ରାଉରକେଲା/ସୁନ୍ଦରଗଡ଼ : ରଘୁନାଥପାଲି ନିର୍ବାଚନ ମଣ୍ଡଳୀର ନେତା ତଥା ବିଜୁ ଶ୍ରମିକ ସାମ୍ମୁଖ୍ୟର ରାଜ୍ୟ ସମ୍ପାଦକ ପ୍ରଶାନ୍ତ ସେଠୀ ବିଜେଡିରୁ ଇସ୍ତଫା ଦେଇଛନ୍ତି। ଗତକାଲି ଦଳରୁ ଇସ୍ତଫା ଦେଇଥିବା ସୁନ୍ଦରଗଡ଼ ନେତ୍ରୀ କୁସୁମ ଟେଟେ ଆଜି ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଛନ୍ତି। ପ୍ରଶାନ୍ତ ଖୁବ୍‌ଶୀଘ୍ର କଂଗ୍ରେସରେ ଯୋଗ ଦେବେ ବୋଲି ଜଣାପଡ଼ିଛି।

Advertisment

ରଘୁନାଥପାଲି ନିର୍ବାଚନ ମଣ୍ଡଳୀରେ ବିଧାୟକ ସୁବ୍ରତ ତରାଇଙ୍କ ପ୍ରାର୍ଥିତ୍ବକୁ ବିରୋଧ କରି ଆସୁଥିବା ପ୍ରଶାନ୍ତ ସେଠୀ ଆଜି ଦଳ ଛାଡ଼ିଛନ୍ତି। ବିଜେଡି ରାଜ୍ୟ ସଭାପତିଙ୍କ ନିକଟକୁ ପଠାଇଥିବା ଇସ୍ତଫା ପତ୍ରରେ ଟିକେଟ୍‌ ନ ମିଳିବା କାରଣରୁ ସେ ଇସ୍ତଫା ଦେଇଥିବା କହିଛନ୍ତି। ଆଜି ରାଉରକେଲା ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରଶାନ୍ତ କହିଛନ୍ତି ଯେ ଦୀର୍ଘ ୧୬ ବର୍ଷ ହେଲା ବିଜେଡିକୁ ମଜବୁତ କରିବା ପାଇଁ ସେ କାମ କରିଛନ୍ତି। ୨୦୦୯ ଓ ୨୦୧୪ରେ ସେ ବିଜେଡି ଟିକେଟ୍‌ ପାଇଁ ଅସଲ ଦାବିଦାର ଥିଲେ। କିନ୍ତୁ ତାଙ୍କୁ ନିରାଶ କରାଯାଇଥିଲା। ଏଥର ତାଙ୍କ ପ୍ରତି ବିଶ୍ବାସଘାତକତା କରାଯାଇଛି।

ପ୍ରଶାନ୍ତ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ କିଛି କହି ନ ଥିବା ବେଳେ ଦଳର ଅନ୍ୟ ପଦାଧିକାରୀ ଓ ଟିକେଟ୍‌ ବଣ୍ଟନରେ ପ୍ରମୁଖ ଭୂମିକା ଗ୍ରହଣ କରୁଥିବା ନେତା ଓ ପ୍ରଶାସକମାନଙ୍କୁ ସମାଲୋଚନା କରିଛନ୍ତି। ପ୍ରଶାନ୍ତ କେଉଁ ଦଳକୁ ଯିବେ ନିଜେ ଘୋଷଣା କରି ନଥିଲେ ମଧ୍ୟ ସେ ଖୁବ୍‌ଶୀଘ୍ର କଂଗ୍ରେସରେ ଯୋଗ ଦେଉଥିବା ତାଙ୍କ ସମର୍ଥକମାନେ କହିଛନ୍ତି। ଗତକାଲି ପ୍ରଶାନ୍ତ ସୁନ୍ଦରଗଡ଼ ଲୋକସଭା ଆସନର କଂଗ୍ରେସ ପ୍ରାର୍ଥୀ ତଥା ବୀରମିତ୍ରପୁର ବିଧାୟକ ଜର୍ଜ ତିର୍କୀଙ୍କୁ ଭେଟି ଆଲୋଚନା କରିଥିଲେ। ତେଣୁ ପ୍ରଶାନ୍ତ କଂଗ୍ରେସକୁ ଯାଇ ରଘୁନାଥପାଲି ନିର୍ବାଚନ ମଣ୍ଡଳୀରୁ ଲଢିବେ ବୋଲି ଆଲୋଚନା ଜୋର୍‌ ଧରିଛି।

ଯୋଗେଶ ସିଂହଙ୍କ ପ୍ରାର୍ଥିତ୍ବକୁ ବିରୋଧ କରି ଗତକାଲି ବିଜେଡିରୁ ଇସ୍ତଫା ଦେଇଥିବା ସୁନ୍ଦରଗଡ଼ ନେତ୍ରୀ କୁସୁମ ଟେଟେ ଆଜି ଭୁବନେଶ୍ବରରେ ବିଜେପି ରାଜ୍ୟ ସଭାପତିଙ୍କ ଉପସ୍ଥିତିରେ ଦଳରେ ଯୋଗ ଦେଇଛନ୍ତି। ତାଙ୍କୁ ସୁନ୍ଦରଗଡ଼ରୁ ବିଜେପି ଟିକେଟ୍ ମିଳିବ ବୋଲି ଚର୍ଚ୍ଚା ହେଉଛି। ତେବେ କୁସୁମଙ୍କୁ ବିଜେପିର ଟିକେଟ୍‌ ଆଶାୟୀ ଗୋଷ୍ଠୀ ବିରୋଧ କରୁଛନ୍ତି। ଏଭଳି ପରିସ୍ଥିତିରେ କୁସୁମଙ୍କୁ ଟିକେଟ୍ ମିଳିଲେ ‌ସେ ଯୋଗେଶଙ୍କୁ କିଭଳି ଟକ୍କର ଦେବେ ତାହା ଏବେ ନିର୍ବାଚନ ମଣ୍ଡଳୀରେ ଆଲୋଚନାର ବିଷୟ ହୋଇଛି। ତେବେ ୨୦୧୪ ମସିହାରେ କୁସୁମ ସୁନ୍ଦରଗଡ଼ ଆସନରୁ ନିର୍ବାଚନ ଲଢି ଯୋଗେଶଙ୍କ ଠାରୁ କମ୍ ଭୋଟ ବ୍ୟବଧାନରେ ପରାଜିତ ହୋଇଥିଲେ। ଗତ ୫ ବର୍ଷ ଧରି ଦଳୀୟ ସଂଗଠନକୁ ସୁଦୃଢ କରିବା ପରେ ଯୋଗେଶ ଟିକେଟ୍‌ ପାଇବାରୁ କୁସୁମ ଅସନ୍ତୁଷ୍ଟ ହୋଇଥିଲେ। ତାଙ୍କୁ ସନ୍ତୁଷ୍ଟ କରିବା ପାଇଁ ସୁନ୍ଦରଗଡ଼ ସ୍ବତନ୍ତ୍ର ପରିଷଦ ଅଧ୍ୟକ୍ଷ ପଦବି ଦିଆଯାଇଥିଲେ ମଧ୍ୟ ମାସେ ନ ପୁରୁଣୁ ସେ ଏଥିରୁ ଇସ୍ତଫା ଦେଇଥିଲେ।