ପରିବାଚାଷୀଙ୍କ ଗାଁ ଭାବେ ଜଣାଶୁଣା ଆଠମଲ୍ଲିକ ବ୍ଲକ୍‌ର କୁତାର୍ଥପୁରକୁ ରାସ୍ତା ନାହିଁ, ରାସ୍ତା ଅଭାବରୁ ଗାଁରୁ ବାହାରିବା ପାଇଁ ଗ୍ରାମବାସୀ ହେଉଛନ୍ତି ହନ୍ତସନ୍ତ

ଆଠମଲ୍ଲିକ : ଆଠମଲ୍ଲିକ ବ୍ଲକ୍‌ର କୁତାର୍ଥପୁର ପରିବାଚାଷୀଙ୍କ ଗାଁ ଭାବେ ଜଣାଶୁଣା। ଆଠମଲ୍ଲିକ ବଜାରକୁ ପନିପରିବା ଯୋଗାଉଥିବା ଏହି ଗାଁର ପରିସ୍ଥିତି କିନ୍ତୁ ଭଲ ନାହିଁ। ରାସ୍ତା, ସ୍କୁଲ୍‌ ଭଳି ମୌଳିକ ସୁବିଧାରୁ ଗାଁ ବଞ୍ଚିତ ହୋଇରହିଛି। ରାସ୍ତା ଅଭାବରୁ ଗାଁରୁ ବାହାରିବା ପାଇଁ ଅଧିବାସୀମାନେ ନାକେଦମ୍‌ ହେଉଛନ୍ତି।

ସୂଚନା ଅନୁଯାୟୀ, ନଅଗାଁ ପଞ୍ଚାୟତ ଅନ୍ତର୍ଗତ ଏହି ଗାଁରେ ୨୦ଟି ପରିବାର ବାସ କରୁଛି। ଜନସଂଖ୍ୟା ପ୍ରାୟ ୧୦୦ । ସମସ୍ତେ ଚାଷ ଉପରେ ନିର୍ଭରକରି ଚଳୁଛନ୍ତି। ପରିବା ଚାଷ ସେମାନଙ୍କର ମୁଖ୍ୟ ଜୀବିକା। ଗାଁକୁ ରାସ୍ତା ନିର୍ମାଣ ହୋଇନଥିବାରୁ ଗ୍ରାମବାସୀ ବହୁ ହନ୍ତସନ୍ତ ହେଉଛନ୍ତି। ବ୍ଲକ୍‌ ମହକୁମାଠାରୁ ଲିପିଲୋଇ ଗାଁ ଅଢ଼େଇ କି.ମି. ଓ ଲିପିଲୋଇ ଛକଠାରୁ କୁତାର୍ଥପୁର ୩ କି.ମି. ଦୂର। ଲିପିଲୋଇ ଛକରୁ କୁତାର୍ଥପୁର ଗାଁ ମଧ୍ୟରେ ପଡ଼ୁଛି ନାଳ। ଯେଉଁ ରାସ୍ତା ଅଛି ତାହା ଖାଲଖମାରେ ପୂରିଥିବାବେଳେ ଏବେ ବି ସେଥିରେ ପାଣି ଚାଲୁଛି। ବିଲହୁଡ଼ା, ନାଳ, ଖାଲଖମା ଅତିକ୍ରମ କରି ବଡ କଷ୍ଟରେ ଗ୍ରାମବାସୀ ପନିପରିବା ଧରି ଆଠମଲ୍ଲିକ ବଜାରରେ ପହଞ୍ଚୁଛନ୍ତି।

ସେହିପରି କୁତାର୍ଥପୁରରେ ସ୍କୁଲ୍‌ ନଥିବାରୁ ୩ କି.ମି. ଦୂର ଅନ୍ତରସିଙ୍ଗା ପ୍ରାଥମିକ ବିଦ୍ୟାଳୟରେ ଗାଁର ଛୋଟ ପିଲାମାନେ ପଢ଼ୁଛନ୍ତି। ବିଲମାଳ ଦେଇ ବହୁ କଷ୍ଟରେ ସେମାନେ ଯା’ଆସ କରୁଛନ୍ତି। କୁତାର୍ଥପୁରକୁ ଆମ୍ବୁଲାନ୍‌ସ ଯାଇପାରୁନାହିଁ। ରୋଗୀ, ଗର୍ଭବତୀ ମହିଳା କୌଣସିମତେ ଅନ୍ତରସିଙ୍ଗା ବା ଲିପିଲୋଇ ଗାଁରେ ପହଞ୍ଚି ସେଠାରୁ ଆଠମଲ୍ଲିକ ଡାକ୍ତରଖାନାକୁ ଆସୁଛନ୍ତି। ଏହି ଗାଁକୁ ରାସ୍ତା ନିର୍ମାଣ ପାଇଁ ଗତମାସ ୧ ତାରିଖରେ କୁତାର୍ଥପୁର, ହରିହରପୁର ଓ ଅନ୍ତରସିଙ୍ଗା ଗ୍ରାମବାସୀମାନେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ବିଡିଓଙ୍କୁ ଦାବିପତ୍ର ଦେଇଥିଲେ। ପରେ ବିଡିଓ ସଂଜୟ ଆଚାର୍ଯ୍ୟଙ୍କ ସମେତ ବ୍ଲକ୍‌ର ସହକାରୀ ଯନ୍ତ୍ରୀ ଓ ନିର୍ବାହୀ ଯନ୍ତ୍ରୀ କୁତାର୍ଥପୁରରେ ପହଞ୍ଚି ପରିସ୍ଥିତି ଅନୁଧ୍ୟାନ କରିଥିଲେ। ଏବେ ଗାଁକୁ ମାଟି ରାସ୍ତା ନିର୍ମାଣ କରାଯିବ ବୋଲି ବିଡିଓ ପ୍ରତିଶ୍ରୁତି ଦେଇଥିଲେ। ପରବର୍ତ୍ତୀ ସମୟରେ ଉକ୍ତ ରାସ୍ତାକୁ ଗ୍ରାମ୍ୟ ଉନ୍ନୟନ ବିଭାଗକୁ ହସ୍ତାନ୍ତର କରି ପକ୍କା ରାସ୍ତା ନିର୍ମାଣ କରାଯିବ ବୋଲି ସେ ପ୍ରକାଶ କରିଥିଲେ ।

ସମ୍ବନ୍ଧିତ ଖବର