କୋଟିଆ ପଞ୍ଚାୟତରେ ୧୮ କୋଟି ଟଙ୍କାର ପ୍ରକଳ୍ପର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍‌ଫରେସନ୍‌ସିଂ ମାଧ୍ୟମରେ କୋରାପୁଟ ଜିଲ୍ଲାର ପଟାଙ୍ଗି ଅଞ୍ଚଳର କୋଟିଆ ପଞ୍ଚାୟତ ପାଇଁ ୧୮ କୋଟି ଟଙ୍କାର ବିଭିନ୍ନ ପ୍ରକଲ୍ପର ଶୁଭାରମ୍ଭ କରିଛନ୍ତି। ଏଥିମଧ୍ୟରୁ ୧୩ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଉଦ୍‌ଘାଟନ ହୋଇଥିବା ବେଳେ ୫ କୋଟି ଟଙ୍କାର ଗୋଟିଏ ଉଚ୍ଚ ସେତୁ ପାଇଁ ମଧ୍ୟ ଭିତ୍ତିପ୍ରସ୍ତର ରଖାଯାଇଛି । ସେଠାରେ ସମୁଦାୟ ୧୫୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପ କାମ ଜାରି ରହିଛି।

ସୂଚନାଯୋଗ୍ୟ ଯେ, ମୁଖ୍ୟମନ୍ତ୍ରୀ ୨୦୧୮ରେ କୋଟିଆ ପଞ୍ଚାୟତର ବିକାଶ ପାଇଁ ୧୫୦ କୋଟି ଟଙ୍କାର ପ୍ରକଳ୍ପ ଘୋଷଣା କରିଥିଲେ। ଏହା ପରଠାରୁ କୋଟିଆ ପଞ୍ଚାୟତରେ ଶିକ୍ଷା, ସ୍ବାସ୍ଥ୍ୟ, ଯୋଗାଯୋଗ, ପିଇବା ପାଣି, ବିଜୁଳି ଆଦି ସବୁ ସୁବିଧାର ବିକାଶ କରାଯାଇଛି । ଖାଦ୍ୟ ସୁରକ୍ଷାଠାରୁ ଆରମ୍ଭ କରି ସାମାଜିକ ନିରାପତ୍ତା ଯୋଗାଇ ଦିଆଯାଉଛି। ଜୀବନଜୀବିକା ପାଇଁ ମଧ୍ୟ ପଦକ୍ଷେପ ନିଆଯାଇଛି।

ମୁଖ୍ୟମନ୍ତ୍ରୀଙ୍କ କହିବା ମୁତାବକ, ମାଲକାନଗିରିରୁ ମୟୁରଭଞ୍ଜ, କୋରାପୁଟରୁ କଟକ, ସବୁ ଅଞ୍ଚଳର ବିକାଶ ପାଇଁ ସେ କାମ କରୁଛନ୍ତି । ବିକାଶର ସୁଫଳ ପ୍ରତି ପରିବାର ପାଖରେ ପହଞ୍ଚାଇବା ପାଇଁ, ରାଜ୍ୟର ସବୁ କୋଣ ଅନୁକୋଣରେ ପହଞ୍ଚାଇବା ପାଇଁ କାମ କରାଯାଉଛି। ଓଡ଼ିଶା ଆମର ମା’ । ଓଡ଼ିଆ ଆମର ଭାଷା । ମହାପ୍ରଭୁ ଜଗନ୍ନାଥ ଆମର ବଡ଼ ଠାକୁର । ଜଗନ୍ନାଥ ସଂସ୍କୃତି ଆମର ସଂସ୍କୃତି। କୋରାପୁଟକୁ ଆମେ ଦ୍ବିତୀୟ ଶ୍ରୀକ୍ଷେତ୍ର ବୋଲି କହିଥାଉ । ସ୍ବାଧୀନତା ସଂଗ୍ରାମରେ ମଧ୍ୟ କୋରାପୁଟ ବଡ଼ ଭୂମିକା ବିଷୟରେ ଆଲୋକପାତ କରି ସେ ଏହି ଅବସରରେ ସହିଦ ଲକ୍ଷ୍ମଣ ନାୟକଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।

ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ପଦ୍ମିନୀ ଦିଆନ କହିଥିଲେ ଯେ, ମୁଖ୍ୟମନ୍ତ୍ରୀଙ୍କ ଦୂରଦୃଷ୍ଟି ଓ ବିକାଶମୂଳକ କାର୍ଯ୍ୟକ୍ରମ ଯୋଗୁ କୋଟିଆ ପଞ୍ଚାୟତରେ ବହୁତ ଉନ୍ନତି ଆସିଛି। ଗାଁର ଲୋକମାନେ ରାସ୍ତାଘାଟ, ପାଣି, ବିଜୁଳି, ଶିକ୍ଷା ଆଦି ବିଭିନ୍ନ ସୁବିଧା ପାଇପାରୁଛନ୍ତି। ଏଥିପାଇଁ ସେ ମୁଖ୍ୟମନ୍ତ୍ରୀଙ୍କ ନିକଟରେ କୃତଜ୍ଞତା ପ୍ରକାଶ କରିଥିଲେ ।

କୋରାପୁଟ ଓ ପଟାଙ୍ଗିର ବିଧାୟକ ମଧ୍ୟ ଏହି ଅବସରରେ ନିଜର ମତବ୍ୟକ୍ତ କରି କୋଟିଆ ଆଞ୍ଚଳର ବିକାଶ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିକଟରେ କୃତଜ୍ଞତା ପ୍ରକାଶ କରିଥିଲେ। କୋଟିଆ ପଞ୍ଚାୟତର ପ୍ରତିନିଧି ଓ ସ୍ବୟଂ ସହାୟକ ଗୋଷ୍ଠୀ ସଦସ୍ୟାମାନେ ମଧ୍ୟ ଏହି ଅବସରରେ ନିଜର ମତାମତ ରଖି କୋଟିଆ ପଞ୍ଚାୟତ ଏବଂ ସାରା ଜିଲ୍ଲାରେ ବିଭିନ୍ନ କାର୍ଯ୍ୟକ୍ରମର ସୁଫଳ କିପରି ଲୋକମାନେ ପାଉଛନ୍ତି, ସେ ବିଷୟରେ ଆଲୋକପାତ କରିଥିଲେ ।

ଏହି କାର୍ଯ୍ୟକ୍ରମକୁ ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି.କେ ପାଣ୍ଡିଆନ ସଂଯୋଜନା କରିଥିବା ବେଳେ କୋରାପୁଟ ଜିଲ୍ଲାପାଳ ସ୍ବାଗତ ଭାଷଣ ଦେଇଥିଲେ ଏବଂ ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ନିର୍ଦ୍ଦେଶକ ଧନ୍ୟବାଦ ଅର୍ପଣ କରିଥିଲେ । କୋଟିଆ ଅଞ୍ଚଳର ବିକାଶ ଉପରେ ଏକ ସ୍ବତନ୍ତ୍ର ବୃତ୍ତ ଚିତ୍ର ଏହି ଅବସରରେ ପ୍ରଦର୍ଶନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ, ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଏବଂ ଅର୍ଥ ବିଭାଗର ପ୍ରମୁଖ ସଚିବ ଆଦି ଉପସ୍ଥିତ ଥିଲେ ।

ସମ୍ବନ୍ଧିତ ଖବର