ସିଙ୍ଗଡ଼ା: କରଞ୍ଜିଆ ଅଞ୍ଚଳରେ କିଛିଦିନ ହେବ ଶୀତର ପ୍ରକୋପ ବଢ଼ି ତାପମାତ୍ରା ୧୦ ଡିଗ୍ରି ତଳକୁ ଖସିଲାଣି। ଫଳରେ ଅନେକ ଥଣ୍ଡା, କାଶ, ଜ୍ବରରେ ପୀଡ଼ିତ ହେଉଛନ୍ତି। ଏହି ରୋଗର ଅମୋଘ ଔଷଧ ଭାବେ ହାଟବଜାରରେ କୁରୁକୁଟି ବା ନାଲି ପିମ୍ପୁଡ଼ି ବିକ୍ରି ହେଉଥିବା ଦେଖିବାକୁ ମିଳୁଛି। ଏହି ପିମ୍ପୁଡ଼ି ଶରୀରରେ ଔଷଧୀୟ ଗୁଣ ଥିବାରୁ ଏହାକୁ ଖାଦ୍ୟ ଭାବେ ବ୍ୟବହାର କରୁଛନ୍ତି। ଥଣ୍ଡା, କାଶ, ଜ୍ବର ଭଳି ରୋଗର ପ୍ରତିଷେଧକ ଭାବେ ମୂଳରୁ ନିପାତ କରିଥାଏ। ତାଛଡ଼ା ଏହାର ସ୍ବାଦ ନିଆରା ବୋଲି କୁରୁକୁଟି ପିମ୍ପୁଡ଼ି ବିକାଳି ଏବଂ ଏଠାକାର ଅଞ୍ଚଳବାସୀ କହିଛନ୍ତି।
କରଞ୍ଜିଆ ଉପଖଣ୍ଡ ଏକ ଅନୁନ୍ନତ ଅନଗ୍ରସର ଉପଖଣ୍ଡ ଭାବେ ପରିଗଣିତ। ଅଧିକାଂଶ ଲୋକ ଗରିବ ଆଦିବାସୀ ଶ୍ରେଣୀର ହୋଇଥିବାରୁ ମୁଖ୍ୟତଃ ଚାଷ, ଦିନ ମଜୁରିଆ ବା ଜଙ୍ଗଲଜାତ ଦ୍ରବ୍ୟ ଉପରେ ନିର୍ଭର କରନ୍ତି। ସରକାର ସେମାନଙ୍କ ଚାଲିଚଳନ, ସାମାଜିକ ବ୍ୟବସ୍ଥା, ଖାଦ୍ୟପେୟ ଓ ଆର୍ଥିକ ଅବସ୍ଥା ସୁଦୃଢ କରିବା ପାଇଁ ବିଭିନ୍ନ ଯୋଜନା ପ୍ରଣୟନ କରିଛନ୍ତି। ତଥାପି ବହୁ ଆଦିବାସୀ ପରିବାର ଜଙ୍ଗଲଜାତ ଦ୍ରବ୍ୟ ବିକ୍ରୟ କରି ପରିବାର ପ୍ରତିପୋଷଣ କରୁଛନ୍ତି।
ପାହାଡ଼ ପର୍ବତ ଘଞ୍ଚ ଜଙ୍ଗଲ ପରିବେଷ୍ଟିତ ଅଞ୍ଚଳ ହୋଇଥିବାରୁ ନିକଟସ୍ଥ ଗାଁ ଗୁଡ଼ିକରେ ବସବାସ କରୁଥିବା କୋହ୍ଲ, ମୁଣ୍ଡା, ଭୂମିଜ, କୁଡୁମୀ ସମ୍ପ୍ରଦାୟର ଲୋକମାନେ କୁରୁକୁଟି ବା ନାଲି ପିମ୍ପୁଡ଼ି ହାଟ, ବଜାର ମାନଙ୍କରେ ବିକ୍ରୟ କରିଥାନ୍ତି। କରଞ୍ଜିଆ ବ୍ଲକ୍ ପ୍ରାୟ ସମସ୍ତ ପଞ୍ଚାୟତର ସାପ୍ତାହିକ ହାଟରେ ଏହାର ବହୁଳ କ୍ରୟ, ବିକ୍ରୟ ହୋଇଥାଏ। ଶାଳପତ୍ର ଦନା ବା ଠୁଙ୍ଗାରେ ଏହା ବିକ୍ରୟ ହୋଇଥାଏ। ଏହା ଥଣ୍ଡା କାଶର ପ୍ରତିଷେଧକ ହୋଇଥାଏ। କିଲୋ ପ୍ରତି ୩୦୦ରୁ ୪୦୦ ଟଙ୍କାରେ ବିକ୍ରି ହେଉଛି। ବିଶେଷ ଭାବରେ ବର୍ଷା ଓ ଶୀତ ଦିନରେ କୁରୁକୁଟି ଶାଳ ଓ କୁସୁମ ପତ୍ରତଳେ ବସାବାନ୍ଧି ଅଣ୍ଡା ଦେଇଥାନ୍ତି। ଲୋକମାନେ ସକାଳୁ ଜଙ୍ଗଲ ଯାଇ ସେହି ବସାକୁ ଆଣି ଅଣ୍ଡା ଓ କୁରୁକୁଟି ଅଲଗା କରି ବିକ୍ରି ପାଇଁ ଆଣିଥାନ୍ତି। ସେଥିରେ ଲଙ୍କା ଓ ଲୁଣ ମିଶାଇ ଭଜା ବା ଚଟ୍ଣୀ କରି ଖାଦ୍ୟ ଭାବେ ଖାଇବାକୁ ପସନ୍ଦ କରିଥାନ୍ତି। କରଞ୍ଜିଆ ବ୍ଲକ ମହ୍ଲାରପଦା ଗାଁର ସନ୍ତୋଷ କୁମାର ମହାନ୍ତ ଏହି ପିମ୍ପୁଡ଼ି ବିକ୍ରୟ କରୁଥିବାବେଳେ ଏହାର ସ୍ବାଦ ନିଆରା ଏବଂ ଔଷଧୀୟ ଗୁଣ ଯୋଗୁଁ ସବୁଠିଁ ଚାହିଦା ରହିଛି ବୋଲି କହିଛନ୍ତି।
ତେଣୁ ପ୍ରତିଦିନ ସେ ସକାଳୁ କୁରୁକୁଟି ସଂଗ୍ରହ କରି ବଜାରକୁ ବିକ୍ରି ପାଇଁ ଆଣିଥାନ୍ତି। ଦୈନିକ ୨୫୦-୩୦୦ ଟଙ୍କାରେ ପିମ୍ପୁଡ଼ି ବିକ୍ରି ହୋଇଥାଏ। ପରିବାରର ୬ ପ୍ରାଣୀ କୁଟୁମ୍ବ ଏହି ରୋଜଗାରରୁ ଆରାମରେ ଚଳି ଯାଉଛନ୍ତି। ସେହିପରି ବିଶୋଇରୁ କରଞ୍ଜିଆ ଆସିଥିବା କାର୍ତ୍ତିକ ଚନ୍ଦ୍ର ଟୁଡୁ କହନ୍ତି, ଏହା ଖାଇଲେ ଥଣ୍ଡା କାଶ ଛାଡ଼ିଯାଏ। ତେଣୁ ଲୋକେ ଏହାକୁ ଖାଦ୍ୟ ଓ ଔଷଧ ଭାବେ ବ୍ୟବହାର କରିଥାନ୍ତି। ବର୍ତ୍ତମାନ ଶୀତଦିନ ଥିବାରୁ ଆମେ ଗରମ ପଖାଳ ଭାତ ସହିତ ଏହାକୁ ଖାଇବାକୁ ପସନ୍ଦ କରୁ। କରୋନା ସମୟରୁ ଏହାର ଚାହିଦା ବୃଦ୍ଧି ପାଇଥିବାରୁ ବହୁ ଲୋକେ ଏହାକୁ ଅର୍ଥ ଉପାର୍ଜନର ଏକ ପନ୍ଥା ଭାବେ ମଧ୍ୟ ବ୍ୟବହାର କରୁଛନ୍ତି। ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଗରିବଙ୍କ ରୋଜଗାରର ମାଧ୍ୟମ ହୋଇପାରିଛି ଏହି କୁରୁକୁଟି ପିମ୍ପୁଡ଼ି।