ଭୁବନେଶ୍ବର: ଜୀବନୀ କିମ୍ବା ଆତ୍ମ ଜୀବନୀ ଗୋଟିଏ ପିଢ଼ିର ବିଭିନ୍ନ ଦିଗ ସମ୍ପର୍କରେ ଆମକୁ ଆଲୋକିତ କରିଥାଏ। ଆତ୍ମ ଜୀବନୀ ନିଜ ଅନୁଭୂତିରୁ ‌ଲେଖାଯାଏ। ହେଲେ ଜୀବନୀ ଲେଖିବା କଷ୍ଟକର କଥା। ମୁଁ ନବକୃଷ୍ଣ ଚୌଧୁରୀଙ୍କ ଜୀବନୀ ଲେଖିବା ବେଳେ ଅନେକଗୁଡ଼ିଏ ଆହ୍ବାନର ସମ୍ମୁଖୀନ ହୋଇଛି। ଅନେକ ଆତ୍ମଜୀବନୀରେ କେବଳ ଭଲ କଥା ରୁହେ। ଖରାପ କଥା ‌ଲେଖିବାକୁ ଲେଖକ କୁଣ୍ଠାବୋଧ କରନ୍ତି। ଫଳରେ ସେହି କାଳଖଣ୍ଡର ସମ୍ପୂର୍ଣ୍ଣ ତଥ୍ୟ ସାମନାକୁ ଆସେ ନାହିଁ। ଶନିବାର ‘ଆମ ଓଡ଼ିଶା’ କାର୍ଯ୍ୟ‌ାଳୟରେ ଆୟୋଜିତ ‘ସମ୍ବାଦ ସାହିତ୍ୟପକ୍ଷ’ର ଅଷ୍ଟମ ସନ୍ଧ୍ୟାରେ ଆଶୀର୍ବଚନ ପ୍ରଦାନ କରି ଏହା କହିଛନ୍ତି ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ତଥା ଲେଖକ ପଦ୍ମଚରଣ ନାୟକ।  

Advertisment

ଅନ୍ତର୍ଜାତୀୟ ମହିଳା ଦିବସ ତଥା ‘ସମ୍ବାଦ ସାହିତ୍ୟପକ୍ଷ’ର ଅଷ୍ଟମ ସନ୍ଧ୍ୟାରେ ଓଡ଼ିଶାର ପ୍ରଥମ ମହିଳା ଡାକ୍ତର, ଲେଖିକା କୁନ୍ତଳା କୁମାରୀ ସାବତଙ୍କୁ ‘ଜୀବନୀ ଓ ଆତ୍ମଜୀବନୀ’ ମଞ୍ଚ ଉତ୍ସର୍ଗ କରାଯାଇଥିଲା। ରେଡିଓ ଚକ୍‌ଲେଟ୍‌ର ଆର୍‌ଜେ ପୂଜା ବିପ୍ଳବିନୀ କୁନ୍ତଳା କୁମାରୀଙ୍କ ଜୀବନୀ ପାଠ କରି ଦର୍ଶକସମୁଦାୟଙ୍କୁ ଭାବପ୍ରବଣ କରିଥିଲେ। ‘ଜୀବନୀ ବନାମ ଆତ୍ମଜୀବନୀ’ ବିଷୟରେ ବରିଷ୍ଠ ସାମ୍ବାଦିକ ସନ୍ଦୀପ ସାହୁ ଓ ଲେଖକ କୃଷ୍ଣ ସିଂହ ମନଖୋଲା ‘ଆଳାପ’ କରିଥିଲେ। ଶ୍ରୀ ସିଂହ କହିଥିଲେ, ମୋ ଆତ୍ମଜୀବନୀରେ ନିଜ କଥା ଅପେକ୍ଷା ସମାଜିକ ଘଟଣାକୁ ସ୍ଥାନ ଦେଇଛି। ଆତ୍ମଜୀବନୀ ଲେଖୁଥିବା ଲେଖକ ସବୁ ବେଳେ ସତ କଥା ଲେଖନ୍ତୁ। ‘ସାହିତ୍ୟ ବ୍ୟକ୍ତି କୈନ୍ଦ୍ରିକ ନା ସମାଜ କୈନ୍ଦ୍ରିକ’ ବିଷୟରେ ‘ଆଲୋଚନା’ ଅଧିବେଶନ ଅନୁଷ୍ଠିତ ହୋଇଥିଲା। ସାମ୍ବାଦିକ ଭାସ୍କର ପରିଚ୍ଛାଙ୍କ ସଂଚାଳନରେ ବିଶିଷ୍ଟ ଲେଖକ ଦାଶ ବେନହୁର କହିଲେ, ଜୀବନୀ ବ୍ୟକ୍ତି କୈନ୍ଦ୍ରିକରୁ ଆରମ୍ଭ ହୋଇ ସମାଜ କୈନ୍ଦ୍ରିକ ହୋଇଯାଏ। ଲେଖକ ସତ୍ୟନାରାୟଣ ମହାପାତ୍ର କହିଲେ, ଜୀବନୀ ଓ ଆତ୍ମଜୀବନୀ ବ୍ୟକ୍ତି ଅପେକ୍ଷା ସମାଜ କୈନ୍ଦ୍ରିକ ହେବା ଅଧିକ ଯୁକ୍ତିଯୁକ୍ତ। ଲେଖକ ସୂର୍ଯ୍ୟମଣି ତ୍ରିପାଠୀ କହିଲେ, ଆତ୍ମଜୀବନୀ କାଳଖଣ୍ଡକୁ ନେଇ ଲେଖାହୁଏ ଏବଂ ଏହା ଦ୍ବାରା ସମାଜ ମଧ୍ୟ ପ୍ରଭାବିତ ହୁଏ। 

ମଞ୍ଚରେ ଉଭା ହେଲେ ମଧୁ ବାବୁ
ପାଲାରେ ଉପେନ୍ଦ୍ର ଭଞ୍ଜଙ୍କ ଜୀବନୀ

sdsxcd

ଲେଖକ ବୈଷ୍ଣବ ଚରଣ ମହାନ୍ତି ‘ଅଭିବ୍ୟକ୍ତି’ ବାଢ଼ି ସଂସ୍କୃତି, ସମୟ ଓ ସମାଜର ଇତିହାସ ହେଉଛି ଆତ୍ମଜୀବନୀ ବୋଲି କହିଥିଲେ। ଲେଖିକା ରୋଜାଲିନ୍‌ ମହାରଣା ‘ଅନୁଭବ’ ବଖାଣି ଥିଲେ। ମଧୁବାବୁଙ୍କ ଜୀବନୀକୁ ନେଇ ଏକ ବିଶେଷ କାର୍ଯ୍ୟକ୍ରମ ‘ଲାଇଭ୍‌ ଫ୍ରମ୍‌ ଗୋରା କବର’ ଆର୍‌ଜେ ଅନିଲ ଓ ବିରଞ୍ଚି ଦାଶ ପରିବେଷଣ କରିଥିଲେ। ପଣ୍ଡିତ ନିଶିକାନ୍ତ ପଣ୍ଡା ଉପେନ୍ଦ୍ର ଭଞ୍ଜଙ୍କ ଜୀବନୀ ଉପରେ ପାଲା ପରିବେଷଣ କରିଥିଲେ। ଏହି ଅବସରରେ ‘ଓଡ଼ିଶା ଲେଖିକା ସଂସଦ’ ପକ୍ଷରୁ ସଂସଦର ସଭାପତି ଡ. ଶକୁନ୍ତଳା ବଳିଆର ସିଂ ଏବଂ ସାହିତ୍ୟ ପତ୍ରିକା ‘ତୀର ତରଙ୍ଗ’ ପକ୍ଷରୁ ସମ୍ପାଦିକା ବନ୍ଦନା ମିଶ୍ରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। 
‘ସମ୍ବାଦ’ ଓ ‘କନକ ନ୍ୟୁଜ୍‌’ର ସମ୍ପାଦକ ତନୟା ପଟ୍ଟନାୟକ, ‘ସମ୍ବାଦ’ର ବାର୍ତ୍ତା ସମ୍ପାଦକ ଭବାନୀ ଶଙ୍କର ତ୍ରିପାଠୀ, ‘କନକ ନ୍ୟୁଜ୍‌’ର ସିଇଓ ରତିକାନ୍ତ ଶତପଥୀ, ‘ଆମ ଓଡ଼ିଶା’ର ପ୍ରକାଶନୀ ସମ୍ପାଦକ ଅସିତ୍‌ ମହାନ୍ତି, ଅଧ୍ୟାପକ ବିଶ୍ବରଞ୍ଜନ ଓ ସ୍ତମ୍ଭକାର ଅଭିରାମ ବିଶ୍ବାଳ ଅତିଥିମାନଙ୍କୁ ସମ୍ମାନିତ କରିଥିଲେ। ଆର୍‌ଜେ ଅନିଲ୍‌ ପ୍ର‌ଶ୍ନ-ଉତ୍ତର ପରିଚାଳନା କରିଥିବାବେଳେ ଶ୍ରୀନିବାସ ଘଟୁଆରୀ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ଆର୍‌ଜେ ସଂଗ୍ରାମ ଧନ୍ୟବାଦ ଦେଇଥିଲେ। ଆସନ୍ତାକାଲି ‘ସମ୍ବାଦ ସାହିତ୍ୟପକ୍ଷ’ର ନବମ ଦିନର ବିଷୟ ରହିଛି ‘ଗୀତି କବିତା ଓ ସିନେମା ଗୀତ’।