ଭୁବନେଶ୍ବର : ଓଡ଼ିଶାର ସ୍ବନାମଧନ୍ୟ ‌କବି ରାଜେନ୍ଦ୍ର କିଶୋର ପଣ୍ଡାଙ୍କୁ ୨୦୨୦ ମସିହା ପାଇଁ ‘କୁଭେମ୍ପୁ ରାଷ୍ଟ୍ରୀୟ ପୁରସ୍କାର’ ପ୍ରଦାନ କରାଯିବ। ଏହି ରାଷ୍ଟ୍ରୀୟ ପୁରସ୍କାର ପାଇବାକୁ ଓଡ଼ିଶାରୁ ପ୍ରଥମ ଥର ପାଇଁ କବି ଶ୍ରୀ ପଣ୍ଡା ଯୋଗ୍ୟ ବିବେଚିତ ହୋଇଛନ୍ତି। ପୁରସ୍କାର ବାବଦ ୫ ଲକ୍ଷ ଟଙ୍କା ସହ ରୌପ୍ୟ ପଦକ ପ୍ରଦାନ କରାଯିବ। ପ୍ରଫେସର ହମ୍ପା ନାଗରାଜୈହଙ୍କ ସଭାପତିତ୍ବରେ ଗଠିତ ତିନି ଜଣିଆ କମିଟିରେ କନ୍ନଡ଼ କବି ଏଚ୍‌ ଏସ୍‌ ଶିବପ୍ରକାଶ, କେନ୍ଦ୍ର ସାହିତ୍ୟ ଅକାଦେମିର ପୂର୍ବତନ ସଚିବ ଅଗ୍ରାହାର କ୍ରିଷ୍ଣମୂର୍ତ୍ତି ଓ ପ୍ରସିଦ୍ଧ ବଙ୍ଗଳା ଲେଖକ ଶ୍ୟାମଲ୍‌ ଭଟ୍ଟାଚାର୍ଯ୍ୟ ଏହି ନିଷ୍ପତ୍ତି ଗ୍ରହଣ କରିଛନ୍ତି। ‘ରାଷ୍ଟ୍ରକବି କୁଭେମ୍ପୁ ପ୍ରତିଷ୍ଠାନ’ର ସମ୍ପାଦକ କଡ଼ିଦାଲ ପ୍ରକାଶ ଏହି ସୂଚନା ଦେଇଛନ୍ତି।

Advertisment

ଶ୍ରୀ ପଣ୍ଡା ଅତ୍ୟନ୍ତ ଖୁସି ବ୍ୟକ୍ତ କରିବା ସହିତ ପ୍ରଥମ ଥର ପାଇଁ ଓଡ଼ିଶାକୁ ଏହି ମର୍ଯ୍ୟାଦାଜନକ ପୁରସ୍କାର ମିଳୁଥିବାରୁ ପ୍ରତିଷ୍ଠାନକୁ ଧନ୍ୟବାଦ ଜଣାଇଛନ୍ତି। ପୁରସ୍କାର ବାବଦକୁ ମିଳିବାକୁ ଥିବା ଅର୍ଥରାଶିକୁ ସେ ଓଡ଼ିଆ ଭା‌ଷାର ଉନ୍ନତି ପାଇଁ ‘ଓଡ଼ିଆ ବର୍ଣ୍ଣମାଳା’କୁ ଦାନ କରିବେ ବୋଲି କହିଛନ୍ତି। ପ୍ରକାଶଯୋଗ୍ୟ ଯେ ପ୍ରଖ୍ୟାତ କବି କୁଭେମ୍ପୁଙ୍କ ସ୍ମୃତିରେ ୧୯୯୨ ମସିହାରେ ରାଷ୍ଟ୍ରକବି କୁଭେମ୍ପୁ ପ୍ରତିଷ୍ଠାନ ପ୍ରତିଷ୍ଠା ହୋଇଥିଲା। ୨୦୧୩ ମସିହାରୁ ପ୍ରତିଷ୍ଠାନ ପକ୍ଷରୁ ପ୍ରତିବର୍ଷ ଭିନ୍ନ ଭିନ୍ନ ଭାଷାର ଲେଖକ ଓ କବିମାନଙ୍କୁ ସମ୍ମାନିତ କରାଯାଉଛି। ଶ୍ରୀ ପଣ୍ଡା ବର୍ତ୍ତମାନ ସୁଦ୍ଧା ୧୬ଟି କବିତା ସଙ୍କଳନ ଓ ଏକ ଉପନ୍ୟାସ ରଚନା କରି ସାରିଛନ୍ତି। ସେ ୨୦୧୦ରେ ଗଙ୍ଗାଧର ଜାତୀୟ ପୁରସ୍କାର ପାଇଥିବା ବେଳେ ୧୯୮୫ରେ ସାହିତ୍ୟ ଅକାଦେମି ପୁରସ୍କାରରେ ସମ୍ମାନିତ ହୋଇଛନ୍ତି।