ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା ସଂଘର ୧୦ ଦଫା ଦାବି ସମ୍ପର୍କରେ ବିଧାନସଭାରେ ପ୍ରଶ୍ନ ଉଠାଇଥିଲେ ସୁନ୍ଦରଗଡ଼ ବିଧାୟିକା କୁସୁମ ଟେଟେ। ବିଶେଷ କରି ପଞ୍ଚାୟତ ଅଞ୍ଚଳରେ ଶିଳ୍ପ ପ୍ରତିଷ୍ଠା ପୂର୍ବରୁ ଅଗ୍ରାଧିକାରଭିତ୍ତିରେ ଗ୍ରାମସଭା ଡାକିବା, ସରପଞ୍ଚମାନଙ୍କୁ ଅବସରକାଳୀନ ପେନସନ ପ୍ରଦାନ, ଗ୍ରାମାଞ୍ଚଳରେ ଲାଗିଥିବା ଷ୍ଟ୍ରିଟଲାଇଟ୍ ବିଲ୍ ଡିଏମଏଫରୁ ପ୍ରଦାନ ଦାବି ଉପରେ ସରକାର କି ପଦକ୍ଷେପ ଗ୍ରହଣ କରିଛନ୍ତି ବୋଲି ପଚାରିଥିଲେ ବିଧାୟିକା ଶ୍ରୀମତୀ ଟେଟେ। ଉତ୍ତରେ ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ସୁନ୍ଦରଗଡ଼ ଜିଲ୍ଲା ସରପଞ୍ଚ ସଂଘର ଦାବି ସମ୍ପର୍କରେ ସରକାର ଅବଗତ ଥିବା ଓ ଦାବିଗୁଡ଼ିକର ତର୍ଜମା କରାଯାଉଥିବା ପ୍ରକାଶ କରିଥିଲେ।
ଓଡ଼ିଶା ଗ୍ରାମପଞ୍ଚାୟତ ଆଇନଧାରା ୫ ଅନୁଯାୟୀ ଗ୍ରାମ ପଞ୍ଚାୟତରେ ହେବାକୁ ଥିବା ବିଭିନ୍ନ ଯୋଜନା, କାର୍ଯ୍ୟକ୍ରମ ଓ ପ୍ରକଳ୍ପ ଆଦି ଗ୍ରାମସଭାରେ ଅନୁମୋଦିତ ହେଉଥିବା, ଗ୍ରାମପଞ୍ଚାୟତ ଆଇନରେ ସରପଞ୍ଚଙ୍କ ପେନସନ ନେଇ କୌଣସି ବ୍ୟବସ୍ଥା ନଥିବା ବେଳେ ଷ୍ଟ୍ରିଟଲାଇଟ ବିଲ୍ ଡିଏମଏଫରୁ ପ୍ରଦାନ ବିଷୟରେ ଜିଲ୍ଲାପାଳ ନିଷ୍ପତ୍ତି ନେବେ ବୋଲି ମନ୍ତ୍ରୀ ଉତ୍ତର ରଖିଥିଲେ।
ଉଲ୍ଲେଖଯୋଗ୍ୟ, ପଞ୍ଚାୟତ ଅଞ୍ଚଳରେ ଜମି ଅଧିଗ୍ରହଣ ପ୍ରକ୍ରିୟାରେ ଗ୍ରାମସଭାକୁ ସର୍ବୋଚ୍ଚ ମାନ୍ୟତା, ପ୍ରତି ଆର୍ଥିକ ବର୍ଷରେ ପଞ୍ଚାୟତର ବିକାଶ ପାଇଁ ଜିଲ୍ଲା ଖଣିଜ ପ୍ରତିଷ୍ଠାନରୁ ୨୦ ଲକ୍ଷ ଟଙ୍କା ପ୍ରଦାନ, ବାର୍ଦ୍ଧକ୍ୟ, ବିଧବା ଓ ଭିନ୍ନକ୍ଷମ ଭତ୍ତା ଆବେଦନକାରୀଙ୍କୁ ଭତ୍ତା ନପାଇବା ଯାଏଁ ଜିଲ୍ଲା ଖଣିଜ ପ୍ରତିଷ୍ଠାନରୁ ପ୍ରଦାନ, ସରପଞ୍ଚଙ୍କ ମାସିକ ଭତ୍ତା ୨୩୫୦ ଟଙ୍କାରୁ ୧୫ ହଜାରକୁ ବୃଦ୍ଧି, ପେନସନ, କାର୍ଯ୍ୟକାଳ ସମୟରେ ପ୍ରାଣ ହରାଇଥିବା ସରପଞ୍ଚଙ୍କ ପରିବାରକୁ ୨୦ ଲକ୍ଷ ଟଙ୍କାର ସହାୟତା ଆଦି ୧୦ ଦଫା ଦାବିରେ ସୁନ୍ଦରଗଡ଼ ଜିଲ୍ଲା ସରପଞ୍ଚ ସଂଘ ଅଗଷ୍ଟ ୧ରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ କଲମ ଛାଡ୍ ଆନ୍ଦୋଳନ କରିଥିଲେ। ୩୬ ଦିନ ପରେ ରାଜ୍ୟ ସରପଞ୍ଚ ମହାସଂଘ ନିର୍ଦେଶକ୍ରମେ ଆନ୍ଦୋଳନକୁ ଆହୁରି ତୀବ୍ରତର କରିବାକୁ ଜିଲ୍ଲା ସଂଘ ଧାରଣା ପ୍ରତ୍ୟାହାର କରି ନେଇଥିଲା।