ଯୋଜନାର ସୁଅ ଛୁଟୁଛି; ଘୁଞ୍ଚୁନି କୁଟିଆକନ୍ଧଙ୍କ ଦୁଃଖ!

୪୩୮୩ ପରିବାରର ୧୮ ହଜାରରୁ ଅଧିକ କୁଟିଆକନ୍ଧଙ୍କ ଭବିଷ୍ୟତ ନେଇ ସନ୍ଦିହାନ

ଭବାନୀପାଟଣା : କଳାହାଣ୍ଡି ଜିଲ୍ଲାରେ ଆଦିବାସୀମାନଙ୍କ ପାଇଁ ଯୋଜନା ପରେ ଯୋଜନାର ସୁଅ ଛୁଟିଛି। ଅଥଚ ବର୍ଷ ବର୍ଷ ଧରି ଘୁଞ୍ଚୁନି କୁଟିଆକନ୍ଧଙ୍କ ସର୍ବନିମ୍ନ ମୌଳିକ ଅଧିକାରର ଦୁଃଖ। କଳାହାଣ୍ଡି ଜିଲ୍ଲାରେ ଆଦିବାସୀମାନଙ୍କ ବିକାଶ ପାଇଁ ପ୍ରଥମେ ନର୍ଲା ନିର୍ବାଚନମଣ୍ଡଳୀ ଓ ବର୍ତ୍ତମାନ ଲାଞ୍ଜିଗଡ ବିଧାନସଭା ନିର୍ବାଚନ ମଣ୍ଡଳୀ ଆଦିବାସୀ ମାନଙ୍କ ପାଇଁ ସଂରକ୍ଷିତ ରହିଛି। ଆଦିବାସୀ ନେତାମାନେ ନିର୍ବାଚିତ ହେଲା ପରେ କୁଟିଆକନ୍ଧମାନଙ୍କ ଅଧିକାର ସପକ୍ଷରେ ଶକ୍ତ ଯୁକ୍ତି ଉପସ୍ଥାପନ କରିବା ପରିବର୍ତ୍ତେ ନିରବତା ଅବଲମ୍ବନ କରିବା ନେଇ ସାଧାରଣରେ ଉଦ୍‌ବେଗ ପ୍ରକାଶ ପାଇଛି।

ଅନୁସୂଚିତ ଜନଜାତି କୁଟିଆକନ୍ଧଙ୍କ ପାଇଁ ରାଜ୍ୟ ସରକାର ସ୍ଥାପନ କରିଛନ୍ତି କୁଟିଆକନ୍ଧ ଉନ୍ନୟନ ସଂସ୍ଥା (କେକେଡିଏ)। କୁଟିଆ କନ୍ଧଙ୍କ ସର୍ବାଙ୍ଗୀନ ଉନ୍ନତି ପାଇଁ ଏହି ସଂସ୍ଥା କାର୍ଯ୍ୟ କରୁଛି। ହେଲେ ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ, ପାନୀୟ ଜଳ ପରି ମୌଳିକ ଆବଶ୍ୟକତାରୁ ବଞ୍ଚିତ ହେଉଛନ୍ତି ଆଦିବାସୀ। ତଥାପି କେକେଡିଏ ପକ୍ଷରୁ କୌଣସି ଆଖିଦୃଶିଆ ବିକାଶ ହୋଇ ପାରିନାହିଁ। କେବଳ କାଗଜ କଲମରେ କୁଟିଆକନ୍ଧଙ୍କ ବିକାଶ ହୋଇଥିବା ବେଳେ ବାସ୍ତବ ଚିତ୍ର ଏବେ ସମ୍ପୂର୍ଣ୍ଣ ଅଲଗା। ନଳକୂପର ପାଣି ଟୋପାଏ ଏମାନଙ୍କ ପାଇଁ ସାତସପନ। ସରକାରଙ୍କ ବିଭିନ୍ନ ଆବାସ ଯୋଜନାରେ ଘର ମିଳୁଥିବା ବେଳେ ଆଜି ମଧ୍ୟ ଶହ ଶହ କୁଟିଆକନ୍ଧ ଝାଟି ମାଟି ଘରେ ମୁଣ୍ଡ ଗୁଞ୍ଜି ରହୁଛନ୍ତି। ହାତଗୁଞ୍ଜା ନଦେଲେ ପଞ୍ଚାୟତ ପ୍ରତିନିଧିମାନେ ଆବାସ ମଧ୍ୟ ଦେଉନଥିବା ଅଭିଯୋଗ ହୋଇଛି। ପଲ୍ଲୀସଭା ଓ ଗ୍ରାମସଭାରେ ବାସ୍ତବ ହିତାଧିକାରୀଙ୍କ ନାମ ଉଭାନ ହୋଇଯାଉଥିବା ବେଳେ ରାଜନୀତି ତୁଷ୍ଟୀକରଣ ଓ ହାତଗୁଞ୍ଜା ଦେଇଥିବା ଲୋକଙ୍କୁ ଉପଲବ୍ଧ ହେଉଛି। ଜଙ୍ଗଲ ଜମିପଟ୍ଟା ଓ ଭୂମିହୀନ ପଟ୍ଟାରୁ ବଞ୍ଚିତ ହଜାର ହଜାର ଆଦିବାସୀଙ୍କ ପାଇଁ ଜଙ୍ଗଲ ଜମି ଅଧିକାର ପ୍ରହସନ ପାଲଟିଛି। ଗୋଷ୍ଠୀଗତ ଜଙ୍ଗଲ ଜମି ଅଧିକାର ଓ ବ୍ୟକ୍ତି ଜଙ୍ଗଲ ଜମି ଅଧିକାରରୁ କୁଟିଆ କନ୍ଧମାନେ ବଞ୍ଚିତ ହେଉଛନ୍ତି। ଝରଣା ପାଣି, ପୁଷ୍ଟିକର ଖାଦ୍ୟର ଅଭାବ ସାଙ୍ଗକୁ ସ୍ବାସ୍ଥ୍ୟ ସଚେତନତା ଅଭାବ ଯୋଗୁ ଲୋକେ ବିଭିନ୍ନ ରୋଗରେ ଆକ୍ରାନ୍ତ ହୋଇ ଆର୍ଥିକ ମେରୁଦଣ୍ଡ ଦୋହୋଲି ଯିବାରେ ଲାଗିଛି। ଅପପୁଷ୍ଟିର ଶିକାର ହେଉଛନ୍ତି ଶିଶୁ ଓ ଗର୍ଭବତୀ ମହିଳା।

କୁଟିଆକନ୍ଧ ମାନଙ୍କ ବିକାଶ ପାଇଁ ୧୯୮୭ ମସିହାରେ ଲାଞ୍ଜିଗଡ଼ଠାରେ କେକେଡିଏ ସରକାରୀ ସଂସ୍ଥା ସ୍ଥାପନ ହୋଇଥିଲା। ଲାଞ୍ଜିଗଡ଼ ବ୍ଲକ୍‌ର ବାନିଗାଁ, ଡେଙ୍ଗସର୍ଗି, ସିମିଲିଭଟା, ବନଗୁଡା, ବେଲମ୍ବା, କପାଗୁଡା, କୋଟେନଡେଲି, ରେଙ୍ଗୋପାଲି, ଟୁରିଗୁଡ଼ା, ବାନିପଙ୍ଗା, ରସବଣ୍ଡେଲ, କେନ୍ଦୁଗଡ଼ା, ଭାଟଗୁଡ଼ା, ମସ୍କାଗୁଡ଼ା ସମେତ ୧୪ଟି ଗାଁରେ କେକେଡିଏ ଅର୍ଥ ଖର୍ଚ୍ଚ ହୋଇଛି। ସେହିଭଳି ଓପିଲେପ ମାଧ୍ୟମରେ ୪୧ଟି ଗାଁରେ ବିଦେଶୀ ଅନୁଦାନରେ ପ୍ରକଳ୍ପ ଚାଲିଛି। ସରକାରୀ ସର୍ଭେ ଅନୁଯାୟୀ ୮୭୫ କୁଟିଆକନ୍ଧ ପରିବାର ଥିବାବେଳେ ବର୍ତ୍ତମାନ ସର୍ଭେ ହୋଇଥିବା ୩ ଜହାର ୭୫ ପରିବାରର ୧୮ ହଜାରରୁ ଅଧିକ କୁଟିଆକନ୍ଧ ଜନସଂଖ୍ୟା ଅନୁମୋଦନ ପାଇଁ କେନ୍ଦ୍ର ସରକାରଙ୍କୁ ସୁପାରିସ୍‌ କରାଯାଇଛି। ବର୍ତ୍ତମାନ ପୂର୍ବରୁ ଅନୁମୋଦନ ହୋଇଥିବା ମାତ୍ର ୧୪ଟି ଗାଁରେ କେକେଡିଏ ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି। ଦୀର୍ଘଦିନ ପରେ ପ୍ରତିବର୍ଷ କୋଟି କୋଟି ଟଙ୍କା ସରକାରୀ ଅନୁଦାନ ଚଞ୍ଚକତା କରି ହରିଲୁଟ୍‌ ଚାଲିଛି। ବହୁ ଅର୍ଥ ଖର୍ଚ୍ଚ ନ ହୋଇ ପଡ଼ି ରହିଥିବା ବେଳେ ଅଣସର୍ଭେରେ ବହୁ ପରିବାର ବିଭିନ୍ନ ଯୋଜନାରୁ ବଞ୍ଚିତ ହେଉଛନ୍ତି। ବର୍ତ୍ତମାନ କେକେଡିଏର ମୁଖ୍ୟ କେହି ନଥିବା ବେଳେ ଜିଲ୍ଲା ମଙ୍ଗଳ ଅଧିକାରୀ ଦାୟିତ୍ବରେ ଅଛନ୍ତି। ଏହି ସଂସ୍ଥା ଲାଞ୍ଜିଗଡ଼ରେ ଏବଂ ଦାୟିତ୍ବରେ ଥିବା ମୁଖ୍ୟ ଭବାନୀପାଟଣାରେ ଅବସ୍ଥାପିତ ଥିବା ଯୋଗୁଁ କାଗଜପତ୍ର ଓ କାର୍ଯ୍ୟକାରିତା ନେଇ ବିଭାଗୀୟ କର୍ମଚାରୀମାନଙ୍କୁ ହଇରାଣ ହେବାକୁ ପଡୁଛି। ଏମାନଙ୍କ ପାଇଁ ସରକାରୀ ରାଜକୋଷରୁ କୋଟି କୋଟି ଟଙ୍କା ଆସୁଛି, କିନ୍ତୁ ବିକାଶର ନାମ ଗନ୍ଧ ନାହିଁ। ରାଜ୍ୟ ସରକାର, କେନ୍ଦ୍ର ସରକାର, ସ୍ଥାନୀୟ ବିଧାୟକ, ସାଂସଦ କିମ୍ବା ପ୍ରଶାସନ କାହା ପାଖରେ ଗୁହାରି କରି ଲାଭ ହେଉନଥିବା ଅଭିଯୋଗ ହେଉଛି। କୁଟିଆକନ୍ଧଙ୍କୁ ନେଇ ଭୋଟ ରାଜନୀତି ଚାଲିଥିବା ବେଳେ କୋଟି କୋଟି ଟଙ୍କା ଖର୍ଚ୍ଚ ନହୋଇ ପଡ଼ିରହିଛି। ଫଳରେ ବିକାଶ ଠପ୍‌ ହୋଇ ପଡୁଛି। ଏ ନେଇ ଜିଲ୍ଲା ମଙ୍ଗଳ ଅଧିକାରୀ ବୁଦ୍ଧଦେବ ପଣ୍ଡାଙ୍କୁ ପଚାରିବାରୁ ଅନୁଦାନ ଆସୁଛି ଅଥଚ ଲୋକଙ୍କ ସହଯୋଗ ଅଭାବରୁ ଖର୍ଚ୍ଚ ନହୋଇ ପଡ଼ି ରହୁଛି ବୋଲି କହିଥିଲେ। ତୁରନ୍ତ ରାଜ୍ୟ ସରକାର କୁଟିଆକନ୍ଧମାନଙ୍କ ବିକାଶ ପାଇଁ ପଦକ୍ଷେପ ନେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର