ଯାଜପୁରସଦର: ଯାଜପୁର ସହରର କୁସୁମା ପରିସରରେ ପାରିପାର୍ଶ୍ବିକ ଉନ୍ନୟନ ପାଣ୍ଠିରୁ ୮କୋଟି ଟଙ୍କା ବ୍ୟୟରେ ନିର୍ମିତ ୯ଟି କଟେଜ୍ ଥିବା ବିଳାସପୂର୍ଣ୍ଣ ବଙ୍ଗଳାକୁ ନେଇ ବିବାଦ ଥମୁନି। ଗତକାଲି ସାମ୍ବାଦିକ ସମ୍ମିଳନୀରେ ଯାଜପୁର ପୌରପାଳିକା ପକ୍ଷରୁ କୁହାଯାଇଥିବା ମିଛ ଧରାପଡ଼ିଯାଇଛି। କୁସୁମା ପରିସରରେ ବେଆଇନ୍ ଭାବେ ଏଭଳି ନିର୍ମାଣ ହୋଇଥିବା ବେଳେ ଏହାର କାର୍ପଟଦାରଙ୍କୁ ଖସାଇଦେବା ପାଇଁ ଉଦ୍ୟମ ହୋଇଥିବା ସ୍ପଷ୍ଟ ହେବାରେ ଲାଗିଛି। ଏହି ବଙ୍ଗଳା କ୍ରୀଡ଼ା ବିଭାଗକୁ ହସ୍ତାନ୍ତର ହୋଇଥିବା ପୌରପାଳିକା ପକ୍ଷରୁ କୁହାଯାଇଥିବା ବେଳେ କ୍ରୀଡ଼ା ବିଭାଗ ଏହାର ମୁହଁ ତୋଡ଼ ଜବାବ ଦେଇଛି।
ପୌରପାଳିକାର ମିଛ ଧରାପଡ଼ିଲା
ବିଳାସପୂର୍ଣ୍ଣ ବଙ୍ଗଳା ଦାୟିତ୍ବ ଜିଲ୍ଲା ପ୍ରଶାସନ ନେବ: ଜିଲ୍ଲାପାଳ
କମିଟି ଜରିଆରେ ପରିଚାଳନା ହେବ
ଚାବି କାହା ପାଖରେ ଏବେ ବି ଅସ୍ପଷ୍ଟ
ଏହି ବଙ୍ଗଳା କିଏ କରିଥିଲା ? କାହିଁକି କରାଯାଇଥିଲା ? ଏହାକୁ କେଉଁମାନେ ବ୍ୟବହାର କରୁଛନ୍ତି ? ଏହାର ଚାବି କାହା ପାଖରେ ଅଛି ? ଏଭଳି ପ୍ରଶ୍ନର ଉତ୍ତର ମିଳିପାରୁ ନାହିଁ। ତେବେ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ କହିଛନ୍ତି ସରକାରୀ ଅନୁଦାନରେ ନିର୍ମିତ ଏହି କଟେଜଗୁଡ଼ିକ ସର୍ବସାଧାରଣଙ୍କ ପାଇଁ ବ୍ୟବହାର ହେବ। କେହି ଦାବିଦାର ନଥିବାରୁ ପ୍ରଶାସନ ଏହାର ଦାୟିତ୍ବ ନେବ। ୭ ଜଣିଆ କମିଟି ଗଠନ କରି ଏ ସଂପର୍କିତ ନିଷ୍ପତ୍ତି ନିଆଯିବ ବୋଲି ଜିଲ୍ଲାପାଳ କହିଛନ୍ତି। ଯାଜପୁର ପୌରପାଳିକା ଜମିରେ ଏହି ବଙ୍ଗଳା ନିର୍ମାଣ ହୋଇଛି। କେଉଁ ଉଦ୍ଦେଶ୍ୟରେ ନିର୍ମାଣ ହୋଇଛି ତାହାର କୌଣସି ତଥ୍ୟ ନାହିଁ। ଏହାର ଦାବିଦାର କେହି ନାହାନ୍ତି ବୋଲି ଜିଲ୍ଲାପାଳ ଆଜି ସ୍ପଷ୍ଟ କରିଛନ୍ତି। ଏ ସଂପର୍କରେ ଆହୁରି ଅଧିକ ତଦନ୍ତ ଜାରି ରହିଛି ବୋଲି ସେ କହିଛନ୍ତି। ଯାଜପୁର ପୌରପାଳିକା ଅଧୀନରେ ଥିବା କୁସୁମା ୨୮ଏକର ୪୩ ଡିସିମିଲ ଜମି ଉପରେ ହୋଇଛି। ୨୦୧୮ରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟାନାୟକ ଏହାକୁ ଉଦ୍ଘାଟନ କରିଥିଲେ।
ଏଠାରେ ଜଳକ୍ରୀଡ଼ା, ୱାଟର ଫାଉଣ୍ଟେନ, ଶିଶୁ ଉଦ୍ୟାନ ଓ ଭଳି କି ଭଳି ଫୁଲ ଉଦ୍ୟାନ ଥିଲା। ତେବେ ଶିଶୁ ଉଦ୍ୟାନ ନଷ୍ଟ କରି ୯ଟି କଟେଜ୍ ଥିବା ବଙ୍ଗଳା ନିର୍ମାଣକୁ ବିବାଦ ଉପୁଜିଛି। ପୌର ଅଧ୍ୟକ୍ଷା, ଉପାଧ୍ୟକ୍ଷ ଓ ନିର୍ବାହୀ ଅଧିକାରୀଙ୍କ ଉପସ୍ଥିତିରେ ଗତକାଲି ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଏହା କ୍ରୀଡ଼ା ବିଭାଗ ଅଧୀନରେ ଅଛି ବୋଲି କୁହାଯାଇଥିଲା। କିନ୍ତୁ ଜିଲ୍ଲା କ୍ରୀଡ଼ା ଅଧିକାରୀ ଏବଂ ଜିଲ୍ଲା ପ୍ରଶାସନ ତୁରନ୍ତ ଏହାକୁ ମିଛ ପ୍ରମାଣିତ କରିଥିଲେ। ଏହି ବଙ୍ଗଳା ଯେ ବେଆଇନ୍ ଭାବେ ନିର୍ମାଣ ହୋଇଛି ତାହା ସ୍ପଷ୍ଟ ହୋଇଯାଇଛି। ଏଭଳି କି ଭୁଲ ଖବର ପାଇଁ ଗଣମାଧ୍ୟମ କ୍ଷମା ମାଗୁ ବୋଲି ପୌରାଧ୍ୟକ୍ଷ କହିବାକୁ ପଛେଇ ନଥିଲେ। କାହାକୁ ବଞ୍ଚାଇବାକୁ ଯାଇ ପୌର କର୍ତ୍ତୃପକ୍ଷ ଗଣମାଧ୍ୟମକୁ ଡାହା ମିଛ କହିଲେ ସେ ନେଇ ପ୍ରଶ୍ନ ଉଠୁଛି।