ୟା କରିଥିବା ପରିପ୍ରେକ୍ଷୀରେ ଏହାକୁ ଟର୍ମସ ଅଫ୍ ରେଫରେନ୍ସ ସଂଲଗ୍ନ କରିବା ଲାଗି ମୁଖ୍ୟମନ୍ତ୍ରୀ ନିର୍ଦେଶ ଦେଇଛନ୍ତି। ଏ ସଂକ୍ରାନ୍ତରେ ଖୁବ୍ ଶୀଘ୍ର ବିଜ୍ଞପ୍ତି ପ୍ରକାଶ ପାଇବ। ଗତ ଡିସେମ୍ବର ୨୬ ତାରିଖରେ ସରକାର ଏହି ସମ୍ବେଦନଶୀଳ ଘଟଣାର ନ୍ୟାୟିକ ତଦନ୍ତ ପାଇଁ ନିର୍ଦେଶ ଦେଇଥିଲେ।
ଉଲ୍ଲେଖଯୋଗ୍ୟ, କୁନ୍ଦୁଲି ଗଣଦୁଷ୍କର୍ମ ଘଟଣାକୁ କେନ୍ଦ୍ର ମାନବାଧିକାର କମିସନ( ଏନ୍ଏସ୍ଆର୍ସି) ଗୁରୁତ୍ୱର ସହିତ ନେଇଛନ୍ତି। ଏକ ସ୍ୱତନ୍ତ୍ର ଟିମ୍ ଗଠନ କରି ଏହି ଘଟଣାର ତଦନ୍ତ ୧୫ ଦିନ ରିପୋର୍ଟ ଦେବାକୁ କମିସନ ଏନଏଚ୍ଆର୍ସି ଡିଜିଙ୍କୁ ନିର୍ଦେଶ ଦେଇଛନ୍ତି। ଏନ୍ଏଚଆର୍ସିର ଏକ ସ୍ୱତନ୍ତ୍ର ଟିମ୍ କୋରାପୁଟ ଆସି ଘଟଣାସ୍ଥଳର ସରଜମିନ୍ ତଦନ୍ତ କରିବେ। ପୀଡ଼ିତା କେଉଁ ପରିସ୍ଥିତିରେ ଦୁଷ୍କର୍ମର ଶିକାର ହେଲେ ଓ ଶେଷରେ ନ୍ୟାୟ ନ ପାଇ କିଭଳି ଆତ୍ମହତ୍ୟା କଲେ ତାର ଖୋଳତାଡ଼ କରିବେ। ୬ ସପ୍ତାହ ମଧ୍ୟରେ ଘଟଣାର ବିସ୍ତତ ରିପୋର୍ଟ ପ୍ରଦାନ କରିବାପାଇଁ କୁହାଯାଇଛି।
ଏନ୍ଏଚ୍ଆରସି ରାଜ୍ୟ ଏଚ୍ଆର୍ପିସି ଏଡିଜିଙ୍କୁ ମଧ୍ୟ ଏ ସଂକ୍ରାନ୍ତରେ ରିପୋର୍ଟ ତଲବ କରିଛନ୍ତି। କେଉଁ ପରିସ୍ଥିତିରେ ପୀଡ଼ିତାଙ୍କ ସହିତ ଦୁଷ୍କର୍ମ ହୋଇଥିଲା ଏବଂ ସେ ଆତ୍ମହତ୍ୟା କାହିଁକି କଲେ ତାର ସବିଶେଷ ତଥ୍ୟ ଦେବାକୁ କୁହାଯାଇଛି। ସେହିପରି ରାଜ୍ୟ ମାନବାଧିକାର କମିସନଙ୍କ ତଦନ୍ତ ରିପୋର୍ଟ, କ୍ରାଇମ୍ବ୍ରାଞ୍ଚର ତଦନ୍ତ ରିପୋର୍ଟ, ପୀଡ଼ିତାଙ୍କ ମେଡିକାଲ୍ ରିପୋର୍ଟ, ଡାକ୍ତରୀ ମାଇନା, କେସ୍ ଡାଇରି, ପଟାଙ୍ଗୀ ଥାନାର ତଦନ୍ତ ରିପୋର୍ଟ ଆଦିର ସବିଶେଷ ତଥ୍ୟ ଦେବାକୁ ଏନ୍ଏଚ୍ଆର୍ସି ରାଜ୍ୟ ସରକାରଙ୍କୁ ନିର୍ଦେଶ ଦେଇଛନ୍ତି।
କୁନ୍ଦୁଲି ନାବାଳିକା ଛାତ୍ରୀ ଗଣଦୁଷ୍କର୍ମ ଓ ଆତ୍ମହତ୍ୟା ଘଟଣାର ନିରପେକ୍ଷ ତଦନ୍ତ ପାଇଁ ସୁପ୍ରିମକୋର୍ଟର ବରିଷ୍ଠ ଆଇନଜୀବୀ ଓ ମାନବାଧିକାର କର୍ମୀ ରାଧାକାନ୍ତ ତ୍ରିପାଠୀଙ୍କ ଦ୍ୱାରା ହୋଇଥିବା ଆବେଦନ ଉପରେ ବିଚାର କରି କମିସନ ଆଜି ଏହି ନିର୍ଦ୍ଦେଶ ଦେଇଥିଲେ। ଏନ୍ଏଚଆରସି ଟିମ୍କୁ ତଦନ୍ତରେ ସହଯୋଗ କରିବା ସହ ଆବଶ୍ୟକୀୟ ତଥ୍ୟ ଓ ରିପୋର୍ଟ ଯୋଗାଇଦେବାକୁ କମିସନ୍ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ଅନ୍ୟପକ୍ଷରେ ରାଜ୍ୟ ଫୋରେନ୍ସିକ୍ ଲ୍ୟାବ୍ ରିପୋର୍ଟକୁ ନେଇ ବିଭିନ୍ନ ମହଲରୁ ସନ୍ଦେହ ଉପୁଜିଥିଲା। ରିପୋର୍ଟକୁ ବଦଳାଇ ଦିଆଯାଇଛି ବୋଲି ଅଭିଯୋଗ ଜୋର ଧରିିଥିଲା। ଆଜି କ୍ରାଇମବ୍ରାଞ୍ଚ ଏ ସଂକ୍ରାନ୍ତରେ ଏକ ପ୍ରେସ ବିଜ୍ଞପ୍ତିରେ ଜଣାଇଛନ୍ତି।
କ୍ରାଇମ୍ବ୍ରାଞ୍ଚ ପକ୍ଷରୁ କୁହାଯାଇଛି, ଦୁଷ୍କର୍ମ ଘଟଣାର ୧୩ ଦିନ ମଧ୍ୟରେ ଅର୍ଥାତ ଅକ୍ଟୋବର ୨୩ରେ ରାଜ୍ୟ ଫୋରେନ୍ସିକ ଲ୍ୟାବ୍ ରିପୋର୍ଟ କୋରାପୁଟର ଜୟପୁର ଏସ୍ଡିଜେଏମ୍ଙ୍କ କୋର୍ଟରେ ଦାଖଲ ହୋଇ ସାରିଛି। କିନ୍ତୁ ଗଣମାଧ୍ୟମରେ ରାଜ୍ୟ ଫୋରୋନ୍ସିକ୍ ରିପୋର୍ଟକୁ ନେଇ ବିଭ୍ରାନ୍ତିକର ତଥ୍ୟ ପ୍ରକାଶ ପାଇଥିଲା ଓ ଏହାକୁ ନେଇ ପୁଲିସର ଭୂମିକା ଉପରେ ସାଧାରଣରେ ସନ୍ଦେହ ସୃଷ୍ଟି ହୋଇଥିଲା। ଫଳରେ ଗତ ୨୭ ତାରିଖରେ ପୁଲିସ ଡିଜି ରାଜେନ୍ଦ୍ର ପ୍ରସାଦ ଶର୍ମା କୋଲକାତାରେ ଥିବା କେନ୍ଦ୍ର ସରକାରଙ୍କ ଫୋରେନ୍ସିକ୍ ଲ୍ୟାବରେ ଯାଞ୍ଚ କରିବାକୁ କ୍ରାଇମ୍ବ୍ରାଞ୍ଚକୁ ନିର୍ଦେଶ ଦେଇଥିଲେ। ତଦନ୍ତକାରୀ ଅଫିସର ଏ ନେଇ ଜୟପୁର କୋର୍ଟରେ ଅନୁମତି ପାଇଁ ପ୍ରାର୍ଥନା କରିଥିଲେ। କୋର୍ଟ ଅନୁମତି ଦେବା ପରେ ଗତକାଲି ପୀଡ଼ିତାଙ୍କ ପିନ୍ଧାବସ୍ତ୍ର, ଅନ୍ତଃବସ୍ତ୍ରଠାରୁ ଆରମ୍ଭ କରି ନଖ, ବାଳ, ରକ୍ତ, ଧାତୁ ଆଦି ଜବତ ହୋଇଥିବା ସାମଗ୍ରୀକୁ କୋଲକାତା ପଠାଇ ଦିଆ ଯାଇଛି। ତେବେ କ୍ରାଇମ୍ବ୍ରାଞ୍ଚ ପକ୍ଷରୁ ପୁଣି ଥରେ କୁହାଯାଇଛି, ଯେଉଁ ରିପୋର୍ଟ କୋର୍ଟରେ ଉପସ୍ଥାପନ କରାଯାଇଛି ତାହା ଶତ ପ୍ରତିିଶତ ଶତ। ଏହାକୁ କୌଣସି ବି ଉପାୟରେ ଟାମ୍ପରିଂ କରାଯାଇ ନାହିଁ।
ଏଠାରେ ପ୍ରକାଶଥାଉକି, ଗତ ଅକ୍ଟୋବର ୧୦ ତାରିଖରେ ଚାରି ଜଣ ଯବାନ ପୀଡ଼ିତାଙ୍କୁ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା। ଏ ସଂକ୍ରାନ୍ତରେ ପଟ୍ଟାଙ୍ଗୀ ଥାନାରେ ଅଭିଯୋଗ ହେବା ପରେ ପୁଲିସ ସେଦିନ ଏକ ମାମଲା (କେସ୍ ନଂ ୧୦୨) ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲେ। ପରେ କ୍ରାଇମ୍ବ୍ରାଞ୍ଚ ନଭେମ୍ବର ୮ ତାରିଖରେ ତଦନ୍ତ ଦାୟିତ୍ୱ ନେଇଥିଲା । କ୍ରାଇମ୍ବ୍ରାଞ୍ଚ ଟିମ୍ ଘଟଣାର ତଦନ୍ତ କରୁଥିବା ବେଳେ ଏଚ୍ଆର୍ପିସି ଏଡିଜି ମହେନ୍ଦ୍ର ପ୍ରତାପ ନଭେମ୍ବର ୭ ତାରିଖରେ ଦେଇଥିବା ମନ୍ତବ୍ୟକୁ ନେଇ ବିବାଦ ଉପୁଜିଥିଲା। ସମ୍ପୃକ୍ତ ନାବାଳିକାଙ୍କୁ ଗଣଦୁଷ୍କର୍ମ କିମ୍ବା ଦୁଷ୍କର୍ମ କରାଯାଇ ନଥିବା ଏଡିଜି କହିଥିଲେ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/01/kunduli.jpg-f.jpg)