୧୮ ବର୍ଷର ସାଧନା: ସିଡ ସେଣ୍ଟ୍ରାଲ ବ୍ୟାଙ୍କ ପ୍ରତିଷ୍ଠା କରିଛନ୍ତି କୁସୁମ ମିଶ୍ର, ରଖିଛନ୍ତି ୧୦୫୫ କିସମ ବିହନ

ଗୋଟିଏ ଧାନରୁ ବାହାରୁଛି ୨ ଚାଉଳ

ବାଲେଶ୍ଵର: ପାରମ୍ପରିକ ବା ଦେଶୀ ଧାନଚାଷରୁ ମୁହଁ ଫେରାଇ ଚାଷୀ ଏବେ ହାଇବ୍ରିଡ୍ ଧାନଚାଷ ମୁହାଁ ହୋଇଛନ୍ତି। ଯାହାଫଳରେ ଦେଶୀ ଧାନଚାଷ ଧୀରେ ଧୀରେ ହଜିଯିବାକୁ ବସିଲାଣି ଏପରି ସମୟରେ ଦେଶୀଧାନକୁ ନେଇ ବାଲେଶ୍ଵର ଜଣେ ଉଚ୍ଚ ଶିକ୍ଷିତା ମହିଳା ଆଇନଜୀବୀ କୁସୁମ ମିଶ୍ର (୨୦) ନିଆରା ଉଦାହରଣ ସୃଷ୍ଟି କରିଛନ୍ତି । ସେ ହଜିଯାଉଥିବା ବିଭିନ୍ନ କିସମର ଦେଶୀଧାନ ବିହନ ସଂଗ୍ରହ କରିଛନ୍ତି। ଚାଷୀମାନେ କିପରି ଦେଶୀ ଧାନଚାଷ କରିବେ, ସେନେଇ ନିରନ୍ତର ପ୍ରୟାସ ଜାରି ରଖିଛନ୍ତି। ସୁବଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଲା, ପରିବେଶ ଅନୁକୂଳ; ଅର୍ଥାତ୍‌ ପ୍ରାକୃତିକ ଦୁର୍ବିପାକ, ମରୁଡ଼ି ଓ ଲୁଣି ଅଞ୍ଚଳକୁ ଦୃଷ୍ଟିରେ ରଖି ସେ ବିଭିନ୍ନ ଦେଶୀ ବିହନ ସଂଗ୍ରହ ଉପରେ ଗୁରୁତ୍ବ ଦେଇଛନ୍ତି। ବନ୍ୟା କି ଲୁଣିପାଣି ମାଡ଼ିଲେ ଚାଷୀ ଯେମିତି କ୍ଷତି ସହିବ ନାହିଁ, ତାହା ସେ ପ୍ରମାଣିତ କରିଦେଖାଇଛନ୍ତି। ଖାଲି ଏତିକିରେ ତାଙ୍କର ଉଦ୍ୟମ ସୀମିତ ନାହିଁ । ସେ ଏଥିପାଇଁ ଏକ ‘ସେଣ୍ଟ୍ରାଲ୍ ସିଡ୍ ବ୍ୟାଙ୍କ’ ମଧ୍ୟ ଖୋଲିଛନ୍ତି । ଆଉ ସେଥିରେ ବିଭିନ୍ନ କିସମର ଦେଶୀଧାନ ବିହନକୁ ସାଇତି ରଖିଛନ୍ତି। ଯାହା ଏବେ ରାଜ୍ୟ ସହ ବିଭିନ୍ନ ଦେଶର ଲୋକ ନେଉଛନ୍ତି।

ବାଲେଶ୍ବର ଜିଲ୍ଲା ନୀଳଗିରି ବ୍ଲକ୍ କଅଁରପୁର ପଞ୍ଚାୟତ ଚଣ୍ଡୀପୁର ଗ୍ରାମରେ ଶ୍ରୀମତୀ କୁସୁମଙ୍କର ଶାଶୂଘର। ଏବେ ସେ ସ୍ଵାମୀ ଏଫ୍ଏମ୍ ସ୍ବୟଂଶାସିତ କଲେଜର ଅବସରପ୍ରାପ୍ତ ପ୍ରାଧ୍ୟାପକ ଡ. ଅଶୋକ କୁମାର ପାଣିଗ୍ରାହୀଙ୍କ ସହ ବାଲେଶ୍ଵର ରାଣୀପାଟଣା ଅଞ୍ଚଳରେ ରହୁଛନ୍ତି | ଚଣ୍ଡୀପୁରରେ ୨୦୦୩ରୁ ସେ ଏହି ବିହନ ସଂରକ୍ଷଣ ବ୍ୟାଙ୍କ ଖୋଲିଛନ୍ତି। ୧୦୫୫ କିସମର ବିହନ ଏହି ବ୍ୟାଙ୍କରେ ରଖି ଦେଶୀ ଧାନକୁ ବଂଚାଇ ରଖିଛନ୍ତି । ଏଥିରେ ବାସ୍ନା ଧାନ ୮୯ ପ୍ରକାର ରହିଥିବା ବେଳେ ପଙ୍ଖ ଧାନ ୧୮, ଔଷଧୀୟ ଧାନ ୨, ଶୃଙ୍ଗ ଧାନ ୬୯, ପେନ୍ଥା ଧାନ ୬୦, କଳା ଧାନ ୪, କଳା ଚାଉଳ ୩ ପ୍ରକାର ରହିଛି। ସେହିପରି ଲୁଣି ଅଞ୍ଚଳ ପାଇଁ ୧୫୯ ପ୍ରକାରର ଧାନ ରହିଥିବା ବେଳେ ବନ୍ୟା ୨୧ ଓ ମରୁଡ଼ି ଅଞ୍ଚଳ ପାଇଁ ୧୦୫ ପ୍ରକାର ଦେଶ ଧାନ ସଂଗ୍ରହ କରି ରଖାଯାଇଛି। ନିଜର ୪ ଏକର ଜମିରେ ବିଭିନ୍ନ କିସମର ଧାନଚାଷ କରି ଏହି ବ୍ୟାଙ୍କରେ ରଖୁଛନ୍ତି । ବିହନକୁ ମାଟି ମାଠିଆରେ ନାମ ଅନୁସାରେ ଅଲଗା କରି ସଜାଇ ରଖିଛନ୍ତି।

ଏମିତିକି ଗୋଟିଏ ଧାନରେ ଦୁଇଟି ଚାଉଳ ବି ସୃଷ୍ଟି ହେବାର ଏହି ବ୍ୟାଙ୍କରେ ବିହନ ରହିଛି। ରୋଚକ କଥା ହେଲା, ଏହି ଦେଶୀ ବିହନ ଚାଷ ସମ୍ପୂର୍ଣ୍ଣ ଜୈବିକ ପଦ୍ଧତିରେ କରାଯାଉଛି । କୀଟନାଶକ ଔଷଧ ପରିବର୍ତ୍ତେ ନିମ୍ବ ପିଡିଆ, ନିମ୍ନ ତେଲ, କରଞ୍ଜ ପିଡ଼ିଆ, ଜିଆଖତ, ଗୋମୂତ୍ର, ଜିଆ ପାଣି ଆଦି ଚାଷରେ ବ୍ୟବହାର କରାଯାଉଛି। ବାଲେଶ୍ଵର ସହ ସେ ପୁରୀ, ଜଗତସିଂହପୁର, ପଶ୍ଚିମବଙ୍ଗର ନନ୍ଦିଗ୍ରାମ ଓ ମୟୂରଭଞ୍ଜ ଜିଲ୍ଲାରେ ମଧ୍ୟ ବିହନ ସଂଗ୍ରହ ବ୍ୟାଙ୍କ ଖୋଲିଛନ୍ତି। ଇଣ୍ଡୋନେସିଆ, ଜର୍ମାନ, ତାମିଲନାଡୁ, ପଶ୍ଚିମବଙ୍ଗ ଆଦି ଅଞ୍ଚଳରୁ ଚାଷୀ ଆସି ଏହି ବ୍ୟାଙ୍କରୁ ବିହନ ନେଉଛନ୍ତି। ଯାହା ଜଣାପଡ଼ିଛି, ଏହି ବ୍ୟାଙ୍କରୁ ୫ ଶହରୁ ଅଧିକ ଚାଷୀ ବିହନ ନେଇ ଚାଷ କରୁଛନ୍ତି। ଏଥିପାଇଁ ତାଙ୍କ ଅଧୀନରେ ବହୁ ଲୋକ କାମ କରୁଥିବା ବେଳେ ୧୪ଟି ଗ୍ରାମରେ ମହିଳା ଅନ୍ନ ସ୍ବରାଜ ଗ୍ରୁପ୍ ବି କାମ କରୁଛି।

ମହିଳାମାନେ ଜୈବିକ ପଦ୍ଧତିରେ କିଚେନ୍‌ ଗାର୍ଡେନ୍ ଓ ଧାନଚାଷ କରୁଛନ୍ତି। ଚାଷୀଙ୍କୁ ୧ କେଜି ପର୍ଯ୍ୟନ୍ତ ବିହନ ଦିଆଯାଉଛି। କୁସୁମ କହିଛନ୍ତି, ପ୍ରକୃତିକୁ ସୁହାଇବା ଭଳି ଧାନଚାଷ ହେଉଥିଲା। ହେଲେ ଆଜି ସେହି ଧାନ ନାହିଁ କହିଲେ ଚଳେ । ତେଣୁ ହଜି ଯାଉଥିବା ଧାନର ବିହନକୁ ବଂଚେଇ ରଖିବାକୁ ସଂଗ୍ରହ କରାଯାଉଛି। ଦେଶୀଧାନରେ ପ୍ରସ୍ତୁତ ଖାଦ୍ୟରେ ଅଧିକ ପ୍ରୋଟିନ୍ ମିଳିଥାଏ। ରୋଗ ପ୍ରତିରୋଧକ ଶକ୍ତି ବି ଅଧିକ ଥାଏ। ପୂର୍ବରୁ ଏହି ଚାଷ କରି ଲୋକ ନିରୋଗ ରହୁଥିଲେ I ଦେଶୀ ଧାନରେ ପ୍ରସ୍ତୁତ ଖାଦ୍ୟର ସ୍ବାଦ ବି ଅଲଗା ରହିଥାଏ । ହେଲେ ଆଜି ଅଧିକ ଅମଳ ଆଶାରେ ଚାଷୀ ହାଇବ୍ରିଡ୍ ଧାନ ଚାଷ କରୁଛନ୍ତି। ଯେଉଁଥିରେ ଅଧିକ ରାସାୟନିକ ସାର ଓ ଔଷଧ ବ୍ୟବହାର କରାଯାଉଛି। ତେଣୁ ଦେଶୀଧାନକୁ ବଂଚେଇ ରଖିବାକୁ ପ୍ରଥମରୁ ଲକ୍ଷ୍ୟ ରହିଥିଲା।

ସେ ଦିଲ୍ଲୀର ଡ. ବନ୍ଦନା ଶିବାଙ୍କଠାରୁ ପ୍ରୋତ୍ସାହିତ ହୋଇଥିଲେ। ଡ. ବନ୍ଦନାଙ୍କର ‘ନବଦାନ୍ୟ’ ନାମକ ଏକ ଅନୁଷ୍ଠାନ ସହାୟତାରେ ସେ ପ୍ରଥମେ ଏହି ଚାଷ ଆରମ୍ଭ କରି ସଫଳ ବି ହୋଇଥିଲେ। ସେ ଯେଉଁ ଅଞ୍ଚଳକୁ ବୁଲିବାକୁ କି କୌଣସି କାମରେ ଯାଆନ୍ତି; ସ୍ଥାନୀୟ ଅଞ୍ଚଳରେ କେଉଁ କିସମର ଧାନ ଚାଷ ହେଉଛି ତାହା ଉପରେ ଜାଣିବା ସହ ସୁଯୋଗ ଥିଲେ ତାକୁ ସଂଗ୍ରହ କରି ଫେରନ୍ତି। ଦେଶୀଧାନ ସଂଗ୍ରହ କରିବାକୁ ସେ ସବୁବେଳେ ଚେଷ୍ଟା କରନ୍ତି। ମହାବାତ୍ୟା ପରେ ଏହି ଦେଶୀ ବିହନ ଅସ୍ତରଙ୍ଗ ଓ ଜଗତସିଂହପୁର ଜିଲ୍ଲାର ଚାଷୀଙ୍କୁ ପ୍ରଦାନ କରି ବେଶ୍ ପ୍ରଶଂସା ସାଉଁଟିଥିଲେ। ଆଜି ସେ ଗୋଟିଏ ପରେ ଗୋଟିଏ କିସମର ବିହନ ସଂଗ୍ରହ କରିବା ସହ ଚାଷ କରି ଚର୍ଚ୍ଚାକୁ ଆସିଛନ୍ତି। ପରିବେଶକୁ ଦୃଷ୍ଟିରେ ରଖି ସରକାର ସଚେତନ ହେବା ଜରୁରୀ। ଜୈବିକ ପଦ୍ଧତିରେ ଆଜି ଚାଷ ହେଉନାହିଁ। ତେଣୁ ସରକାର ଏହି ଦେଶୀ ଧାନର ଗୁରୁତ୍ଵକୁ ବୁଝି ଏହାର ପ୍ରଚାର ଓ ପ୍ରସାର ପାଇଁ ଚାଷୀଙ୍କୁ ସଚେତନ କରାଗଲେ ଚାଷୀ ଏହି ଚାଷ କରିବାକୁ ଆଗ୍ରହୀ ହୁଅନ୍ତି |

ସମ୍ବନ୍ଧିତ ଖବର