ନୟାଗଡ଼ : ୨୦୦୮ ମସିହାରୁ ପ୍ରସ୍ତାବିତ ତଥା ବହୁ ପ୍ରତୀକ୍ଷିତ କୁସୁମୀ ଜଳସେଚନ ପ୍ରକଳ୍ପ(ବ୍ୟ‌ାରେଜ) ନିର୍ମାଣ କାର୍ଯ୍ୟ ନିମନ୍ତେ ଆଜି ଶୁଭ ଦିଆଯାଇଛି। ନୟାଗଡ଼ ବ୍ଲକ୍‌ ଅନ୍ତର୍ଗତ ବଡ଼ପଣ୍ଡୁସର ଗ୍ରାମ ପଞ୍ଚାୟତ ସୁନାଲଟିଠାରେ କୁସୁମୀ ନଦୀରେ ଏହି ବ୍ୟାରେଜ୍ ନିର୍ମାଣ କରାଯିବ। କୁସୁମୀ ବ୍ୟାରେଜ ନିର୍ମାଣ କାର୍ଯ୍ୟର ଏହି ଶୁଭାରମ୍ଭ ଉତ୍ସବରେ ଜିଲ୍ଲାର ଚାରି ବିଧାୟକଙ୍କ ସମେତ ପ୍ରଶାସନିକ ଅଧିକାରୀମାନେ ସାମିଲ ହୋଇଥିଲେ। ୧୮୨ କୋଟି ୪୫ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ହେବାକୁ ଥିବା ଏହି ବ୍ୟାରେଜ୍ ୨୦୨୧ ନଭେମ୍ବର ସୁଦ୍ଧା ଶେଷ କରିବାକୁ ଲକ୍ଷ୍ୟ ରଖା‌ଯାଇଛି। ଏହି ପ୍ରକଳ୍ପ ଦ୍ବାରା ଜିଲ୍ଲାର ନୟାଗଡ଼ ବ୍ଲକ୍‌ ଅଞ୍ଚଳର ୨୦୬୮ ହେକ୍ଟର ଚାଷଜମି ସମେତ ଖଣ୍ଡପଡ଼ାର ୭୪୦ ହେକ୍ଟର ଓ ଭାପୁରର ୧୯୨ ହେକ୍ଟର ଜମି ଜଳସେଚିତ ହେବ। ଚାଷୀମାନେ ବର୍ଷାଦିନିଆ ଫସଲ ସମେତ ଅନ୍ୟ ଦିନେ ମଧ୍ୟ ଫସଲ କରିପାରିବେ। ୯୬.୫୦ ମିଟର ଏହି ବ୍ୟାରେଜର ଲମ୍ବ ରହିଥିବା ବେଳେ ୮ଟି ଗେଟ୍ ରହିବ। ପୂଜାର୍ଚ୍ଚନା ସହିତ ନଡ଼ିଆ ଭାଙ୍ଗି ଅତିଥିମାନେ ଏହି ପ୍ରକଳ୍ପର ଶୁଭ ଦେଇଥିଲେ। ନୟାଗଡ଼ ବିଧାୟକ ତଥା କୃଷି ଓ ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ, ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ, ରଣପୁର ବିଧାୟକ ସତ୍ୟନାରାୟଣ ପ୍ରଧାନ, ଦଶପଲ୍ଲା ବିଧାୟକ ରମେଶ ବେ‌ହେରାଙ୍କ ସମେତ କେନ୍ଦ୍ରାଞ୍ଚଳ ଆର୍‌ଡିସି ଅନିଲ କୁମାର ସାମଲ, ଜିଲ୍ଲାପାଳ ଡ. ପୋମା ଟୁଡୁ, ଏସ୍‌ପି ଶଶିଭୂଷଣ ଶତପଥୀ, ପିଡି ସୁବାସ ଚନ୍ଦ୍ର ରାୟ, ଉପଜିଲ୍ଲାପାଳ ଲଗ୍ନଜିତ ରାଉତ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ଅତିଥିମାନେ ନଡ଼ିଆ ଭାଙ୍ଗି ପ୍ରକଳ୍ପ ଆରମ୍ଭ କରିବା ‌ନେଇ ଶୁଭ ଦେଇଥିଲେ। ସୁନାଲଟି ଗ୍ରାମର ବରିଷ୍ଠ ନାଗରିକ ପବିତ୍ର ମୋହନ ଦଳେଇ ମଧ୍ୟ ନଡ଼ିଆ ଭାଙ୍ଗିଥିଲେ। ପ୍ରକଳ୍ପର ଶୁଭ ଦିଆଯିବା ପରେ ଏକ ସଭାର ଆୟୋଜନ କରାଯାଇଥିଲା। ଏଥିରେ ସମସ୍ତ ଅତିଥି ସାମିଲ ହୋଇଥିଲେ। ନୟାଗଡ଼ ଜଳସମ୍ପଦ ବିଭାଗ ନିର୍ବାହୀ ଯନ୍ତ୍ରୀ ଅମରେନ୍ଦ୍ର ମହାପାତ୍ର ପ୍ରା‌ରମ୍ଭିକ ସୂଚନା ପ୍ରଦାନ କରି ପ୍ରକଳ୍ପ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ। ରଣପୁର ବିଧାୟକ ଶ୍ରୀ ପ୍ରଧାନ, ଦଶପଲ୍ଲା ବିଧାୟକ ଶ୍ରୀ ‌ବେହେରା, ଆର୍‌ଡିସି, ଜିଲ୍ଲାପାଳ ପ୍ରମୁଖ କୁସୁମୀ ଦ୍ବାରା ଚାଷୀଙ୍କ ଉନ୍ନତି ସାଧିତ ହୋଇପାରିବ ବୋଲି କହିଥିଲେ। ବ୍ୟାରେଜର ଚିଫ୍ ଇଞ୍ଜିନିୟର ଯଶୋବନ୍ତ ପରିଡ଼ା, ଅଧୀକ୍ଷଣ ଯନ୍ତ୍ରୀ ଚିନ୍ମୟ ରଞ୍ଜନ ରାଉତ, ନୟାଗଡ଼ ପଞ୍ଚାୟତ ସମିତି ଅଧ୍ୟକ୍ଷା ଗୋ‌ଲାପ ଦଳବେହେରା, ଜିଲ୍ଲା ପରିଷଦ ସଭ୍ୟ ଅରୁଣା ନାୟକ, ଇଟାମାଟି ସରପଞ୍ଚ ସୋନାଲିକା ମନ୍ଥନ ପ୍ରମୁଖ ଉପସ୍ଥିତ ଥି‌ଲେ।