ନିର୍ମାଣାଧୀନ ଅବସ୍ଥାରେ ଭୁଷୁଡ଼ିଗଲା କୁସେଇ ସେତୁ

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ଘସିପୁରା ଥାନା ବେଲବାହାଳିରେ ନିର୍ମାଣଧିନ ଅବସ୍ଥାରେ ଭାଙ୍ଗିଲା ଜାତୀୟ ରାଜପଥ ୨୦ର କୁସେଇ ସେତୁ। ଏହି ଘଟଣାରେ ଦୁଇ ଜଣ ଗୁରୁତର ଓ ଜଣେ ଆହତ ହୋଇଥିବାବେଳେ ସେମାନଙ୍କୁ ଆନନ୍ଦପୁର ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା । ମିଳିଥିବା ସୂଚନା ମୁତାବକ ଅନେକ ଦିନ ବ୍ୟବଧାନ ପରେ ଏହି ସେତୁ ନିର୍ମାଣ ପୁଣି ଆରମ୍ଭ ହୋଇଥିଲା | ଆଜି ସକାଳୁ ଶ୍ରମିକମାନେ କାମ କରୁଥିବା ଅବସ୍ଥାରେ ସେତୁର ଗୋଟିଏ ସ୍ପାନ ଅଧାରୁ ଭାଙ୍ଗି ଯାଇଛି। ତାହା ସହିତ ସଂଯୋଗ ହୋଇଥିବା ବିମ୍ ମଧ୍ୟ ତଳକୁ ଖସି ପଡିଛି। କାମ କରୁଥିବା ଶ୍ରମିକଙ୍କ ମଧ୍ୟରୁ ଦୁଇ ଜଣ ଗୁରୁତର ଅବସ୍ଥାରେ ଆନନ୍ଦପୁର ମେଡ଼ିକାଲରେ ଭର୍ତ୍ତି ହୋଇଥିଲେ ଓ ପରେ କଟକ ସ୍ଥାନାନ୍ତରିତ ହୋଇଛନ୍ତି |

ଗୁରୁତର ଶ୍ରମିକଙ୍କ ଘର ଗଞ୍ଜାମ ଜିଲ୍ଲାର କଇଥବେଡା ଗ୍ରାମ ବୋଲି ସୂଚନା ରହିଛି। ଘଟଣାକୁ ଦେଖି ସ୍ଥାନୀୟ ଲୋକେ ଆଶ୍ଚର୍ଯ୍ୟଚକିତ ହେଉଥିବାବେଳେ ଠିକା ସଂସ୍ଥାର କାମକୁ ନେଇ ପ୍ରଶ୍ନ ଉଠିଛି। ଅଳ୍ପ ଦିନ ପରେ ଏହି ରାସ୍ତାରେ ଯାତାୟତ ଆରମ୍ଭ ହେବାକୁ ଥିବା ବେଳେ ଠିକାଦାରଙ୍କ ଏଭଳି କାମ ନିଶ୍ଚିତ ଭାବେ ତଦନ୍ତ ସାପେକ୍ଷ।

ସମ୍ବନ୍ଧିତ ଖବର