ଭଜିଲାନ୍ସ ଜାଲରେ ଗଞ୍ଜାମ ଜିଲ୍ଲା ଚିକିଟି କଲେଜର ପ୍ରାଣୀ ବିଜ୍ଞାନ ବିଭାଗ ଲ୍ୟାବ୍‌ ଆସିଷ୍ଟାଣ୍ଟ

ଚିକିଟି କଲେଜ ଲ୍ୟାବ୍‌ ଆସିଷ୍ଟାଣ୍ଟ୍‌ଙ୍କ ‌ସମ୍ପତ୍ତି ୧ କୋଟି ୪୫ ଲକ୍ଷ

ବ୍ରହ୍ମପୁର/ଚିକିଟି : ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବ୍ରହ୍ମପୁର ଭଜିଲାନ୍ସ ଜାଲରେ ଛନ୍ଦି ହୋଇଛନ୍ତି ଗଞ୍ଜାମ ଜିଲ୍ଲା ଚିକିଟି କଲେଜର ପ୍ରାଣୀ ବିଜ୍ଞାନ ବିଭାଗ ଲ୍ୟାବ୍‌ ଆସିଷ୍ଟାଣ୍ଟ କ‌ୈଳାସ ଚନ୍ଦ୍ର ମହାନ୍ତି। ଭିଜିଲାନ୍ସ ଶ୍ରୀ ମହାନ୍ତିଙ୍କ ଚିକିଟି ଗଡ଼ ସ୍ଥିତ ବାସଭବନ ସମେତ ୬ଟି ସ୍ଥାନରେ ଚଢ଼ଉ କରିଛି। ୧କୋଟି ୪୫ଲକ୍ଷ ୮୩୭ଟଙ୍କା ମୂଲ୍ୟର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ଠାବ କରିଛି। ସମ୍ପୂର୍ଣ୍ଣ ତଦନ୍ତ ଶେଷ ହେବା ପରେ ସମ୍ପତ୍ତି ପରିମାଣ ସ୍ପଷ୍ଟ ହେବ ବୋଲି ଭିଜିଲାନ୍ସ୍‌ କହିଛି।

ବ୍ରହ୍ମପୁର ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟଙ୍କ ସର୍ଚ୍ଚ ୱାରେଣ୍ଟ ବଳରେ ବ୍ରହ୍ମପୁର ଭିଜିଲାନ୍ସ ପକ୍ଷରୁ ଚିକିଟି କଲେଜର ଲ୍ୟାବ୍‌ ଆସିଷ୍ଟାଣ୍ଟ ଶ୍ରୀ ମହାନ୍ତିଙ୍କ ଚିକିଟିଗଡ଼ ସ୍ଥିତ ପୈତୃକ ଘର ସମେତ ୫ଟି ସ୍ଥାନରେ ଚଢ଼ଉ କରିଛି। ଶ୍ରୀ ମହାନ୍ତି ୨୦୦୮ରେ ଚିକିଟି କଲେଜରେ ଲ୍ୟାବ୍‌ ଆସିଷ୍ଟାଣ୍ଟ(ଠିକା କର୍ମଚାରୀ) ଭାବେ କାର୍ଯ୍ୟ ଆରମ୍ଭ କରିଥିଲେ। ୨୦୧୪ରେ ଚାକିରି ନିୟମିତ ହୋଇଥିଲା। ଭିଜିଲାନ୍ସ ସୂଚନା ଅନୁସାରେ, ତାଙ୍କ ପତ୍ନୀ ପ୍ରତିଭା ପଣ୍ଡାଙ୍କ ନାମରେ ବ୍ରହ୍ମପୁର ଶ୍ରୀ ଟାୱର ୬ମହଲାରେ ଏକ ଫ୍ଲାଟ୍‌ ରହିଛି, ଯାହାର ମୂଲ୍ୟ ୨୦ଲକ୍ଷ ୬୨ହଜାର ୫୪୭ ଟଙ୍କା। ସେଭଳି ବ୍ରହ୍ମପୁର ଗାନ୍ଧୀନଗର ୫ମ ଲେନ୍‌ ସ୍ଥିତ ସ୍ପେକ୍ଟ୍ରମ କଲୋନୀର ସରୋବର ଆପାର୍ଟମେଣ୍ଟ ଦ୍ବିତୀୟ ମହଲାରେ ଏକ ଫ୍ଲାଟ୍‌ କୈଳାସଙ୍କ ନାଁରେ ଅଛି ଯାହାର ମୂଲ୍ୟ ୧୨ଲକ୍ଷ ୫୦ହଜାର ୧୮୧ ଟଙ୍କା। ସେହିପରି ତାଙ୍କ ପତ୍ନୀ ପ୍ରତିଭାଙ୍କ ନାମରେ ଭୁବନେଶ୍ବର ବିଜେବି ନଗର ପ୍ରାଣନାଥ ଏନ୍‌କ୍ଲେଭ୍‌ର ପ୍ରଥମ ମହଲାରେ ଏକ ଫ୍ଲାଟ୍‌ ଅଛି ଯାହାର ମୂଲ୍ୟ ୩୧ଲକ୍ଷ ୧୯ହଜାର ୭୫୭ଟଙ୍କା। ସେଭଳି କୈଳାସଙ୍କ ନାଁରେ ବ୍ରହ୍ମପୁର ଉପକଣ୍ଠ ହଳଦିଆପଦର ମୌଜାରେ ୧୩ଲକ୍ଷ ୭ହଜାର ୫୭୫ଟଙ୍କା ମୂଲ୍ୟର ୩ଟି ପ୍ଲଟ୍‌ ଅଛି। ପୈତୃକ ଘରର ମୂଲ୍ୟ ୨୬ଲକ୍ଷ ୨୫ହଜାର ଟଙ୍କା ଆକଳନ କରାଯାଇଛି। ତାଙ୍କ ଘରେ ୬ଲକ୍ଷ ୨ହଜାର ୭୨୩ଟଙ୍କା ମୂଲ୍ୟର ଆସବାବପତ୍ର ରହିଛି। ଏଥିସହ ନଗଦ ୨୦ହଜାର ୫୭୦ଟଙ୍କା ଓ ୨ଲକ୍ଷ ୧୯ହଜାର ୨୨୯ମୂଲ୍ୟର ସୁନା ଓ ରୁପା ଅଳାଙ୍କାର ଠାବ ହୋଇଛି। ତା ପତ୍ନୀ ଏବଂ ପୁଅଙ୍କ ନାମରେ ୮ଲକ୍ଷ ୭ହଜାର ୨୫୫ଟଙ୍କା ମୂଲ୍ୟର ବିଭିନ୍ନ ବ୍ୟାଙ୍କ୍‌ ପୋଷ୍ଟ୍‌ ଅଫିସରେ ଜମା ରହିଛି। ଏକ କାର୍‌, ୬୫ ହଜାର ଟଙ୍କା ଲେଖାଏଁ ମୂଲ୍ୟର ଏକ ବାଇକ୍‌ ଓ ସ୍କୁଟର, ୧୩ଲକ୍ଷ ୫୦ହଜାର ମୂଲ୍ୟର ଏକ ଟିପର୍‌ ଓ ୫ଲକ୍ଷ ୫୫ହଜାର ଟଙ୍କା ମୂଲ୍ୟର ଏକ ଟ୍ରାକ୍ଟର୍‌ ଅଛି। ତଦନ୍ତ ଜାରି ରହିଥିବା ଭିଜିଲାନ୍ସ କହିଛି।

ସମ୍ବନ୍ଧିତ ଖବର