ମୋଦୀଙ୍କ ‘ମନ୍‌ କି ବାତ୍‌’ରେ କୁନି

‘ସୌରଶକ୍ତିକୁ ଉପଯୋଗ କରି ସୂତା କାଟି ପୋଷାକ ତିଆରି କରୁଛନ୍ତି’

କେନ୍ଦୁଝର : କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ୍‌ କରଡ଼ାପାଳ ଗ୍ରାମର କୁନି ଦେହୁରୀଙ୍କ ସମ୍ପର୍କରେ ଆଜି ‘ମନ୍‌ କି ବାତ୍‌’ କାର୍ଯ୍ୟକ୍ରମରେ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏହାପରେ କୁନିଙ୍କୁ ନେଇ ରାଜ୍ୟବ୍ୟାପୀ ଚର୍ଚ୍ଚା ଆରମ୍ଭ ହୋଇଛି। ସେ କିଭଳି ସୌରଶକ୍ତିକୁ ଉପଯୋଗ କରି ଟସରରୁ ସୂତା କାଟି ପୋଷାକ ତିଆରି କରୁଛନ୍ତି, ତାକୁ ନେଇ ଏବେ ସମସ୍ତଙ୍କ ମଧ୍ୟରେ ଉତ୍ସୁକତା ବୃଦ୍ଧି ପାଇଛି।

ରବିବାର ଦିନ ‘ମନ୍‌ କି ବାତ୍‌’ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ କହିଥିଲେ, ଓଡ଼ିଶାର କେନ୍ଦୁଝର ଜିଲ୍ଲାର ଝିଅ କୁନି ଦେହୁରୀ ସୌରଶକ୍ତିକୁ ଉପଯୋଗ କରି ସୂତା କାଟିବା ସହ ପୋଷାକ ତିଆରି କରୁଛନ୍ତି। ଅନ୍ୟ ମହିଳାମାନଙ୍କୁ ମଧ୍ୟ ଏହି କାର୍ଯ୍ୟରେ ସାମିଲ୍‌ କରିବାରେ ସହାୟତା କରୁଛନ୍ତି। ସୌରଶକ୍ତିର ଏହା ହେଉଛି ସବୁଠୁ ବଡ଼ ଉପଯୋଗିତା ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ୍‌ ଧୁରୁଡ଼ିଆମ୍ବ ପଞ୍ଚାୟତ କରଡ଼ାପାଳ ଗ୍ରାମର କୁନି ଦେହୁରୀ (୩୪)ଙ୍କ ବାପା ୨୦୦୩ରେ କର୍କଟ ରେଗରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଥିଲେ। ସେତେବେଳକୁ କୁନି ମାତ୍ର ଅଷ୍ଟମ ଶ୍ରେଣୀରେ ପଢ଼ୁଥିଲେ। ବହୁକଷ୍ଟରେ ସେ ଦଶମ ପରୀକ୍ଷା ଦେବାସହ ନିଜ ପରିବାରକୁ ଚଳାଇବା ପାଇଁ ଉଦ୍ୟମ କଲେ। ଏହିସମୟରେ ଭଗାମୁଣ୍ଡାରେ ସୂତାକଟା କାମ ତାଙ୍କୁ ମିଳିଗଲା। ଏଠାରେ କିଛିଦିନ ତାଲିମ ନେବା ପରେ ଅଧିକ ପ୍ରଶିକ୍ଷଣ ପାଇଁ କେନ୍ଦ୍ରୀୟ ସିଲ୍‌କ ବୋର୍ଡ ତାଙ୍କୁ ସହାୟତା କଲା। ଏହି ତାଲିମ ପରେ କୁନି ଆଉ ପଛକୁ ଫେରି ଚହିଁ ନଥିଲେ। ପୂର୍ବରୁ ଟସରରୁ ସୂତା କାଟିବା ପାଇଁ ବିଦ୍ୟୁତ୍‌ ଶକ୍ତିକୁ ବ୍ୟବହାର କରାଯାଉଥିଲା। କୁନି ଏବେ ‌ସୌରଶକ୍ତିକୁ ବ୍ୟବହାର କରି ସୂତା କାଟିବାରେ ସମର୍ଥ ହେଉଛନ୍ତି। ଯାହା ତାଙ୍କୁ ଅନ୍ୟମାନଙ୍କଠାରୁ ଭିନ୍ନ କରିଛି।

ସମ୍ବନ୍ଧିତ ଖବର