ଭୁବନେଶ୍ୱରଭୁବନେଶ୍ୱର ଲୋକସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ୧୦୦ଜଣ କୁମ୍ଭାରଙ୍କୁ ବିଦ୍ୟୁତ ଚାଳିତ ଚକ, ୭୫ ଜଣ ଜୋତା କାରିଗରଙ୍କୁ ଜୋତା ତିଆରି ଉପକରଣ ଏବଂ ୬୦ ଜଣ କାରୀଗରଙ୍କୁ କାଗଜ ଠୁଙ୍ଗା ତିଆରି ମେସିନ୍‌ ବିତରଣ କରାଯାଇଛି । ଭାରତ ସରକାରଙ୍କ ଲଘୁ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ ମନ୍ତ୍ରଣାଳୟ ଅଧୀନ ଖଦୀ ଓ ଗ୍ରାମୋଦ୍ୟୋଗ ଆୟୋଗ (କେଭିଆଇସି)ର ଅଧ୍ୟକ୍ଷ ମନୋଜ କୁମାର ଏବଂ ଭୁବନେଶ୍ୱର ସାଂସଦ ଅପରାଜିତ ଷଡ଼ଙ୍ଗୀ ଏସବୁ ସାମଗ୍ରୀ ବଣ୍ଟନ କରିଛନ୍ତି।

Advertisment

ଭୁବନେଶ୍ୱରସ୍ଥିତ କଳିଙ୍ଗ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ଡଷ୍ଟ୍ରିଆଲ ଟେକ୍ନୋଲୋଜି (କିଟ୍‌) ପରିସରରେ ଶୁକ୍ରବାର ଗ୍ରମୋଦ୍ୟୋଗ ବିକାଶ ଯୋଜନା ଅନ୍ତର୍ଗତ ଉପକରଣ ବିତରଣ କାର୍ଯ୍ୟକ୍ରମ, ଶିଳ୍ପୀ ସମ୍ମିଳନୀ ଓ ମାଟି ତିଆରି ସାମଗ୍ରୀ ପ୍ରଦର୍ଶନୀ ଆୟୋଜନ କରାଯାଇଥିଲା। ଏହାକୁ ସମ୍ବୋଧିତ କରି ମୁଖ୍ୟ ଅତିଥି ତଥା ଭୁବନେଶ୍ୱର ସାଂସଦ ଶ୍ରୀମତୀ ଷଡ଼ଙ୍ଗୀ କହିଥିଲେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଖଦୀ ଓ ଗ୍ରାମୋଦ୍ୟୋଗ ଆୟୋଗ ଗତ ୯ ବର୍ଷ ମଧ୍ୟରେ ପ୍ରଶଂସନୀୟ କାର୍ଯ୍ୟ କରିଛି। ଗ୍ରାମୀଣ ଭାରତରେ ନିଯୁକ୍ତି ସୁଯୋଗ ସୃଷ୍ଟି କ୍ଷେତ୍ରରେ କେଭିଆଇସି ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରି ଆତ୍ମନିର୍ଭର ଭାରତର ସ୍ୱପ୍ନକୁ ସାକାର କରୁଛି । କାର୍ଯ୍ୟକ୍ରମରେ କେଭିଆଇସି ପୂର୍ବ ଜୋନ୍‌ ସଦସ୍ୟ ମନୋଜ କୁମାର ସିଂ ଉପସ୍ଥିତ ଥିଲେ।

ବିତରଣ କାର୍ଯ୍ୟକ୍ରମରେ ଉଦବୋଧନ ଦେଇ କେଭିଆଇସି ଅଧ୍ୟକ୍ଷ ମନୋଜ କୁମାର କହିଥିଲେ, ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ବିଗତ ୯ ବର୍ଷ ମଧ୍ୟରେ ବିଶ୍ୱର ପ୍ରତ୍ୟେକ ମଞ୍ଚରେ ଭାରତର ଜାତୀୟ ଐତିହ୍ୟ ଖଦୀକୁ ପ୍ରୋତ୍ସାହିତ କରିଛନ୍ତି। ତାଙ୍କର ପ୍ରୟାସ ବଳରେ ଖଦୀ ଆଜି ‘ଗ୍ଲୋବାଲ୍‌ ବ୍ରାଣ୍ଡ’ରେ ପରିଣତ ହୋଇଛି । ସେ ଆହୁରି କହିଥିଲେ, ଦେଶର ସ୍ୱାଧୀନତା ସଂଗ୍ରାମ ସମୟରେ ଯେଉଁ ଖଦୀକୁ ଜାତିର ପିତା ମହାତ୍ମା ଗାନ୍ଧୀ ସ୍ୱଦେଶୀ ଆନ୍ଦୋଳନର ଅସ୍ତ୍ର କରିଥିଲେ। ଆଜିର ସମସାମୟିକ ଯୁଗରେ ସେହି ଖଦୀକୁ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ବିଗତ ୯ ବର୍ଷ ଧରି ଦାରିଦ୍ର୍ୟ ଦୂରୀକରଣ, ଶିଳ୍ପୀଙ୍କ ସଶକ୍ତିକରଣ, ଖାଦ୍ୟ ସୁରକ୍ଷା, ମହିଳା ସଶକ୍ତିକରଣ ଓ ବେକାରୀ ଦୂରୀକରଣର ସବୁଠୁ ସଶକ୍ତ, ସକ୍ଷମ ଓ ସଫଳ ‘ଅସ୍ତ୍ର ଓ ଶସ୍ତ୍ର’ରେ ପରିଣତ କରିଛନ୍ତି । ତାଙ୍କ ନେତୃତ୍ୱରେ ବିଗତ ଆର୍ଥିକ ବର୍ଷରେ ଇତିହାସ ରଚିବା ସହିତ ଖଦୀ ଓ ଗ୍ରାମୋଦ୍ୟୋଗ ଉତ୍ପାଦ କାରବାର ୧.୩୪ ଲକ୍ଷ କୋଟି ଟଙ୍କା ଅତିକ୍ରମ କରିଯାଇଛି ।

ନୀତି ଆୟୋଗର ତଥ୍ୟର ଉଦାହରଣ ଦେଇ କେଭିଆଇସି ଅଧ୍ୟକ୍ଷ କହିଥିଲେ ଯେ ବିଗତ ୫ ବର୍ଷ ମଧ୍ୟରେ ଭାରତର ୧୩.୫ କୋଟି ଲୋକ ଦାରିଦ୍ର୍ୟ ସୀମା ରେଖାରୁ ବାହାରି ପାରିଛନ୍ତି । ମାନନୀୟ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଗାଁ ଲୋକଙ୍କୁ ଦାରିଦ୍ର୍ୟ ସୀମା ରେଖାରୁ ମୁକ୍ତି ଦେବାରେ ଖଦୀ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେଇଛି । କେଭିଆଇସି ୨୦୨୨-୨୩ ଆର୍ଥିକ ବର୍ଷ ସମୟରେ ମୋଟ୍‌ ୯ ଲକ୍ଷ ୫୪ ହଜାର ନୂଆ ରୋଜଗାର ସୃଷ୍ଟି କରିଛି।

କାରୀଗର ସମ୍ମିଳନୀରେ ଓଡ଼ିଶାର କାରୀଗରମାନଙ୍କୁ ସମ୍ବୋଧିତ କରି କେଭିଆଇସି ଅଧ୍ୟକ୍ଷ ଆହୁରି କହିଥିଲେ ଯେ, ଓଡ଼ିଶାରେ ୬୨ଟି ଖଦୀ ସଂସ୍ଥା କାର୍ଯ୍ୟରତ ଅଛନ୍ତି । ଏହା ମାଧ୍ୟମରେ ୪ ହଜାରରୁ ଅଧିକ ଲୋକଙ୍କୁ ରୋଜଗାର ମିଳୁଛି । ପ୍ରଧାନମନ୍ତ୍ରୀ ରୋଜଗାର ସୃଜନ କାର୍ଯ୍ୟକ୍ରମ (ପିଏମଇଜିପି) ଅନ୍ତର୍ଗତ ଓଡ଼ିଶା ବିଗତ ତିନି ବର୍ଷ ମଧ୍ୟରେ ୧୧୩୫୨ ପିଏମଇଜିପି ୟୁନିଟ୍‌ ପ୍ରତିଷ୍ଠା କରାଯାଇଛି, ଯେଉଁମାନଙ୍କୁ ଭାରତ ସରକାରଙ୍କ ପକ୍ଷରୁ ୩୦୮ କୋଟି ଟଙ୍କାରୁ ଅଧିକ ମାର୍ଜିନ ମନି ସବସିଡି ଆକାରରେ ବିତରଣ କରାଯାଇଛି, ଯାହା ମାଧ୍ୟମରେ ୯୦ ହଜାରରୁ ଅଧିକ ଲୋକଙ୍କୁ ରୋଜଗାର ମିଳୁଛି । ବିତରଣ କାର୍ଯ୍ୟକ୍ରମରେ ଓଡ଼ିଶା ସରକାର ଏବଂ କେଭିଆଇସିର ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ।