କଟକ : ପୂର୍ବତନ ମୁଖ୍ୟ ଶାସନ ସଚିବ, ଓପିଏସ୍ସିର ପୂର୍ବତନ ଅଧ୍ୟକ୍ଷ, ଓଡ଼ିଶା ରଣଜୀ ଦଳର ପୂର୍ବତନ ଅଧିନାୟକ ଲଲାଟ ଇନ୍ଦୁ ପରିଜାଙ୍କର ଆଜି ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୮୯ ବର୍ଷ ବୟସ ହୋଇଥିଲା। ସେ ଦୀର୍ଘଦିନ ଧରି ବାର୍ଦ୍ଧକ୍ୟଜନିତ ରୋଗରେ ପୀଡ଼ିତ ଥିଲେ। ଆଜି ସକାଳେ ସ୍ଥାନୀୟ ଏକ ଘରୋଇ ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଛି। ସେ ହେଉଛନ୍ତି ପ୍ରଖ୍ୟାତ ବୈଜ୍ଞାନିକ ପ୍ରାଣକୃଷ୍ଣ ପରିଜାଙ୍କ ସୁପୁତ୍ର। ସେ ଦୁଇ ଥର ରାଜ୍ୟର ମୁଖ୍ୟ ଶାସନ ସଚିବ ଭାବେ କାର୍ଯ୍ୟ କରିଥିଲେ। ୧୯୮୩ ମାର୍ଚ୍ଚ ୧ ତାରିଖରୁ ଏପ୍ରିଲ ୧ ତାରିଖ ପର୍ଯ୍ୟନ୍ତ ଏବ˚ ୧୯୮୬ ଜାନୁଆରି ୧ ତାରିଖରୁ ୧୯୮୭ ଅଗଷ୍ଟ ୫ ତାରିଖ ପର୍ଯ୍ୟନ୍ତ ସେ ଏହି ଗୁରୁଦାୟିତ୍ବ ତୁଲାଇଥିଲେ। ଏହାପରେ ସେ ଓଡ଼ିଶା ଲୋକସେବା ଆୟୋଗର ଅଧ୍ୟକ୍ଷ ଭାବେ କାର୍ଯ୍ୟ କରି ଅବସର ଗ୍ରହଣ କରିଥିଲେ।
ଜଗତସି˚ହପୁର ଜିଲ୍ଲାର ଇଚ୍ଛାପୁର ଗ୍ରାମରେ ଜନ୍ମଗ୍ରହଣ କରିଥିବା ସ୍ବର୍ଗତ ପରିଜାଙ୍କର ଦୁଇ ପୁଅ ଅଶୋକ ଓ ଜଗତେନ୍ଦୁ, ପୁତ୍ର ବଧୂ, ନାତି ନାତୁଣୀ ପ୍ରମୁଖ ଶେଷ ସମୟରେ ତାଙ୍କ ନିକଟରେ ଉପସ୍ଥିତ ଥିଲେ। ଆଜି ତାଙ୍କ ମରଶରୀରକୁ ଶୋଭାଯାତ୍ରାରେ କ୍ୟାଣ୍ଟନମେଣ୍ଟ ରୋଡ୍ ବାସଭବନରୁ କଟକ କ୍ଲବ୍ ଏବଂ ରେଭେନ୍ସା ବିଶ୍ବବିଦ୍ୟାଳୟକୁ ନିଆଯାଇଥିଲା। ସେଠାରେ ରେଭେନ୍ସାର କୁଳପତି ପ୍ରଫେସର ଈସାନ କୁମାର ପାତ୍ର, କୁଳ ସଚିବ ଅଶୋକ ଦାସଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କର ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ପରେ ଖାନନଗର ଶ୍ମଶାନରେ ତାଙ୍କର ଶେଷକୃତ୍ୟ ସଂପନ୍ନ ହୋଇଥିଲା। ସାନପୁଅ ଜଗତେନ୍ଦୁ ମୁଖାଗ୍ନି ଦେଇଥିଲେ।
ଜଣେ ଦକ୍ଷ ପ୍ରଶାସକ ହେବା ସହ ଲଳିତ ଇନ୍ଦୁ ଭଲ କ୍ରିକେଟ ଖେଳୁଥିଲେ। ତାଙ୍କ ପାଇଁ ଓଡ଼ିଶା ପ୍ରଥମଥର ରଣଜୀ ଟ୍ରଫିରେ ବିଜୟ ସ୍ବାଦ ପାଇଥିଲା। ୧୯୫୨-୫୩ରେ ସେ ରଣଜୀ ପଦାର୍ପଣ କରିଥିଲାବେଳେ ବାରବାଟୀ ଷ୍ଟାଡିୟମରେ ଆସାମ ବିପକ୍ଷରେ ଏହି ମ୍ୟାଚ ଖେଳିଥିଲେ। ଡିସେମ୍ବର ୬ ତାରିଖରୁ ଖେଳାଯାଇଥିବା ଏହି ପ୍ରଥମ ମ୍ୟାଚରେ ସେ ଶତକ (୧୦୩) ସ˚ଗ୍ରହ କରିବା ସହ ବୋଲି˚ରେ (୨/୬, ୨/୧୩) ୪ ଵିକେଟ ନେଇ ଓଡ଼ିଶାକୁ ୧୩୯ ରନ୍ରେ ପାଳି ବିଜୟୀ କରାଇବା ସହ ଦୁଇ ଦିନରେ ଖେଳ ସାରି ଦେଇଥିଲେ। ସେହିପରି ସେହି ଋତୁରେ ଜାନୁଆରି ୧୭ରୁ ବାରବାଟୀରେ ବେଙ୍ଗଲ ବିପକ୍ଷରେ ଖେଳିଥିବା ଦ୍ବିତୀୟ ମ୍ୟାଚରେ ମଧ୍ୟ ସ୍ବର୍ଗତ ପରିଜା ତାଙ୍କର ଶ୍ରେଷ୍ଠ ପ୍ରଦର୍ଶନ ଦେଇଥିଲେ। ଯଦିଓ ଏହି ମ୍ୟାଚରେ ବେଙ୍ଗଲ ୭ ଵିକେଟରେ ବିଜୟୀ ହୋଇଥିଲା କିନ୍ତୁ ସ୍ବର୍ଗତ ପରିଜାଙ୍କ ସ୍ମରଣୀୟ ପାଳି ଏବେ ବି ଓଡ଼ିଶା କ୍ରିକେଟ ଇତିହାସରେ ଲିପିବଦ୍ଧ ହୋଇ ରହିଯାଇଛି। ପ୍ରଥମେ ବେଙ୍ଗଲ ବ୍ୟାଟି˚ କରିଥିଲା ବେଳେ ସ୍ବର୍ଗତ ପରିଜା ୭୦ ରନ୍ ବିନିମୟରେ ୬ ଵିକେଟ ଅକ୍ତିଆର କରିଥିଲେ। ଏହାପରେ ଓଡ଼ିଶା ପ୍ରଥମ ପାଳିରେ ସେ ଦଳ ପାଇଁ ସର୍ବାଧିକ ୩୭ ରନ୍ କରିଥିଲାବେଳେ ଫଲୋଅନ୍ ହୋଇଥିଲା। ପୁଣି ଦ୍ବିତୀୟ ପାଳିରେ ସେ ସର୍ବାଧିକ ୧୫୨ ରନ୍ ସ˚ଗ୍ରହ କରିଥିଲେ ବି ଦଳକୁ ପରାଜୟରୁ ଉଦ୍ଧାର କରିପାରିନଥିଲେ। କ୍ରିକେଟ ଜୀବନରେ ସେ ମୋଟ ୨୦ଟି ପ୍ରଥମ ଶ୍ରେଣୀ କ୍ରିକେଟ ଖେଳିଛନ୍ତି। ସେଥିମଧ୍ୟରୁ ୨୩.୦୬ ହାରରେ ୨ଶତକ ଓ ୧ ଅର୍ଧଶତକ ସହ ମୋଟ ୭୬୧ ରନ୍ ସ˚ଗ୍ରହ କରିଥିଲେ। ସେହିପରି ବୋଲି˚ରେ ୩୦.୧୭ ହାରରେ ମୋଟ ୨୯ ଵିକେଟ ଅକ୍ତିଆର କରିଥିଲେ। ସେଥିମଧ୍ୟରେ ସେ ଥରେ ୫ ଵିକେଟ ସଫଳତା (୬/୭୦) ପାଇଥିଲେ। ସ୍ବର୍ଗତ ପରିଜା କଟକ କ୍ଲବ୍ର ସଭାପତି ଭାବେ ମଧ୍ୟ କାର୍ଯ୍ୟ କରିଥିଲେ। ଗଲା ମାର୍ଚ୍ଚ ମାସରେ ତାଙ୍କର ଆତ୍ମଜୀବନୀ ପୁସ୍ତକ ‘ଫେଟ୍ ଟେକ୍ସ ଏ ହ୍ୟାଣ୍ଡ୍’ ଲୋକାର୍ପଣ ହୋଇଥିଲା।
ତାଙ୍କର ମୃତ୍ୟୁ ଖବର ପାଇ ସୂଚନା ଓ ଲୋକସମ୍ପର୍କ ବିଭାଗ ମନ୍ତ୍ରୀ ରଘୁନନ୍ଦନ ଦାସ, ଜେଲ୍ ଆଇଜି ସତ୍ୟଜିତ ମହାନ୍ତି, ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ୍ ସି.ଆର୍. ପାଲ୍, ଅବସରପ୍ରାପ୍ତ ପ୍ରଶାସକ ଏସ.ଆର.ପାଲ୍, ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ, ପୂର୍ବତନ ପୁଲିସ ଡିଜି ଗୋପାଳ ନନ୍ଦ, ଓପିଏସ୍ସି ଅଧ୍ୟକ୍ଷ କର୍ଣ୍ଣେଲ ଏଲ୍. ସି ପଟ୍ଟନାୟକ, ଓପିଏସ୍ସି ଅଧ୍ୟକ୍ଷଙ୍କ ଓଏସ୍ଡି ସୁଶାନ୍ତ କୁମାର ଦାସ, ପୂର୍ବତନ ମୁଖ୍ୟ ଶାସନ ସଚିବ ଆର୍.ଏନ୍. ଦାସ, ଓପିଏସସିର ପୂର୍ବତନ ଅଧ୍ୟକ୍ଷ ଶୋଭନ୍ କାନୁନ୍ଗୋ, ହୃଦ୍ରୋଗ ବିଶେଷଜ୍ଞ ପ୍ରଫେସର ଡାକ୍ତର ହୃଦାନନ୍ଦ ମିଶ୍ର, ପ୍ରଫେସର ଡାକ୍ତର ଜେପି ଦାସ, କଟକ କ୍ଲବର ସଭାପତି ଆର୍ କେ ସନ୍ତୁକା, ବରିଷ୍ଠ ଆଇନ୍ଜୀବୀ ବିଜନ ରାୟ, ରମାବଲ୍ଲଭ ମହାନ୍ତି, ଅଶୋକ ମହାନ୍ତି, ଶ୍ରୀବିହାର କଲୋନି ପୂଜା କମିଟି ସମ୍ପାଦକ ସୁକାନ୍ତ କୁମାର ଦାସ ପ୍ରମୁଖ ତାଙ୍କ କ୍ୟାଣ୍ଟନମେଣ୍ଟ ରୋଡ୍ସ୍ଥିତ ବାସଭବନରେ ପହଞ୍ଚି ଶେଷ ଦର୍ଶନ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/08/LI-PARIJA070841.jpg)