ବିକାଶର ଅନ୍ଧାରୀ ମୂଲକ କୁଟ୍ରୁମାଳି

ସର୍ବନିମ୍ନ ମୌଳିକ ସେବା ସାତ ସପନ, ଗାଁ ଦେଖିନାହାନ୍ତି ଅଧିକାରୀ, ରାଜନେତା

ଭବାନୀପାଟଣା : ଦେଶ ସ୍ବାଧୀନ ହେବାର ୭୧ ବର୍ଷ ବିତି ଯାଇଥିଲେ ସୁଦ୍ଧା କଳାହାଣ୍ତି ଜିଲ୍ଳାର ଅନେକ ଗାଁ ବିକାଶ ଠାରୁ ଏବେ ବି ବହୁ ଦୂରରେ। ରାସ୍ତା ଠାରୁ ଆରମ୍ଭ କରି ମୋବାଇଲ ସେବା, ସବୁଥିରୁ ଏମାନେ ବଞ୍ଚିବ। କଳାହାଣ୍ତି ଜିଲ୍ଲାର ଏହି ଭଳି ଏକ ଗାଁ କୁଟ୍ରୁମାଳି। ଥୂଆମୂଳ ରାମପୁର ବ୍ଲକର କେରପାଇ ପଞ୍ଚାୟତର ଏହି ଗାଁଟି ସମାଜର ମୁଖ୍ୟ ସ୍ରୋତରୁ ବିଚ୍ଛିନ୍ନ।

ରାସ୍ତା ନଥିବାରୁ ଏହି ଗାଁକୁ କେବେହେଲେ ୧୦୮ ଓ ୧୦୨ ଆମ୍ବୁଲାନ୍ସ ଆସିପାରେ ନାହିଁ। ଅପପୁଷ୍ଟି ଦ୍ବାରା ଅଧିକା˚ଶ ଶିଶୁ ଓ ମହିଳା ଆକ୍ରାନ୍ତ। ସବୁଠୁ ଦୁଃଖର କଥା ହେଲା, ବର୍ଷ ବର୍ଷ ଧରି ପ୍ରଶାସନ ଓ ରାଜନେତାଙ୍କ ଦୃଷ୍ଟି ଆଢ଼ୁଆଳରେ ଗ୍ରାମବାସୀ ରହି ଆସିଛନ୍ତି। ମାଓପ୍ରବଣ ଜଙ୍ଗଲି ମୂଲକରେ ରହୁଥିବା ଏହି ଲୋକଙ୍କ ସାମ୍ବିଧାନିକ ମୌଳିକ ଅଧିକାର ସତେ ଯେପରି ହଜିଯାଇଛି।

ଏହା ଏକ ରାଜସ୍ବ ଗ୍ରାମ ହୋଇଥିବା ବେଳେ ପ୍ରାୟ ୬୦ଟି ପରିବାର ପାହାଡ଼ ଉପରେ ବାସ କରନ୍ତି। ଗାଁରେ ବସବାସ କରୁଥିବା ଆଦିବାସୀମାନେ ମୁଖ୍ୟତଃ ମକା ଓ ମାଣ୍ତିଆ ଚାଷ ଏବ˚ ଜଙ୍ଗଲ ଜାତ ଦ୍ରବ୍ୟ ସ˚ଗ୍ରହ କରି ପରିବାର ପ୍ରତିପୋଷଣ କରିଥାନ୍ତି। ଜିଲ୍ଲା ମୁଖ୍ୟ ଦପ୍ତର ଠାରୁ ୭୬ କିମି ଦୂର କୁଟ୍ରୁପାଲିରେ ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ, ପାନୀୟ ଜଳ ସମେତ ବହୁ ସରକାରୀ ଯୋଜନା ଏଠାରେ ପହଞ୍ଚି ନାହିଁ ା ଜଙ୍ଗଲି ରାସ୍ତା ଦେଇ ଲୋକ ଯାତାୟାତ କରନ୍ତି। ୧୯୯୨-୯୩ ମସିହାରେ ଏଲ ଆଣ୍ତ୍‌ ଟି କମ୍ପାନି କୁଟ୍ରୁମାଳି ଜଙ୍ଗଲରେ ବକ୍ସସାଇଟ ଖୋଳିବା ପାଇଁ ଜଙ୍ଗଲ ଉପରକୁ ଏକ କାମଚଳା ରାସ୍ତା ତିଆରି କରିଥିଲା। ସେହି ଦିନ ଠାରୁ ଅଦ୍ୟାବଧି ୨୫ ବର୍ଷ ହେବ ଏହି ରାସ୍ତା ଲୋକମାନଙ୍କ ଲାଇଫଲାଇନ ସାଜିଛି। ରୋଗୀଙ୍କୁ ଡାକ୍ତରଖାନା ଆଣିବା ପାଇଁ ଏଠି ଦୋଳା ଭରଷା। ଉଚ୍ଚ ପଦସ୍ଥ ସରକାରୀ ଅଧିକାରୀ କିମ୍ବା ଜନ ପ୍ରତିନିଧିଙ୍କ ଏହି ଗାଁରେ କେବେ ପାଦ ପକାନ୍ତି ନାହିଁ ା ଗାଁରେ ଏକ ପ୍ରାଥମିକ ବିଦ୍ୟାଳୟ ଅଛି। ଏଠାରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଥିବା ବେଳେ ଅଛନ୍ତି ଜଣେ ଶିକ୍ଷକ। ଶିକ୍ଷା ଓ ସାକ୍ଷରତା ପ୍ରତି ସଚେତନତା ନଥିବାରୁ ଗାଁ ପିଲାଙ୍କ ପାଠ ପ୍ରତି ଆଗ୍ରହ ନାହିଁ। ସ୍କୁଲରେ ଜଣେ ଶିକ୍ଷକ ଥିବାବେଳେ କୌଣସି ଅଫିସ କାମରେ ଆସିଲେ ସ୍କୁଲରେ ତାଲା ଝୁଲିଥାଏ ।

ଗାଁକୁ ମୋବାଇଲ ନେଟୱାର୍କ ନଥିବାରୁ ଆମ୍ବୁଲାନ୍ସ ଗାଡ଼ିକୁ ଡକାଯାଇ ପାରେ ନାହିଁ। ଇନ୍ଦିରା ଆବାସ, ବିଜୁ ପକ୍କା ଘର,ମୋ କୁଡିଆ ସମେତ ବିଭିନ୍ନ ଆବାସ ଯୋଜନା ବାବଦରେ ଗ୍ରାମବାସୀ ଅଜ୍ଞ। ଗାଁରେ ଗୋଟିଏ ପରିବାରକୁ ଆବାସ ଯୋଜନାରେ ସାମିଲ କରାଯାଇ ପାରି ନଥିବା ବେଳେ ବହୁତ କମ ଲୋକଙ୍କ ପାଖରେ ରାସନକାର୍ଡ ଅଛି। ବୁଢାବୁଢୀ ଓ ବିଧବା ଥିଲେ ସୁଦ୍ଧା ଏମାନଙ୍କ ନାମ ସୁପାରିଶ କରାଯାଇ ନାହିଁ କି ଭତ୍ତା ମଧୢ ଏମାନଙ୍କୁ ମିଳୁ ନାହିଁ ା ମନରେଗା ବିଷୟରେ ନିରୀହ ଆଦିବାସୀ କିଛି ଜାଣନ୍ତି ନାହିଁ କିମ୍ବା କେହି ଏମାନଙ୍କୁ ଏ ବାବଦରେ ସଚେତନ କରି ନାହାନ୍ତି।

ପାନୀୟ ଜଳ ପାଇଁ ଗାଁ’ରେ ପୁରୁଷ ପୁରୁଷ ଧରି ଝରଣାପାଣିକୁ ବ୍ୟବହାର କରି ଆସୁଛନ୍ତି। ଗାଁରେ ନଳକୂଅ ନାହିଁ। ଝରଣା ଜଳ ସ˚ଗ୍ରହ ପାଇଁ ଦୁଇ କିଲୋମିଟର ଯିବାକୁ ପଡେ଼। ଫଳରେ ଦୁଷିତ ଝରଣା ପାଣି ପିଇ ବହୁଲୋକ ରୋଗାକ୍ରାନ୍ତ ହେଉଛନ୍ତି। ଗାଁରେ ଅଙ୍ଗନବାଡି କେନ୍ଦ୍ର ନାହିଁ। ଅପପୁଷ୍ଠିର ଶିକାର ହୋଇ ବହୁ ଶିଶୁ ଅକାଳରେ ମୃତ୍ୟୁବରଣ କରୁଛନ୍ତି। ଆଦିବାସୀମାନେ ବର୍ଷ ବର୍ଷ ଧରି ଅବହେଳାର ଶିକାର ହେବା ଯୋଗୁ ରାଜନେତା କିମ୍ବା ସରକାରୀ ବାବୁ ମାନଙ୍କ ଉପରେ ଏମାନଙ୍କ ଭରଷା ନାହିଁ। ପାହାଡ ଉପରେ ଗାଁ ଥିବାରୁ ମାଓବାଦୀମାନେ ଏଠାରେ ଅନ୍ୟାୟସରେ ଚଳପ୍ରଚଳ କରିଥାନ୍ତି। ଜଙ୍ଗଲଜାତ ଦ୍ରବ୍ୟ ଏମାନଙ୍କ ବଞ୍ଚିବାର ଏକମାତ୍ର ଭରଷା ହୋଇଥିବା ବେଳେ କୁଟ୍ରୁମାଳି ଗାଁ ଲୋକଙ୍କ ଉପଯୁକ୍ତ ମୂଲ୍ୟ ମିଳେ ନାହିଁ। ସରକାରଙ୍କ ଅଣଦେଖା ଯୋଗୁ ବର୍ଷବର୍ଷ ଧରି ନିଜ ବିକାଶ ଖୋଜୁଥିବା କଳାହାଣ୍ତି ଜିଲ୍ଲାର କୁଟ୍ରୁମାଳି ଭ୍ରାମବାସୀଙ୍କୁ କେବେ ମିଳିବ ସେମାନେ ଅପେକ୍ଷା କରିଛନ୍ତି।

ସମ୍ବନ୍ଧିତ ଖବର