କୁଶଭଦ୍ରା ନଦୀବନ୍ଧ ଘାଇ: ଭାଙ୍ଗିଗ‌ଲା ନା ଭାଙ୍ଗିଦେଲେ

ଘଳିଆ ଜାଗା ସୁରକ୍ଷିତ, ଘଳିଆ ନଥିବା ସ୍ଥାନରେ ଘାଇ ବଢ଼ାଉଛି ସନ୍ଦେହ

ପୁରୀ : କୁଶଭଦ୍ରା ନଦୀରେ ଘାଇ ପରେ ଗୋପ ବ୍ଲକ୍‌ ଅଧିକାଂଶ ପଞ୍ଚାୟତ ବନ୍ୟା ଘେର ଭିତରେ ରହିଛି। ପାଣି ଖସିଥିଲେ ବି ଏବେ ସୁଦ୍ଧା ଲୋକଙ୍କ ଦୁର୍ଦ୍ଦଶା କମିନି। ଲୋକେ ଖାଦ୍ୟ, ପାନୀୟ ଜଳର କଷ୍ଟ ଭିତରେ ଦିନ କାଟୁଛନ୍ତି। ପୁରୁଷଙ୍କ ଅପେକ୍ଷା ମହିଳା, ବରିଷ୍ଠ ନାଗରିକ, ପିଲାଛୁଆମାନେ ଅଧିକ କଷ୍ଟ ଭୋଗୁଛନ୍ତି। ଏଭଳି ସ୍ଥିତିରେ କୁଶଭଦ୍ରା ଘାଇକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ଯେଉଁଠି କୌଣସି ପରିସ୍ଥିତିରେ ବି ଘାଇ ହେବାର ସମ୍ଭାବନା ନ ଥିଲା, ସେଠାରେ କିଭଳି ଘାଇ ହେଲା, ତାକୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି। କେହି କେହି ଏହା ଠିକାଦାର-ଯନ୍ତ୍ରୀଙ୍କ ଭିତିରି ବୁଝାମଣାର ପରିଣାମ ବୋଲି କହୁଥିବାବେଳେ କେହି କେହି ତଳମୁଣ୍ଡର ଲୋକେ ବନ୍ୟା ଦୁର୍ଦ୍ଦଶାରୁ ବର୍ତ୍ତିବା ପାଇଁ ରାତି ଅଧିଆ ବନ୍ଧ କାଟି ଦେଇଥିବା କହୁଛନ୍ତି। ଅନ୍ୟ କେହି କେହି ରାଜନୈତିକ ଉଦ୍ଦେଶ୍ୟ ରଖି ଏଭଳି କୃତ୍ରିମ ଘାଇ ସୃଷ୍ଟି କରାଯାଇଥିବା ବି ଅଭିଯୋଗ କରିଛନ୍ତି। ତେବେ ଘଳିଆ ଜାଗା ସୁରକ୍ଷିତ, ଘଳିଆ ନଥିବା ସ୍ଥାନରେ ଘାଇ ହୋଇଥିବାରୁ ଘାଇ ହୋଇଛି ନା କରାଯାଇଛି, ତାକୁ ନେଇ ସମଗ୍ର ଅଞ୍ଚଳରେ ଚର୍ଚ୍ଚା ।

୨୦୧୧ ମସିହାରେ ଶେଷଥର ଗୋପ ବ୍ଲକ୍‌ ବଣିଆସାହିଠାରେ କୁଶଭଦ୍ରା ନଦୀବନ୍ଧରେ ଘାଇ ଗୋପ ବଜାର ସହ ଆଖପାଖ ଅଞ୍ଚଳକୁ ଜଳମଗ୍ନ କରିଥିଲା। ଏହି ଦୁର୍ଦ୍ଦଶା ଏବେ ବି ଲୋକେ ଭୁଲି ପାରିନାହାନ୍ତି। ଏଭଳି ସ୍ଥିତିରେ ପୁଣି ୧୧ ବର୍ଷ ପରେ କୁଶଭଦ୍ରା ନଦୀ ବନ୍ଧରେ ଘାଇ ପୁରୁଣା ଅନୁଭୂତିକୁ ତାଜା କରି ଦେଇଛି। ଯେଉଁ ଅଞ୍ଚଳର ଲୋକେ ବନ୍ୟା ଦେଖିନଥିଲେ, ସେମାନେ ଆଜି ବନ୍ୟାପାଣିରେ କଲବଲ ହେଉଛନ୍ତି। କୁହାଯାଉଛି, ଚଳିତମାସରେ ବନ୍ୟା ପାଣି ଆସିବା ପରେ କୁଶଭଦ୍ରା ନଦୀବନ୍ଧର ବଣିଆସାହିରେ ଗୋଟିଏ ଓ ତରପଡ଼ାରେ ଦୁଇଟି ଘଳିଆ ସୃଷ୍ଟି ହୋଇଥିଲା। ଗଣମାଧ୍ୟମରେ ଏହି ଖବର ପ୍ରକାଶ ପରେ ତତ୍କାଳ ଏଠାରେ ବାଲିବସ୍ତା ପକାଇ ଘଳିଆ ବନ୍ଦ କରାଗଲା। କିନ୍ତୁ ଯେଉଁଠାରେ ଘଳିଆର ନାଁ ଗନ୍ଧ ନ ଥିଲା, ସେଠାରେ ଘାଇ ସୃଷ୍ଟି ହେଲା। ସେ ପୁଣି ଏକ ସ୍ଲୁଇସ୍‌ ଗେଟ୍‌ଠାରେ। ବେଦପୁର ପଞ୍ଚାୟତର ବେହେରାସାହିଠାରୁ ମାତ୍ର ୩ଶହରୁ ୪ଶହ ମିଟର ଦୂରରେ ଏହି ଘାଇ ଗୋପର ଅଧିକାଂଶ ଅଞ୍ଚଳକୁ ଜଳମଗ୍ନ କଲା। ଯେଉଁଠି ବିଳମ୍ବିତ ରାତି ସୁଦ୍ଧା ଏହି ନଦୀ ବନ୍ଧରେ ସାମାନ୍ୟତମ ଘଳିଆ ନ ଥିଲା, ସେଠି ଭୋର ସାଢ଼େ ୪ଟାରୁ ୫ଟା ବେଳକୁ ଅଢ଼େଇରୁ ୩ ଫୁଟର ଘାଇ ଲୋକଙ୍କୁ ସନ୍ଦିହାନରେ ପକାଇବା ବି ସ୍ବାଭାବିକ। କ୍ରମେ କୁଶଭଦ୍ରା ନଦୀବନ୍ଧର ଘାଇ ୪୦ ଫୁଟର ଆକାର ନେଇଥିଲା। ସେପଟେ ଯେଉଁ ଯନ୍ତ୍ରୀ ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଏହି ସ୍ଥାନ ଅନୁଧ୍ୟାନ କରିଛନ୍ତି, ସେମାନେ ବି ଏଠାର ମାଟି ବହୁତ ଟାଣ, କଳା ଚିକିଟା ରହିଛି, ତଥାପି ଘାଇ କେମିତି ହେଲା, ତାକୁ ନେଇ ସନ୍ଦେହରେ ପଡ଼ୁଛନ୍ତି।

 

ଏଭଳି ସ୍ଥଳେ କେହି କେହି କହୁଛନ୍ତି, ରାଜନେତାମାନେ ନିଜ ରାଜନୈତିକ ଫାଇଦା ପାଇଁ ଏଭଳି କୃତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି କଲେ। ଆଉ କେହି କେହି କହୁଛନ୍ତି, ଠିକାଦାରମାନେ ପ୍ରତିବର୍ଷ ନଦୀବନ୍ଧ କାମରେ ବହୁ ଟଙ୍କା ଚଳୁ କରନ୍ତି। କିନ୍ତୁ ବହୁଦିନରୁ ନଦୀ ବନ୍ଧ ମରାମତି ପାଇଁ ସେଭଳି କୌଣସି କାମ ପାଉନଥିବାରୁ ଟଙ୍କା ବାଟମାରଣା କରିପାରୁନାହାନ୍ତି। ଏଣୁ ଜାଣିଶୁଣି ଏପରି ବନ୍ଧ ହାଣି ଘାଇ ତିଆରି କରାଯାଇଛି ବୋଲି କୁହାଯାଉଛି। ଅନ୍ୟପଟେ ଯେଉଁଠି ଘଳିଆ ସୃଷ୍ଟି ହୋଇଥିଲା, ସେଠା ବନ୍ଧକୁ ରକ୍ଷା କରିବା ପାଇଁ ରାତି ଅଧିଆ ବେହେରାସାହିଠାରେ ବନ୍ଧକୁ କାଟି ଦିଆଯାଇଥିବା ବି କୁହାଯାଉଛି। ଏଭଳି ଅନେକ ସନ୍ଦେହକୁ ନେଇ ଚର୍ଚ୍ଚା ଥମୁନଥିବାବେଳେ ଏହାର ବିଧିବଦ୍ଧ ତଦନ୍ତ ହେଲେ ପ୍ରକୃତ ରହସ୍ୟ ପଦାକୁ ଆସିବ ବୋଲି ସାଧାରଣରେ ମତପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର