ପୁରୀ: କୁନି ଦଇତାପତି ଭାବେ ବଳଦେବ ଦାସମହାପାତ୍ର ଆଜି ଶ୍ରୀମନ୍ଦିରରେ ସେବା ଆରମ୍ଭ କରିଛନ୍ତି। ଆଜି ଶ୍ରୀମନ୍ଦିରରେ ଚକା ବିଜେ ନୀତି ଥିବାବେଳେ ଦଇତାପତି ସେବକ ଜଗଦୀଶ ଦାସମହାପାତ୍ରଙ୍କ ୧୦ ମାସର ପୁଅ ବଳଦେବ ଚକା ବିଜେ ବେଳେ ଶ୍ରୀଅଙ୍ଗକୁ ସ୍ପର୍ଶ କରି ସେବା କାର୍ଯ୍ୟ ଆରମ୍ଭ କରିଛନ୍ତି। ବଳଦେବ ବଡ଼ଠାକୁର ଶ୍ରୀବଳଭଦ୍ରଙ୍କ ବାଡ଼ଗ୍ରାହୀ ହଳଧର ଦାସମହାପାତ୍ରଙ୍କ ନାତି। ପରମ୍ପରା ଅନୁଯାୟୀ, ଦଇତାପତି କୂଳରେ ଜନ୍ମ ନେଇଥିବା ବଳଦେବ ବାଲ୍ୟକାଳରୁ ମହାପ୍ରଭୁଙ୍କ ସେବା ଭାର ମୁଣ୍ଡାଇଛନ୍ତି।

Advertisment

ମହାପ୍ରଭୁଙ୍କ ସେବା ପାଇଁ ବଳଦେବ ବି ଶ୍ରୀମନ୍ଦିର ପ୍ରଶାସନଠାରୁ ପ୍ରାପ୍ୟ ପାଉଣା ପାଇବେ। ପରମ୍ପରା ଅନୁଯାୟୀ, ଆଜି ସେବକ ବେଶରେ ମଠା ପିନ୍ଧିଥିବା ବଳଦେବଙ୍କୁ ଶ୍ରୀମନ୍ଦିରକୁ ନିଆଯାଇଥିଲା। ଅଣସର ଘରେ ଶ୍ରୀଜିଉଙ୍କୁ ସ୍ପର୍ଶ କରି ସେବା ଆରମ୍ଭ କରିଥିଲେ। ବଳଦେବଙ୍କ ସହ ଶ୍ରୀମନ୍ଦିରକୁ ଆଜି ଅଣସର ଭାର ବି ଯାଇଥିଲା। ଅଣସର ଭାରରେ କଦଳୀ, ସପୁରି ସହ ଅନ୍ୟାନ୍ୟ ଫଳମୂଳ ଶ୍ରୀମନ୍ଦିରକୁ ଯାଇଥିଲା।