ନୃତତ୍ତ୍ବବିତ୍‌ ଏଲ୍‌ କେ ମହାପାତ୍ରଙ୍କ ପରଲୋକ

ଭୁବନେଶ୍ବର : ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ନୃତତ୍ତ୍ବବିତ୍‌ ତଥା ଉତ୍କଳ ଓ ସମ୍ବଲପୁର ବିଶ୍ବବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର ଏଲ୍‌ କେ ମହାପାତ୍ରଙ୍କର ଆଜି ସକାଳେ ପରଲୋକ ହୋଇଛି। ବାର୍ଦ୍ଧକ୍ୟଜନିତ କାରଣରୁ ଭୁବନେଶ୍ବର ସତ୍ୟନଗରସ୍ଥିତ ବାସଭବନରେ ତାଙ୍କର ଦେହାନ୍ତ ହୋଇଛି। ତାଙ୍କୁ ୯୦ ବର୍ଷ ହୋଇଥିଲା। ମୃତ୍ୟୁ ଖବର ପାଇ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ନୃତତ୍ତ୍ବ ବିଜ୍ଞାନୀ, ପ୍ରଫେସର, ଅଧ୍ୟାପକ, ଛାତ୍ରଛାତ୍ରୀ ତାଙ୍କ ବାସଭବନରେ ପହଞ୍ଚି ଶେଷ ଦର୍ଶନ କରିଥିଲେ। ତାଙ୍କ ପତ୍ନୀ କିରଣପ୍ରଭାଙ୍କର ୨୦୧୯ ଅକ୍ଟୋବର ମାସରେ ପରଲୋକ ହୋଇଥିଲା। ପୁଅ ସୁଜିତ୍‌ ବକୁଲ୍‌ ଫାଉଣ୍ଡେସନର ପ୍ରତିଷ୍ଠାତା ଥିବା ବେଳେ ଝିଅ ସିଲା ଏବେ ବେଙ୍ଗା‌ଲୁରୁରେ ରହୁଛନ୍ତି।

ବାରିପଦାସ୍ଥିତ ଏମ୍‌କେସି ଉଚ୍ଚ ବିଦ୍ୟାଳୟରେ ଶିକ୍ଷାଗ୍ରହଣ କରିଥିବା ଶ୍ରୀ ମହାପାତ୍ର ମାଟ୍ରିକ୍‌ରେ ସାରା ଓଡ଼ିଶାରେ ଦ୍ବିତୀୟ ସ୍ଥାନରେ ରହିଥିଲେ। ଏହାପରେ ରେଭେନ୍ସା କଲେଜରେ ଯୁକ୍ତ୨ ଓ କଲିକତା ବିଶ୍ବବିଦ୍ୟାଳୟରେ ସ୍ନାତକ ଶିକ୍ଷା ଗ୍ରହଣ କରିଥିଲେ। ସେଠାରେ ହିଁ ନୃତତ୍ତ୍ବ ବିଜ୍ଞାନରେ ସ୍ନାତକତ୍ତୋର ଅଧ୍ୟୟନ କରି ୧୯୫୨ରେ ସଫଳତାର ସହ କୃତିତ୍ବ ଅର୍ଜନ କରିଥିଲେ। ଜର୍ମାନୀରୁ ପିଏଚ୍‌ଡି ହାସଲ କରିବା ପରେ କର୍ଣ୍ଣାଟକର ଧାରୱାଡ୍‌ ଓ ଉତ୍ତର ପ୍ରଦେଶର ଲକ୍ଷ୍ନୌ ବିଶ୍ବବିଦ୍ୟାଳୟ‌ରେ ଅଧ୍ୟାପକ ଭାବେ କାର୍ଯ୍ୟ କରିଥିଲେ। ୧୯୬୪‌ରେ ଉତ୍କଳ ବିଶ୍ବବିଦ୍ୟାଳୟର ରିଡର ଭାବେ ଯୋଗଦେଇ ୧୯୬୬ରୁ ୧୯୮୯ ପର୍ଯ୍ୟନ୍ତ ସେ ନୃତତ୍ତ୍ବ ବିଜ୍ଞାନ ବିଭାଗର ମୁଖ୍ୟ ରହିଥିଲେ। ୧୯୮୬ ମସିହା ଏପ୍ରିଲ ୯ରୁ ଅଗଷ୍ଟ ୧ ପର୍ଯ୍ୟନ୍ତ ୪ ମାସ ପାଇଁ ଉତ୍କଳ ବିଶ୍ବବିଦ୍ୟାଳୟ ଓ ୧୯୮୯-୯୦ରେ ସମ୍ବଲପୁର ବିଶ୍ବବିଦ୍ୟାଳୟ କୁଳପତି ପଦବିରେ ଥିଲେ। ପରେ ଭୁବନେଶ୍ବରସ୍ଥିତ ନବକୃଷ୍ଣ ଚୌଧୁରୀ ସେଣ୍ଟର ଫର୍‌ ଡେଭ୍‌ଲପ୍‌ମେଣ୍ଟ ଷ୍ଟଡିଜ୍‌ର ନିର୍ଦେଶକ ଭାବେ ମଧ୍ୟ ଦାୟିତ୍ବ ନିର୍ବାହ କରିଥିଲେ। ଏଥିସହ ଆଇଏମ୍‌ସିଏଏ ଓ ଏଏଆଇର ଉପ ସଭାପତି, ଏନ୍‌ଓଏଫ୍‌ଏପିର ପ୍ରତିଷ୍ଠାତା-ସଭାପତି ମଧ୍ୟ ଥିଲେ। ୨୦୦୪ରେ ଇଣ୍ଡିଆନ୍‌ ଆନ୍‌ଥ୍ରୋପଲୋଜି ସୋସାଇଟି ପକ୍ଷରୁ ତାଙ୍କୁ ନୃତତ୍ତ୍ବ ବିଜ୍ଞାନରେ ଜୀବନବ୍ୟାପୀ ସାଧନା ଲାଗି ସ୍ବର୍ଣ୍ଣ ପଦକ, ୨୦୧୫ରେ ଇଣ୍ଡିଆନ୍‌ ଆନ୍‌ଥ୍ରୋପଲୋଜି କଂ‌ଗ୍ରେସ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା। ମୃତ୍ୟୁ ଖବର ପାଇବା ପରେ ଉତ୍କଳ ସଂସ୍କୃତି ବିଶ୍ବବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର କମଲକାନ୍ତ ମିଶ୍ର, ପ୍ରଫେସର ପ୍ରସନ୍ନ କୁମାର ମିଶ୍ର, ପ୍ରଫେସର ଅଖିଳ ବିହାରୀ ଓତା, ପ୍ରଫେସର ନିର୍ମଳ ଦାଶ, ପ୍ରଫେସର କିଶୋର ବାସାଙ୍କ ସମେତ ଉତ୍କଳ ବିଶ୍ବବିଦ୍ୟାଳୟର ନୃତତ୍ତ୍ବ ବିଜ୍ଞାନ ବିଭାଗର ଅଧ୍ୟାପକ ଓ ଛାତ୍ରଛାତ୍ରୀ ପହଞ୍ଚି ଶେଷ ଦର୍ଶନ କରିଥିଲେ।

ପ୍ରଫେସର ମହାପାତ୍ରଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକପ୍ରକାଶ କରିଛନ୍ତି। ନୃତତ୍ତ୍ବ ବିଜ୍ଞାନ ଓ ସମାଜବିଜ୍ଞାନ କ୍ଷେତ୍ରରେ ଅବଦାନ ପାଇଁ ପ୍ରଫେସର ମହାପାତ୍ର ମନେ ରହିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ସେ ତାଙ୍କ ଶୋକସନ୍ତପ୍ତ ପରିବାର ସଦସ୍ୟମାନଙ୍କୁ ସମବେଦନା ଜଣାଇଛନ୍ତି।

ସମ୍ବନ୍ଧିତ ଖବର