କଟକରେ ପୁଣି ୩ କରୋନା ରୋଗୀ ଚିହ୍ନଟ, ପଞ୍ଚାୟତକୁ ସଟ୍‌ଡାଉନ୍‌ ଘୋଷଣା କଲେ କୁସପଙ୍ଗୀ ସରପଞ୍ଚ

କଟକ/ ଟାଙ୍ଗୀ/ଡମପଡା : କଟକରେ ଆଜି ୩ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ଡମପଡ଼ା ବ୍ଲକରୁ ଜଣେ ଓ ଟାଙ୍ଗୀ-ଚୌଦ୍ବାର ବ୍ଲକରୁ ୨ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଆଜିର ୩ ଜଣଙ୍କୁ ମିଶାଇ କଟକ ଜିଲ୍ଲାରେ ୨୫ଜଣ କରୋନା ରୋଗୀ ଚିହ୍ନଟ ହୋଇ ସାରିଲେଣି। କଟକ ସହର ସମେତ ଜିଲ୍ଲାର ୫ଟି ବ୍ଲକ୍‌ ଅଞ୍ଚଳରେ ଏହି ୨୫ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଆଜି ସକାଳେ ଜିଲ୍ଲାର ଡମପଡା ବ୍ଲକ୍‌ ଅନ୍ତର୍ଗତ କୁସପଙ୍ଗୀ ପଞ୍ଚାୟତରେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଏହି ୩୪ ବର୍ଷ ବୟସ୍କ ଯୁବକ ଗତ ୧୩ ତାରିଖରେ ମହାରାଷ୍ଟ୍ରର ପୁନେରୁ ବାଇକ୍‌ ଯୋଗେ ବାଙ୍କୀ-ଡମପଡ଼ାରେ ପହଞ୍ଚି ସିଧାସଳଖ ଟିଏମ୍‌ସି୍କୁ ଆସି ସଙ୍ଗରୋଧରେ ରହିଥିଲେ। ଗତ ୧୫ ତାରିଖରେ ତାଙ୍କର ସ୍ବାବ ପରୀକ୍ଷା ପାଇଁ ସଂଗ୍ରହ କରାଯାଇଥିଲା। ଆଜି ସ୍ବାବ୍‌ ରିପୋର୍ଟ କୋରୋନା ପଜିଟିଭ ଥିବା ଜଣାପଡ଼ିବା ପରେ ତାଙ୍କୁ ପ୍ରଶାସନ ପକ୍ଷରୁ ଭୁବନେଶ୍ବର ସ୍ଥିତ କୋଭିଡ୍‌ ହସ୍ପିଟାଲ୍‌କୁ ପଠାଯାଇଛି। ତେବେ ପଜିଟିଭ୍ ଚିହ୍ନଟ ହେବା ପରେ କୁସପଙ୍ଗୀ ପଞ୍ଚାୟତକୁ ୨୪ଘଣ୍ଟା ପାଇଁ ସଟ୍‌ଟାଉନ୍‌ ଘୋଷଣା କରିଛନ୍ତି ସରପଞ୍ଚ ପୁଷ୍ପଲତା ପରିଡା।

ଅନ୍ୟପଟେ ରାତିରେ ଟାଙ୍ଗୀ-ଚୌଦ୍ବାର ବ୍ଲକ୍‌ରୁ ୨ଜଣ କରୋନା ଚିହ୍ନଟ ହୋଇଥିବା ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ ସୂଚନା ଦେଇଛନ୍ତି। ଉଭୟ ଆକ୍ରାନ୍ତ ଟାଙ୍ଗୀର ନପଙ୍ଗ ଓ ଜରିପଡା ଟିଏମ୍‌ସିରେ ସଙ୍ଗରୋଧରେ ରହୁଥିଲେ। ନପଙ୍ଗ ଟିଏମ୍‌ସିରେ ଥିବା ଯୁବକ ମହାରାଷ୍ଟ୍ରରୁ ଆସିଥିବା ବେଳେ ଜରିପଡା ଟିଏମ୍‌ସିରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତ ତେଲେଙ୍ଗାନାରୁ ଆସିଥିବା ଜଣାପଡିଛି। ଉଭୟଙ୍କୁ କଟକ ସିଡିଏ ସେକ୍ଟର-୬ ସ୍ଥିତ ଅଶ୍ବିନୀ କୋଭିଡ୍‌ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି।

କୁସପଙ୍ଗି ପଞ୍ଚାୟତକୁ ସୁରତ, ପଶ୍ଚିମବଙ୍ଗ, ମହାରାଷ୍ଟ୍ରର ପୁନେ ଆଦି ଅଞ୍ଚଳରୁ ୫୦ ଜଣ ପ୍ରବାସୀ ଆସିଛନ୍ତି। ସେମାନଙ୍କ ମଧ୍ୟରୁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା କୁସୁପଙ୍ଗି ହାଇସ୍କୁଲ ଟିଏମ୍‌ସିରେ ୨୯ଜଣ ପ୍ରବାସୀ ରହୁଥିବା ସରପଞ୍ଚ ସୂଚନା ଦେଇଛନ୍ତି। ସେମାନଙ୍କ ମଧ୍ୟରୁ ଜଣେ କରୋନା ଚିହ୍ନଟ ହୋଇଛନ୍ତି। ସେହିପରି ସରପଞ୍ଚ ୨୪ ଘଣ୍ଟା ସଟ୍‌ଡାଉନ୍‌ ଘୋଷଣା କରିବା ପରେ ପଞ୍ଚାୟତରେ ଦୋକାନ ବଜାର, ଗାଡ଼ି ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିଥିଲା । ଅପରପକ୍ଷରେ କ୍ବାରାଣ୍ଟିନ୍‌ ସେଣ୍ଟରରୁ କରୋନା ପଜିଟିଭ ଚିହ୍ନଟ ହେବା ଘଟଣାରେ ଲୋକେ ଭୟଭୀତ ନ ହେବାକୁ ବାଙ୍କୀ ଉପଜିଲ୍ଲାପାଳ ରଞ୍ଜନ କୁମାର ଜେନା ନିବେଦନ କରିଛନ୍ତି। କଟକକୁ ଆଜି ସୁଦ୍ଧା ୧୦ ହଜାର ପ୍ରବାସୀ ଶ୍ରମିକ ଫେରିଥିବା ପ୍ରଶାସନ ସୂତ୍ରରୁ ସୂଚନା ମିଳିଛି।

ସମ୍ବନ୍ଧିତ ଖବର