ସ୍ବତନ୍ତ୍ର ଉନ୍ନୟନ ପରିଷଦରୁ କୁସୁମଙ୍କ ଇସ୍ତଫା, ଟିକେଟ୍ ପାଇଁ ଚାପ!

ସୁନ୍ଦରଗଡ଼ : ସୁନ୍ଦରଗଡ଼ ରାଜନୀତିରେ ସଦ୍ୟତମ ଘଟଣାକ୍ରମ‌ରେ ଆଜି କୁସୁମ ଟେଟେ ସୁନ୍ଦରଗଡ଼ ସ୍ବତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷା ପଦରୁ ଇସ୍ତଫା ଦେଇଛନ୍ତି। ଆଜି ସେ ତାଙ୍କ ଇସ୍ତଫାପତ୍ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟକୁ ପଠାଇଛନ୍ତି। ସେ ଦଳୀୟ ଟିକେଟ ପାଇବେ ବୋଲି ସବୁଜ ସଙ୍କେତ ପାଇ ସାରିବା ପରେ ନିର୍ବାଚନରେ ଲଢିବା ପାଇଁ ଦଳ ନୁହେଁ, କେବଳ ପଦବି ଛାଡ଼ି ଥିବା କୁସୁମ କହୁଥିଲେ ହେଁ ଦଳ ଏପର୍ଯ୍ୟନ୍ତ ଟିକେଟ୍ ତାଲିକା ଘୋଷଣା କରି ନ ଥିବାରୁ ତାଙ୍କର ଇସ୍ତଫା ଦଳର ହାଇକମାଣ୍ଡଙ୍କ ଉପରେ ଚାପ ପକାଇବା ପାଇଁ ଉଦ୍ଦିଷ୍ଟ ବୋଲି କୁହାଯାଉଛି।

ସୂଚନାଯୋଗ୍ୟ ଯେ ସୁନ୍ଦରଗଡ଼ ବିଧାନସଭା ଆସନରେ ୨୦୧୪ ବିଧାନସଭା ନିର୍ବାଚନରେ ଯୋଗେଶ ସିଂହ ୬୬,୧୩୮ ଖଣ୍ଡ ଭୋଟ ପାଇଥିବା ବେଳେ ତାଙ୍କ ପ୍ରତିଦ୍ବନ୍ଦ୍ବୀ ଭାବେ କୁସୁମ ଟେଟେ ୫୩ ହଜାର ୫୫୪ ଖଣ୍ଡ ଭୋଟ ପାଇ ଦ୍ବିତୀୟ ସ୍ଥାନରେ ରହିଥିଲେ। ତେଣୁ ଏଥର ନିର୍ବାଚନ ଜିତିବା ପାଇଁ କୁସୁମ ୫ ବର୍ଷ ହେଲା ସ୍ଥାନୀୟ ବିଜେଡି ସଂଗଠନକୁ ସଜାଡ଼ି ଆସୁଥିଲେ। ତେବେ ସୁନ୍ଦରଗଡ଼ ବିଧାୟକ ଯୋଗେଶ ସିଂହ କଂଗ୍ରେସ ଛାଡ଼ି ଅଚାନକ ବିଜୁ ଜନତା ଦଳରେ ଯୋଗ ଦେବା ପରେ ଏହି ବିଧାନସଭା କ୍ଷେତ୍ରରେ ରାଜନୀତି ଓଲଟ ପାଲଟ ହୋଇଯାଇଛି। ପୂର୍ବତନ ବିଧାୟକ ଭାବେ ଯୋଗେଶଙ୍କୁ ଗୁରୁତ୍ବ ଦିଆଯିବାରୁ କୁସୁମ ଦଳରେ ଏକପ୍ରକାର ବିଦ୍ରୋହ କରିଥିଲେ। ଏପର୍ଯ୍ୟନ୍ତ ସେ ପ୍ରତ୍ୟେକ୍ଷ ଓ ପରୋକ୍ଷରେ ଯୋଗେଶଙ୍କୁ ବିରୋଧ କରିବା ସହିତ ସହ ତାଙ୍କୁ ଟିକେଟ ଦେବା ପାଇଁ ଦାବି କରି ଆସୁଛନ୍ତି।

କୁସୁମଙ୍କୁ ମନାଇବା ପାଇଁ କିଛି ଦିନ ପୂର୍ବେ ପୂର୍ବତନ ମନ୍ତ୍ରୀ ପ୍ରଣବ ପ୍ରକାଶ ଦାସ ଓ ବିଜେଡି ପର୍ଯ୍ୟବେକ୍ଷକ ପ୍ରଶାନ୍ତ ନନ୍ଦ ସୁନ୍ଦରଗଡ଼ ଆସି ନିରାଶ ହୋଇ ଫେରିଥିଲେ। ପରେ କୁସୁମଙ୍କୁ ଭୁବନେଶ୍ବର ଡକାଯାଇ ସ୍ବତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷା ପଦବି ଦିଆଯାଇଥିଲା। ସେତେବେଳେ କୁସୁମ ଏହି ପଦବିକୁ ଅଗ୍ରାହ୍ୟ କରି ନ ଥିଲେ। ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷା ଭାବେ ଇତିମଧ୍ୟରେ ସେ ଅନେକ ସଭା ସମିତିରେ ଯୋଗ ଦେଇ ସାରିଛନ୍ତି।

ତେବେ ଆଜି ଅଚାନକ କୁସୁମ ଏହି ପଦବିରୁ ଇସ୍ତଫା ଦେବା ଚର୍ଚ୍ଚାର ବିଷୟ ହୋଇଛି। କୁସୁମ ତାଙ୍କ ଇସ୍ତଫାପତ୍ରରେ ବ୍ୟକ୍ତିଗତ କାରଣରୁ ଇସ୍ତଫା ଦେଉଥିବା ଉଲ୍ଲେଖ କରିଥିବା ବେଳେ ଗଣମାଧ୍ୟମକୁ ନିର୍ବାଚନ ଲଢିବା ପାଇଁ ଇସ୍ତଫା ଦେଉଥିବା କହିଛନ୍ତି। ଗଣମାଧ୍ୟମକୁ ସେ କହିଛନ୍ତି, ନିର୍ବାଚନରେ ତାଙ୍କୁ ଦଳୀୟ ଟିକେଟ୍‌ ମିଳିବ। ଦୁଇଟି ପଦବିରେ ସେ ରହିବେ ନାହିଁ। ନିର୍ବାଚନ ମଇଦାନକୁ ଓହ୍ଲାଇବାକୁ ନିଷ୍ପତ୍ତି ନେଇଥିବାରୁ ସେ ଇସ୍ତଫା ଦେଇଥିବା କହିଛନ୍ତି।

ଏପର୍ଯ୍ୟନ୍ତ ଦଳୀୟ ଟିକେଟ ପ୍ରସଙ୍ଗ ଫଇସଲା ହୋଇ ନ ଥିବାରୁ କୁସୁମ କେଉଁ ଦମ୍ଭରେ ବିଜେଡିରୁ ଲଢିବା ପାଇଁ କହୁଛନ୍ତି ତାହା ପ୍ରଶ୍ନବାଚୀ ସୃଷ୍ଟି କରିବା ସ୍ବାଭାବିକ। ଟିକେଟ୍ ବଣ୍ଟନ ପୂର୍ବରୁ ଇସ୍ତଫା ଦେଇ କୁସୁମ ଦଳର ହାଇକମାଣ୍ଡ ଉପରେ ଚାପ ସୃଷ୍ଟି କରୁଥିବା ତାଙ୍କ ବିରୋଧୀମାନେ କହୁଛନ୍ତି।

ବିଜେଡି ଟିକେଟ ନ ଦେଲେ ସେ ଅନ୍ୟ ଦଳକୁ ଯିବାନେଇ ଆଲୋଚନା କରିବାଲାଗି ତାଙ୍କର ଜଣେ ସମ୍ପର୍କୀୟ ଦିଲ୍ଲୀ ଯାଇଥିବା ଚର୍ଚ୍ଚା ହେଉଛି। ଶୁଣିବାକୁ ମିଳୁଛି ଯେ ସେ ବିଜେପିର ସଂସ୍ପର୍ଶରେ ଅଛନ୍ତି।

ସମ୍ବନ୍ଧିତ ଖବର